Posted inଫୁରସତ

ଡାକ୍ତରଙ୍କୁ ଯମଦଣ୍ଡ

ଯମରାଜାଙ୍କୁ ଭାଳେଣି ପଡ଼ିଯାଇଛି। ଯମପୁରରେ ଜଣେ ହେଲେ ଯମଦୂତ ନାହାନ୍ତି। କେତେଦିନ ହେଲାଣି ମର୍ତ୍ତ୍ୟକୁ ଯାଇ କେହି ଜଣେ ହେଲେ ଫେରୁନାହାନ୍ତି। ଯେଉଁମାନଙ୍କ ଯମପୁରକୁ ଆସିବାର ବେଳ ହୋଇନି, ଅର୍ଥାତ୍‌ ଚିତ୍ରଗୁପ୍ତ ଯାହାର ପାଞ୍ଜି ପୋଛିନାହାନ୍ତି, ସେ ମଣିଷଗୁଡ଼ାକ ଅସମୟରେ ଆସି ଯମପୁରରେ ପହଞ୍ଚତ୍ ଯାଉଛନ୍ତି। ହେଲେ ଯେଉଁମାନଙ୍କ ପାଞ୍ଜିପୋଛା ସରିଲାଣି, ସେ ମଣିଷଗୁଡ଼ାକ ବହୁ ବିଳମ୍ବରେ ପହଞ୍ଚୁଛନ୍ତି। ହଠାତ୍‌ ଯମପୁରରେ ଏ ପ୍ରକାର ସବୁ ନିୟମ ଓଲଟାପାଲଟା ହୋଇଯାଉଥିବା ଦେଖି ଯମରାଜା ଖୋଦ୍‌ ମର୍ତ୍ତ୍ୟପୁରକୁ ମଣିଷ ଶରୀର ଧାରଣ କରି ଗଲେ ତଦନ୍ତ କରିବା ପାଇଁ।
ଯମରାଜ ମଣିଷ ରୂପରେ ଯମଦୂତମାନଙ୍କୁ ବହୁତ ଖୋଜିଖୋଜି ହଠାତ୍‌ ଠାବ କଲେ ଯେ, ଯମଦୂତଗୁଡ଼ାକ ସବୁ ମର୍ତ୍ତ୍ୟରେ ଡାକ୍ତର ହୋଇ ଭିନ୍ନ ଭିନ୍ନ ହସ୍ପିଟାଲ, ନର୍ସିଂହୋମ୍‌, କ୍ଲିନିକ୍‌ଗୁଡ଼ିକରେ ପୂରାଦମ୍‌ରେ କାମରେ ଲାଗିଯାଇଛନ୍ତି। ଏହାଦେଖି ଯମରାଜାଙ୍କର ମୁଣ୍ଡ ଚକ୍କର ଖାଇଗଲା। ମନେମନେ ବହୁ ଚିନ୍ତା କରି ମଧ୍ୟ ଜାଣିପାରିଲେ ନାହିଁ ଯେ, ଏ ଯମଦୂତଗୁଡ଼ାକ କେତେବେଳେ ଡାକ୍ତରୀପାଠ ପଢ଼ି କେମିତି ଡାକ୍ତର ଚାକିରି ପାଇଗଲେ ବୋଲି। ଏ ରହସ୍ୟ ଜାଣିବା ପାଇଁ ଯମରାଜା ଯମଦୂତମାନଙ୍କୁ ଭେଟି ମଣିଷ ରୂପରେ ନିଜର ଅସଲ ପରିଚୟ ଦେଇ ପଚାରିଲେ, ”ତୁମେମାନେ ତ ଯମପୁରର ନୌକର, ହେଲେ ମର୍ତ୍ତ୍ୟରେ କେମିତି ଡାକ୍ତର ହୋଇ ଏଠି ଚାକିରି କରିଗଲ? ତୁମ ସମସ୍ତଙ୍କୁ ଏଇ ମୁହୂର୍ତ୍ତରେ ଯମଦୂତ କାର୍ଯ୍ୟରୁ ଡିସ୍‌ମିସ୍‌ କରିବି“। ଯମରାଜାଙ୍କ କ୍ରୋଧ ଦେଖି ଯମଦୂତଗୁଡ଼ାକ ଗୋଟାପଣେ ଥରି ଥରି କହିଲେ, ”ମହାରାଜ, ଆପଣ କ୍ରୋଧ କଲେ ଆମେ କୁଆଡ଼େ ଯିବୁ? ଚିତ୍ରଗୁପ୍ତଙ୍କଠାରୁ ତାଲିକା ନେଇ ଆମେ ଏ ମର୍ତ୍ତ୍ୟଲୋକଙ୍କ ବେକରେ କାଳଫାଶ ପକାଉଥିଲେ ମଧ୍ୟ ବଡ଼ବଡ଼ ଡାକ୍ତରମାନେ ତାଙ୍କୁ ଖସାଇ ଦେଉଛନ୍ତି। ଡାକ୍ତରମାନେ ବଡ଼ବଡ଼ ଡାକ୍ତରଖାନା କରି କୋରାମିନ୍‌, ଡେକାଡ୍ରନ୍‌ ପରି ଇଞ୍ଜେକ୍ସନ ଏବଂ ଆଇସିୟୁ, ଭେଣ୍ଟିଲେଟର ଇତ୍ୟାଦି ନୂଆ ନୂଆ ବୈଜ୍ଞାନିକ କୌଶଳ ପ୍ରୟୋଗ କରି ସେମାନଙ୍କୁ ଆମ ଫାଶରୁ ଖସାଇ ନେଉଛନ୍ତି। ଆମେ ଭକୁଆ ହୋଇ ଖାଲି ଚାହିଁ ରହିଛୁ। ଯମପୁରକୁ ଆସାମୀମାନଙ୍କୁ ନେବାର କୋଟା ପୂରଣ ନ ହେଲେ ଚିତ୍ରଗୁପ୍ତ ଆମ ଚାକିରି ନେଇଯିବେ ବୋଲି ବହୁଥର ଧମକ ଦେଲେଣି। ତେଣୁ ଆମ କ’ଣ କରିବୁ କିଛି ବୁଝିପାରୁନୁ। ଡାକ୍ତର ଏବଂ ଆମ ଭିତରେ ରୋଗୀକୁ ନେଇ ଦଉଡ଼ି ଭିଡ଼ା ଖେଳ ପରି ବଳ କଷାକଷି ଚାଲିଛି।“ ଯମଦୂତଙ୍କ କଥାଶୁଣି ଯମରାଜା କହିଲେ, ”ମର୍ତ୍ତ୍ୟର କୌଣସି ମଣିଷ ମର୍ତ୍ତ୍ୟକୁ ଛାଡ଼ି ଯିବାକୁ ଆଦୌ ଚାହାନ୍ତି ନାହିଁ। ତେଣୁ ସେମାନେ ଡାକ୍ତରମାନଙ୍କୁ ଚଳନ୍ତି ଠାକୁର ବୋଲି ମାନି ବଞ୍ଚତ୍ ରହିବା ପାଇଁ ଡାକ୍ତରଙ୍କ ଶରଣ ପଶନ୍ତି ଏବଂ ଡାକ୍ତର ଯଦି ସେମାନଙ୍କୁ ଶରଣ ଦେଇ ବଞ୍ଚେଇ ରଖିବାକୁ ଚେଷ୍ଟା କରୁଛନ୍ତି, ତେବେ ତାହା ତ ଅତି ପୁଣ୍ୟ କାର୍ଯ୍ୟ। ଏଥିରେ ତୁମେମାନେ କାହିଁକି ବ୍ୟସ୍ତ ହେଉଛ?“ ଯମଦୂତମାନେ କହିଲେ, ”ଡାକ୍ତରମାନେ ଯାହା ପୁଣ୍ୟ କରୁଛନ୍ତି ବୋଲି ଆପଣ କହିଲେ, ସେକଥା ଥରେ ଆପଣ ନିଜ ଆଖିରେ ଦେଖିଲେ ବୁଝିପାରିବେ। କେତେଜଣ ଆଙ୍ଗୁଠିରେ ଗଣିଦେଲା ଭଳିଆ ଡାକ୍ତରଙ୍କୁ ଛାଡ଼ିଦେଲେ, ବାକିସବୁ ଡାକ୍ତର, କଳାବଜାରୀଙ୍କ ପରି କୋଟିପତି ହେବାର ନିଶାରେ ବୁଡ଼ି ରହିଛନ୍ତି। ଥରେ ବଡ଼ ନର୍ସିଂହୋମ୍‌ କିମ୍ବା ହସ୍ପିଟାଲରେ ବଡ଼ବଡ଼ ଡାକ୍ତରଙ୍କ ଜାଲରେ ପଡ଼ିଲେ, ରୋଗୀଜଣକ ଆରୋଗ୍ୟ ହେଉ ବା ନ ହେଉ ତା’ର ଘରଦ୍ୱାର, ଜମିବାଡ଼ି, ଗହଣାଗାଣ୍ଠି ସର୍ବସ୍ବ ଡାକ୍ତରଖାନାର ଯଜ୍ଞକୁଣ୍ଡରେ ଆହୁତି ହୋଇଯାଏ। ବାଘ ଖାଇବାଠାରୁ ବାଘ ଘୋଷରା ଦୁଃଖ ଆହୁରି ବଳିପଡ଼େ। ଡାକ୍ତରମାନଙ୍କ ଏ କର୍ମକୁ ଯଦି ଆପଣ ପୁଣ୍ୟକର୍ମ ବୋଲି ଆଖ୍ୟାଦେବେ, ତେବେ ଆମେ ଏ ଯମଦୂତ ଚାକିରିରୁ ଇସ୍ତଫା ଦେଇ ଫେରିଯିବୁ।“ ଏ କଥା ଶୁଣି ଯମରାଜ ଗମ୍ଭୀର ହୋଇଯାଇ କହିଲେ, ”ମଣିଷମାନଙ୍କ ପାଇଁ ଦେବସଦୃଶ ଡାକ୍ତରମାନେ ଏବେ ରକ୍ଷକ ପରିବର୍ତ୍ତେ ଭକ୍ଷକ ହୋଇଯାଇଥିବା ଶୁଣି ମୁଁ ପ୍ରଚଣ୍ଡ ମର୍ମାହତ। ତେବେ ଏସବୁ କଥା ଜାଣି ତୁମେମାନେ କାହିଁକି ଏବେ ଡାକ୍ତର ହୋଇଯାଇଛ ଏବଂ କୋଉ ପାଠପଢ଼ି କେମିତି ଡାକ୍ତର ହୋଇପାରିଲ?“ ଯମଦୂତମାନେ କହିଲେ, ”ଏବେ ମର୍ତ୍ତ୍ୟରେ ଶିକ୍ଷାବେପାରୀମାନେ କଲେଜ, ୟୁନିଭର୍ସିଟି ଇତ୍ୟାଦି ସଂସ୍ଥା ଖୋଲି କୋଟି କୋଟି ଟଙ୍କାର ମାଲିକ ହୋଇ ବସିଛନ୍ତି। ଆମେ ଆମର ସୁନାମୁଦି, ଚେନ୍‌, ବଳା ଇତ୍ୟାଦି ବିକି ଜଣେ ଶିକ୍ଷା ବେପାରୀଙ୍କ ମେଡିକାଲ କଲେଜରେ ନାମ ଲେଖାଇଲୁ। ଥରେ ନଁା ଲେଖା ହୋଇଗଲେ ବିନା ପାଠପଢ଼ାରେ ସେ କଲେଜରୁ ଡିଗ୍ରୀଟିଏ ମିଳିଯାଏ। ସେଠାରୁ ଯେଉଁମାନେ ଡାକ୍ତରୀ ଡିଗ୍ରୀଧରି ବାହାରନ୍ତି, ସେମାନେ ସାମାନ୍ୟ ଇଞ୍ଜେକ୍ସନ୍‌ଟିଏ ମଧ୍ୟ ଦେଇ ଶିଖି ନ ଥାନ୍ତି। ବ୍ଲଡ୍‌ପ୍ରେସର ମେଶିନ କିମ୍ବା ଷ୍ଟେଥୋ ବ୍ୟବହାର ମଧ୍ୟ ଜାଣନ୍ତି ନାହିଁ। କିନ୍ତୁ ସେମାନେ ଡାକ୍ତର ବୋଲି ତାଙ୍କ ନଁା ପଛରେ ଡିଗ୍ରୀ ଲାଗିଯାଏ। ଯୋଉ ରୋଗୀମାନେ ସେପରି ଡାକ୍ତରମାନଙ୍କ ପାଖକୁ ଚିକିତ୍ସା ପାଇଁ ଯାଆନ୍ତି, ସେମାନଙ୍କର ୧୦ ବର୍ଷର ଆୟୁଷ ଦଶଦିନରେ ସରିଯାଏ। ତେଣୁ ମଣିଷଗୁଡ଼ାଙ୍କର ଏମିତି ଅକାଳରେ ଯମପୁରରେ ପହଞ୍ଚତ୍ବା ଦେଖି ଚିତ୍ରଗୁପ୍ତ ଆମ ଉପରେ ପ୍ରଚଣ୍ଡ ଖପ୍ପା। ସେଥିପାଇଁ ମଣିଷମାନଙ୍କୁ ଯେତେବେଳେ ସେ ଅପାଠୁଆ ଡାକ୍ତରଙ୍କ ପାଖକୁ ଯିବାପାଇଁ ଆମେ ସାଧାରଣ ମଣିଷ ରୂପ ଧାରଣ କରି ବାରଣ କଲୁ, ସେତେବେଳେ ସେ ଡାକ୍ତରମାନଙ୍କ ଦଲାଲମାନଙ୍କଠାରୁ ନିର୍ଧୂମ ମାଡ଼ ଖାଇଲୁ। ତେଣୁ ଏବେ ଏ ଜାଲ୍‌ ଡିଗ୍ରୀ ଧରି ଆମେମାନେ ଜଣେ ଜଣେ ଡାକ୍ତର ସାଜି ରୋଗୀମାନଙ୍କୁ ଗୁପ୍ତରେ ନିବର୍ତ୍ତାଇ ଏ ଅପାଠୁଆ ଡାକ୍ତରଙ୍କ କବଳରୁ ରକ୍ଷା କରି ଲାଗିଛୁ।“
ଯମଦୂତମାନଙ୍କ ମୁହଁରୁ ଡାକ୍ତରମାନଙ୍କ ଏପରି ଅମାନୁଷିକ କାର୍ଯ୍ୟ କଥା ଶୁଣି ଯମରାଜା ସେ ସବୁ ନିଜେ ତଦାରଖ କରିବା ପାଇଁ ବାହାରିପଡ଼ିଲେ। ଉଦୁଉଦିଆ ଖରାରେ ଡାକ୍ତରଖାନା, ନର୍ସିଂହୋମ୍‌ ଇତ୍ୟାଦି ବୁଲିବୁଲି ତଦାରଖ କରୁକରୁ ହଠାତ୍‌ ସେ ବେହୋସ୍‌ ହୋଇ ପଡ଼ିଗଲେ। ଏ କଥା ଦେଖି ଯମଦୂତମାନେ ସାଙ୍ଗେସାଙ୍ଗେ ଆମ୍ବୁଲାନ୍ସ ଡକାଇ ଯମରାଜାଙ୍କୁ ସହରର ସବୁଠାରୁ ବଡ଼ ଡାକ୍ତରଖାନା ଏବଂ ବଡ଼ ଡାକ୍ତରଙ୍କ ପାଖକୁ ନେଇଗଲେ। ଯମରାଜା ପିନ୍ଧିଥିବା ବେଶ ପରିପାଟୀ ଏବଂ ଅମୂଲ୍ୟ ସୁନାଗହଣା ସବୁ ଦେଖି ଡାକ୍ତର ଜାଣିପାରିଲେ ଯେ, ରୋଗୀଟା ବଡ଼ ମାଲ୍‌ଦାର ଲୋକ। ତେଣୁ ସାଙ୍ଗେସାଙ୍ଗେ ଡାକ୍ତରବାବୁ ତାଙ୍କୁ ମାଲଦାରିଆ ଚିକିତ୍ସା ଆରମ୍ଭ କରିଦେଲେ। ଯମରାଜାଙ୍କୁ ପ୍ରଥମେ ଆଇସିୟୁରେ ରଖିଦେଇ ତାଙ୍କର ନଖଠୁ ଚୂଳ ପର୍ଯ୍ୟନ୍ତ ସବୁ ପରୀକ୍ଷା ଆରମ୍ଭ କରିଦେଲେ। ସବୁପ୍ରକାରର ରକ୍ତ ପରୀକ୍ଷା, ସବୁପ୍ରକାରର ମଳମୂତ୍ର ପରୀକ୍ଷା, ଇସିଜି, ଇକୋ-କାର୍ଡିଓଗ୍ରାମ୍‌, ଚେଷ୍ଟ ଏକ୍ସ-ରେ, ବ୍ରେନ୍‌ ଏକ୍ସ-ରେ, ସିଟି ସ୍କାନିଂ, ଏମ୍‌ଆର୍‌ଆଇ, ଏଣ୍ଡୋସ୍କୋପି, ଅଲ୍‌ଟ୍ରାସାଉଣ୍ଡ, ନିଉକ୍ଲିୟର ମେଡିସିନ୍‌ ଟେଷ୍ଟ, ନ୍ୟୁରୋଲୋଜିକାଲ୍‌ ଟେଷ୍ଟ ଇତ୍ୟାଦି ଯାବତୀୟ ପରୀକ୍ଷା କରିସାରି ଡାକ୍ତର କହିଲେ, ”ସବୁ ପରୀକ୍ଷା ରିପୋର୍ଟ ଠିକ୍‌ ଅଛି, ଅଂଶୁଘାତ ପାଇଁ ସେ ବେହୋସ ହୋଇଯାଇଥିଲେ। ତଥାପି ତାଙ୍କୁ ୧୫ଦିନ ନର୍ସିଂହୋମ୍‌ରେ ଅବଜରଭେଶନରେ ରଖାଯିବ“। ଯମରାଜା ଦେଖିଲେ ସେତେବେଳକୁ ସେ ପିନ୍ଧିଥିବା ସବୁ ଅଳଙ୍କାର ବିକ୍ରି ହୋଇଗଲାଣି। ତେଣୁ ସେ ଆଉ ୧୫ଦିନ ନର୍ସିଂହୋମ୍‌ରେ ନ ରହି ଦିନେ ରାତିଅଧିଆ ଉଭାନ୍‌ ହୋଇଯାଇ ଯମପୁରକୁ ଫେରିଆସିଲେ। ଯମପୁରରେ ପହଞ୍ଚତ୍ ଯମରାଜା ଚିତ୍ରଗୁପ୍ତଙ୍କୁ ଡାକି ଆଦେଶ ଦେଲେ ଯେ, ନର୍କପୁରୀରେ ଭିନ୍ନ ଭିନ୍ନ ପାପ ପାଇଁ ଯେତେ ଦଣ୍ଡର ବ୍ୟବସ୍ଥା ହୋଇଛି, ସେ ସବୁଠାରୁ ଅଧିକ ଭୟଙ୍କର ଏବଂ ଜଘନ୍ୟ ଦଣ୍ଡ ଦେବା ପାଇଁ ଗୋଟିଏ ନୂଆ କୋଠରି ଖୋଲାଯିବ, ଯେଉଁଠି କେବଳ ବିଶ୍ୱାସଘାତକତା କରି ମଣିଷଙ୍କ ରକ୍ତ ଶୋଷୁଥିବା ଦାନବରୂପୀ ଡାକ୍ତରମାନଙ୍କୁ ଦଣ୍ଡିତ କରାଯିବ।
୬୦, ସତ୍ୟନଗର, ଭୁବନେଶ୍ୱର, ଫୋନ୍‌:୨୫୭୫୭୮୮
(‘ଧରିତ୍ରୀ’ର ସମ୍ପାଦକୀୟ ପୃଷ୍ଠାରେ ୨୦୧୨ ଡିସେମ୍ବର ୧୨ରେ ପ୍ରକାଶିତ ପ୍ରଫୁଲ୍ଲ କରଙ୍କ ‘ସାଉଁଟା କାହାଣୀ’ ସ୍ତମ୍ଭର ଅନ୍ୟତମ ଶ୍ରେଷ୍ଠ ଲେଖାକୁ ତାଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଉଛି)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?