ନୂଆଦିଲ୍ଲୀ,୩।୧୧ : ସଂସଦରେ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ମୋଦି ସରକାର ପ୍ରସ୍ତୁତ। ଏଥିରେ SIR ପ୍ରସଙ୍ଗ ମଧ୍ୟ ସାମିଲ ରହିଛି । ଏଥିପାଇଁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆଲୋଚନା ପାଇଁ ଚ୍ୟାଲେଞ୍ଜ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ବୁଧବାର ଛତିଶଗଡ଼ର ନବ ରାୟପୁର ଅଟଳ ନଗରସ୍ଥିତ କାୟାବାନ୍ଧାରେ ‘ବିକଶିତ ଭାରତ ସଂକଳ୍ପ ପାର୍କ ପୀପଲ ୱାନ୍’ର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶାହା କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଥିଲେ।
ଶାହା କହିଥିଲେ, କଂଗ୍ରେସ ଦଳ ସବୁବେଳେ ଅସାମ୍ବିଧାନିକ ସରକାର ଓ ସାଂସଦମାନଙ୍କୁ ସମର୍ଥନ କରିଆସିଛି । ଯେଉଁ ଅଞ୍ଚଳରେ ଲୋକମାନେ କୌଣସି ସରକାର ନିର୍ବାଚିତ କରିନଥିଲେ, ସେଠାରେ ନକ୍ସଲମାନଙ୍କର ସ୍ବରାଷ୍ଟ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ରହୁଥିଲେ। ଏଭଳି ସରକାର ଚଳାଇବାକୁ କିଏ ଅଧିକାର ଦେଇଥିଲା ବୋଲି ସେ ପ୍ରଶ୍ନ କରିଥିଲେ। ତାଙ୍କ କହିବା ଅନୁସାରେ, ଅନେକ ନିର୍ଦ୍ଦୋଷ ସାମ୍ବାଦିକ, ସମାଜସେବୀ ଓ ଛାତ୍ରଙ୍କୁ ଗଛରେ ଟାଙ୍ଗି ଦିଆଯାଇଥିଲା। ଏଭଳି କାର୍ଯ୍ୟକୁ ରାହୁଲ ଗାନ୍ଧୀ ସଂସଦରେ ମଧ୍ୟ ସମର୍ଥନ କରୁଥିବା ଶାହା ଅଭିଯୋଗ କରିଥିଲେ।
ଛତିଶଗଡ଼ର ବିକାଶ ପ୍ରସଙ୍ଗରେ ଶାହା କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଛତିଶଗଡ଼ ରାଜ୍ୟ ଗଠନ କରିଥିଲେ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନକ୍ସଲମୁକ୍ତ କରି ବିକାଶର ପଥରେ ଆଗେଇ ନେଇଛନ୍ତି । ଅଟଳଜୀ ରାମଙ୍କ ନିଜ ମାମୁଘର ଭାବେ ପରିଚିତ ଛତିଶଗଡ଼କୁ ନୂଆ ପରିଚୟ ଦେଇଥିଲେ ବୋଲି ସେ କହିଥିଲେ। ଶାହା ଆହୁରି କହିଥିଲେ, ରମଣ ସିଂଙ୍କ ସରକାର ସମୟରେ ରାଜ୍ୟରେ ବିକାଶ ହୋଇଥିଲା। କିନ୍ତୁ ସେତେବେଳେ କେନ୍ଦ୍ରରେ ଥିବା କଂଗ୍ରେସ ସରକାରର ବିକାଶ ପାଇଁ ଆଗ୍ରହ ନଥିଲା। ଯେଉଁ ଜଙ୍ଗଲରୁ ମହୁଲ ଓ ଲୋକଗୀତର ସ୍ୱର ଶୁଭିବା କଥା, ସେଠାରେ ବାରୁଦ ସୁଡ଼ଙ୍ଗ ବିଛାଯାଇଥିଲା। ସ୍କୁଲ ପିଲାଙ୍କ ହାତରେ ବହିବସ୍ତାନି ବଦଳରେ ବନ୍ଧୁକ ଧରାଇ ଦିଆଯାଇଥିଲା।
ନକ୍ସଲବାଦକୁ ସମର୍ଥନ କରୁଥିବା ଲୋକଙ୍କୁ ପ୍ରଶ୍ନ କରି ଶାହା କହିଥିଲେ, ଗରିବ ଆଦିବାସୀଙ୍କର କ’ଣ ମାନବାଧିକାର ନାହିଁ? ଯେଉଁମାନେ ଲମ୍ବା ଲମ୍ବା ଲେଖା ଲେଖି ଉପଦେଶ ଦେଉଥିଲେ, ସେମାନଙ୍କର ଏଠାକୁ ଆସି ରହିବାକୁ ସାହସ ନଥିଲା ବୋଲି ସେ କହିଥିଲେ। ୨୦୧୦ରେ ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମ ନକ୍ସଲମାନଙ୍କୁ ଅସ୍ତ୍ର ରଖିବା ଆବଶ୍ୟକ ନାହିଁ ଏବଂ ସେମାନେ ହିଂସା ନକଲେ ଗୁଳି ଚଳାଯିବ ନାହିଁ ବୋଲି କହିଥିବା ଶାହା ଉଲ୍ଲେଖ କରିଥିଲେ। ଏହାର ଜବାବରେ ସେ ସଂସଦରେ ଆତ୍ମସମର୍ପଣ କରିବାକୁ ଇଚ୍ଛୁକ ନକ୍ସଲମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଅଣାଯିବ ବୋଲି କହିଥିବା ଦାବି କରିଥିଲେ ।

