ମୁମ୍ବାଇ,୨୫।୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଏବଂ ଏପ୍ରିଲ ୨୩ ତାରିଖ ମଧ୍ୟରେ ଏକ ସଂଯୋଗ ରହିଛି। ଗତ ଶନିବାର ତଥା ଏପ୍ରିଲ ୨୩ ତାରିଖରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷ ମ୍ୟାଚ୍ରେ ଆର୍ସିବି ୬୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ତେବେ ଏହି ନିର୍ଦ୍ଦିଷ୍ଟ ତାରିଖରେ ଆର୍ସିବିର ବ୍ୟାଟିଂ ବିପର୍ଯ୍ୟୟ ପ୍ରଥମ ଘଟଣା ନୁହେଁ।
ପ୍ରକୃତରେ ଏହି ସଂଯୋଗ ଘଟିଥିଲା ୨୦୧୩ ସମାନ ତାରିଖରେ। ପୂର୍ବତନ ଫ୍ରାଞ୍ଚାଇଜ୍ ପୁଣେ ଓ୍ବାରିୟସ ବିପକ୍ଷରେ କ୍ରିସ୍ ଗେଲ୍ଙ୍କ ବିସ୍ଫୋରକ ୧୭୫* ରନ୍ର ପାଳି ବଳରେ ଆର୍ସିବି ୨୬୩ ରନ୍ କରିଥିଲା। ଏହା ଥିଲା ଆଇପିଏଲ ଇତିହାସର ସର୍ବାଧିକ ଦଳଗତ ସ୍କୋର। ଏହାପରେ ୨୦୧୭, ଏପ୍ରିଲ ୨୩ ତାରିଖରେ କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷରେ ଆର୍ସିବି ମାତ୍ର ୪୯ ରନ୍ରେ ଅଲ୍ଆଉଟ ହୋଇଯାଇଥିଲା, ଯାହାକି ଆଇପିଏଲ୍ ଇତିହାସରେ ସର୍ବନିମ୍ନ ଦଳଗତ ସ୍କୋର। ଏହି ସଂଯୋଗ ଚଳିତ ସିଜନରେ ମଧ୍ୟ ଜାରି ରହିଛି।