ପଠନ, ଲିଖନ ଓ ବନାନ ଚୁଲିକୁ ଗଲାଣି

ସହଦେବ ସାହୁ

ସ୍ମାର୍ଟ ଫୋନ୍‌ ନିଜର ସାଙ୍ଗ ହୋଇଗଲା ଦିନୁ ଡିଜିଟାଲ୍‌ ଆକର୍ଷଣ ଏତେ ବଢ଼ିଗଲାଣି ଯେ ଆକର୍ଷଣ ଶବ୍ଦ ଆଉ ଯୁକ୍ତିଯୁକ୍ତ ମନେ ହେଉନାହିଁ, ଏହା ଏକ ଡିଷ୍ଟ୍ରାକ୍ସନ୍‌ ବା ଅନ୍ୟମନସ୍କତାର କାରଣ ହେଲାଣି। ଛପା ବହି କି ଖବରକାଗଜ ପଢ଼ାପଢ଼ିରେ ଆଉ ମନ ନାହିଁ, ଚିଠିପତ୍ର ଲେଖିବାରେ ଓ ଡାକଘରେ ପକାଇବା ଆମେ ଭୁଲିବା ଆରମ୍ଭ କଲୁଣି। ଥୁଣ୍ଟାମୁନବାଲା କାଠି (ଷ୍ଟାଇଲ୍‌ସ) କଲମର ଜାଗା ନେଲାଣି, ଆଉ ଅଙ୍ଗୁଳିର ଅପାରଗପଣିଆକୁ ବଢ଼ାଇଦେଲାଣି, ଭୁଲ୍‌ ବା ଏକାଧିକ ଅକ୍ଷର ବା ମାତ୍ରାକୁ ବାଛିବାରେ ସିଦ୍ଧହସ୍ତ ନ ହୋଇ ସିଦ୍ଧମୁନ ହେଲୁଣି। ବ୍ୟାକରଣ ଭୁଲିଯାଅ, ଲମ୍ବା ଲମ୍ବା ଓ ଶୁଦ୍ଧ ବାକ୍ୟ ଭୁଲିଯାଅ। ଇଲୁ (ଆଇ ଲଭ୍‌ ୟୁ) ଭଳି ସଂକ୍ଷିପ୍ତ ଶବ୍ଦ ବା ଇମୋଜି ଭଳି ଭାବସୂଚକ ମୁଖଭଙ୍ଗୀର ବ୍ୟଙ୍ଗ ଛବି ବ୍ୟବହାର କର। ସଂକ୍ଷିପ୍ତ ସନ୍ଦେଶ (ଏସ୍‌ଏମ୍‌ଏସ୍‌) କଲେ ବ୍ୟାକରଣ ବା ରଚନାଶୈଳୀ ପ୍ରତି ଲକ୍ଷ୍ୟ ରଖିବା ଦରକାର ନାହିଁ। ଅକ୍ଷର ଓ ମାତ୍ରା ମିଶି ୨୫୦ରୁ ବେଶି ନୁହେଁ, ବେଶି ହେଲେ ଥର ଥର କରି ଲେଖିବ, ଅବଶ୍ୟ ପ୍ରାପକ ପୂରା ପାଉଛି। ବ୍ୟାକରଣକୁ ଗୁଳିମାର, ଉଚ୍ଚାରଣ ଉପରେ ଧ୍ୟାନ ଦିଅ, ଗୋଟିଏ ଅକ୍ଷର ଗୋଟିଏ ଶବ୍ଦ ବୁଝାଇପାରେ ତ ପୂରା ଶବ୍ଦ କାହିଁକି ଲେଖିବ? କାଳକ୍ରମେ ନୂଆ ଶବ୍ଦ ଡିଜିଟାଲ୍‌-ଦୁନିଆର ଲୋକଙ୍କ ଶବ୍ଦଭଣ୍ଡାର (ଭୋକାବୁଲାରି)ର ଅଂଶ ହୋଇପଡ଼ିଲାଣି। ଟାଣିଓଟାରି ମାନେ ବୁଝିବାକୁ ପଡ଼ିବ, ଯଥା ‘ନିମିତ୍ତ’ ବା ‘ପାଇଁ’ ଲାଗି ଇଂଲିଶ‘ଫର୍‌’ ନ ହୋଇ ସଂଖ୍ୟା ‘୪’, ‘ଫୋର୍‌’ ତା ବୁଝାଇବ। ଇମୋଜି ତୁମ ମନର ଭାବ ବୁଝାଇବ। ‘ଅମରକୋଷ’ ଭୁଲିଯିବାର ବେଳ ଆସିଗଲାଣି।
ହାତରେ ଲେଖିବା ଅଭ୍ୟାସ କମିଗଲେ ପଢ଼ିବାର ‘ସ୍ପୃହା’ କମିଯିବ, ‘ସ୍ପୃହା’ କମିଗଲେ ଲମ୍ବା ଲମ୍ବା ରଚନା ପଢ଼ିବାର ‘ସାମର୍ଥ୍ୟ’ ଆପେ ଆପେ ହ୍ରାସ ପାଇବ, ନବଯୁବବର୍ଗ ଓ ସିନିୟର୍‌ ସିଟିଜେନ୍‌ମାନେ ବହିପତ୍ର ନ ପଢ଼ି ସ୍ମାର୍ଟଫୋନ୍‌ରେ ମେଶିନ ପଢୁଥିବା ଶୁଣିଦେଉଛନ୍ତି। ଶ୍ରୁତି ବା ଅଡିଓ ସୁବିଧା ମଣିଷକୁ ନିରକ୍ଷର ହେବାକୁ ପ୍ରବର୍ତ୍ତାଉଛି, ହାତ ଲେଖା କି ବହି ଲେଖା ପଢ଼ିବାରେ ସମୟ କଟାଇବା ମାନେ ଧୀରସ୍ଥିର ହୋଇ ବସିରହିବା, ଚଳଚଞ୍ଚଳ ଜୀବନରେ ନବଯୁବମାନେ ଗୋଟିଏ କାମରେ ସାରିବାଯାଏ ସ୍ଥିର ରହିବା ଚାହୁଁନାହାନ୍ତି। କ’ଣ ବେଦ ଉପନିଷଦ୍‌ ସମୟର ଶ୍ରୁତି ଯୁଗ ଫେରୁଛି? ଏପରି ପରିସ୍ଥିତିକୁ ଉତ୍ସାହିତ କରୁଛି କିଣ୍ଡଲ୍‌ ଭଳି କହିବା ବହି। ସ୍ମାର୍ଟ ଫୋନ୍‌ ପକେଟରେ ଥିବ ତ କାନରେ ସ୍ପିକର୍‌ ନ ଲଗାଇ ବହିର ପାଠ ଶୁଣିହେବ। ମୁଦ୍ରିତ ଖବରକାଗଜଗୁଡ଼ିକ ବି ଇଣ୍ଟରନେଟ୍‌ରୁ ନୂଆ ନୂଆ ଖବର ସଂଗ୍ରହ କରିନେଉଛନ୍ତି, ୩ କି ୫ କି ୭ ମିନିଟ୍‌ର ଶୁଣିବା (ଲିଶିନିଂ) ସାଙ୍ଗକୁ ପଢ଼ାପାଠ ଯୋଗାଉଛନ୍ତି। ଆଇଟି-ବିଶେଷଜ୍ଞ ଗୁରୁ ଓ ଆମେ ଶିଷ୍ୟ ହୋଇ ପୁଣି ଗୁରୁ-ଶିଷ୍ୟ ପରମ୍ପରାକୁ ଫେରିବା ମନେହୁଏ। ଘଟଣାର ଜାଗାକୁ ଯାଇ ବା ଗବେଷଣା କରି ନୂଆ ତଥ୍ୟ ବାହାର କରିଥିବା ବ୍ୟକ୍ତି ପାଖକୁ ଯାଇ ଖବର ସଂଗ୍ରହ କରିବା ଅଭ୍ୟାସ ଛାଡ଼ିଦେଇ ଯାହା ଡିଜିଟାଲ ଆକାରରେ ମିଳୁଛି ତାକୁ ବହି ବା ଖବରକାଗଜ ବା ପତ୍ରିକାକୁ ଉତ୍ତାରିନେବେ ନିଜର ସମ୍ପାଦନା ସହିତ। ଆମ ଭିତରୁ ଅନେକେ ଖବରକାଗଜ ପଢ଼ିବା ଛାଡି ଇଣ୍ଟର୍‌ନେଟ୍‌ରେ ଖବର ପଢ଼ିଶୁଣି ଦେଉଛୁ। ପୂର୍ବାପର ସମ୍ପର୍କ ବି ଆମକୁ ଇଣ୍ଟରନେଟ୍‌ରେ ମିଳୁଛି, ଆମ ଅଞ୍ଚଳର ପାଠାଗାରକୁ ଯାଇ ଦରାଣ୍ଡିବାକୁ ପଡୁନାହିଁ, ସମୟର ଅପଚୟ ଓ ଅର୍ଥର ବ୍ୟୟଭାର କମୁଛି।
ଏସବୁର ଅର୍ଥ ଓ କାରଣ ହାତପାଆନ୍ତାରେ ସ୍ମାର୍ଟଫୋନ୍‌। ତାହା ଆମର ଅନ୍ୟମନସ୍କତା (ଡାଇଭର୍ସନ୍‌ ବା ଡିଷ୍ଟର୍ବାନ୍ସ) ବଡ଼ କାରଣ, ଆମେ କୌଣସି ଗୋଟିଏ କାମରେ ମନୋନିବେଶ କରିପାରୁନାହଁୁ। ପ୍ରତିଦିନ ଆମେ ଏତେ ବେଶି ପରିମାଣର ସୂଚନା, ଖବର ବା ଜ୍ଞାନ ପାଉଛୁ ଯେ ଆମ ମସ୍ତିଷ୍କ ଏତେଗଡ଼ିଏ କଥା ହଜମ କରି ପଢ଼ାପଢ଼ି କରିବାର ସାମର୍ଥ୍ୟ ଯୋଗାଡ଼ କରିବାରେ ଏତେ ତୁରୁତୁରିଆ ହୋଇ ଯାଉଛୁ ଯେ ଆମ ବ୍ରେନ୍‌ ସେଗୁଡ଼ିକର ଯଥାଯଥଃ ପ୍ରକ୍ରିୟାକରଣ କରିପାରୁନାହିଁ, ନିଷ୍ପତ୍ତି ନେଇପାରୁନାହିଁ। ଅବିରତ ବିଜ୍ଞପ୍ତି ଆସୁଛି ବହୁତ ପ୍ରକାରର ମଞ୍ଚରୁ, ଆପ୍ପରୁ, ଡିଭାଇସ୍‌ରୁ, ସୋସିଆଲ୍‌ ମିଡିଆରୁ, ବିଭିନ୍ନ ଖବର ମିଡିଆ ମଞ୍ଚରୁ। କୌଣସି ଗୋଟିଏ ମଞ୍ଚକୁ ବିଶେଷ ଧ୍ୟାନ ଦେଇପାରୁନାହୁଁ। ଏକାଗ୍ରତା ହରାଇବା ଆରମ୍ଭ କଲୁଣି। କମ୍ପ୍ୟୁଟର ମଣିଷ ପରସ୍ପରର ପ୍ରଭାବ ଅନୁଧ୍ୟାନ କରୁ କରୁ ଗବେଷକମାନେ ଦେଖିଲେ ପଢ଼ିବା-ମସ୍ତିଷ୍କ କିପରି ବିକଶିତ ହେଲା, ପୁଣି ବିଭିନ୍ନ ପାଠ ପଢ଼ି ସେଗୁଡିକର ସମ୍ମିଶ୍ରଣରେ ନୂଆ ନୂଆ ଧାରଣା (ଆଇଡିଆ) ତିଆରି କରିବାର ସାମର୍ଥ୍ୟ କିପରି ବିକଶିତ ହେଲା। ଏହା ଭିତରେ ଥିବା ସ୍ପାନ୍‌ ଅଫ୍‌ ଆଟେନଶନ୍‌ (ଧ୍ୟାନର ପରିସର) ଉପରେ ବି ଗବେଷଣା ହେଲା। ପଢ଼ିବାର ଗୁରୁତ୍ୱ ବଢ଼ିଲା କାରଣ ତା’ ଦୃଷ୍ଟିକୋଣ ବଢ଼ାଇଲା, ବିଭିନ୍ନ ଆଇଡିଆକୁ ଛଣାଛଣି (ଡିସର୍ନିଂ) କରି କେଉଁଟା ସ୍ଥାନିତ ହେବା ଯୋଗ୍ୟ ତାହା ବାଛିପାରିଲା, ଆହୁରି ଭାବିହେଲା, ଆହୁରି ପଢ଼ିବାକୁ ଇଚ୍ଛା ହେଲା। ପଢ଼ିବା ଗହୀରରୁ ଗହୀରତର ହେଲା, ଚିନ୍ତା କରିବାର ସାମର୍ଥ୍ୟ ବଢ଼ିଲା, ତେଣୁ ମଣିଷ ବାଛିପାରିଲା କେଉଁଟା ବେଶି ଉପଯୁକ୍ତ। ପିଲାର ଶିଖିବାର (ପଢ଼ିବାର) ସ୍ପୃହା ବଢ଼ିଲା।
ସାଧାରଣ ଲୋକଙ୍କ ଅଜାଣତରେ ଏହା ଭିତରେ ବହୁତ ବଦଳିଗଲାଣି। ଆମେ ଏତେ ଶୀଘ୍ର ଶୀଘ୍ର ନୂଆ ନୂଆ ଆଇଡିଆରେ ଅବଗତ ହେଉଛୁ ଯେ ଗୋଟିଏ ପାଠ ଭିତରେ ମଜ୍ଜି (ବୁଡ଼ି) ଗଲେ ଯେ ବେଶି ଜାଣିହେବ ତା’ ଭୁଲିଗଲୁଣି। ଏତେ ଶୀଘ୍ର ଶୀଘ୍ର ପଢୁଛୁ ଯେ ସତେ ଯେମିତି ଜୀବନକାଳ ସରିଆସୁଛି। ସ୍ମାର୍ଟ ଫୋନ୍‌ ଆମ ନଜରକୁ ଆକର୍ଷଣ କରୁଥିବ ତ ଆମେ ଯେଉଁ କାମ କରିବା କଥା ତା’ ଉପରେ ଆମ ଧ୍ୟାନ କେନ୍ଦ୍ରୀଭୂତ ହେବ କିପରି? ହଜାର ହଜାର ଇଞ୍ଜିନିୟର, ଡେଭଲପ୍‌ର, ଡିଜାଇନର୍‌ ଓ ପ୍ରୋଗ୍ରାମର୍‌ ଲୋକଙ୍କ ମନ ଜିଣିବା ଲାଗି ଜାଣିଶୁଣି ପ୍ରୋଗ୍ରାମ ତିଆରି କରୁଛନ୍ତି – ଆମ ଧ୍ୟାନ ଆକର୍ଷଣ କରିବାର ଚେଷ୍ଟା କରୁଛନ୍ତି, କେମିତି ଆମେ ଅଧିକରୁ ଅଧିକ ବିଜ୍ଞାପନ ଦେଖିବା ତା’ ଚେଷ୍ଟା କରୁଛନ୍ତି। ଖାଉଟିକୁ ପ୍ରଲୁବ୍ଧ କରୁଛନ୍ତି। ଆମେ ବି ସୂଚିପତ୍ର ଦେଖି ଦେଇ ବହି ବିଷୟରେ ଅନୁମାନ କରିନେଉଛୁ। ବହିର ଶେଷ ମଲାଟରେ ଥିବା ସଂକ୍ଷିପ୍ତ ଲେଖାରୁ ବହି ବିଷୟରେ ସମ୍ପୂର୍ଣ୍ଣ ଧାରଣା କରିନେଉଛୁ। ହାତରେ ଦୁଇଟି ସ୍ମାର୍ଟ ଫୋନ୍‌ ଥିବ, ଆଖି ଆଗରେ ଲାପ୍‌ଟପ୍‌ର ସ୍କ୍ରିନ୍‌ରେ ଚାର୍ଟ ଦିଶୁଥିବ, କମ୍ପାନୀ କ’ଣ ଚାହୁଁଛି ତାକୁ ଖୋଜୁଥିବ – ଏ ତିନି ତିନିଟା କାମ ଏକାଥରକରେ!
ଏମିତି ମଲ୍ଟିଟାସ୍କିଂରେ କଗ୍ନିଟିଭ୍‌ କଷ୍ଟ୍‌ (ବିଚାର କରିବାରେ ବ୍ୟୟ) ଖୁବ୍‌ ବେଶି। ଘରେ ପହଞ୍ଚି ଆଉ କିଛି କରିବାକୁ ଇଚ୍ଛା ହୁଏ ନାହିଁ ତ ଘରସଂସାର ଭାଙ୍ଗିବାର ସମ୍ଭାବନା ବଢ଼େ, କାରଣ ଦମ୍ପତି ଭିତରେ ବିଳମ୍ବରେ ଘରକୁ ଫେରିବା ଘେନି ସନ୍ଦେହ ବଢ଼େ ଓ କଳି ଜନ୍ମ ନିଏ। ମିଡିଆ ମଲ୍ଟିଟାସ୍କିଂ ବି ସାମ୍ବାଦିକଙ୍କୁ ଓ ଖବରକାଗଜର ସମ୍ପାଦକମାନଙ୍କୁ ବହୁତ ଜଞ୍ଜାଳ ଦିଏ। ଗୁଡ଼ିଏ ମିଡିଆ ମଞ୍ଚ, ବିବିଧ ଘଟଣା, କ୍ରସ୍‌ ଆଲୋଚନା, ପ୍ରୋସେସେସ୍‌ ବା ପ୍ରକ୍ରିୟାମାନ, ଏତେ ପ୍ରକାରର କାମ ଏକାଥରେ ମାଡି ବସେ ଯେ ଖବର ସଂଗ୍ରହ ଓ ସମ୍ପାଦନକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ସହସମ୍ପାଦକମାନଙ୍କୁ ଦିଆଯାଏ। ଏବେ ଏଆଇ (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ଏସବୁ କାମ ନେଇଯିବ। ମଣିଷ ଏଆଇର ମାଲିକ ହେବା ସାଙ୍ଗେ ସାଙ୍ଗେ ତାହାର ଅଧୀନ ହୋଇ ରହିବ। ସ୍ମାର୍ଟ ଫୋନ୍‌ର ଅବସ୍ଥିତି କାନ ଓ ଆଖିର ଦିଗ୍‌ବଳୟରେ ଅଛି ବୋଲି ଜାଣିଥିବା ଲୋକର ମନ ସେଆଡେ ଥାଏ, ଛାତ୍ରମାନଙ୍କ ଏକ ଡିଷ୍ଟ୍ରାକ୍ସନ୍‌ ବା ଚିତ୍ତବିଭ୍ରମ, ତେଣୁ ଫେଲ୍‌ ହେବାର ବା କମ୍‌ ମାର୍କ ରଖିବାର ଏକ ମୁଖ୍ୟ କାରଣ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?