ଶିକ୍ଷା ବ୍ୟବସ୍ଥାର ସଞ୍ଜୀବନୀ: ସୃଜନଶୀଳତା

ଡ. ଶରତ ଚନ୍ଦ୍ର ପରିଡ଼ା

 

ବିଶ୍ୱ ବର୍ତ୍ତମାନ ଶିକ୍ଷା ସୃଜନଶୀଳତା ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ପାଠ୍ୟକ୍ରମ ବ୍ୟବସ୍ଥାରେ ଏହା ଅଗ୍ରାଧିକାର ଲାଭ କରିଛି। ଆମ ଶିକ୍ଷା ବ୍ୟବସ୍ଥା ସ୍ବାଧୀନତା ପ୍ରାପ୍ତିର ପଞ୍ଚସ୍ତରି ବର୍ଷ ପରେ ମଧ୍ୟ ପାରମ୍ପରିକ ହୋଇ ରହିଛି। ପାଠ୍ୟକ୍ରମ ଅଳ୍ପବହୁତ ଗତାନୁଗତିକ। ଠିକ୍‌ ସମୟରେ ପାଠ୍ୟଦାନ ସମାପ୍ତ କରି ପରୀକ୍ଷା ନିମିତ୍ତ ପିଲାମାନଙ୍କୁ ପ୍ରସ୍ତୁତ କରିବା ଶିକ୍ଷକମାନଙ୍କ ପାଇଁ ବଡ଼ ଆହ୍ବାନ। ପିଲାମାନେ କେତେକ ବିଷୟରେ କିଛି ଜ୍ଞାନଲାଭ କରୁଛନ୍ତି ସତ, କିନ୍ତୁ ସେମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ବିକାଶ ଏବେ ବି ଏକ ବିରାଟ ପ୍ରଶ୍ନବାଚୀ। ଦେଶର ଆବଶ୍ୟକତା ଅନୁସାରେ ପାଠ୍ୟକ୍ରମ ପ୍ରସ୍ତୁତ ହୋଇ ପାରିଲା ନାହିଁ। ପିଲାମାନଙ୍କର ଅନ୍ତନିର୍ହିତ ମୌଳିକ ଗୁଣାବଳୀର ଉପଯୁକ୍ତ ବିକାଶ ସମ୍ଭବ ନୁହେଁ। ତେଣୁ ସୃଜନଶୀଳତା ଭଳି ଏକ ସୂକ୍ଷ୍ମ ମାନସିକ ପ୍ରକ୍ରିୟାର କିଭଳି ଉନ୍ମେଷ ଘଟିବ? ସାର୍‌ କେନ୍‌ ରବିନଶନ ହେଉଛନ୍ତି ସୃଜନଶୀଳତା, ଉଦ୍ଭାବନ, ମାନବସମ୍ବଳ କ୍ଷେତ୍ରରେ କାମ କରୁଥିବା ଜଣେ ଆନ୍ତର୍ଜାତିକ ନେତା। ସେ କହନ୍ତି-”ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ସୃଜନଶୀଳତାର ପ୍ରତିପାଳନ ଓ ବୃଦ୍ଧି କରିବା ବଦଳରେ ବାସ୍ତବରେ ଏହାର ଶ୍ୱାସରୁଦ୍ଧ କରି ଦିଆଯାଉଛି।“ ସାଧାରଣ ଭାବେ ଆନୁଷ୍ଠାନିକ ଶିକ୍ଷାରେ ନିର୍ଦ୍ଧାରିତ ନୀତି ଓ ନିୟମ ସମୂହକୁ ପ୍ରୟୋଗ କରିବା ପାଇଁ ଶିକ୍ଷକ ପିଲାମାନଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି। ଚିନ୍ତା ଉଦ୍ରେକକାରୀ ଖେଳ ଖେଳାଇବା, ସୃଜନମୂଳକ କାର୍ଯ୍ୟକୁ ପ୍ରଶଂସା କରିବା, ନୂଆ ପ୍ରକାର କାର୍ଯ୍ୟଭାର ଦେବା, ପିଲାକୁ ନିଜ ଗତିରେ ଶିକ୍ଷାଲାଭ କରିବାର ସୁଯୋଗ ପ୍ରଦାନ କରିବା, ବିଜ୍ଞାନ ଓ କଳାକୁ ପଢ଼ାଇବା ପାଇଁ ଅଲଗା ଅଲଗା ଶିକ୍ଷଣ ପଦ୍ଧତି ଆପଣେଇବା-ଏହା ପରମ୍ପରାଗତ ଆନୁଷ୍ଠାନିକ ଶିକ୍ଷାରେ ସମ୍ଭବ ନୁହେଁ। ନୂଆ ନୂଆ କଥା ଗ୍ରହଣ କରିବା, ଚିନ୍ତାରେ ନମନୀୟ ହେବା ଓ ବିଭିନ୍ନ ଉତ୍କୃଷ୍ଟ ନିକୃଷ୍ଟ ସଫଳତାକୁ ତୁଳନା କରିବା ଆଦି ସୃଜନଶୀଳତାର ଲକ୍ଷଣ। ପ୍ରଚଳିତ ଶିକ୍ଷା ଓ ଶିକ୍ଷଣର ବ୍ୟବସ୍ଥା ଭିତରେ ଥାଇ କେତେକ ଦିଗ ପ୍ରତି ସଚେତନ ହେଲେ ଆମେ କିଛି ପରିମାଣରେ ସୃଜନଶୀଳତାର ବିକାଶ ଘଟାଇ ପାରିବା। ଶୈକ୍ଷିକ ପ୍ରକ୍ରିୟାରେ ଶିକ୍ଷକଙ୍କର ପ୍ରାଧାନ୍ୟ ରହିଛି। ଶିକ୍ଷକ ନିଜେ ସୃଜନଶୀଳ ହେବା ସର୍ବାଦୌ କାମ୍ୟ। ଶିକ୍ଷା ଆମୂଳଚୂଳ ଏକ ସୃଜନଶୀଳ ବୃତ୍ତି। ଯେଉଁ ଶିକ୍ଷକମାନେ ଏକ ସୃଜନମୂଳକ ଚିନ୍ତାକୁ ଆପଣେଇ ପାରନ୍ତି, ବିଷୟବସ୍ତୁକୁ ଖେଳୁଆଡ଼ ମନ ନେଇ ଉପସ୍ଥାପନ କରି ନିଜର ଭାବନା ପ୍ରକାଶ କରନ୍ତି; ସେମାନଙ୍କ ଛାତ୍ରୀଛାତ୍ରମାନେ ସୃଜନଶୀଳ ହୋଇଥାନ୍ତି। ବିଷୟ ଡ୍ରଇଂ ହେଉ ଅବା ଗଣିତ ପିଲାମାନେ ଲକ୍ଷ୍ୟ କରନ୍ତି କେଉଁ ଶିକ୍ଷକମାନଙ୍କର ପଢ଼ାଇବା ପାଇଁ ହୃଦୟରେ ଆବେଗ ରହିଛି। ଆଲବର୍ଟ ଆଇନଷ୍ଟାଇନ୍‌ କହନ୍ତି-”ସୃୃଜନଶୀଳ ପରିପ୍ରକାଶ ଓ ଜ୍ଞାନରେ ଆନନ୍ଦ ଜାଗରିତ କରିବା ହେଉଛି ଶିକ୍ଷକଙ୍କର ସର୍ବଶ୍ରେଷ୍ଠ କଳା“ା
ମୌଳିକ ଚିନ୍ତା ଦ୍ୱାରା ଯୁଗୋପଯୋଗୀ ଉତ୍ପାଦ ନିର୍ମାଣ କରିବା ସୃଜନଶୀଳତା। ଶିକ୍ଷାକୁ ସୃଜନ ଉନ୍ମୁଖ କରିବା ନିମିତ୍ତି ବିଭିନ୍ନ ସ୍ବାଧୀନ ଓ ବିବିଧ ଚିନ୍ତା ଜରୁରୀ। ଚିନ୍ତାର ବୈଭିନ୍ନ୍ୟ ନୂତନ ଉଦ୍ଭାବନକୁ ବାଟ କଢେଇ ନିଏ। ସୃଜନର ମନସ୍ତତ୍ତ୍ୱବିତ୍‌ମାନେ ମତ ଦିଅନ୍ତି ଯେ ଏଭଳି ଭଳିକି ଭଳି ଚିନ୍ତା କରିବା ହେଉଛି ଗୋଟିଏ କୌଶଳ; ଯାହା ଜୀବନ ତମାମ ରହିଥାଏ। ଗୋଟିଏ ସମସ୍ୟା ଦିଆଯାଇ ସମାଧାନ ପାଇଁ ଦଳଗତ ଆଲୋଚନାର ଆୟୋଜନ ହେଉ। ସମସ୍ୟା ସମାଧାନ ପାଇଁ ଉପାୟ ଖୋଜାଯାଉ। ସମ୍ଭାବ୍ୟ ଅସୁବିଧା ଦୂର ପାଇଁ ଆବଶ୍ୟକ ପଡ଼ିଲେ ଶିକ୍ଷକଙ୍କ ପରାମର୍ଶ ଓ ସାହାଯ୍ୟ ନିଆଯାଉ। ପିଲାର ମନ ଯେତେବେଳେ ପାଠରୁ ଅଲଗା ହୋଇଯାଏ ସେତେବେଳେ ତା’ଠାରେ ଅନ୍ତର୍ନିହିତ ଆଗ୍ରହର ସ୍ଫୁଲିଙ୍ଗ ଘଟେ। ଦୈନିକ ପାଠପଢ଼ା ସହିତ ଏକ ଦୈନନ୍ଦିନୀ ରଖାଯାଉ। ଏଥିରେ ଛାତ୍ରୀଛାତ୍ରର ମନକୁ ଯାହା ଭଲ ଲାଗୁଛି ସେ ଲେଖି ରଖୁ। ଯେ କୌଣସି ବିଷୟରେ ୧୦୦ଟି ପ୍ରଶ୍ନ ତିଆରି କରୁ। ଉଦାହରଣ ସ୍ବରୂପ ମସ୍ତିଷ୍କ କେମିତି କାମ କରେ ? ଆମେ କାହିଁକି ସଙ୍ଗୀତ ଶୁଣୁ? ମୁଁ କାହିଁକି ବାଘ ହେଲିନି? ପ୍ରତ୍ୟେକ ବସ୍ତୁର ମୃତ୍ୟୁ କାହିଁକି ହୁଏ? ଆମର କାର୍‌ କାହିଁକି ଇଲେକ୍ଟ୍ରିଚାଳିତ ନୁହେଁ ? ଚାବିରେ ତାଲା କାହିଁକି ଖୋଲିଯାଏ? ସୃଜନ ବିଶେଷଜ୍ଞ ଲିଓନାର୍ଡୋ ଦା ଭିନ୍‌ସି ସୃଜନଶୀଳତା ଉପରେ ଏହିପରି ୭ ହଜାର ନୋଟବୁକ୍‌ ପ୍ରସ୍ତୁତ କରିଥିଲେ। ଏ ସବୁ ଦା ଭିନ୍‌ସିଙ୍କର ସୃଜନଶୀଳ ମନୋବୃତ୍ତିର ପରିଚାୟକ। ଏଗୁଡ଼ିକ ଶିକ୍ଷକମାନଙ୍କୁ ବହୁତ ସାହାଯ୍ୟ କରେ। ଏହା ଶିକ୍ଷକ ଓ ଶିକ୍ଷାର୍ଥୀ ସମସ୍ତଙ୍କ ଭିତରେ ଏପରି ଜିଜ୍ଞାସା ଓ କୌତୂହଳ ସୃଜନର ମଞ୍ଜି ବୁଣେ।
ପ୍ରତ୍ୟେକ ଶିଶୁଠାରେ ଅମାପ ଶକ୍ତି ସୁପ୍ତ ଅବସ୍ଥାରେ ରହିଛି। ସେମାନଙ୍କର ନୂତନ କିଛି ଗଢିବାର ଓ ନିର୍ମାଣ କରିବାର ଶକ୍ତି ସାମର୍ଥ୍ୟ ଓ କ୍ଷମତା ଅନ୍ତର୍ନିହିତ। ସେଗୁଡ଼ିକର ଉପଯୁକ୍ତ ବିନିଯୋଗ ହୋଇପାରିଲେ ଶିକ୍ଷାର୍ଥୀର ଆତ୍ମବିକାଶ ସହିତ ସମାଜର ଅଭୂତପୂର୍ବ ପ୍ରଗତି ସମ୍ଭବ। ଜୋହନ୍‌ ଲେନନ୍‌ଙ୍କ ମତ”ସୃଜନଶୀଳତା ହେଉଛି ଏକ ଉପହାର,ଅସଜଡ଼ା ପରିବେଶରେ ଏହାର ପରିପ୍ରକାଶ ଘଟେ ନାହିଁ।“ ଏଥିପାଇଁ ବିଦ୍ୟାଳୟରେ ଛାତ୍ରମାନଙ୍କ ଆତ୍ମପ୍ରକାଶ ନିମନ୍ତେ ଗୋଟିଏ ସୃଜନ ସମୟ ଓ ପରିବେଶ ସ୍ଥିର ହେଉ। ପରିବେଶଟି ନିରାପଦ ଓ ସ୍ବାଧୀନ ହେଉ। ଗୋଟିଏ ପାଠ ପଢ଼ି ସାରିଲା ପରେ ତା’ର ଆଲୋଚନା ସମାଲୋଚନା କରାଯାଉ। ସମାଲୋଚନାଟି ଦାୟିତ୍ୱପୂର୍ଣ୍ଣ ଓ ଉତ୍ପାଦନକ୍ଷମ ହେଉ। ମୁକ୍ତ ପ୍ରଶ୍ନ ପଚାରି ଓ ମୁକ୍ତ ଉତ୍ତର ସ୍ବାଗତ କରାଯାଉ। ତା’ର ବିଶ୍ଳେଷଣ ଓ ସମୀକ୍ଷା ନିମନ୍ତେ ପିଲାମାନଙ୍କୁ ଉତ୍ସାହିତ କରାଯାଉ। ପରିବେଶଟି ନିରାପଦ ହେଲେ ସେମାନେ ନିଜର ସୃଜନଶୀଳ ଭାବନା ପ୍ରକାଶ ପାଇଁ ସାହସ ବାନ୍ଧିପାରିବେ। ସ୍ବାଧୀନ ହେଲେ ପିଲାମାନକୁ ଆସୁଥିବା ଉତ୍ତର ବା ପ୍ରସଙ୍ଗ ବିନା ଦ୍ୱିଧାରେ ପ୍ରକାଶ କରିପାରିବେ। ପିଲାଙ୍କ ସ୍ବତଃପ୍ରବୃତ୍ତ ଆବେଗ ଓ ଉତ୍କଣ୍ଠା ଉପରେ ଗୁରୁତ୍ୱ ଦେବାକୁ ହେବ। ପିଲା ଯାହା କହିବେ ଓ କରିବେ ତାକୁ ଗ୍ରହଣ କରିପାରୁଥିବା ସମ୍ବେଦନଶୀଳ ପରିବେଶଟି ଆବଶ୍ୟକ। ଏପରି ଗ୍ରହଣୀୟତା ରହିଲେ ସେମାନେ ଦେଉଥିବା ଉତ୍ତର ଠିକ୍‌ କି ଭୁଲ୍‌ ଓ ଏହା ଶ୍ରେଣୀରେ କେମିତି ଗ୍ରହଣ କରାଯାଉଛି ଜାଣି ଉତ୍ସାହିତ ହେବେ। ସେଥିପାଇଁ ଶିକ୍ଷାକର୍ତ୍ତୃପକ୍ଷ ଓ ଅଭିଭାବକ ସୃଜନଶୀଳତାକୁ ସମର୍ଥନ କରିବା ଦରକାର।
ସୃଜନଶୀଳତା ହେଉଛି କୌଶଳ ଆବଶ୍ୟକ କରୁଥିବା ବିଶେଷ ଚିନ୍ତନ ପ୍ରକ୍ରିୟା ବା ସାମର୍ଥ୍ୟ। ଆଲୋଚନା ଦ୍ୱାରା ଗୋଟିଏ ସାଧାରଣ ସତ୍ୟରୁ ଯୁକ୍ତି ଦ୍ୱାରା ଅନ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ପରିସ୍ଥିତିର ସତ୍ୟାସତ୍ୟ ନିର୍ଣ୍ଣୟ କରି ହୁଏ। ପିଲାମାନଙ୍କର ନିଷ୍ପତ୍ତି ନେବାର ଶକ୍ତି ବୃଦ୍ଧି ହୋଇଥାଏ। ଆଲୋଚନାରେ ବିଚାର ଓ ସମୟର ଚାପ ନ ରହିବା ଚାହି। ଆବଶ୍ୟକ ସ୍ଥଳେ ସୃଜନଶୀଳତାକୁ ପୁରସ୍କୃତ ନ କରି ତା’ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦେବାର ବା ମାପକର ବ୍ୟବସ୍ଥା ହେଉ। ସୃଜନଶୀଳତା ପାଇଁ ବାହ୍ୟ ପୁରସ୍କାର ବ୍ୟବସ୍ଥା କଲେ ଏହା ସୃଜନଶୀଳତା ହ୍ରାସ କରିଥାଏ। ପୁରସ୍କାର ବ୍ୟବସ୍ଥା ନ କରି ଅନ୍ତର୍ନିହିତ ସନ୍ତୋଷ ପାଇଁ ସବୁ ପ୍ରକାର ନିର୍ଦ୍ଦେଶାବଳୀ ଓ ପଦାର୍ଥ ଯୋଗାଇବାର ବ୍ୟବସ୍ଥା କରାଯାଉ। ଏଗୁଡ଼ିକ ଛାତ୍ରମାନେ ନ୍ୟସ୍ତ ଦାୟିତ୍ୱ ଓ କାର୍ଯ୍ୟ ସମ୍ପାଦନ ନିମିତ୍ତ ଆବଶ୍ୟକ କରିଥାନ୍ତି। ତେଣୁ ବୈଜ୍ଞାନିକ ଆଲବର୍ଟ ଆଇନ୍‌ ଷ୍ଟାଇନ୍‌ କହନ୍ତି, ”ମୁଁ ଶିଷ୍ୟମାନଙ୍କୁ କେବେ ଶିକ୍ଷାଦିଏ ନାହିଁ, ସେମାନେ ଶିକ୍ଷାଲାଭ କଲାଭଳି ପରିବେଶଟି ସୃଷ୍ଟି କରିବା ପାଇଁ ମୁଁ ଚେଷ୍ଟା କରେ।“
ମୋ:୭୦୦୮୪୭୫୪୪୨
scparida30@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?