ମୁମ୍ବାଇ:ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ସୋନି ରାଜଦାନ ନିଜ ଦମ୍ଦାର ଅଭିନୟ ପାଇଁ ବେଶ ପରିଚିତ। ଦୀର୍ଘଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସୋନି ନିଜ ଚରିତ୍ରକୁ ଜୀବନ୍ତ କରିବା ପାଇଁ ମେଥଡ ଆକ୍ଟିଂ ଉପରେ ବିଶ୍ୱାସ କରନ୍ତି। ନିକଟରେ ସେ ନିଜର ଏକ ପୁରୁଣା ଅନୁଭୂତି ଶେୟାର କରିଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଏହି ଘଟଣା ପ୍ରାୟ ତିନି ଦଶନ୍ଧି ପୁରୁଣା। ସେତେବେଳେ ସୋନି ‘ଗୁମରାହ’ ଫିଲ୍ମର ଶୁଟିଂ କରୁଥିଲେ। ଫିଲ୍ମର ଏକ ଦୃଶ୍ୟରେ ତାଙ୍କୁ ସିଗାରେଟ ଟାଣିବାର ଅଭିନୟ କରିବାକୁ ଥିଲା। ସେହି ସମୟରେ ଜଣେ ଅଭିନେତ୍ରୀଙ୍କୁ ପରଦାରେ ଧୂମପାନ କରୁଥିବା ଦେଖାଇବା ଏକ ବଡ଼ କଥା ଥିଲା। ତେବେ ସୋନି ବାସ୍ତବ ଜୀବନରେ ଧୂମପାନ କରୁ ନ ଥିଲେ। କିନ୍ତୁ ଚରିତ୍ରରେ ପୂରାପୂରି ମିଶିବା ପାଇଁ ସେ ପ୍ରକୃତରେ ସିଗାରେଟ ଟାଣିଥିଲେ। ଏହି ଦୃଶ୍ୟର ସୁଟିଂ ସମୟରେ ସେ ଗୋଟିଏ ଦିନରେ ପ୍ରାୟ ୧୦୦ଟି ସିଗାରେଟ ଟାଣିଥିଲେ। ସେତେବେଳେ ତାଙ୍କୁ ଜଣା ନ ଥିଲା ଯେ ସେ ଗର୍ଭବତୀ ଅଛନ୍ତି ଏବଂ ତାଙ୍କ ଗର୍ଭରେ ଦ୍ୱିତୀୟ ଝିଅ ଆଲିଆ ଭଟ୍ଟ ବଢ଼ୁଛନ୍ତି।
ପୁରୁଣା ସ୍ମୃତି ବଖାଣି ଅଭିନେତ୍ରୀ କହିଛନ୍ତି, ସେ ଧୂମପାନ କରୁ ନ ଥିଲେ। କିନ୍ତୁ ସେହି ଦିନର ଶୁଟିଂ ପରେ ତାଙ୍କର ବାରମ୍ବାର ସିଗାରେଟ ଟାଣିବାକୁ ଇଚ୍ଛା ହେଉଥିଲା। ଏହାପରେ ସେ ପ୍ରାୟ ପାଞ୍ଚ ମାସ ପାଇଁ ଶୁଟିଂରୁ ବିରତି ନେଇଥିଲେ। ପାଞ୍ଚ ମାସ ପରେ ସେ ପୁଣି ଶୁଟିଂ ସେଟ ଫେରିଥିଲେ। ସେତେବେଳେ ପୂର୍ବରୁ ପିନ୍ଧୁଥିବା ପୋଷାକ ତାଙ୍କୁ ଫିଟ ହୋଇ ନ ଥିଲା। ଫଳରେ ତାଙ୍କର ସମସ୍ତ କଷ୍ଟ୍ୟୁମର ଫିଟିଂ ପୁଣିଥରେ କରିବାକୁ ପଡ଼ିଥିଲା। ଏହି ସମୟରେ ତାଙ୍କୁ ନିଜ ଗର୍ଭଧାରଣ ବିଷୟରେ ଜଣାପଡ଼ିଥିଲା।
ସୋନି ରାଜଦାନ କହିଛନ୍ତି ଯେ, ପୂର୍ବ ତୁଳନାରେ ଏବେ ଗର୍ଭବତୀ ଅଭିନେତ୍ରୀମାନଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିର ପରିବେଶ ଅଧିକ ଅନୁକୂଳ ହୋଇଛି। ପୂର୍ବରୁ ଅଭିନେତ୍ରୀମାନେ ନିଜ ଗର୍ଭଧାରଣ ଖବରକୁ ଲୁଚାଇବାକୁ ବାଧ୍ୟ ହେଉଥିଲେ। କାରଣ ଏହା ଜଣାପଡ଼ିଲେ ପ୍ରଯୋଜକମାନେ ଚିନ୍ତାରେ ପଡ଼ିଯାଉଥିଲେ ଏବଂ ପ୍ରୋଜେକ୍ଟ ପାଇଁ ଅନ୍ୟ ଅଭିନେତ୍ରୀଙ୍କୁ ଖୋଜିବା ଆରମ୍ଭ କରୁଥିଲେ। ଏବେ ସମୟ ବଦଳିଛି। ଝିଅ ଆଲିଆ ଭଟ୍ଟଙ୍କ ଗର୍ଭଧାରଣ ସମୟରେ ତାଙ୍କୁ ପୂର୍ବ ପିଢ଼ିର ଅଭିନେତ୍ରୀମାନଙ୍କ ଭଳି ଏତେ ସମସ୍ୟାର ସାମ୍ନା କରିବାକୁ ପଡ଼ି ନ ଥିଲା। ଇଣ୍ଡଷ୍ଟ୍ରିରେ ଏହି ପରିବର୍ତ୍ତନକୁ ନେଇ ସେ ଖୁସି ଓ କୃତଜ୍ଞ ବୋଲି କହିଛନ୍ତି।
ବି.ଦ୍ର: ସିଗାରେଟ ଟାଣିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ
Dharitri – Odisha’s No.1 Odia Daily

