ଲାଞ୍ଜିଗଡ଼,୧୭ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କଲାକୂପା ଗ୍ରାମବାସୀ ପାନୀୟ ଜଳ ସମସ୍ୟାକୁ ନେଇ ଶନିବାର ରାୟଗଡ଼ାଠାରୁ ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।
ସୂଚନାନୁସାରେ କଳାକୂପା ଗ୍ରାମରେ ୫ଟି ପଡାରେ ପ୍ରାୟ ୩ ଶହରୁ ଊର୍ଦ୍ଧ୍ୱ ପରିବାର ରହୁଥିବା ବେଳେ ୪ ଗୋଟି ନଳକୂପ ଅଛି। କିନ୍ତୁ ସେଥିରୁ ଗୋଟିଏ ନଳକୂପ କାମ କରୁଛି ଏବଂ ଦୁଇମାସ ଧରି ବସୁଧା ଅଚଳ ହୋଇପଡିଛି। ଫଳରେ ଲୋକେ ପାଣିପାଇଁ ବହୁତ ଅସୁବିଧା ଭୋଗୁଛନ୍ତି।
ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମାଧାନ ନ ହେବାରୁ ମହିଳାପୁରୁଷ ଗରା, ବାଲ୍ଟି ରଖି ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁ ଉଭୟ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ବିଜେପୁର ସରପଞ୍ଚ ଜନନୀ ମାଝୀ ଗ୍ରାମବାସୀଙ୍କ ସହ ଆଲୋଚନା କରି ୭ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ପରେ ରାସ୍ତାରୋକୋ ହଟିଥିଲା।
ତେବେ ପ୍ରତିଶ୍ରୁତି ଅନୁଯାୟୀ ସମସ୍ୟାର ସମାଧାନ ନ ହେଲେ ପୁଣିଥରେ ରାସ୍ତାରୋକୋ ସହ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଗ୍ରାମର ଟେକୁରାମ ପାଣି, ପୂର୍ଣ୍ଣଚନ୍ଦ୍ର ମାଝୀ, ରମେଶ କରୁଆଁ, ଦେବଗିରି ନାଏକ, ମଦନ ମାଝୀ, ଧାନବୋଇ ମାଝୀ, ରବି ମାଝୀ, ଚନ୍ଦନା ନାଏକ, ପଦ୍ମା ବିଭାର, ଲକ୍ଷ୍ମୀ ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି।

