
ପାଟଣା,୧୯ା୬(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମା ହୁଦା ପଞ୍ଚାୟତ କୁମୁଳା ବାହାଳିର ତେଲ ନଦୀ ପୋଲ ଉପରେ ବର୍ଷା ପାଣି ଗୁରୁବାର ପ୍ରବାହିତ ହୋଇଛି। ଫଳରେ ସାହାରପଡ଼ା ବ୍ଲକ ଦାମାହୁଦା ଅଞ୍ଚଳରୁ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳକୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି। ଉପର ମୁଣ୍ଡ ଶିମିଳିପାଳ ଅଞ୍ଚଳରେ ବର୍ଷା ଯୋଗୁ ତେଲ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ସେହିଭଳି ଖଜୁରୀ ଡିହା ସରସ୍ବତୀ ପଦା ଡାଇଭର୍ସନ ଧୋଇ ହୋଇଯିବା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ପାଟଣା ବୈତରଣୀ ନଦୀର ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭସେଇ ନେଇଛି। ଏଣେ ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁ ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ବେହାଲ ହୋଇପଡ଼ିଛି।