କାଠଗଡ଼ାରେ ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ

ସତ୍ୟକାମ ମିଶ୍ର

 

ଓଡ଼ିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ୨୦୨୦ ମସିହାରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଏକ ସଂସ୍କାର ଆଣିଥିଲେ। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଶାସନ ଓ ନିଯୁକ୍ତିକୁ ସ୍ବଚ୍ଛ କରିବା ଏବଂ ତାହାର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ୧୯୮୯ରେ କିଛି ସଂଶୋଧନ କରାଯାଇଥିଲା। ବିଶେଷକରି କୁଳପତି ଚୟନ, ସିଣ୍ଡିକେଟ ଗଠନ ଓ ଅଧ୍ୟାପକ ତଥା ଅନ୍ୟାନ୍ୟ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଥିଲା। ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ଶୈକ୍ଷିକ କ୍ଷମତା ଓ କାର୍ଯ୍ୟଧାରାରେ କୌଣସି ପରିବର୍ତ୍ତନ କରାଯାଇ ନ ଥିଲା। ଏହି କ୍ଷେତ୍ରରେ ପୂର୍ବରୁ ଅନୁସୃତ ନିୟମ ଓ ପଦ୍ଧତିଗୁଡ଼ିକ ଅକ୍ଷୁଣ୍ଣ ରହିଥିଲା। ମୋଟ ଉପରେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ କ୍ଷମତା କୌଣସି ମତେ ହ୍ରାସ କରାଯାଇ ନ ଥିଲା। ଏହା ସତ୍ତ୍ୱେ କିଛି ବ୍ୟକ୍ତି ବିଶ୍ୱବିଦ୍ୟାଳୟର ସ୍ବାଧୀନତା ହ୍ରାସ ହେଲା ବୋଲି ଅଭିଯୋଗ କଲେ। ଜଣେ ଅବସରପ୍ରାପ୍ତ ପ୍ରଫେସର ଏହି ସଂଶୋଧନକୁ ବିରୋଧ କରି ଓଡ଼ିଶା ଉଚ୍ଚନ୍ୟାୟାଳୟରେ ବିଶ୍ୱବିଦ୍ୟାଳୟ ଆଇନରେ ହୋଇଥିବା ସଂଶୋଧନଗୁଡିକ ବିଶ୍ୱବିଦ୍ୟାଳୟର ସ୍ବାଧୀନତାକୁ ସଂକୁଚିତ କରୁଥିବା ଦର୍ଶାଇ ତାହାକୁ ବାତିଲ କରିବାପାଇଁ ଆବେଦନ କଲେ।
ଉଚ୍ଚ ନ୍ୟାୟାଳୟ ବିସ୍ତୃତ ଶୁଣାଣି ପରେ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ସରକାର ବିଶ୍ୱବିଦ୍ୟାଳୟ ଆଇନରେ କରିଥିବା ସଂଶୋଧନକୁ ବୈଧ ଘୋଷଣା କରିଥିଲେ। ଅଧ୍ୟାପକ ଚୟନ ପାଇଁ ଓଡ଼ିଶା ଲୋକସେବା ଆୟୋଗ ଓ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟଗୁଡିକରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀ ପ୍ରବରଣ ଆୟୋଗକୁ କ୍ଷମତା ପ୍ରଦାନ କରାଗଲା। ଫଳରେ ସେ କ୍ଷେତ୍ରରେ ନିଯୁକ୍ତି ପାଇଁ ଗଳାବାଟର ସୁଯୋଗ ରହିଲା ନାହିଁ। ଉପରୋକ୍ତ କାରଣରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏହାକୁ ବିରୋଧ କରି ମକଦ୍ଦମା ହେଲା। ସେ ଯାହାହେଉ, ସେହି ମକଦ୍ଦମା ଖାରଜ ହେବାପରେ ସଂଶୋଧିତ ଆଇନ ଅନୁଯାୟୀ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ଅଧ୍ୟାପକ ଚୟନ ପ୍ରକ୍ରିୟା ଆରମ୍ଭ ହେଲା। ଏକ ସ୍ବଚ୍ଛ ଓ ନିରପେକ୍ଷ ପ୍ରକ୍ରିୟା ମାଧ୍ୟମରେ ପ୍ରାୟ ୨୦୦ ଅତ୍ୟନ୍ତ ମେଧାବୀ ପ୍ରାର୍ଥୀମାନଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ଦିଆଗଲା। କିନ୍ତୁ ଦୁଃଖର କଥା, ରାଜ୍ୟରେ ୟୁଜିସି ଦ୍ୱାରା ନିର୍ଦ୍ଧାରିତ ଯୋଗ୍ୟତା ଓ ଚୟନ ପ୍ରକ୍ରିୟା ଅନୁଯାୟୀ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବାବେଳେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି), ସଂଶୋଧିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୨୦ ୟୁଜିସିର ନିୟମାବଳୀକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ଉଚ୍ଚତମ ନ୍ୟାୟାଳୟରେ ମକଦ୍ଦମା ଦାଏର କଲେ ଏବଂ ଉଚ୍ଚତମ ନ୍ୟାୟାଳୟ ସଂଶୋଧିତ ଆଇନର କାର୍ଯ୍ୟକାରିତା ଉପରେ ଗତ ବର୍ଷ ମେ ୨୦ରେ ରହିତାଦେଶ ଜାରି କଲେ। ପ୍ରଥମେ ତିନିମାସ ପାଇଁ ରହିତାଦେଶ ଜାରି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାହା ବୃଦ୍ଧିପାଇ ଅଦ୍ୟାବଧି ବଳବତ୍ତର ରହିଛି। ଫଳରେ ଦ୍ରୁତ ଗତିରେ ଚାଲିଥିବା ଅଧ୍ୟାପକ ଚୟନ ଓ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇଗଲା। ଉଚ୍ଚତମ ନ୍ୟାୟାଳୟର ରହିତାଦେଶ ବଳବତ୍ତର ଥିବା ଯୋଗୁ ଚୟନ ପ୍ରକ୍ରିୟା ବନ୍ଦ ରହି ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲିପଡିଥିବା ଏକ ହଜାରରୁ ଊଦ୍ଧର୍‌ବ ଅଧ୍ୟାପକ ପଦବୀ ପୂରଣ କରାଯାଇ ପାରୁନି। ଏହା ଦ୍ୱାରା ଶିକ୍ଷାଦାନ ଓ ଗବେଷଣା କାର୍ଯ୍ୟ ସ୍ଥାଣୁ ଅବସ୍ଥାକୁ ଆସିଗଲାଣି। କୌଣସିମତେ କାମ ଚଳାଇବା ପାଇଁ ଠିକା ଅଧ୍ୟାପକ ନିଯୁକ୍ତି ବ୍ୟବସ୍ଥା ଗ୍ରହଣ କରାଯାଉଛି ଯାହା କି ଭବିଷ୍ୟତରେ ମାଲିମକଦ୍ଦମା ସକାଶେ କ୍ଷେତ୍ର ପ୍ରସ୍ତୁତ କରୁଛି। ବହୁ ରାଜ୍ୟରେ ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ହେଉଛି, ସେ ସବୁ କ୍ଷେତ୍ରରେ ୟୁଜିସି ମୁଣ୍ଡ ପୂରାଉ ନ ଥିବା ସ୍ଥଳେ ଓଡ଼ିଶା ପାଇଁ ୟୁଜିସି ଏତେ ତତ୍ପର କାହିଁକି? ୟୁଜିସି ଦ୍ୱାରା ଦାଖଲ ହୋଇଥିବା ଯାଚିକାରେ ମୁଖ୍ୟତଃ କୁଳପତି ଚୟନ ଓ ଅଧ୍ୟାପକ ଚୟନ ପ୍ରକ୍ରିୟାକୁ ବିରୋଧ କରାଯାଇଛି। ସଂଶୋଧିତ ଆଇନରେ କୁଳପତି ଓ ଅଧ୍ୟାପକ ନିଯୁକ୍ତି ପାଇଁ ୟୁଜିସି ନିର୍ଦ୍ଧାରଣ କରିଥିବା ଯୋଗ୍ୟତାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେବଳ ଅଧ୍ୟାପକ ଚୟନ ଦାୟିତ୍ୱ କୁଳପତିଙ୍କ ପାଖରୁ ଓଡ଼ିଶା ଲୋକସେବା ଆୟୋଗକୁ ହସ୍ତାନ୍ତର ହୋଇଛି। ଏହାଦ୍ୱାରା ୟୁଜିସିର କୌଣସି ନିୟମ କିମ୍ବା ମାର୍ଗଦର୍ଶିକା ଉଲ୍ଲଂଘନ ହୋଇନାହିଁ। ବିହାରରେ ଅନେକ ଦିନରୁ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ଏକ ସ୍ବତନ୍ତ୍ର ଆୟୋଗ ଗଠିତ ହୋଇଛି। ୟୁଜିସି ତାହାର ବିରୁଦ୍ଧାଚରଣ କରିନାହିଁ। ଓଡ଼ିଶାରେ କୁଳପତି ଚୟନ ଓ ଅଧ୍ୟାପକ ନିଯୁକ୍ତିରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ ହେଉଥିବା ଅଭିଯୋଗ ହେଉଥିଲା। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ଚୟନରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ପାଇଁ ସେହି ବ୍ୟକ୍ତିମାନଙ୍କର ପୂର୍ବତନ ଶିକ୍ଷକ କିମ୍ବା ଗବେଷଣାର ମାର୍ଗଦର୍ଶକଙ୍କୁ ସାକ୍ଷାତ୍‌କାର ପାଇଁ ଡାକିବା ଭଳି ଦୁର୍ନୀତିର ବହୁ ଉଦାହରଣ ଅଛି। ଏହିପରି ବହୁ ଘଟଣା ଘଟୁଥିଲା। କିଛି କୁଳପତି ଏହିଭଳି ଅନିୟମିତତାର ଅବସାନ ଉଦ୍ଦେଶ୍ୟରେ ନିରପେକ୍ଷ ସଂସ୍ଥା ମାଧ୍ୟମରେ ଅଧ୍ୟାପକ ଓ ଅଣଅଧ୍ୟାପକ ପଦବୀଗୁଡିକ ପୂରଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରୁଥିଲେ। ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏହି ସବୁ ସମାଲୋଚନାର ଊର୍ଦ୍ଧ୍ୱରେ ରଖି ଶିକ୍ଷାଦାନର ଗୁଣାତ୍ମକ ମାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ଅଧ୍ୟାପକ ଓ କର୍ମଚାରୀ ଚୟନ ପ୍ରକ୍ରିୟାରେ ଯେଉଁ ସଂସ୍କାର କଲେ ତାକୁ ଭଣ୍ଡୁର କରିବାକୁ ପ୍ରଚେଷ୍ଟା ଚାଲିଛି।
ବିଶ୍ୱବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବଜାୟ ରଖିବା ୟୁଜିସିର ଦାୟିତ୍ୱ। ଗୋଟିଏ ରାଜ୍ୟର ସରକାର ନିଜେ ପ୍ରଣୟନ କରିଥିବା ଏକ ଆଇନରେ କିଛି ସଂଶୋଧନ କରିବା ତାଙ୍କର ନିଜର ଅଧିକାରଭୁକ୍ତ। ଏହି ସଂଶୋଧନର ଉଦ୍ଦେଶ୍ୟକୁ ନ ବୁଝି କିମ୍ବା ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନ କରି ସିଧା ଉଚ୍ଚତମ ନ୍ୟାୟାଳୟକୁ ଯିବା ୟୁଜିସି ପକ୍ଷରେ ଏକ ସ୍ବାଭାବିକ ଆଚରଣ ନୁହେଁ। ରାଜ୍ୟରେ ସଂଶୋଧିତ ଆଇନକୁ ବାତିଲ କରିବା ପାଇଁ ଦାବି କରାଗଲାଣି। ଏହା ଭିତରେ ୟୁଜିସି ଖାଲି ପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାରନ୍ତରେ ସଂଶୋଧିତ ଆଇନକୁ ବାତିଲ କରି ପୁନଶ୍ଚ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅଧ୍ୟାପକ ଚୟନ କରିବା କ୍ଷମତା ହସ୍ତାନ୍ତର କରିବା ପାଇଁ ୟୁଜିସି ବାଧ୍ୟ କରୁଛି। ଯଦି ଏହା କରାଯାଏ ତା’ହେଲେ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ଆହୁରି ଘନୀଭୂତ ହେବ ଏବଂ ମେଧାବୀ ପିଲାମାନେ ଅଧ୍ୟାପକ ହେବାରୁ ବଞ୍ଚତ୍ତ ହେବେ। ଶିକ୍ଷାଦାନର ମାନ ହ୍ରାସ ପାଇବ। ଓଡ଼ିଆ ପିଲାମାନେ ଜାତୀୟ ସ୍ତରରେ ହେଉଥିବା ପରୀକ୍ଷାଗୁଡ଼ିକରେ ସଫଳତା ହାସଲ କରିପାରିବେ ନାହିଁ। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୁଣାତ୍ମକ ମାନ ହ୍ରାସ ହେଲେ ସମାଜର ଦୁର୍ବଳ ଶ୍ରେଣୀର ପିଲାମାନେ ଏହା ଦ୍ୱାରା ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବେ। ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସଶକ୍ତ ଆଧୁନିକ ଶିକ୍ଷା ବ୍ୟବସ୍ଥା ଅପରିହାର୍ଯ୍ୟ। ଆମର ଆଶା ଓ ବିଶ୍ୱାସ ସେ ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନର କାର୍ଯ୍ୟକାରିତା ଉପରେ ସୁପ୍ରିମକୋର୍ଟ ଦେଇଥିବା ରହିତାଦେଶକୁ ଉଠାଇବା ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ମେଧାବୀ ବ୍ୟକ୍ତିଙ୍କ ପ୍ରବେଶକୁ ପ୍ରୋତ୍ସାହନ ଦେବାପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
ସେଲ୍ଟର ଛକ, କଟକ
ମୋ- ୯୪୩୭୨୭୭୩୧୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?