କର୍ଲାମୁଣ୍ଡା,୧୬।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଧରିତ୍ରୀ ଓ ଓରିଶା ପୋଷ୍ଟ କାଗଜରେ ଖବର ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ପକ୍ଷରୁ ୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି। ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୩ ଜଣ ଛାତ୍ରୀ ଛାତ୍ର ପାଠ ପଢ଼ୁଥିବା ବେଳେ ମାତ୍ର ୪ ଜଣ ଶିକ୍ଷକ ରହିଥିଲେ। ଫଳରେ ପାଠପଢ଼ାରେ ବହୁ ସମସ୍ୟା ଦେଖାଦେଉଥିଲା। ଧରିତ୍ରୀରେ ବିଦ୍ୟାଳୟ ପରିକ୍ରମା ଓ ଇଂରାଜୀ ଖବର କାଗଜ ଓରିଶା ପୋଷ୍ଟରେ ଏହି ସମସ୍ୟା ସମ୍ପର୍କରେ ଖବର ପ୍ରକାଶ ପରେ ସରାବାହାଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଞ୍ଜୟ ସେନାପତି ଓ ସାନ ଡୁଙ୍ଗୁରିଗୁଡ଼ା ବିଦ୍ୟାଳୟ ଶିକ୍ଷୟିତ୍ରୀ ତବୁ ସାମନିଶାଙ୍କୁ ନିଯୁକ୍ତି ମିଳିଛି। ଏହାଦ୍ୱାରା ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଧରିତ୍ରୀର ଖବର ପରେ ଶିକ୍ଷକ ନିଯୁକ୍ତି ହୋଇଥିବାରୁ ଅଭିଭାବକ ଓ ଅଞ୍ଚଳବାସୀ ଖୁସି ପ୍ରକାଶ କରିବା ସହ ଧରିତ୍ରୀ ଓ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ଭାରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପମଣି ସାହୁଙ୍କୁ ପଚାରିବାରୁ ଅନ୍ୟାନ୍ୟ ସମସ୍ୟା ଗୁଡିକ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily

