ଦାରିଙ୍ଗବାଡ଼ି, ୧୬।୧୧ (ଅରୁଣ ସାହୁ): ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କନ୍ଧମାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ। ଚଳିତ ବର୍ଷର ଇକୋ ରିଟ୍ରିଟକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରାଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ବିଧିବଦ୍ଧ ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ଭଳି ଏଠାରେ ମୋଟ ୨୮ଟି ତମ୍ବୁ ଘର ସହ ପଞ୍ଚତାରକା ହୋଟେଲ ଭଳି ଆତିଥ୍ୟ ବ୍ୟବସ୍ଥା କରାଯାଇଛି। ପ୍ରକୃତିର ମନୋରମ ପରିବେଶ ମଧ୍ୟରେ ରହି ପର୍ଯ୍ୟଟକମାନେ ଏହି ସୁବିଧାର ଆନନ୍ଦ ନେଇପାରିବେ।
ଚଳିତ ବର୍ଷର ଇକୋ ରିଟ୍ରିଟକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଏହାର ଦାୟିତ୍ୱ ନେଇଥିବା ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଚାହିଁଲେ ନିର୍ଦ୍ଧାରିତ ୧୦୦ ଦିନ ପରିବର୍ତ୍ତେ ଅଧିକ ଦିନ ପର୍ଯ୍ୟନ୍ତ ଏହାକୁ ଖୋଲା ରଖିପାରିବ। ଏଥିପାଇଁ ସଂସ୍ଥାକୁ ସ୍ବାଧୀନତା ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ ଉଦ୍ଘାଟନୀ ଉତ୍ସବରେ କହିଛନ୍ତି। ଦାରିଙ୍ଗବାଡ଼ିକୁ ବର୍ଷର ସବୁ ସମୟରେ ପର୍ଯ୍ୟଟକଙ୍କ ଆଗମନ ରହୁଥିବାରୁ ଏହି ଇକୋ ରିଟ୍ରିଟକୁ ବର୍ଷସାରା ଚାଲୁ ରଖିବାର ସମ୍ଭାବନା ରହିଛି। ଏହାଦ୍ୱାରା ଅଧିକ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଆଧୁନିକ ଆତିଥ୍ୟ ସେବାର ଅନୁଭୂତି ନେଇପାରିବେ।
ଏହି ଉଦ୍ଘାଟନୀ ଉତ୍ସବରେ ବାଲିଗୁଡ଼ା ଉପଜିଲାପାଳ ପ୍ରଣୀତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ଏଡ୍ଡିପିଓ ଶୁଭମ ଭୋସଲେ, ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଆଇଆଇସି ସଂଗ୍ରାମ କେଶରୀ ଜେନା ଏବଂ ବିଜେପି ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ। ଇକୋ ରିଟ୍ରିଟ୍ର ଶୁଭାରମ୍ଭ ସହ ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବା ଏବଂ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନ ଆଧାରିତ ଆର୍ଥିକ କାର୍ଯ୍ୟକଳାପକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।
Dharitri – Odisha’s No.1 Odia Daily

