ପୁରସ୍କାର ଓ ପ୍ରବଞ୍ଚନା

ଏହି ନିକଟରେ ଦିଲ୍ଲୀରେ ଉଦ୍‌ଯାପିତ ହୋଇଯାଇଛି ଏଆଇ କମ୍ପାକ୍ଟ ସମିଟ୍‌ ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସମ୍ପର୍କିତ ଶିଖର ସମ୍ମିଳନୀ। ବିଶ୍ବର କୋଡ଼ିଏଟି ରାଷ୍ଟ୍ରର ଶାସନମୁଖ୍ୟ ତଥା ପାଞ୍ଚଶହରୁ ଊଦ୍ଧର୍‌ବ ଏଆଇ ବିଶେଷଜ୍ଞଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସମ୍ମିଳନୀ ଥିଲା ଭାରତ ପାଇଁ ଗୌରବର ବିଷୟ। ମାତ୍ର ଯେଉଁ ଘଟଣାଟି ଅମୃତ ଭାଣ୍ଡରେ ଟୋପାଏ ବିଷ ପରି ପରିସ୍ଥିତି ସୃଷ୍ଟି କରିଥିଲା, ତାହା ହେଉଛି ଚାଇନାରେ ନିର୍ମିତ ଏକ ଯନ୍ତ୍ର କୁକୁର (ରୋବୋ)କୁ ନିଜ ଉତ୍କର୍ଷ କେନ୍ଦ୍ର ଦ୍ବାରା ନିର୍ମିତ ବୋଲି କହି ପ୍ରଦର୍ଶିତ କରିଥିଲା ଉତ୍ତର ପ୍ରଦେଶର ନଏଡାସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟ। ଚୋରି ଧରାପଡ଼ିବା ପରେ ନିଜର ଦୋଷ ସ୍ବୀକାର କରିବା ପରିବର୍ତ୍ତେ ଗାଲୁଆଙ୍କ ବାରବାଟି ଚାଷ ନ୍ୟାୟରେ ସଫେଇ ଦେଇଥିବା ସେ ବିଶ୍ବବିଦ୍ୟାଳୟର ନାମ ହେଉଛି ‘ଗାଲଗୋଟିଆସ’। ପ୍ରଶ୍ନ ଉଠେ, ଗୋଟିଏ ଘରୋଇ ବିଶ୍ବବିଦ୍ୟାଳୟର ଏତେବଡ଼ ସାହସ ହେଲା କେମିତି? ଏଥିରୁ ସ୍ପଷ୍ଟ ହୁଏ ଯେ ଧରାପଡି ଅପମାନିତ ହୋଇ ନ ଥିଲେ ତାର କୃତିତ୍ୱ ପାଇଁ ଅଜାଡ଼ି ହୋଇ ପଡିଥାନ୍ତା ଅଜସ୍ର ପ୍ରଶଂସା, ଯେମିତି ଚାଲିଛି ଆମ ଓଡ଼ିଆ ସାହିତ୍ୟରେ। ପ୍ରଶଂସାପତ୍ର ବାଣ୍ଟିବା ପାଇଁ ଏଠି ଗଢି ଉଠିଛି ଅନେକ ସାହିତ୍ୟ ଅନୁଷ୍ଠାନ। ମାତ୍ର ଅଯୋଗ୍ୟଙ୍କୁ ସମ୍ମାନିତ କରିବା ପ୍ରାୟତଃ ଅଧିକାଂଶ ଅନୁଷ୍ଠାନର ସମ୍ଭ୍ରାନ୍ତୀୟ ନୀତି।
ଆମ ରାଜ୍ୟରେ ସାରସ୍ବତ ସଂଗଠନ କହିଲେ ଆଗେ ଆଖି ଆଗକୁ ଆସେ ଓଡ଼ିଶା ସାହିତ୍ୟ ଏକାଡେମୀ। ଏହା ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସର୍ବୋଚ୍ଚ ଅନୁଷ୍ଠାନ। କେବଳ ପୁରସ୍କାର ପ୍ରଦାନ ନୁହେଁ,ଏଥିସହିତ ନୂତନ ଲେଖକ ଲେଖିକା ସୃଷ୍ଟି କରିବା, ନୂତନ ପୁସ୍ତକ ସମ୍ପାଦନା କରିବା, ସୃଷ୍ଟି ସମୀକ୍ଷା କରିବା ଇତ୍ୟାଦି ମଧ୍ୟ ସାହିତ୍ୟ ଏକାଡେମୀର କାମ। ଓଡ଼ିଶା ସରକାରଙ୍କ ଦ୍ବାରା ଏହା ଗଠନ (୧୯୫୭) ହେଲା ପରେ ବିଶିଷ୍ଟ ସାହିତି୍ୟକ ମାୟାଧର ମାନସିଂହ କହିଥିଲେ- ସରକାର ତାଙ୍କ ବୃଦ୍ଧାଙ୍ଗୁଷ୍ଠି ତଳେ ଚାପି ରଖିଲା ଭଳି ଅନୁଷ୍ଠାନଟିଏ ଗଢିଦେଲେ, ଯେଉଁ କଟୁ ସତ୍ୟ ଆଜି କଠୋର ଭାବେ ଅନୁଭୂତ।
ସାହିତ୍ୟ ଏକାଡେମୀ ଗଠନ ହେବାର ଅର୍ଦ୍ଧଶତାବ୍ଦୀ ପୂର୍ବରୁ(୧୯୦୩) ଜନ୍ମ ନେଇସାରିଥିଲା ଓଡ଼ିଶାର ସର୍ବପୁରାତନ ସାରସ୍ବତ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’। ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ଦିଗରେ ତା’ର ଅତୁଳନୀୟ ଅବଦାନ ପାଇଁ ତାହା ଓଡ଼ିଆ ଭାଷା ସାହିତ୍ୟର ଶ୍ରୀମନ୍ଦିର ଭାବରେ ପରିଚିତ। ଉତ୍କଳ ସାହିତ୍ୟ ସମାଜ ଜନ୍ମନେବା ପୂର୍ବରୁ ଓଡ଼ିଶାରେ ରାଜା ଓ ଜମିଦାରମାନେ ଥିଲେ ସାହିତ୍ୟର ପୃଷ୍ଠପୋଷକ। ବାମଣ୍ଡା ରାଜା ବାସୁଦେବ ସୁଢଳଦେବ, ମୟୂରଭଞ୍ଜ ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ଖଡ଼ିଆଳ ରାଜା ବ୍ରଜରାଜ ସିଂହଦେଓ, ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଓ ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ବହୁ କାବ୍ୟାନୁରାଗୀ ରାଜା ଥିଲେ ଏବଂ ସେମାନଙ୍କ ରାଜଦରବାରରେ ସମୁଚିତ ଆତିଥ୍ୟ ଓ ସମ୍ମାନ ପାଉଥିଲେ କବି, ଲେଖକ ଓ ପଣ୍ଡିତମାନେ।
ରାଜଦରବାର ବାହାରେ ମନ୍ଦିର, ଚଉପାଢି ଓ ଭାଗବତଟୁଙ୍ଗିରେ ବି ସାହିତ୍ୟ ଓ ସଂସ୍କୃତି ଚର୍ଚ୍ଚା ହେଉଥିଲା ଏବଂ ସେଥିରେ ଭାଗ ନେବାର ସୁଯୋଗ ପାଉଥିଲେ ସବୁବର୍ଗର ଲୋକ। ସାରସ୍ବତ ସାଧକମାନେ ଥିଲେ ଋଷି ଚେତନାର ମଣିଷ। ବୈଚାରିକ ଦୃଷ୍ଟିଭଙ୍ଗୀକୁ ନେଇ ସେମାନେ ମଞ୍ଚରେ ବିତର୍କ କରୁଥିଲେ ମଧ୍ୟ ପରସ୍ପର ବାନ୍ଧି ହୋଇ ରହିଥିଲେ ସମ୍ପର୍କର ପରମ ସୌହାର୍ଦ୍ଦ୍ୟର ସୂତ୍ରରେ। ଯୋଗ୍ୟ ସ୍ରଷ୍ଟାଙ୍କୁ ଇଂରେଜ ସରକାର ଓ ରାଜା, ଜମିଦାରଙ୍କ ପକ୍ଷରୁ ଉପାଧି ଓ ସମ୍ବର୍ଦ୍ଧନା ମିଳୁଥିଲା, ଯାହା ସେମାନଙ୍କ ପାଇଁ ଥିଲା ଏକ ସାତ୍ତ୍ୱିକ ସ୍ବୀକୃତି। ସବୁରି ଊଦ୍ଧର୍‌ବରେ ଥିଲା ବିଦଗ୍ଧ ପାଠକ ଓ ଗୁଣଗ୍ରାହୀମାନଙ୍କ ଦ୍ବାରା ପ୍ରଦତ୍ତ ଶାବ୍ଦିକ ଶିରସ୍ତ୍ରାଣ, ଯା’ର ଦୃଷ୍ଟାନ୍ତ ଫକୀରମୋହନଙ୍କ ବ୍ୟାସକବି ଓ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାନ୍ତକବି ଉପାଧି। ସେତେବେଳେ ପୁରସ୍କାର ଦିଆଯାଉଥିଲା ଶ୍ରେଷ୍ଠତ୍ୱର ସମ୍ମାନାର୍ଥେ। ପୁରସ୍କାରର ପବିତ୍ରତା ବଜାୟ ରଖିବା ପାଇଁ ବିଶେଷଜ୍ଞମାନେ ନିରପେକ୍ଷ ରହି ସିଦ୍ଧାନ୍ତ ନେଉଥିଲେ, ଯେଉଁଥିପାଇଁ ତା’ର ବିଶ୍ୱସନୀୟତା ଥିଲା ସନ୍ଦେହର ଊର୍ଦ୍ଧ୍ୱରେ। ମାତ୍ର ସାହିତ୍ୟ ସଂଗଠନ ସହିତ ସାମନ୍ତମାନେ ଯୋଡିହେବା ପରେ କଳୁଷିତ ହେଲା ସାରସ୍ବତ ବାତାବରଣ। ପୁରସ୍କାର ପାଇବା ନ ପାଇବାକୁ ନେଇ ଉଠିଲା ବିବାଦ। ଦିନେ ସାହିତ୍ୟରେ ସେବକ ହେବା ଥିଲା କାଠିକର ପାଠ। ସେଥିରେ ସ୍ବୀକୃତି ପାଇବା ପୁଣି ଭାଗ୍ୟର କଥା। ଏବେ ଲେଖକ ହେବା ଓ ପୁରସ୍କାର ପାଇବା ଅତି ସାଧାରଣ କଥା। ଆଜିକାଲି କଲମଚାଷୀ ହାଉଯାଉ। ସେମାନଙ୍କୁ ପୁରସ୍କାର ଦେବା ପାଇଁ ଖୋଲିଛି ମାଳମାଳ ସାହିତ୍ୟ ସଂଗଠନ। ଗାଁରୁ ସହର ଯାଏ ସବୁଠି ଆୟୋଜନ ହେଉଛି ପୁସ୍ତକ ଲୋକାର୍ପଣ ଉତ୍ସବ। ଆଗେ ପାଠକଙ୍କ ତୁଳନାରେ ଲେଖକଙ୍କ ସଂଖ୍ୟା ଥିଲା ନଗଣ୍ୟ। ଆଜି ଶହେଜଣ ଲେଖକଙ୍କ ଭିତରେ ଦଶଜଣ ପାଠକ ମିଳିବେ କି ନାହିଁ ସନ୍ଦେହ। ପାଠକହୀନତା ସଙ୍କଟ ଭିତରୁ ମୁକୁଳିପାରୁନି ଓଡ଼ିଆ ସାହିତ୍ୟ। କ’ଣ ହୋଇପାରେ ଏହାର କାରଣ? ଓଡ଼ିଆ ସାହିତ୍ୟରେ ଆଉ ଭଲ ଲେଖକ ନାହାନ୍ତି ନା ସେମାନେ ଖୋଜି ପାଉନାହାନ୍ତି ଘଟଣା ଓ ଚରିତ୍ର ?
ସାହିତ୍ୟ ସ୍ରଷ୍ଟା ମାନବାତ୍ମାର କାରିଗର। ସେମାନଙ୍କ ଅନ୍ତର୍ଲୋକରେ ଉଦ୍ଭାସିତ ସୃଜନଶୀଳ ଉଦୟ ହିଁ ସାହିତ୍ୟ। ତା’ର ସୃଷ୍ଟି ପଛରେ ଥାଏ ବିପୁଳ ଉପଲବ୍ଧି। ଘୃଣା ଓ ହିଂସା ଏବଂ ପ୍ରବଞ୍ଚନାରୁ ଉପଲବ୍ଧି ମିଳେନାହିଁ, ଉପଲବ୍ଧି ଥାଏ ସତ୍ୟରେ, ପ୍ରେମରେ ଓ ଭଲପାଇବାରେ। ଯେଉଁଠି ସାଧନା ନାହିଁ, ନିଷ୍ଠା ନାହିଁ, ମହତ ଲକ୍ଷ୍ୟ ନାହିଁ, ସେଠାରେ ସାହିତ୍ୟ କେବଳ ଆତ୍ମପ୍ରଚାର ଓ ଶସ୍ତା ଲୋକପ୍ରିୟତା ପାଇଁ ଏକ ଭେଳିକି। ନିଜ ଲେଖା ଉପରେ ନିଜେ ମୋହର ମାରି ବାହାବା ନେବାର ଆତ୍ମ ପ୍ରବଞ୍ଚନା। ନାନ୍ଦନିକ ଦୃଷ୍ଟିକୋଣ ନ ରହିଲେ ସର୍ଜନା ପାଲଟିଯାଏ ସାହିତ୍ୟର ଅପସୃଷ୍ଟି। ସାରସ୍ବତ ଅଗଣାର ସେହି ଆବର୍ଜନାକୁ ନେଇ ବଢୁଛି ପୁରସ୍କାରପ୍ରାପ୍ତ ପୁସ୍ତକ ଓ ପାଠକପ୍ରିୟ ପୁସ୍ତକ ମଧ୍ୟରେ ଦୂରତା। ସାହିତ୍ୟ ପାଖରୁ ଦୂରେଇଯାଉଛି ପାଠକ।
ଆଗେ କେବଳ ରାଜଧାନୀରେ ଅନୁଷ୍ଠିତ ହେଉଥିଲା ପୁସ୍ତକ ମେଳା। ଏବେ ଛୋଟ ଛୋଟ ସହରରେ ପୁସ୍ତକ ମେଳା ହେଲାଣି ଏବଂ କେତେକ ସହରରେ ଏକାଧିକ ମେଳା ହେଉଛି ବାଦବୁଦିଆରେ। ହେଲେ ସବୁଠି ବହି ବଜାର ମାନ୍ଦା। ପୁଣି ଧର୍ମ, ବିଜ୍ଞାନ, ପାଠ୍ୟ ଓ ପ୍ରତିଯୋଗିତାମୂଳକ ପୁସ୍ତକ ତୁଳନାରେ ସବୁଠାରୁ କମ୍‌ ବିକ୍ରି ହେଉଛି ସାହିତ୍ୟ ବହି। ପାଠକ ନ ଥାଇ ଲେଖକକୁ ମିଳୁଛି ପୁରସ୍କାର। ସେଥିପାଇଁ ସାହିତ୍ୟ ସଭା ସହିତ ଯୋଡି ହୋଇଯାଉଛି ସମ୍ବର୍ଦ୍ଧନା ପର୍ବ। ସେଠାରେ ସମ୍ବର୍ଦ୍ଧିତ ହେଉଛନ୍ତି ଅନେକ ଆତ୍ମଘୋଷିତ ବଡ଼ ଲେଖକ। ସେମାନଙ୍କୁ ଜଣାଥାଏ ପେଞ୍ଚପାଞ୍ଚ କରି ମଞ୍ଚଦଖଲ ଓ ପୁରସ୍କାର ହାତେଇବାର କଳା। ସାହିତ୍ୟ ଏକାଡେମୀ ଭଳି ବଡବଡ ସାହିତ୍ୟ ଅନୁଷ୍ଠାନରେ ବି ଚାଲିଛି ନିର୍ଦ୍ଦିଷ୍ଟ ମତାଦର୍ଶର ଭାଟ ବନ୍ଦନା। ତଥାକଥିତ ଅନେକ ମାତବର ସେହି ପ୍ରବଞ୍ଚନା ପାଲାର ପାଳିଆ। ପୁରସ୍କାର ମାନସିକତା ସାହିତ୍ୟ ସାଧନାର ଅନ୍ତରାୟ। ଯେଉଁଠି ପ୍ରତିଭା ଓ ଆତ୍ମବିଶ୍ବାସର ଅଭାବ, ସେଇଠି ସୃଷ୍ଟି ହୁଏ ଅସାଧୁ ଉପାୟରେ ପୁରସ୍କାର ହାତେଇବାର ବିଚିତ୍ର ବିକଳପଣ। ଯେଉଁଠି ମଞ୍ଚବିକିଳିଆ ମତଲବୀ ମହାରଥିଙ୍କ ପ୍ରପଞ୍ଚପଣ, ସେଇଠି କମେ ମାନପତ୍ରର ମାନ। ଏମାନଙ୍କ ପ୍ରବଞ୍ଚନା ପାଇଁ ପୁରସ୍କାରରୁ ବଞ୍ଚିତ ହୁଅନ୍ତି ଅନେକ ଯୋଗ୍ୟ ଲେଖକ। ଏହି ପ୍ରବଞ୍ଚନାର କ୍ଷତରୁ ଯେଉଁ ରକ୍ତ କ୍ଷରଣ ହୁଏ, ତାହା ସାହିତ୍ୟ ପାଇଁ କ୍ଷତିକାରକ। ତା’ର ପୂର୍ଣ୍ଣଚ୍ଛେଦ ନ ପଡ଼ିବା ଯାଏ ତ୍ରାହି ତ୍ରାହି ଡାକୁଥିବ ବୃହତ୍ତର ପାଠକ ସମାଜ।
ଅସଲ ସ୍ରଷ୍ଟା ଆନୁଷ୍ଠାନିକ ପୁରସ୍କାର, ଉପଢୌକନ, ସମ୍ମାନ ଓ ସମ୍ବର୍ଦ୍ଧନାର ଔପଚାରିକତା ପାଖରେ ନ ଥାଏ, ସେ ଥାଏ ତା’ର ପାଠକ ପାଖରେ। ସେ ଗୋଠ ଗଢେନି କି ଭାଟ ବନ୍ଦନା କରେନି ସ୍ବସିଦ୍ଧିର ଅଭିସନ୍ଧି ନେଇ। ସେ ନୀରରେ ନିମଜ୍ଜି ରହିଥାଏ ତା’ର ପ୍ରଜାପତୀୟ କାର୍ଯ୍ୟରେ। ଲେଖକର ପରମାୟୁ ପୁରସ୍କାର ଉପରେ ନୁହେଁ, ନିର୍ଭର କରେ ପାଠକୀୟ ଆଦୃତି ଉପରେ। ଶକ୍ତିଶାଳୀ ଲେଖାରେ ଏମିତି ମନ୍ତ୍ରଶକ୍ତି ଥାଏ ଯେ ତାହା ହୃଦୟ ତନ୍ତ୍ରୀରେ ସୃଷ୍ଟି କରେ ଅପୂର୍ବ ଝଙ୍କାର। ଲେଖକୀୟ ଭାବସତ୍ତା ସହିତ ପାଠକୀୟ ଆତ୍ମସତ୍ତା ମିଶିଗଲେ ପ୍ରାପ୍ତିର ଯେଉଁ ଅନିର୍ବଚନୀୟ ଆନନ୍ଦ ମିଳେ ତାହା ହିଁ ଲେଖକର ସର୍ବଶ୍ରେଷ୍ଠ ସଫଳତା। ସେଭଳି ଲେଖକର ସିଂହାସନ ପାଠକଙ୍କ ହୃଦୟରେ, ଯାହା କେବେ ଜୁଟେ ନାହିଁ ଗାଲଗୋଟିଆ ବା ବୌଦ୍ଧିକ ଶଠମାନଙ୍କ ଭାଗ୍ୟରେ।

ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?