ପ୍ରତିକ୍ରିୟାଶୀଳ ଶାସନତନ୍ତ୍ର

ରବିନାରାୟଣ ସାମଲ

 

ଭୀମାନଦୀ କୂଳରେ କୋରେଗାଓଁ ଗ୍ରାମ। ବର୍ତ୍ତମାନ ଏହା ଏକ ଛୋଟ ସହର। ମହାରାଷ୍ଟ୍ରର ସତାରା ଜିଲାରେ ଅବସ୍ଥିତ ଏହି ସହରୀ ଗ୍ରାମ ଅଷ୍ଟାଦଶ ଶତାବ୍ଦୀରେ କୋରେଗାଓଁ-ଭୀମା ନାମରେ ପରିଚିତ ଥିଲା। ଉଚ୍ଚ ବର୍ଣ୍ଣର ମରାଠୀ ଓ ଦଳିତ ସମ୍ପ୍ରଦାୟ ମହାର ହେଉଛନ୍ତି ଏହାର ମୂଳ ଅଧିବାସୀ। ଷୋଡ଼ଶ ଶତାବ୍ଦୀରେ ‘ଛତ୍ରପତି’ ଶିବାଜୀ ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଛତ୍ରପତିମାନଙ୍କ ପ୍ରଧାନମନ୍ତ୍ରୀଙ୍କୁ ପେଶୱା କୁହାଯାଉଥିଲା। ୧୮୧୮ରେ ବ୍ରିଟିଶ ସୈନ୍ୟବାହିନୀର ଆକ୍ରମଣରେ ପେଶୱା ବାଜି ରାଓ ଦ୍ୱିତୀୟ ପରାସ୍ତ ହେଲେ ଏବଂ ମରାଠା ସାମ୍ରାଜ୍ୟର ପତନ ଘଟିଲା।
ଦଳିତ ମହାରମାନେ ମରାଠୀମାନଙ୍କ ସେବାକାରୀ ଭାବେ କାର୍ଯ୍ୟ କରୁଥିଲେ। ମରାଠୀମାନେ ମହାରମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ତେଣୁ ମହାରମାନେ ପ୍ରତିଶୋଧପରାୟଣ ହୋଇ ବ୍ରିଟିଶ ସୈନ୍ୟବାହିନୀରେ ଯୋଗ ଦେଲେ। ମାତ୍ର ପାଞ୍ଚ ଶହ ମହାରମାନଙ୍କୁ ନେଇ ଗଠିତ ବ୍ରିଟିଶ ସୈନ୍ୟବାହିନୀ ବାଜି ରାଓଙ୍କ ୨୫ ଶହ ସୈନ୍ୟଙ୍କୁ ୧୮୧୮ଜାନୁୟାରୀ ୧ରେ ପରାସ୍ତ କରିବା ଫଳରେ ମହାରମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ଏକ ରକମ ଅନ୍ତ ଘଟିଲା। ସେହି ଦିନଠାରୁ ପ୍ରତି ବର୍ଷ ଜାନୁୟାରୀ ୧ କୁ କୋରେଗାଓଁ-ଭୀମାଠାରେ ଦଳିତ ମହାରମାନେ ବିଜୟ ଉତ୍ସବ ପାଳନ କରିଆସୁଛନ୍ତି।
୨୦୧୮ ଜାନୁୟାରୀ ୧ ରେ ବିଜୟ ଦିବସର ଦୁଇଶତ ବାର୍ଷିକୀ କୋରେଗାଓଁଠାରେ ପାଳିତ ହେଲା। ଉତ୍ସବ ସ୍ଥଳୀରେ ସମବେତ ଜନତାଙ୍କ ଉପରେ ମରାଠୀମାନେ ଆକ୍ରମଣ କଲେ। ଜଣେ ମହାରଙ୍କ ମୃତ୍ୟୁ ଘଟିଲା ଏବଂ ୩୫ ଜଣ ଆହତ ହେଲେ। ଏହାର ପୂର୍ବ ଦିନ ଏଲ୍‌ଗାର ପରିଷଦ ଆୟୋଜନ ହୋଇଥିଲା। ଦେଶର କେତେଜଣ ଖ୍ୟାତନାମା ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସାମ୍ବାଦିକ ଏଥିରେ ଯୋଗ ଦେଇଥିଲେ। ହିଂସା ସୃଷ୍ଟି ଅଭିଯୋଗରେ ପୁଣେ ପୋଲିସ ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ଗିରଫ କଲା। ସେମାନଙ୍କ ମଧ୍ୟରୁ ଫାଦର ଷ୍ଟାନ୍‌ ସ୍ବାମୀଙ୍କର ଗତବର୍ଷ ଜୁଲାଇ ମାସରେ ଦେହାନ୍ତ ହୋଇଯାଇଛି। ଅନ୍ୟମାନେ ୪ ବର୍ଷ ହେଲା ଜେଲ ହାଜତରେ ଶଢ଼ୁଛନ୍ତି।
ଏହି ବୁଦ୍ଧିଜୀବୀମାନଙ୍କ ଗିରଫଦାରି ପଛରେ ବିରାଟ ଷଡ଼ଯନ୍ତ୍ର ଥିଲା ବୋଲି ଓୟାର୍‌ଡ ଡଟ୍‌ କମ୍‌ ୱେବ୍‌ସାଇଟ୍‌ରେ ଗତ ଜୁନ୍‌ ୧୬ ରେ ପ୍ରକାଶ ପାଇଛି। ସାଇବର ସିକ୍ୟୁରିଟି କମ୍ପାନୀ ‘ସେଣ୍ଟିନେଲ ୱାନ୍‌’ର ରିପୋର୍ଟ ଅନୁଯାୟୀ ହ୍ୟାକିଂ ଗ୍ରୁପ୍‌ ‘ମଡିଫାଏଡ୍‌ ଏଲିଫ୍ୟାଣ୍ଟ୍‌’ର ସହାୟତାରେ ପୁଣେ ପୋଲିସ ଗିରଫ ହୋଇଥିତ୍ବା ବ୍ୟକ୍ତିମାନଙ୍କ ମଧ୍ୟରୁ ରୋନା ୱିଲ୍‌ସନ୍‌, ବରବରା ରାଓ ଓ ହାନି ବାବୁଙ୍କ କମ୍ପ୍ୟୁଟରରେ ୩୨ଟି ମିଥ୍ୟା ଆପରାଧିକ ଫାଇଲ୍‌ ଅପଲୋଡ କରିଥିଲା। ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ହସ୍ତଗତ କରିବା ସହିତ ଉପରୋକ୍ତ ତିନିଜଣଙ୍କ ଇ-ମେଲ୍‌ରୁ ଅନ୍ୟମାନଙ୍କ ଇ-ମେଲ୍‌କୁ ଫାଇଲ୍‌ଗୁଡ଼ିକୁ ପଠାଇଥିଲା। ପରେ ସେମାନଙ୍କ କମ୍ପ୍ୟୁଟରରୁ ସରକାରଙ୍କ ପତନ ଓ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଥିବା ଫାଇଲଗୁଡ଼ିକ ଜବତ ହୋଇଛି ବୋଲି ଅଭିଯୋଗ ଆଣି ପୁଣେ ପୋଲିସ ସେମାନଙ୍କୁ ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିରୋଧ) ଆଇନ ବଳରେ ଗିରଫ କରିଥିଲା। କି ଚକ୍ରାନ୍ତ! ଚଳିତ ମାସରେ ହେବାକୁ ଥିବା ବ୍ଲାକ୍‌ ହ୍ୟାଟ୍‌ ସାଇବର କନ୍‌ଫରେନ୍ସରେ ଗବେଷଣାଲବ୍ଧ ତଥ୍ୟର ବିଶଦ ବିବରଣୀ ପ୍ରଦାନ କରାଯିବ ବୋଲି ସିକ୍ୟୁରିଟି କମ୍ପାନୀ ‘ସେଣ୍ଟିନେଲ ୱାନ୍‌’ ଘୋଷଣା କରିଛି।
ଆମ ଦେଶରେ ପୋଲିସ ପ୍ରଶାସନ ଶାସକ ଦଳର ଇଙ୍ଗିତରେ ପରିଚାଳିତ ହୋଇଆସିଛି, ଏଥିରେ ସାମାନ୍ୟତମ ଦ୍ୱନ୍ଦ୍ୱ ନାହିଁ। ୧୯୭୫ ଜରୁରିକାଳୀନ ପରିସ୍ଥିତି ବେଳେ ମିଥ୍ୟା ଅଭିଯୋଗ ଆଣି ମିସା, ନାସା, ଏସ୍‌ମା ଭଳି କଳା କାନୁନ ବଳରେ ହଜାର ହଜାର ରାଜନେତାଙ୍କୁ ଗିରଫ କରାଯାଇଥିଲା। ଏବେ ସେହି ଜରୁରିକାଳୀନ ପରିସ୍ଥିତି ଘୋଷଣା ହୋଇ ନ ଥିଲେ ମଧ୍ୟ ଦେଶଦ୍ରୋହ ଓ ୟୁଏପିଏ ଆଇନ ବଳରେ ଶହ ଶହ ବ୍ୟକ୍ତିଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦିଆଯାଉଛି।
ଉତ୍ତରପ୍ରଦେଶର ଗୋଟିଏ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ରୁଟି ଓ ଲୁଣ ଖାଇବାକୁ ଦିଆଯାଇଥିଲା। ସାମ୍ବାଦିକ ପୱନ ଜୟସ୍ବାଲ ତାକୁ ଲୋକଲୋଚନକୁ ଆଣିଥିଲେ। ତାଙ୍କୁ ଆପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ଗିରଫ କରାଗଲା। ୟୁଟ୍ୟୁବ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାରୁ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା। ଦିଲ୍ଲୀରେ ଅନୁଷ୍ଠିତ କୃଷକ ଆନ୍ଦୋଳନର ରିପୋର୍ଟ ସଂଗ୍ରହ ପାଇଁ ହରିୟାଣାର ସାମ୍ବାଦିକ ମନ୍‌ଦୀପ ପୁନିଆ ଯାଇଥିଲେ। ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରି ହାଜତରେ ମରଣାନ୍ତକ ନିର୍ଯାତନା ଦିଆଯାଇଥିଲା। ନିକଟରେ ଗୁଜରାଟ ଦଙ୍ଗା ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେବାର ଚବିଶ ଘଣ୍ଟା ନ ପୂରୁଣୁ ଜାକିଆ ଜାଫ୍ରିଙ୍କୁ ସହଯୋଗ କରିଆସିଥିବା ଖ୍ୟାତନାମା ସାମାଜିକ କର୍ମୀ ତିସ୍ତା ସିତଲବାଦ ଓ ପୂର୍ବତନ ଆଇପିଏସ୍‌ ଅଫିସର ବି.ଆର. ଶ୍ରୀକୁମାରଙ୍କୁ ଜାଲ୍‌ କାଗଜପତ୍ର ତିଆରି ଅଭିଯୋଗରେ ଗିରଫ କରି ଜେଲ ହାଜତକୁ ପଠାଇ ଦିଆଯାଇଛି। ଦେଶରେ ବଢ଼ିଚାଲିଥିବା ଘୃଣା ମନ୍ତବ୍ୟ ସମ୍ପର୍କିତ ରିପୋର୍ଟ ସଂଗ୍ରହ କରୁଥିବା ବେଳେ ଅଲ୍ଟ ନ୍ୟୁଜ୍‌ ୱେବ୍‌ସାଇଟ୍‌ର ଖବରଦାତା ମହମ୍ମଦ ଜୁବୈରଙ୍କୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁଭାବ ସୃଷ୍ଟି ଅଭିଯୋଗରେ ଗିରଫ ହେଲେ। ଏମିତି ଅନେକ ଉଦାହରଣ। ଗତ ୫ ବର୍ଷରେ ଏହିପରି ଅଭିଯୋଗ ଆଣି ୫ ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଥିଲା ବେଳେ ଗତ ୭ ବର୍ଷରେ ୟୁଏପିଏ ବଳରେ ୧୦ ହଜାର ୫୫୨ ଜଣଙ୍କୁ ଗିରଫ କରାଯାଇଛି।
ଗୋଟିଏ ଗଣତାନ୍ତ୍ରିକ ଦେଶରେ ସରକାରଙ୍କ ନୀତିଅନୀତିକୁ ବିରୋଧ କରିବା ବା ସମାଲୋଚନା କରିବାର ଧାରା ଗଣତନ୍ତ୍ରକୁ ସୁଦୃଢ଼ କରେ। ମାତ୍ର ସରକାର ଏଥି ପ୍ରତି ପ୍ରତିକ୍ରିୟାଶୀଳ ହୋଇପଡ଼ିବା ଗଣତନ୍ତ୍ରର ପରିପନ୍ଥୀ। ଜନଗଣଙ୍କ ଅଧିକାରକୁ ଏହା ଖର୍ବ କରେ। ଗଣତନ୍ତ୍ର ଭୁଶୁଡ଼ି ପଡ଼େ। ଗୋଟିଏ ପଟେ ‘ଆଜାଦୀ କା ଅମୃତ୍‌ ଉତ୍ସବ’ ପାଳନ ହେଉଛି, ଅନ୍ୟ ପଟେ ଆଜାଦୀକୁ ହତ୍ୟା କରାଯାଉଛି। ବ୍ୟକ୍ତି ସ୍ବାଧୀନତା ଓ ବାକ୍‌ ସ୍ବାଧୀନତାକୁ କୁଠାରାଘାତ କରାଯାଉଛି। ଏହା କି ପ୍ରକାର ‘ଆଜାଦୀ’, କି ପ୍ରକାର ‘ଅମୃତ’?
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri