ଅକାଳ ମୃତ୍ୟୁ ଓ ଅପମୃତ୍ୟୁ

ଡ. ବାସନ୍ତୀ ମହାନ୍ତି

ଜନ୍ମରୁ ମୃତ୍ୟୁ ଯାଏ ଆମ ଯାତ୍ରା ହିଁ ଜୀବନ। ମୃତ୍ୟୁ ଜୀବନର ସ୍ବାଭାବିକ ପରିଣତି। ମଣିଷ ବାଲ୍ୟ, ଯୌବନ ଓ ଜରା ତିନୋଟି ପର୍ଯ୍ୟାୟ ଦେଇ ମୃତ୍ୟୁ ପାଖରେ ପହଞ୍ଚିଥାଏ। ଏହି ପର୍ଯ୍ୟାୟଗୁଡ଼ିକୁ ଅତିକ୍ରମ ନ କରି କେହି ମୃତ୍ୟୁବରଣ କଲେ ତାହା ଅକାଳ ମୃତ୍ୟୁ ପଦବାଚ୍ୟ ହୋଇଥାଏ। ପ୍ରତ୍ୟେକ କାର୍ଯ୍ୟ ପଛରେ ଏକ କାରଣ ଥିବାପରି ମୃତ୍ୟୁ ପଛରେ ମଧ୍ୟ କାରଣଟିଏ ରହିଥାଏ। ଭଗବତ୍‌ ଗୀତାରେ ବର୍ଣ୍ଣିତ ଅଛି ‘ବା଼ଂସାସି ଜୀର୍ଣ୍ଣାନି ଯଥା ବିହାୟ, ନବାନି ଗୃହ୍ଣାତି ନରୋପରାଣି, ତଥା ଶରୀରାଣି ବିହାୟ ଜୀର୍ଣ୍ଣା, ନ୍ୟନାନି ସଂଜାତି ନବାନି ଦେହୀ’। ଏହି ଦର୍ଶନ ଅନୁସାରେ ମୃତ୍ୟୁ ଆସିବା ପୂର୍ବରୁ ଆମ ଶରୀରରୂପକ ବସ୍ତ୍ର ଜୀର୍ଣ୍ଣ ହୋଇ ଯାଇଥାଏ। ତାହା ରୋଗ ବ୍ୟାଧି ଜନିତ ହେଉ ଅଥବା ଜରା ବ୍ୟାଧି ଜନିତ। ବେଳେ ବେଳେ ନବଜାତ ଶିଶୁ କୁଆଁ କୁଆଁ ଡାକିବା ପୂର୍ବରୁ ତା’ର ମୃତ୍ୟୁ ହୋଇଥାଏ ତ ଶତାୟୁମାନେ ମଧ୍ୟ ମୃତ୍ୟୁ ଅପେକ୍ଷାରେ ଦିନ ଗଣୁଥାଆନ୍ତି। ସହଜରେ ଆସେ ନାହିଁ ମୃତ୍ୟୁ। ଭାଗବତରେ କଥା ଅଛି- ଦଣ୍ଡେ ନିମିଷେ ଥିଲେ ପ୍ରାଣ, ନ ନେଇ ପାରେ ଜନ୍ତୁରାଣ। ପୁଣି ଆୟୁକାଳ ପୂରିଗଲେ ମୁହୂର୍ତ୍ତଟିଏ କେହି ରକ୍ଷା କରିପାରନ୍ତି ନାହିଁ। କିନ୍ତୁ ଶାସ୍ତ୍ରସଂହିତାର ସବୁ ନୀତି ନିୟମକୁ ଅସ୍ବୀକାର କରି ଶରୀରରୂପୀ ବସ୍ତ୍ର ଜୀର୍ଣ୍ଣ ହେବା ଆଗରୁ, ଜୀବନୀ ଶକ୍ତି କ୍ଷୟ ନ ହେଉଣୁ ବେଳେ ବେଳେ ମୃତ୍ୟୁ ଦେବତା କୋଉଛଟକରେ ଆସି ଆତ୍ମାକୁ ଶରୀରଠାରୁ ଅଲଗା କରିଦିଏ ତା’ର ଠିକ୍‌ ଠିକଣା ନ ଥାଏ। ଆମେ କେବଳ ଅସହାୟ ଦର୍ଶକ ସାଜି ଅଶ୍ରୁମୋଚନ କରିଥାଉ।
ଗତ ଦୁଇ ବର୍ଷ ହେଲା ଆମେ ବିଶ୍ୱବ୍ୟାପୀ ଯେଉଁ ମୃତ୍ୟୁର ତାଣ୍ଡବଲୀଳା ଦେଖୁଥିଲୁ, କରୋନା ଭାଇରସ ଥିଲା ତା’ର ମୁଖ୍ୟ କାରଣ। ଏହି ଅକାଳ ମୃତ୍ୟୁକୁ ରୋକିବାକୁ ସାରା ବିଶ୍ବ ଅଣ୍ଟା ଭିଡ଼ିଲା। ଯିଏ ଯାହାର ସାମର୍ଥ୍ୟ ଅନୁସାରେ ଏହା ବିରୋଧରେ ଲଢିଲେ। ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର କରୋନା ପ୍ରତିଷେଧକ ଟିକା ଉଦ୍ଭାବନ କଲେ। ଫଳରେ ଏବେ କରୋନାର ପ୍ରକୋପ ଅନେକ ପରିମାଣରେ ହ୍ରାସ ଘଟିଛି। ଯେଉଁ ଅକାଳ ମୃତ୍ୟୁର ମୃତକମାନଙ୍କୁ ଆମେ ଗଣି ଗଣି ଆତଙ୍କିତ ହେଉଥିଲୁ ତାହା କ୍ରମହ୍ରାସମାନ ହେଉଛି। ଏହା ସୁଖର କଥା।
ଏଠି ଗୋଟିଏ କଥା ସ୍ପଷ୍ଟ ଯେ, କରୋନାକାଳୀନ ମୃତ୍ୟୁ ଅକାଳ ମୃତ୍ୟୁ ହୋଇପାରେ କିନ୍ତୁ ଅପମୃତ୍ୟୁ ନୁହେଁ। ବଡ଼ କଥା ହେଲା କରୋନା ପ୍ରକୋପ ବେଳେ ଅପମୃତ୍ୟୁ ପ୍ରାୟ ହେଉ ନ ଥିଲା! କିନ୍ତୁ କରୋନା ପ୍ରଶମିତ ହେଉ ନ ହେଉଣୁ ରାସ୍ତା ଦୁର୍ଘଟଣା, ମଦମୃତ୍ୟୁ, ଜଳରେ ବୁଡ଼ି, ସାପ କାମୁଡ଼ା, ହାତୀ ଉପଦ୍ରବରେ ମୃତ୍ୟୁ, ହତ୍ୟା, ଲୁଣ୍ଠନ, ବ୍ୟାଙ୍କ ଡକାୟତି, ଏଟିଏମ୍‌ ଲୁଟ୍‌, ଗଣବଳାତ୍କାର ଓ ହତ୍ୟା ପ୍ରଭୃତି ନିତିଦିନିଆ ଖବର ଆମର ଦେହସୁହା ହୋଇଗଲାଣି। କରୋନା ଆକ୍ରାନ୍ତ ମଣିଷ ମୃତ୍ୟୁମୁଖରେ ପଡୁଥିଲା ସତ କିନ୍ତୁ ତାହା ଅପମୃତ୍ୟୁ ନୁହେଁ। ମନେ ହେଉଥିଲା କରୋନା ଭାଇରସ ମଣିଷକୁ ଜୀବନର କ୍ଷଣ ଭଙ୍ଗୁରତା ସମ୍ପର୍କରେ ଅବଗତ କରିବା ପାଇଁ ଆସିଛି। ବର୍ଷ ବର୍ଷ ଧରି ଯେଉଁ ପୋଥି ପୁରାଣ, ଗୀତା, ଭାଗବତ ଆଦି ଶାସ୍ତ୍ର ସଂହିତା, ମହାପୁରୁଷଙ୍କ ବାଣୀ ମଣିଷକୁ ସୁଧାରି ନ ଥିଲା ସାମାନ୍ୟ ଆଖିକୁ ଦିଶୁ ନ ଥିବା ଭୂତାଣୁ ତାହା ପାରିଛି। ମଣିଷ ତା’ର ହିଂସ୍ରତା ଭୁଲିଛି। ତା’ ଭିତରେ ଥିବା ମଣିଷ ପଣ ଜାଗି ଉଠିଛି। ବୁଦ୍ଧିଜୀବୀମାନେ ଆଶ୍ୱସ୍ତ ହେଉଥିଲେ ଯେ ମାନବ ସଭ୍ୟତାର ଏକ ଭୂଇଁଫୋଡ ମୋଡ଼ ଆସୁଛି। କିନ୍ତୁ ଖୁବଶୀଘ୍ର ଏହା ଭୁଲ ପ୍ରମାଣିତ ହୋଇଗଲା। କରୋନା ଭୂତାଣୁ ସମସ୍ୟା ଏବେ ସମ୍ପୂର୍ଣ୍ଣ ପ୍ରଶମନ ନ ହେଉଣୁ ମଣିଷ ଭିତରେ ଥିବା ଅଜଗର ଭିଡ଼ିମୋଡ଼ି ହେଲାଣି। ଆପଣାର ରୂପ ପ୍ରଦର୍ଶନ କରିବା ଆରମ୍ଭ କରିଦେଲାଣି। ହସ୍ପିଟାଲରେ ଡାକ୍ତରମାନେ ବେଶି ବ୍ୟସ୍ତ ରହୁଛନ୍ତି ସ୍ବାଭାବିକ ରୋଗୀମାନଙ୍କ ଚିକିତ୍ସା ପାଇଁ ନୁହେଁ ବରଂ ମଣିଷ ମାନସିକତାରେ ଥିବା କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ମଣିଷମାନଙ୍କର ସେବା ସୁଶ୍ରୁଷାରେ। ସମ୍ପ୍ରତି ଗଣମାଧ୍ୟମରେ ଏସବୁ ହୋଇଛି ମୁଖ୍ୟ ଖବର। ଏବେ ଯେଉଁ ଅକାଳ ମୃତ୍ୟୁ ହେଉଛି ତାହା ଅପମୃତ୍ୟୁ। ଏ ଅପମୃତ୍ୟୁ ହେତୁ କୌଣସି ଶାରୀରିକ ରୋଗ ବ୍ୟାଧି କିମ୍ବା ସଂକ୍ରମଣ ନୁହେଁ ଆମ ମାନସିକ ବ୍ୟାଧି ହିଁ ଏହାର କାରଣ। କେହି ନିଶାଗ୍ରସ୍ତ ହୋଇ ଗାଡ଼ି ଚଲେଇ ଲୋକଙ୍କର ପ୍ରାଣ ନେଲାଣି ତ ଆଉ କେହି କାମ, କ୍ରୋଧ, ଲୋଭ, ମୋହ, ଦ୍ୱେଷ, ଅହଂ, ଅସୂୟା, ପ୍ରତିଶୋଧାତ୍ମକ ମାନସିକତାର ବଶବର୍ତ୍ତୀ ହୋଇ ଅପରର ମୃତ୍ୟୁର କାରଣ ହେଲାଣି।
ଏ ମାନସିକତାରୁ ଆମକୁ ଅତିକ୍ରମ କରିବାକୁ ହେବ। ହିଂସା ଆଚରଣ ସବୁ ସମସ୍ୟାର ସମାଧାନ ନୁହେଁ। ଆମକୁ ସଂଯମ ଆଚରଣ କରିବାକୁ ହେବ। ଆମେ କୋଭିଡ ପରବର୍ତ୍ତୀ ସମାଜରେ ଖୁବ୍‌ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛୁ। ଶିକ୍ଷା ଉଜୁଡ଼ି ଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ର ବିପର୍ଯ୍ୟସ୍ତ। ଅର୍ଥନୈତିକ ସ୍ଥିତି ସ୍ଥାଣୁ। ସାଂସ୍କୃତିକ ଜୀବନ ପକ୍ଷାଘାତଗ୍ରସ୍ତ। ପ୍ରତିଟି କ୍ଷେତ୍ର ଆମ ପାଇଁ ଏକ ଆହ୍ବାନ ହୋଇଛି। ଏପରି ଏକ ସମ୍ବେଦନଶୀଳ କାଳରେ ଆମ ହୃଦୟ ଓ ମନରେ ଥିବା ସବୁ ମଇଳା ଦୂର କରିବାକୁ ହେବ। ଜୀବନ ଖୁବ୍‌ ମୂଲ୍ୟବାନ। ଥରେ ମୃତ୍ୟୁ ସମସ୍ତଙ୍କର ଅନୁଭବ ଅଛି। କରୋନା କବଳିତ ବିଶ୍ବ ଏ କଥା ଆମକୁ ଆଉଥରେ ଚେତେଇ ଦେଲା। ଡାକ୍ତଖାନାଗୁଡ଼ିକରେ ଶଯ୍ୟା ଅଭାବରେ, ଅମ୍ଳଜାନ ଅଭାବରେ, ଔଷଧ ଅଭାବରେ ଲୋକେ ହନ୍ତସନ୍ତ ହୋଇ ପ୍ରାଣ ହରାଇଲେ। ଜୀବିକା ହରେଇ ଜୀବନ ବିକଳରେ ରାସ୍ତା ଘାଟରେ ମୃତ୍ୟୁମୁଖରେ ପଡ଼ିଲେ। ଚକ୍ଷୁ ସାମ୍ନାରେ ଆତ୍ମୀୟଙ୍କ ମରଣ ଦେଖୁଥିଲେ ବି ସେମାନଙ୍କ ପାଖରେ ବସି ସାନ୍ତ୍ୱନା ଦେବା କି ଶବ ସତ୍କାର କରିବା ପାଇଁ ସୁଯୋଗ ପାଇଲେ ନାହିଁ। ସବୁ ବିପର୍ଯ୍ୟୟ ମଣିଷକୁ ଶିକ୍ଷା ଦେଇ ଯାଇଥାଏ। ଆମେ କାରୋନା ବିପର୍ଯ୍ୟୟରୁ କି ଶିକ୍ଷା ପାଇଲୁ? କରୋନା ଭୂତାଣୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇନାହିଁ। ଆମ ଭିତରୁ ଅଧିକାଂଶ ଆତ୍ମୀୟସ୍ବଜନଙ୍କୁ ହରାଇଛେ। ଆମେ ଅବଶିଷ୍ଟ ଯେଉଁମାନେ ବଞ୍ଚିଯାଇଛୁ ଆମ ଭିତରେ ଏପରି ଜୀବନ ବିରୋଧୀ କାର୍ଯ୍ୟକଳାପ ଆଦୌ ସ୍ପୃହଣୀୟ ନୁହେଁ। ଆମେ କ’ଣ ପରସ୍ପର ଏମିତି ହିଂସା, ଅସୂୟା ଆଚରଣ ପ୍ରଦର୍ଶନ କରି ମଣିଷ ପ୍ରଜାତିକୁ ଧଂସ କରିଦେବା?
ମୋ: ୯୪୩୭୦୩୩୦୭୪
email.basantimohanty12@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri