ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟର୍ ସୁରେଶ ରାଇନା ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିନ୍ତୁ ସେ କ୍ରିକେଟ ଖେଳିବା ଜାରି ରଖିବେ। ରାଇନା ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଶ୍ରୀଲଙ୍କାର ଟି-୨୦ ଲିଗର ପରବର୍ତ୍ତୀ ସିଜନରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି।
ସୁରେଶ ରାଇନାଙ୍କୁ ଗତ ଆଇପିଏଲରେ କୌଣସି ଦଳ କିଣି ନ ଥିଲେ। ୨୦୨୦ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ। ଏବେ ଘରୋଇ କ୍ରିକେଟକୁ ବିଦାୟ ନେଇ ସୁରେଶ ରାଇନା ନିଜ ପାଇଁ ବିଦେଶୀ ଲିଗରେ ଖେଳିବାର ଦ୍ୱାର ଖୋଲିଛନ୍ତି।
ବିସିସିଆଇ ନିକଟରେ ଏହା ସ୍ପଷ୍ଟ କରି ଦେଇଛି ଯେ, ଚୁକ୍ତିନାମା ଥିବା ଖେଳାଳି କୌଣସି ବିଦେଶୀ ଲିଗରେ ଅଂଶଗ୍ରହଣ କରିପାରିବେ ନାହିଁ। ଯଦି ଘରୋଇ କ୍ରିକେଟରୁ ଅବସର ନ ନେଇ ସୁରେଶ ରାଇନା ବିଦେଶୀ ଟି-୨୦ ଲିଗରେ ଭାଗ ନେଇଥାନ୍ତେ, ତା’ହେଲେ ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା।
ଟି-୨୦ ଫର୍ମାଟରେ ସୁରେଶ ରାଇନା ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି ଭାବରେ ଜଣାଶୁଣ। ସେ ମିଷ୍ଟର ଆଇପିଏଲ ନାମରେ ମଧ୍ୟ ଜଣାଶୁଣା। ଆଇପିଏଲରେ ସେ ୨୦୫ ମ୍ୟାଚରେ ହାରାହାରି ୩୨.୫ ଏବଂ ଷ୍ଟ୍ରାଇକ ରେଟ ୧୩୭ରେ ୫୫୨୮ରେ ରନ ସ୍କୋର କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସକୁ ତିନିଥର ବିଜେତା କରିବାରେ ସୁରେଶ ରାଇନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।