କୋଣାର୍କର ପୁନର୍ନିର୍ମାଣ

ଅନିଲ କୁମାର ବିଶ୍ୱାଳ

କୋଣାର୍କ ହେଉଛି ଓଡ଼ିଆ ଜାତିର ଜ୍ଞାନ, କର୍ମକୁଶଳତା, ଯାନ୍ତ୍ରିକ ଦକ୍ଷତା, ରାଷ୍ଟ୍ରଭକ୍ତିର ପ୍ରମାଣପତ୍ର। ଗୋଟିଏ ଧାଡ଼ିରେ କହିବାକୁ ଗଲେ ସ୍କିଲ ସାର୍ଟିଫିକେଟ। ସୂର୍ଯ୍ୟମନ୍ଦିରର ଅପୂର୍ବ କାରୁକାର୍ଯ୍ୟ, ଅବିଶ୍ୱସନୀୟ ଉତ୍କଳୀୟ ସ୍ଥାପତ୍ୟର ନିଦର୍ଶନ, ସମାହାର। ଏଠି ପଥର କଥା କୁହେ। ଏଠାରେ ପ୍ରତିଟି ପଥରର ଏକ ଇତିହାସ ଅଛି, ଏକ ଗୌରବମୟ ଅତୀତ ଅଛି। କୋଣାର୍କ ସୂର୍ଯ୍ୟମନ୍ଦିରର ଆଜି ଭଗ୍ନ ଅବସ୍ଥାରେ ବି ଯାହା କିଛି ଅଛି ତାହାକୁ ଆମେ ବିଶ୍ୱ ବଜାରରେ ସେତିକି ଭଲ ଭାବରେ ଦେଖାଇନେ। ନ ହେଲେ ବିଶ୍ୱର ସର୍ବକାଳୀନ ସପ୍ତାଶ୍ଚର୍ଯ୍ୟରେ ଏହା ଗୃହୀତ ହୋଇଥାନ୍ତା। ସ୍ଥାପତ୍ୟକୁ କେନ୍ଦ୍ରକରି ସେଠାରେ ଏକ ବିରାଟ ସହର ଗଢ଼ିଉଠିଥାନ୍ତା।
ସୂର୍ଯ୍ୟ ଉପାସନା ହେଉଛି ପୃଥିବୀର ପ୍ରାଚୀନ ପରମ୍ପରା। ବିଶ୍ୱର ଅନେକ ସଭ୍ୟତାର ଉପାସନାର ମୂଳରେ ଥିଲେ ସୂର୍ଯ୍ୟ। ସୂର୍ଯ୍ୟଙ୍କୁ ବିଶ୍ୱ ବ୍ରହ୍ମାଣ୍ଡର ମୂଳ ଉତ୍ସ ଭାବେ କେବଳ ହିନ୍ଦୁ ଧର୍ମ ବା ପୁରାଣ ନୁହେଁ ବରଂ ସାରା ବିଶ୍ୱର ବିଜ୍ଞାନ ମଧ୍ୟ ଗ୍ରହଣ କରିଛି। କୋଣାର୍କ ମନ୍ଦିରର ସ୍ଥାନ ଚୟନ ମଧ୍ୟ ବିଜ୍ଞାନସମ୍ମତ। ଓଡ଼ିଶାରେ ଯେପରି ପୁରୀ ବିଷ୍ଣୁପୀଠ, ଭୁବନେଶ୍ୱର ଶୈବପୀଠ, ଯାଜପୁର ଶକ୍ତିପୀଠ ସେହିପରି କୋଣାର୍କ ହେଉଛି ସୂର୍ଯ୍ୟପୀଠ। ତ୍ରୟୋଦଶ ଶତାବ୍ଦୀର ତତ୍କାଳୀନ ଓଡ଼ିଶାର ବାରବର୍ଷର ସମସ୍ତ ରାଜସ୍ବ, ବାରଶହ ଶିଳ୍ପୀଙ୍କର ଶ୍ରମଦାନରେ ଗଢ଼ିଉଠିଥିଲା ରଥାକୃତିର ଏହି ପ୍ରକାଣ୍ଡ ବିରଳ ମନ୍ଦିର। ମନ୍ଦିର ପ୍ରତିଷ୍ଠାର ପ୍ରାୟ ତିନି ଶହ ବର୍ଷ ପର୍ଯ୍ୟନ୍ତ ପୂଜାନୀତି, ଯାତ୍ରା ପରମ୍ପରା ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ୧୫୬୮ରେ ଓଡ଼ିଶା ମୁସଲମାନ ଶାସନାଧୀନ ହେବା ପରେ କୋଣାର୍କର ଭାଗ୍ୟରେ କଳାବାଦଲ ଘୋଟି ଆସିଲା। କୋଣାର୍କ ଭାଙ୍ଗିଲା କେମିତି? ଏ ଜାତିର ସବୁଠାରୁ ମନୋରମ କୀର୍ତ୍ତି ଭାଙ୍ଗିଗଲା ହେଲେ ଆମେ ଏଯାଏ ଜାଣିପାରିଲେନି ଯେ ଏହା କେମିତି ଭାଙ୍ଗିଲା? କି ବିଡ଼ମ୍ବନା। ୧୬୪୮ରେ ମୋଗଲ ଶାସନର ଶ୍ରେଷ୍ଠ କୀର୍ତ୍ତି କୁହାଯାଉଥିବା ତାଜମହଲର ନିର୍ମାଣ ସରିଲା ।
ଠିକ୍‌ ସେହି ସମୟରେ ଉତ୍କଳର ଗର୍ବଗୌରବ କୋଣାର୍କର ପତନ ହେଲା। କୋଣାର୍କ ସତରେ କ’ଣ ସାମୁଦ୍ରିକ ଝଡ଼ଝଞ୍ଜାରେ ଭୁଶୁଡ଼ି ପଡ଼ିଲା? ଯେଉଁ ଶିଳ୍ପୀକୁଳ ପଥରର ଏତେ ବିଶାଳ କାରୁକାର୍ଯ୍ୟମୟ କଳାକୃତି ତିଆରି କରିପାରନ୍ତି ସେମାନେ କ’ଣ ଅଜ୍ଞ ଥିଲେ ଯେ ସମୁଦ୍ରର ବାତ୍ୟା ପାଇଁ ସେମାନେ ମନ୍ଦିରକୁ ସେମିତି ପ୍ରସ୍ତୁତ କରି ନ ଥିଲେ। ବାତ୍ୟାରେ ମନ୍ଦିର ଭାଙ୍ଗିଯିବ ଏକଥା ଅବିଶ୍ୱାସ ଲାଗେ। ପୁରୀ ମନ୍ଦିର କେତେ କେତେ ବାତ୍ୟା ସାମ୍‌ନା କରିଛି । କାହିଁ କିଛି ତ ହୋଇନାହିଁ। ବ୍ରହ୍ମଗିରିର ଚିଲିକା-ସମୁଦ୍ର କୂଳରେ ଥିବା ବ୍ରହ୍ମକୁଣ୍ଡଳେଶ୍ୱର ମନ୍ଦିର ଜଳରାଶିଠାରୁ ମାତ୍ର ୨୦୦ ମିଟର ପାଖରେ। ସାମୁଦ୍ରିକ ବାତ୍ୟା ଏତେ ଜୋରରେ ହେଲା ଯେ ବାଲିଚରିଯାଇଥିଲା ସେ ସ୍ଥାନ। ଏବେ ମନ୍ଦିରର ପୁନରୁଦ୍ଧାର ହୋଇଛି। ମନ୍ଦିର ଅକ୍ଷୁଣ୍ଣ। ତା’ହେଲେ କୋଣାର୍କ କେମିତି ଭାଙ୍ଗିଲା। ଠିକ୍‌ ସମାନ ସମୟରେ କୋଣାର୍କର ଅବସାନ ଆଉ ତାଜମହଲର ପ୍ରତିଷ୍ଠା କ’ଣ କେବଳ ଏକ ସଂଯୋଗ ନା ତାଜମହଲକୁ ଶ୍ରେଷ୍ଠ କଳାକୃତିର ସ୍ଥାନ ଦେବା ପାଇଁ କାହାର ଅପଚେଷ୍ଟା। ଅନୁମାନ ଅହେତୁକ ନୁହେଁ। ସମୁଦ୍ରରୁ ବାତ୍ୟା ଆସିଥିଲା ନା ଆସିଥିଲେ ଜଳଦସ୍ୟୁ। ଯେଉଁ ସମୟରେ କୋଣାର୍କ ମନ୍ଦିର ଭାଙ୍ଗିଲା ସେହି ସମୟରେ ଓଡ଼ିଶା ମୋଗଲ ଶାସନାଧୀନ ଥିଲା।
ମନ୍ଦିରଟି ଭାଙ୍ଗିଯିବା ପରେ ଏହାକୁ ପୁନର୍ନିର୍ମାଣ ପାଇଁ ଆଉ କେହି ଉଦ୍ୟମ କରିପାରି ନ ଥିଲେ। କାରଣ ୧୫୬୮ ମସିହା ପରଠାରୁ ୧୯୪୭ ପର୍ଯନ୍ତ ଓଡ଼ିଶା ମୋଗଲ, ପରେ ମରହଟ୍ଟା, ତା’ପରେ ବ୍ରିଟିଶ ଶାସନାଧୀନ ରହିଥିଲା। ଓଡ଼ିଶାର ରାଜାମାନେ ସ୍ବତନ୍ତ୍ର ନ ଥିଲେ। ମନ୍ଦିର ଭାଙ୍ଗିଯିବା ପରେ ରାଜା ରାମଚନ୍ଦ୍ର ଦେବ ସୂର୍ଯ୍ୟ ପ୍ରତିମାଟିକୁ ଆଣି ପୁରୀ ମନ୍ଦିରରେ ପୂଜା କରୁଛନ୍ତି। ଇଂରେଜମାନେ ନବଗ୍ରହ ପ୍ରତିମାଙ୍କୁ ଇଂଲଣ୍ଡ ନେଇଯିବା ପାଇଁ ଚାହୁଁଥିଲେ। ଅଧିକ ଓଜନ କାରଣରୁ ପରେ ନେବେ ବୋଲି ଚିନ୍ତା କରି ଛାଡ଼ିଦେଇଥିଲେ, ଯାହା ସୌଭାଗ୍ୟକ୍ରମେ ରହିଯାଇଛି। ନ ହେଲେ ଆଜି କୋଣାର୍କରେ ତାହା ବି ନ ଥାନ୍ତା। ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ କୋଣାର୍କ ମନ୍ଦିର ପରିଦର୍ଶନରେ ଆସୁଛନ୍ତି। ଭଗ୍ନ ମନ୍ଦିରକୁ ଦେଖୁଛନ୍ତି। ଯଦି ମୁଖ୍ୟ ମନ୍ଦିରଟି ଆଜି ଅକ୍ଷୁଣ୍ଣ ଅବସ୍ଥାରେ ଥାଆନ୍ତା ତା’ହେଲେ ନିଃସନ୍ଦେହ ଯେ କୋଣାର୍କ ଆଜି ଓଡ଼ିଶାର ସ୍ଥାପତ୍ୟର ଯେଉଁ ଗରିମାମୟ ଇତିହାସ ଅଛି ତାହାର ପ୍ରାଣକେନ୍ଦ୍ର ହୋଇଥାନ୍ତା। ବିଶ୍ୱର ସ୍ଥାପତ୍ୟ ସହର ହୋଇଥାନ୍ତା। ମନରେ ବେଳେବେଳେ ପ୍ରଶ୍ନ ଉଠେ ଯେ ଅର୍କକ୍ଷେତ୍ର ଅଗ୍ନିକୋଣ କୋଣାର୍କରେ କ’ଣ ଆଉ ସୂର୍ଯ୍ୟ ପୂଜା ସମ୍ଭବ ନୁହେଁ କି ? ସୂର୍ଯ୍ୟମନ୍ଦିର ନିର୍ମାଣ ବେଳେ ଏହାକୁ ନିର୍ମାଣ କରୁଥିବା ବାର ଶହ ବଢ଼େଇ, ରାଜା ଲାଙ୍ଗୁଳା ନରସିଂହ ଦେବ କ’ଣ କେବେ ଭାବିଥିବେ ଯେ ଦିନେ କୋଣାର୍କ ଏମିତି ଅଙ୍ଗପ୍ରତ୍ୟଙ୍ଗ ହରାଇ ବିକଳାଙ୍ଗ ଦିଶିବ। କୋଣାର୍କ ମନ୍ଦିରରେ ଯେଉଁ ଲୁହା ବିମ୍‌ ସବୁ ଲାଗିଥିଲା ତାହାକୁ ଦେଖିଲେ ଆଜି ଆମକୁ ଆଶ୍ଚର୍ଯ୍ୟ ଲାଗେ। ସେତେବେଳେ ଲୁହା କାରଖାନା ନ ଥିଲା। ଏତେ ବଡ଼ ବଡ଼ ଲୁହା ଖୁମ୍ବକୁ ବନାଇବା, ବିଶାଳକାୟ ପଥରକୁ ନଦୀରେ ଆଣି ତାକୁ ଗଢ଼ିବା କେଡ଼େ କଷ୍ଟ ହୋଇ ନ ଥିବ।
ଏ ମାଟିରେ ଶାସନ କରୁଥିବା ରାଜାମାନଙ୍କର ସବୁଠାରୁ ବଡ଼ ବିଶେଷତା ହେଲା ଯେ ସେମାନେ ନିଜର ବିଳାସବ୍ୟସନ, ଆମୋଦ ପ୍ରମୋଦ ପାଇଁ କିଛି କରିବା ଅପେକ୍ଷା ସାମୂହିକ କାର୍ଯ୍ୟ ବା କୀର୍ତ୍ତି ସ୍ଥାପନାକୁ ବେଶି ପ୍ରାଥମିକତା ଦେଉଥିଲେ। ସେଥିପାଇଁ ଓଡ଼ିଶାରେ ବଡ଼ ରାଜ ଉଆସ, ଦୁର୍ଗ ଅପେକ୍ଷା ବେଶି ବଡ଼ ମନ୍ଦିର, ବୃହତ୍‌ ପୁଷ୍କରିଣୀ ଆଦି ଦେଖିବାକୁ ମିଳେ। ମାତ୍ର ୧୦୦କିମିର ବ୍ୟାସ ଭିତରେ ଏତେଗୁଡ଼ିଏ କାରୁକାର୍ଯ୍ୟମୟ ପ୍ରାଚୀନ ମନ୍ଦିର ଆଉ କେଉଁଠି ଦେଖିବାକୁ ମିଳେନି।
ଏବେ ଆସିବା ବିଷୟକୁ। ବର୍ତ୍ତମାନ ରାଜ୍ୟ ସରକାର କୋଣାର୍କ ମନ୍ଦିରର ଚାରିପାଖର ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା କରିଛନ୍ତି। ସେଥିପାଇଁ ସାଧୁବାଦ। ହେଲେ ଯଦି ସରକାର (ଉଭୟ ରାଜ୍ୟ ଓ କେନ୍ଦ୍ର)କୋଣାର୍କ ମନ୍ଦିରର ପୁନର୍ନିର୍ମାଣ ପାଇଁ ଆଗେଇ ଆସନ୍ତେ ତା’ହେଲେ ଏହା ଆହୁରି ଭଲ ହୁଅନ୍ତା। ଆମେ ରାଜଧାନୀର ଫୁଟପାଥକୁ ସଜାଡ଼ିବାରେ ୭୦କୋଟି ଖର୍ଚ୍ଚ କରିପାରୁଛେ। ଫ୍ଲାଏ ଓଭରବ୍ରିଜ ତିଆରିରେ ୧୦୦ କୋଟି ଖର୍ଚ୍ଚ କରିପାରୁଛେ । ଆମ ପ୍ରାଚୀନ କଳାକୃତି, ଆମ ପ୍ରାଚୀନ ବିଜ୍ଞାନ, ଆମର ଶିଳ୍ପୀକୁଳର ଗରିମାର ଝଲକ ସାରା ବିଶ୍ୱକୁ ଦେଖାଇବା ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିବାରେ ଅସୁବିଧା କେଉଁଠି ? ଏ ବାବଦରେ ପ୍ରସିଦ୍ଧ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ଉଦ୍ୟମ ପ୍ରଶଂସନୀୟ। ସେ ତାଙ୍କର ନିଜସ୍ବ ଉଦ୍ୟମରେ କିଛି ଜମି କିଣିଛନ୍ତି, ମନ୍ଦିରର କିଛି କିଛି ଅଂଶ ତିଆରି ବି କରୁଛନ୍ତି। ହେଲେ ତାଙ୍କୁ ସରକାର ସାହାଯ୍ୟ କରିଲେ ଏହି କାମ ଆହୁରି ତ୍ୱରାନ୍ବିତ ହୁଅନ୍ତା।
କେନ୍ଦ୍ରୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଯାହା ଓଡ଼ିଶାରେ ଅନେକ ମନ୍ଦିରର ସଂରକ୍ଷଣ ଦାୟିତ୍ୱ ନେଇଛି, ସେମାନେ ସଂରକ୍ଷଣ କରିବା ନାଁରେ ମନ୍ଦିର ଭାସ୍କର୍ଯ୍ୟକୁ କାଢ଼ି ସାଦା ପଥର ଦେବାରେ ବେଶି ଲାଗିଛନ୍ତି। ଅନେକ ମନ୍ଦିର ଏବେ ସାଦା ପଥରମୟ ହୋଇଗଲାଣି। ସେମାନେ ଯଦି ଏହି ମନ୍ଦିର ସଂରକ୍ଷଣ କାମରେ ସିଭିଲ କଣ୍ଟ୍ରାକ୍ଟର, ସିଭିଲ ଇଞ୍ଜିନିୟରମାନଙ୍କ ବଦଳରେ ଆମ ରାଜ୍ୟର ପଥର ଶିଳ୍ପୀଗୁରୁ ଓ କାରିଗରମାନଙ୍କୁ କାମରେ ଲଗାନ୍ତେ ତା’ହେଲେ ହୁଏତ ଭଲ ହୁଅନ୍ତା। କାରଣ ମନ୍ଦିରକୁ ଯେଉଁ ବିଦ୍ୟା ଓ ଜ୍ଞାନରେ ତିଆରି କରାଯାଇଥିଲା ତାହା ସେହି କାରିଗରମାନଙ୍କ ପାଖରେ ଅଛି। ସିଭିଲ କଣ୍ଟ୍ରାକ୍ଟର, ସିଭିଲ ଇଞ୍ଜିନିୟରମାନଙ୍କ ପାଖରେ ସେ ପାରମ୍ପରିକ ବିଦ୍ୟା ନାହିଁ। ସେମାନେ କେବଳ ରିପ୍ଲେସମେଣ୍ଟ ଆଉ ବ୍ୟାଣ୍ଡେଜ କପଡ଼ା ଗୁଡ଼ାଇବା ଜାଣିଛନ୍ତି। ବର୍ଷା ଦିନେ କୋଣାର୍କ ମନ୍ଦିର ଭିତରେ ପାଣି ଜମିକି ରହୁଛି, କାରଣ ପୁରୁଣା ଡ୍ରେନେଜ ବଦଳରେ ନୂଆ ଡ୍ରେନେଜ କରାଯାଇଛି। ଜଗମୋହନର ଉପରପଟୁ ବି ପାଣି ପଶୁଛି। କାରୁକାର୍ଯ୍ୟମୟ ପଥର କଢ଼ା ହୋଇ ସାଦା ପଥର ଲାଗୁଛି। ଏପରି ସ୍ଥିତିରେ ଥିବା ଭଗ୍ନ କୋଣାର୍କ ମନ୍ଦିର ଆଉ କେତେ ଦିନ ରହିବ ତାହା ବି ଏକ ବଡ଼ ଶଙ୍କା।
ଯେଉଁମାନେ କୋଣାର୍କ ମନ୍ଦିର ନାଁରେ ଆଉ ମନ୍ଦିର ତିଆରି କରାଯାଇପାରିବ ନାହିଁ ବା ଦ୍ୱିତୀୟ କୋଣାର୍କକୁ ବିରୋଧ କରୁଛନ୍ତି ସେମାନେ ନିଜର ସଂକୀର୍ଣ୍ଣତାକୁ ଦୂର କରନ୍ତୁ। ଆଉ ଗୋଟିଏ ମନ୍ଦିର ହୋଇଗଲେ ଯେ ଏବେ ଥିବା ମନ୍ଦିର ମଳିନ ପଡ଼ିଯିବ ସେପରି ଭାବିବା ନିର୍ବୋଧତା। କଳିଙ୍ଗ, ଉତ୍କଳୀୟ ମନ୍ଦିର ଭାସ୍କର୍ଯ୍ୟ, ଶିଳ୍ପକଳାର ଏହା ପାଲଟନ୍ତା ଚଳନ୍ତି ଉଦାହରଣ। ଖାଲି ସେତିକି ନୁହେଁ, ଧୀରେ ଧୀରେ ସଙ୍କଟ ଆଡ଼କୁ ଯାଉଥିବା ଏହି କଳାଟି ଆଉଥରେ ଉଦ୍‌ଭାସିତ ହୁଅନ୍ତା। ସେତେବେଳେ ନଦୀ ସାହାଯ୍ୟରେ ଭେଳା କରି ପଥର ଆଣି ମନ୍ଦିର କରୁଥିଲେ। କେଡ଼େ କଷ୍ଟରେ ହାତରେ ବିଶାଳ ପଥରକୁ କାଟି କାଟି କରାଯାଉଥିଲା। ଆଜି ବହୁତ ସୁବିଧା ଆସିଲାଣି। କ୍ରେନ, ମେଶିନ ଉପଲବ୍‌ଧ ହେଲାଣି। ସହଜରେ ହୁଅନ୍ତା। ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଆଉ ଗୋଟିଏ କୋଣାର୍କ ମନ୍ଦିର ତିଆରି କରିବାର ଯୋଜନା ହୋଇଥିଲା। ସେଥିପାଇଁ ଏକ କମିଟି ଗଠନ କରାଯାଇଥିଲା। ୫୦ କୋଟି ଖର୍ଚ୍ଚ ହୋଇଥାନ୍ତା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପାଖକୁ ଏକ ପ୍ରସ୍ତାବ ମଧ୍ୟ ଯାଇଥିଲା । ହେଲେ ତାହା ଭିନ୍ନ କାରଣ ପାଇଁ ଅଟକିଲା। ସ୍ବାଧୀନ ଭାରତରେ ଗୁଜରାଟର ସୋମନାଥ ମନ୍ଦିରକୁ ତିଆରି କରାଯାଇପାରିଲା। ଏବେ ତେଲଙ୍ଗାନା ସରକାର ୟଦାଦ୍ରି ମନ୍ଦିରର ନିର୍ମାଣ କରୁଛନ୍ତି। ସେଥିରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏକ ପାହାଡ଼ ଉପରେ ୧୪ ଏକର ସ୍ଥାନରେ ପୁରୁଣା କାକତିୟ ଭାସ୍କର୍ଯ୍ୟ ଶୈଳୀରେ ହେଉଥିବା ଏହି ମନ୍ଦିରର ନିର୍ମାଣରେ ୫୦୦ କାରିଗର ଲାଗିଛନ୍ତି। ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଏହାର ଚାରିପାଖରେ ୭୦୦୦ ବସ ରହିବା ଭଳି ବସ ଟର୍ମିନାଲ, ଲୋକ ରହିବା ପାଇଁ ଘର ତିଆରି ହେଉଛି। ଯଦି ସେମାନେ କରିପାରୁଛନ୍ତି ଆମେ ତା’ହେଲେ କାହିଁକି ନୁହେଁ। ଆମର କ’ଣ ଦାୟିତ୍ୱ ନୁହେଁ କି ଆମର ପାରମ୍ପରିକ କଳା ଶୈଳୀକୁ ବିଶ୍ୱରେ ଦେଖାଇବା ପାଇଁ। ହଁ ଯଦି ଆର୍ଥତ୍କ ଦୃଷ୍ଟିରୁ ବି ଚିନ୍ତା କରାଯାଏ ତା’ହେଲେ ବି ଏହି ପରିକଳ୍ପନା ଭବିଷ୍ୟତରେ ରାଜ୍ୟର ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ମାନଚିତ୍ରରେ ପ୍ରମୁଖ ସ୍ଥାନ ପାଲଟନ୍ତା। ଖାଲି ସେତିକି ନୁହେଁ, ଆମର ଶିଳ୍ପୀ କାରିଗରମାନଙ୍କୁ ବିଶ୍ୱ ବଜାରରେ କାମ ମିଳନ୍ତା। ଶେଷରେ ଏତିକି କହିବା ଯେ ବର୍ତ୍ତମାନ ଥିବା କୋଣାର୍କ ମନ୍ଦିରକୁ ଯଦି ସଜଡ଼ା ଯାଇ ପୁନର୍ନିର୍ମାଣ କରାଯାଉ ନ ହେଲେ ସେହି ସମାନ ଶୈଳୀରେ, ସମାନ କାରୁକାର୍ଯ୍ୟ ଭଳି ଆଉ ଗୋଟିଏ ବିଶାଳ ମନ୍ଦିର ହେଉ।
ହରିରାଜପୁର, ପୁରୀ
ମୋ:୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri