ତୈଳ ଦର ହ୍ରାସ : ଉପହାର ନା ପ୍ରତାରଣା

ଭାଲଚନ୍ଦ୍ର ଷଡ଼ଙ୍ଗୀ

ସଦ୍ୟ ସମାପ୍ତ ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ଦରବୃଦ୍ଧି ବିରୋଧରେ ଜନ ଅସନ୍ତୋଷକୁ ଦେଖି କେନ୍ଦ୍ରର ମୋଦି ସରକାର ପେଟ୍ରୋଲ, ଡିଜେଲ ଉପରେ ଉପତ୍ାଦନ ଶୁଳ୍କକୁ କମାଇବାକୁ ବାଧ୍ୟ ହୋଇଛନ୍ତି। ଉପତ୍ାଦନ ଶୁଳ୍କ ହ୍ରାସ ଫଳରେ ଗତ ଛଅ ମାସ ଧରି ଲଗାତର ଭାବେ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦରରେ ରୋକ୍‌ ଲାଗି ସାମାନ୍ୟ ଦର ହ୍ରାସ ପାଇବା ଦେଖାଯାଇଛି। କେନ୍ଦ୍ରର ନିଷ୍ପତ୍ତି ପରେ ଓଡ଼ିଶା ସମେତ କିଛି ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ, ଡିଜେଲ ଉପରେ ନେଉଥିବା ଭାଟ୍‌କୁ କିଛି ପରିମାଣରେ କମାଇବାକୁ ବାଧ୍ୟ ହୋଇଛନ୍ତି। ଦୀପାବଳିର ଠିକ୍‌ ପୂର୍ବରୁ ପେଟ୍ରୋଲ, ଡିଜେଲ ଦର ଉପରେ ସରକାରଙ୍କ ଏହି ମୂଲ୍ୟହ୍ରାସକୁ ଦେଶବାସୀଙ୍କୁ ‘ଦୀପାବଳି ଉପହାର’ ବୋଲି ପ୍ରଚାର କରାଯାଇଛି। ମହାମାରୀ ଯୋଗୁ ଭୟଙ୍କର ଆର୍ଥିକ ସଙ୍କଟରେ ରହିଥିବା ଦେଶର ସାଧାରଣ ଜନତାଙ୍କ ପାଇଁ ସରକାରଙ୍କ ଏହି ପଦକ୍ଷେପଟି ହୁଏତ ସାମାନ୍ୟ ଆଶ୍ୱସ୍ତି ଆଣିବ। କିନ୍ତୁ ଏହାକୁ କଦାପି ଉପହାର କୁହାଯାଇ ନ ପାରେ। କାରଣ ସରକାରଙ୍କ ଦରହ୍ରାସ ସତ୍ତ୍ୱେ ଆଜି ବି ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଶହେ ପାଖାପାଖି ରହିଛି। ଏବେ ମଧ୍ୟ ଭାରତରେ ପେଟ୍ରୋଲ, ଡିଜେଲ ଦର ବିଶ୍ୱରେ ସବୁଠାରୁ ମହଙ୍ଗା ରହିଛି। ବରଂ ବିଶ୍ୱ ବଜାରରେ ଅଶୋଧିତ ତୈଳର ଦାମ୍‌ ଶସ୍ତା ହେବା ସତ୍ତ୍ୱେ ଗତ ସାତ ବର୍ଷ ଧରି ବାରମ୍ବାର ଟିକସ ବଢ଼ାଇ ସରକାର ସାଧାରଣ ଜନତାଙ୍କୁ ଯେଉଁଭଳି ଲୁଟିଛନ୍ତି, ବର୍ତ୍ତମାନ ସାମାନ୍ୟ ଦରହ୍ରାସ କରି ଜନଗଣଙ୍କ ଉପରେ ଲୁଟ୍‌ର ମାତ୍ରାକୁ ସାମାନ୍ୟ କମ୍‌ କରିଛନ୍ତି ବୋଲି ହିଁ କହିବା ଠିକ୍‌ହେବ।
ଦେଶରେ ପେଟ୍ରୋଲ ଓ ଡିଜେଲର ଆକାଶଛୁଆଁ ଦରବୃଦ୍ଧି ପଛରେ ସବୁଠାରୁ ବଡ଼ କାରଣ ହେଉଛି, କେନ୍ଦ୍ର ସରକାର ନେଉଥିବା ଉପତ୍ାଦ ଶୁଳ୍କ ଓ ସେସ୍‌। ସେହି କାରଣରୁ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉପତ୍ାଦନ ଶୁଳ୍କକୁ ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କା ମାତ୍ର ହ୍ରାସ କରି ତା’ର ଦର କମାଇବାକୁ ଚେଷ୍ଟା କରିଛନ୍ତି। ଗତ ବର୍ଷ ମହାମାରୀ ସମୟରେ ମାର୍ଚ୍ଚ ଓ ମଇ ମାସରେ ସରକାର ଦୁଇ ଦୁଇ ଥର ଉପତ୍ାଦନ ଶୁଳ୍କରେ ବୃଦ୍ଧି କରିଥିଲେ। ଏହି ଅସ୍ବାଭାବିକ ବୃଦ୍ଧି ଫଳରେ ପେଟ୍ରୋଲ ଓ ଡିଜେଲ ଦରରେ ଯଥାକ୍ରମେ ୧୩ ଟଙ୍କା ଓ ୧୬ ଟଙ୍କା ବୃଦ୍ଧି ଘଟିଥିଲା। ଶତକଡ଼ା ହାରରେ ତାହା ୬୫% ଓ ୭୯% ବୃଦ୍ଧି ଥିଲା। ଦେଖିବାକୁ ଗଲେ, ସରକାର ୨୦୧୪ରୁ ୨୦୨୦ ମଧ୍ୟରେ ପେଟ୍ରୋଲ ଉପରେ ଉପତ୍ାଦନ ଶୁଳ୍କ ଟ. ୯.୪୫ରୁ ଟ. ୩୨.୯୦କୁ ଏବଂ ଡିଜେଲ ଉପରେ ଟ. ୩.୮୬ରୁ ଟ. ୨୮.୩୫କୁ ବୃଦ୍ଧି କରିଛନ୍ତି। ସଦ୍ୟତମ ଶୁଳ୍କ ହ୍ରାସ ପରେ ମଧ୍ୟ ଆମେ ଏବେ ପେଟ୍ରୋଲରେ ଟ.୨୭.୯ ଓ ଡିଜେଲରେ ଟ.୧୮.୩୫ ଶୁଳ୍କ ଦେଉଛେ। ଅତଏବ ବର୍ତ୍ତମାନ ଦରହ୍ରାସ ନାଁରେ ସରକାର ପୂର୍ବରୁ ନିଜେ କରିଥିବା ଦରବୃଦ୍ଧିର ଏକ ଛୋଟିଆ ଅଂଶକୁ ହିଁ କମାଇଛନ୍ତି।
ଗତ ଦୁଇବର୍ଷ ମଧ୍ୟରେ ହିଁ ପେଟ୍ରୋଲ ଓ ଡିଜେଲ ଦରରେ ଯଥାକ୍ରମେ ଟ. ୩୪ ଓ ଟ.୨୯.୫୦ ବୃଦ୍ଧି ହୋଇଛି। ପଶ୍ଚିମବଙ୍ଗ ନିର୍ବାଚନର ତୁରନ୍ତ ପରେ ଗତ ଛଅ ମାସ ମଧ୍ୟରେ ସରକାର ତୈଳଦରରେ ସର୍ବମୋଟ ୪୬ ଥର ବୃଦ୍ଧି କରିଛନ୍ତି। କେବଳ ଗତ ବର୍ଷକ ମଧ୍ୟରେ ଯଥାକ୍ରମେ ଟ.୨୬ ଓ ଟ.୨୫ ବୃଦ୍ଧି ହୋଇଥିବା ବେଳେ ଗତ ଅକ୍ଟୋବର ମାସ ମଧ୍ୟରେ ହିଁ ପେଟ୍ରୋଲ ଓ ଡିଜେଲର ଦରରେ ଯଥାକ୍ରମେ ଟ.୮.୧୫ ଓ ଟ.୯.୪୫ ବୃଦ୍ଧି କରିଛନ୍ତି। ଅତଏବ ସରକାର ଗତ ଅକ୍ଟୋବର ମାସରେ କରିଥିବା ଦରବୃଦ୍ଧିକୁ ବି ଏ ଯାଏ କମାଇ ପାରିନାହାନ୍ତି।
ପେଟ୍ରୋଲ ଓ ଡିଜେଲ ଉପରେ ଉପତ୍ାଦନ ଶୁଳ୍କକୁ ବଢ଼ାଇ ହିଁ ସରକାର ଚଳିତ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ରେକର୍ଡ ଆୟ କରିଛନ୍ତି। ମହାମାରୀର ପୂର୍ବ ଛଅ ମାସ ମଧ୍ୟରେ ସରକାର ଯେତିକି ଶୁଳ୍କ ଆଦାୟ କରିଥିଲେ, ତା’ଠାରୁ ୭୯% ଅଧିକ ଶୁଳ୍କ ଗତ ଛଅ ମାସ ମଧ୍ୟରେ ଆଦାୟ କରିଛନ୍ତି। କମ୍ପ୍ଟୋ୍ରଲର ଜେନେରାଲ ଅଫ୍‌ ଆକାଉଣ୍ଟସ୍‌ଙ୍କ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ଅର୍ଥାତ୍‌ ମହାମାରୀ ଶୀର୍ଷରେ ଥିବା ସମୟରେ ସରକାର ତୈଳ ବାବଦରେ ୧.୭୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଅଥଚ ମହାମାରୀର ପୂର୍ବରୁ ଦେଶ ସ୍ବାଭାବିକ ଅବସ୍ଥାରେ ଥିବାବେଳେ ୨୦୧୯-୨୦ର ପ୍ରଥମ ଛଅ ମାସ ମଧ୍ୟରେ ଏହି ସଂଗ୍ରହର ପରିମାଣ ଟ.୯୫,୯୩୦ କୋଟି ହିଁ ଥିଲା।
ମହାମାରୀର ପୂର୍ବ ବର୍ଷ ୨୦୧୯-୨୦ରେ ପେଟ୍ରୋଲ ଓ ଡିଜେଲ ବାବଦରେ କେନ୍ଦ୍ରର ମୋଟ ଶୁଳ୍କ ଆୟ ୨.୩୯ ଲକ୍ଷ କୋଟି ହୋଇଥିବା ବେଳେ ମହାମାରୀ ବର୍ଷ, ୨୦୨୦-୨୧ରେ ତାହା ୩.୮୯ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା। ଅର୍ଥାତ୍‌ ମହାମାରୀ ସତ୍ତ୍ୱେ କେବଳ ଗୋଟିଏ ବର୍ଷରେ ସରକାରଙ୍କ ଶୁଳ୍କ ଆୟରେ ୧.୮ ଲକ୍ଷ କୋଟି ବୃଦ୍ଧି ଘଟିଥିଲା। ଅଥଚ ସରକାରଙ୍କ ସଦ୍ୟତମ ମୂଲ୍ୟହ୍ରାସ ଫଳରେ ତାଙ୍କର ଶୁଳ୍କ ଆୟରେ ମାତ୍ର ୪୦ ହଜାର କୋଟି ହ୍ରାସ ପାଇବାକୁ ଯାଉଥିବା ଜଣାପଡ଼ିଛି।
ସରକାରଙ୍କ ସଦ୍ୟତମ ଦର ହ୍ରାସର ନିଷ୍ପତ୍ତିଟି ଜନଗଣଙ୍କ ପ୍ରତି କୌଣସି ସମ୍ବେଦନତା କାରଣରୁ ନୁହେଁ, ବରଂ ସମ୍ପୂର୍ଣ୍ଣ ରାଜନୈତିକ ସ୍ବାର୍ଥରେ ନିଆଯାଇଛି। ଯଦି ନିକଟରେ ସମାପ୍ତ ଉପନିର୍ବାଚନଗୁଡ଼ିକରେ ଭାଜପାର ପ୍ରଦର୍ଶନ ଭଲ ହୋଇ ନ ଥାନ୍ତା କିମ୍ବା ନିକଟ ଭବିଷ୍ୟତରେ ୟୁପି ସମେତ କେତେକ ରାଜ୍ୟର ନିର୍ବାଚନ ହେବାକୁ ନ ଥାନ୍ତା, ତା’ହେଲେ ବି ତେଲଦରରେ ହୁଏତ ଏଭଳି କୌଣସି ହ୍ରାସ ହୋଇ ନ ଥାନ୍ତା। ଦରଦାମ୍‌ର ବୋଝରୁ ଲୋକଙ୍କୁ ରିହାତି ନ ଦେଲେ ଆଗାମୀ ନିର୍ବାଚନ ବୈତରଣୀକୁ ଯେ ପାର କରିବା ସମ୍ଭବ ନୁହେଁ, ସେକଥା ସବୁଦଳ ବିଶେଷ କରି ଭାଜପାର ନେତାମାନେ ଭଲ କରି ବୁଝିଛନ୍ତି।
କ୍ଷମତାକୁ ଆସିବା ପୂର୍ବରୁ ଦେଶବାସୀଙ୍କୁ ପେଟ୍ରୋଲ, ଡିଜେଲ ଶସ୍ତାରେ ଦେବାକୁ ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର ଏବେ ତାକୁ ହିଁ ନିଜର ଆୟର ମୁଖ୍ୟସୂତ୍ର କରିଦେଇଛନ୍ତି। କ୍ଷମତାକୁ ଆସିବା ପରେ ଯେଉଁ କାମଟିକୁ ସରକାର ସର୍ବାଗ୍ରେ କରିଛନ୍ତି, ତାହା ହେଲା ଡିଜେଲକୁ ନିୟନ୍ତ୍ରଣମୁକ୍ତ କରି ତାକୁ ବଜାରକୁ ହସ୍ତାନ୍ତର କରିବା ଏବଂ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍‌ ଉପରେ ଦିଆଯାଉଥିବା ସବ୍‌ସିଡିକୁ ସମାପ୍ତ କରିବା। ଦର ସ୍ଥିର ରଖିବା ପାଇଁ ପୂର୍ବରୁ ରହିଥିବା ସବ୍‌ସିଡି ବ୍ୟବସ୍ଥାକୁ ସମାପ୍ତ କରି ଅଧିକରୁ ଅଧିକ ଟିକସ ବଢ଼ାଇବାର ପରିଣାମ ସ୍ବରୂପ ଆଜି ଆମେ ବିଶ୍ୱର ସବୁଠାରୁ ମହଙ୍ଗା ଦରରେ ପେଟ୍ରୋଲ, ଡିଜେଲ କିଣୁଛେ।
ଗତ ସାତ ବର୍ଷ ଧରି ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଶସ୍ତା ରହିଥିବା ସତ୍ତ୍ୱେ ତା’ର ଲାଭ ଲୋକଙ୍କୁ ନ ଦେଇ ସରକାର ନିଜେ ନେଇଯାଇଛନ୍ତି। ମହାମାରୀ ଓ ଲକ୍‌ଡାଉନ୍‌ ନିଜର ରୋଜଗାର ଓ ବ୍ୟବସାୟ ହରାଇବା ଯୋଗୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ବେଳେ ସରକାର ସେମାନଙ୍କୁ ରିହାତି ଦେବା ପରିବର୍ତ୍ତେ ରାଜସ୍ବ ଆୟ ନାଁରେ ବାରମ୍ବାର ଟିକସକୁ ବଢ଼ାଇ ଲୋକଙ୍କ ଉପରେ ହିଁ ଆର୍ଥିକ ବୋଝକୁ ଲଦି ଚାଲିଛନ୍ତି। ଆଜି ବି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୫୦ ଓ ୪୭ ଭାଗ ଟିକସ ନେଉଛନ୍ତି। ଅଥଚ ମହାମାରୀ ସମୟରେ ବିପୁଳ ଲାଭ କରିଥିବା କର୍ପୋରେଟ୍‌ଙ୍କ ଉପରେ ଟିକସକୁ ବଢ଼ାଇ ନିଜର ଆୟକୁ ବଢ଼ାଇବାକୁ ଚାହିଁ ନାହାନ୍ତି।
ସରକାରଙ୍କ ଭୁଲ୍‌ ଆର୍ଥିକ ନୀତି ଯୋଗୁ ଦେଶରେ ପୁଞ୍ଜିପତି ଓ ଧନାଢ଼୍ୟ ଲୋକଙ୍କଠାରୁ ଆଦାୟ କରାଯାଉଥିବା ପ୍ରତ୍ୟକ୍ଷ କରର ହାର ଲଗାତର କମୁଥିବା ବେଳେ ସାଧାରଣ ଜନତାଙ୍କ ଉପରେ ପଡ଼ୁଥିବା ପରୋକ୍ଷ କରର ଭାର ବଢ଼ିଚାଲିଛି। ୨୦୧୪-୨୦୨୧ ମଧ୍ୟରେ ସରକାରଙ୍କ ମୋଟ ରାଜସ୍ବ ଆୟରେ କର୍ପୋରେଟ୍‌ ଟିକସର ଆୟ ହ୍ରାସ ପାଉଥିବା ବେଳେ ଆୟକର ଓ ଉପତ୍ାଦନ ଶୁଳ୍କର ହାର ଦ୍ରୁତ ଗତିରେ ବଢ଼ିଛି। କର୍ପୋରେଟ୍‌ ଟିକସ ଆୟରେ ମାତ୍ର ୨୮% ବୃଦ୍ଧି ହୋଇଥିବା ବେଳେ ଆୟକରରେ ୧୧୭% ବୃଦ୍ଧି ଘଟିଛି। ଏହି ଅବଧିରେ କେବଳ ପେଟ୍ରୋଲ ଓ ଡିଜେଲ ଉପରେ ଟିକସର ପରିମାଣରେ ୪୫୯% ବୃଦ୍ଧି ଘଟିଛି, ଯାହା କି ସାଧାରଣ ଜନତାଙ୍କ ଉପରେ ସିଧାସଳଖ ଆକ୍ରମଣ ବୋଲି କୁହାଯାଇପାରେ। ଏଠାରେ ପ୍ରଶ୍ନ ଉଠେ, ଦେଶର କର୍ପୋରେଟ୍‌ମାନଙ୍କ ସ୍ବାର୍ଥରେ ୨୦୧୯ରେ ଯେଉଁ ସରକାର ଜରୁରିକାଳୀନ ଧାରା ନିୟମ – ୧୨ ଲଗାଇ କର୍ପୋରେଟ୍‌ ଟିକସର ହାରକୁ ୩୦%ରୁ ୨୨% ହ୍ରାସ କରିଥିବା ବେଳେ ପେଟ୍ରୋଲ, ଡିଜେଲ ଉପରେ ଲଗାତର ଟିକସକୁ ବଢ଼ାଇ ସାଧାରଣ ଜନତାଙ୍କ ଉପରେ ଆର୍ଥିକ ବୋଝକୁ ଲଦି ଆସିଛନ୍ତି କାହିଁକି ?
ପେଟ୍ରୋଲ ଓ ଡିଜେଲ ଦରରେ ଲଗାତର ବୃଦ୍ଧି କରି ତାକୁ ଯଥାକ୍ରମେ ୧୧୫-୧୨୦ ଟଙ୍କା ଏବଂ ୧୧୦ ଟଙ୍କାରେ ପହଞ୍ଚାଇବା ପରେ ସେଥିରେ ମାତ୍ର ୫ ଓ ୧୦ ଟଙ୍କା ହିଁ ହ୍ରାସ କରି ସରକାର ନିଜକୁ ଜନସପକ୍ଷବାଦୀ ଓ ସମ୍ବେଦନଶୀଳ ବୋଲି ଦେଖାଇବାକୁ ଚାହିଁଛନ୍ତି। ଏଠାରେ ପ୍ରଶ୍ନ ଉଠେ, ଯଦି ସରକାର ପ୍ରକୃତରେ ସମ୍ବେଦନଶୀଳ ଥାଆନ୍ତେ, ତା’ହେଲେ ଆଜି ସମ୍ପୂର୍ଣ୍ଣ ବର୍ଦ୍ଧିତ ଦରକୁ ପ୍ରତ୍ୟାହାର କରି ଜନସାଧାରଣଙ୍କୁ ସେମାନଙ୍କ ନ୍ୟାୟୋଚିତ ରିହାତି ଦେଇଥାନ୍ତେ। ପେଟ୍ରୋଲ, ଡିଜେଲ ଉପରେ ଶୁଳ୍କର ହାରକୁ ୨୦୧୪ ସ୍ତରକୁ ହ୍ରାସ କରିପାରିଥାନ୍ତେ। କିଛି ନ ହେଲେ, ତାକୁ ସର୍ବାଧିକ ୨୮% ଟିକସ ହାର ଥିବା ଜିଏସ୍‌ଟିର ପରିସରଭୁକ୍ତ ବି କରିପାରିଥାନ୍ତେ। କିନ୍ତୁ ସେସବୁ ନ କରି ସରକାର ଯେଉଁ ସାମାନ୍ୟ ହ୍ରାସ କରିଛନ୍ତି, ତାହା ଗୋରୁ ମାରି ଜୋତା ଦାନ ପରି ମନେହେଉଛି। ଜନମତ ଭୟରେ ସରକାର ସାମୟିକ ଭାବେ ପେଟ୍ରୋଲ, ଡିଜେଲର ଲୁଟ୍‌ରେ ସାମାନ୍ୟ କମ୍‌ କରିବା କଦାପି ଉପହାର ନୁହେଁ, ବରଂ ପ୍ରତାରଣା ବୋଲି କୁହାଯାଇପାରେ।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?