ମାନବ ଅଧିକାରର ସୁରକ୍ଷା ଜରୁରୀ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିକଟରେ ନାଗାଲାଣ୍ଡର ମୋନ୍‌ ଜିଲାରେ ନିକଟସ୍ଥ ଖଣିରେ କାମ କରି ଘରକୁ ଫେରୁଥିବା ଛଅ ଜଣ ଶ୍ରମିକଙ୍କୁ ଆସାମ ରାଇଫଲ୍ସର ଯବାନମାନେ ପ୍ରଥମେ ହତ୍ୟା କରିବା ଏବଂ ପରେ ଏହି ହତ୍ୟାର ପ୍ରତିବାଦ କରିବାକୁ ଯାଇଥିବା ସ୍ଥାନୀୟ ଲୋକଙ୍କ ଉପରେ ଗୁଳି ଚଳାଇ ପୁନଶ୍ଚ ଆଠ ଜଣଙ୍କୁ ହତ୍ୟା କରିବାର ଲୋମହର୍ଷଣକାରୀ ଘଟଣା ସାମ୍‌ନାକୁ ଆସିଛି। ଏହି ଘଟଣାର କିଛିଦିନ ପୂର୍ବରୁ କଶ୍ମୀରରେ ତିନି ଜଣ ବ୍ୟବସାୟୀଙ୍କୁ ସେନା ଦ୍ୱାରା ସୁନିୟୋଜିତ ଭାବେ ହତ୍ୟା କରିବା ପରେ ତା’ର ପ୍ରମାଣ ନଷ୍ଟ ପାଇଁ ରାତାରାତି ଶବସତ୍କାର କରିବାର ଘଟଣା ମଧ୍ୟ ଦେଖିବାକୁ ମିଳିଛି। ରାଷ୍ଟ୍ର ଦ୍ୱାରା ହତ୍ୟାର ଉପରୋକ୍ତ ଦୁଇଟି ଯାକ ଘଟଣାରେ ବିଳମ୍ବରେ ହେଲେ ବି ସରକାର ସେନାର ଭଲ୍‌କୁ ସ୍ବୀକାର କରି ସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ତେବେ ଉପରୋକ୍ତ ଦୁଇଟିଯାକ ଘଟଣା ଯେଉଁ ଅଞ୍ଚଳରେ ଘଟିଛି ସେଠାରେ ଆତଙ୍କବାଦର ମୁକାବିଲା ନାଁରେ ଦୀର୍ଘ ବର୍ଷ ହେଲା ସଶସ୍ତ୍ର ବଳ (ସ୍ବତନ୍ତ୍ର କ୍ଷମତା) ବା ଆଫସ୍ପା ଆଇନ ଲାଗୁ ହୋଇଛି। ଏହି ଆଇନ ବଳରେ କେବଳ ସନ୍ଦେହର ଆଧାରରେ ଜଣେ ବ୍ୟକ୍ତିକୁ ହତ୍ୟା କରିବାର କ୍ଷମତା ପୋଲିସ ଓ ସେନାକୁ ଦିଆଯାଇଛି। ସବୁଠାରୁ ଉଦ୍‌ବେଗଜନକ କଥା ହେଲା, ଏସବୁ ହତ୍ୟା କ୍ଷେତ୍ରରେ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା କେବଳ କେନ୍ଦ୍ର ସରକାରଙ୍କ ଅନୁମତି ପରେ ହିଁ ଦାଏର କରାଯାଇପାରିବ ଏବଂ ତା’ର ବିଚାର ମଧ୍ୟ ସାଧାରଣ ଅଦାଲତ ନୁହେଁ, କେବଳ ସାମରିକ ଅଦାଲତରେ ହିଁ କରାଯାଇପାରିବ ବୋଲି ଏଥିରେ ବ୍ୟବସ୍ଥା ରହିଛି। ଆଫସ୍ପା ପରି ଆଇନର ସୁରକ୍ଷା ପାଇଁ ସେସବୁ ଅଞ୍ଚଳରେ ମୁତୟନ ଥିବା ପୋଲିସ ଓ ସେନାର ଅଧିକାରୀମାନେ ଏକରକମ ଲଗାମହୀନ ହେବା ସହ ସେମାନଙ୍କ ବିରୋଧରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ମାନବିକ ଅଧିକାର ଉଲ୍ଲଂଘନର ଅସଂଖ୍ୟ ଅଭିଯୋଗ ଆସିବା ଦେଖାଯାଉଛି। ମାନବ ଅଧିକାରକୁ ହରାଇ ସାଧାରଣ ଜନତା ଏକରକମ ବନ୍ଧୁକର ଛାଇତଳେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି।
ଶାସକ ଶ୍ରେଣୀର ଶୋଷଣ ଏବଂ ଦମନ ବିରୋଧରେ ଶୋଷଣ ଏବଂ ନିର୍ଯାତନାରୁ ମୁକ୍ତ ହୋଇ ଏକ ସ୍ବାଧୀନ ତଥା ସମ୍ମାନଜନକ ଜୀବନଯାପନ ପାଇଁ ମଣିଷର ଆକାଂକ୍ଷା ଓ ସଂଗ୍ରାମ ହିଁ ବିଶ୍ୱରେ ମାନବ ଅଧିକାରର ଧାରଣାଟିକୁ ଜନ୍ମ ଦେଇଛି। ବିଶେଷ କରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କୋଟି କୋଟି ସାଧାରଣ ମଣିଷଙ୍କ ଉପରେ ହୋଇଥିବା ଅତ୍ୟାଚାର, ହତ୍ୟାର ଲୋମହର୍ଷଣକାରୀ ଘଟଣା ବିଶ୍ୱରେ ପ୍ରଥମ ଥର ପାଇଁ ମାନବ ଅଧିକାର ନେଇ ଆଲୋଚନାକୁ ବ୍ୟାପକ କରିବା ସହିତ ସେସବୁର ପରିସମାପ୍ତି ଦିଗରେ ହସ୍ତକ୍ଷେପ କରିବାକୁ ରାଷ୍ଟ୍ରମାନଙ୍କୁ ବାଧ୍ୟ କରିଥିଲା। ଏହି କ୍ରମରେ ୧୯୪୮ରେ ମିଳିତ ଜାତିସଂଘ ଦ୍ୱାରା ଆହୂତ ବୈଠକରେ ବିଶ୍ୱର ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଅଂଶଗ୍ରହଣ କରି ମାନବ ଅଧିକାରର ସୁରକ୍ଷା ପାଇଁ ଏକ ସାର୍ବଜନୀନ ଘୋଷଣା ପତ୍ରରେ ସ୍ବାକ୍ଷର କରିବା ସହିତ ପ୍ରତିବର୍ଷ ଡିସେମ୍ବର ୧୦କୁ ‘ମାନବ ଅଧିକାର ଦିବସ’ ରୂପେ ପାଳନ କରିବାକୁ ସହମତ ହୋଇଥିଲେ।
ଆମ ଦେଶରୁ ୧୯୪୭ରେ ବ୍ରିଟିଶ ଯିବା ପରେ ଦେଶରେ କ୍ଷମତାସୀନ ହୋଇଥିବା ଶାସକମାନେ କେବଳ ବ୍ରିଟିଶ ସରକାରର ପୋଲିସ, ସେନା ଓ ପ୍ରଶାସନ ପରି ଦମନକାରୀ ରାଷ୍ଟ୍ରଯନ୍ତ୍ରକୁ ଯଥାବତ୍‌ ଅବ୍ୟାହତ ରଖିଲେନି ବରଂ ସେମାନଙ୍କ କଳା ଆଇନ ଓ ଦମନକାରୀ ନୀତିକୁ ଗୋଟାପଣେ ଆପଣେଇବା ଦେଖାଗଲା। କୁଖ୍ୟାତ ରାଷ୍ଟ୍ରଦ୍ରୋହ ଆଇନ ପରି ବ୍ରିଟିଶ ସମୟର ସବୁ କଳା ଆଇନକୁ ଅବ୍ୟାହତ ରଖିବା ସହ ନୂତନ ଭାବେ ସଶସ୍ତ୍ର ବଳ (ସ୍ବତନ୍ତ୍ର କ୍ଷମତା) ଆଇନ ବା ଆଫ୍‌ସ୍ପା, ଜାତୀୟ ନିରାପତ୍ତା ଆଇନ (ନାସା), ପବ୍ଲିକ୍‌ ସେଫ୍ଟି ଆଇନ, ପ୍ରତିଷେଧକମୂଳକ ଅଟକ ଆଇନ, ମିସା, ପୋଟା ବା ଏବର ୟୁଏପିଏ ପରି ଭଳିକି ଭଳି କଳା ଆଇନ ତିଆରି କରି ତା’ରି ଜରିଆରେ ଜନଗଣଙ୍କ ଉପରେ ଦମନକୁ ବଢ଼ାଇବା ସହ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରର କଣ୍ଠରୋଧ କରିବା ଦେଖାଗଲା। ଗତ କିଛିବର୍ଷ ମଧ୍ୟରେ ଏନ୍‌ଆଇଏ ଆଇନ ଓ ୟୁଏପିଏ ଆଇନର ବ୍ୟାପକ ଅପବ୍ୟବହାର ହୋଇଥିବା ବେଳେ ମୋଦି ସରକାର ବିଗତ ବର୍ଷ ସେଥିରେ ଅନେକ ସଂଶୋଧନ କରି ତାକୁ ଅଧିକ କଠୋର କରିଛନ୍ତି। ୟୁଏପିଏ ଓ ଦେଶଦ୍ରୋହ ଆଇନକୁ କିପରି ଭିନ୍ନମତକୁ ଦମନ କରିବାକୁ ଅପବ୍ୟବହାର କରାଯାଉଛି, ତାହା ନିକଟ ଅତୀତରେ ସୁପ୍ରିମକୋର୍ଟ ତଥା ବିଭିନ୍ନ ହାଇକୋର୍ଟର ରାୟରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।
ଦିନଥିଲା ମାନବ ଅଧିକାର କହିଲେ କେବଳ ରାଷ୍ଟ୍ର ଦ୍ୱାରା ନିର୍ଦ୍ଧାରିତ ରାଜନୈତିକ ବା ଗଣତାନ୍ତ୍ରିକ ଅଧିକାରକୁ ହିଁ ବୁଝାଯାଉଥିଲା। ଜଣେ ବ୍ୟକ୍ତିକୁ ରାଷ୍ଟ୍ର ପ୍ରଦତ୍ତ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରିବା ସ୍ଥିତିରେ ହିଁ ତା’ର ଅଧିକାରର ଉଲ୍ଲଂଘନ ହେଉଛି ବୋଲି କୁହାଯାଉଥିଲା। କିନ୍ତୁ ସମାଜର ବିକାଶ ସହିତ ମାନବ ଅଧିକାରର ପରିଭାଷା ଓ ପରିସୀମାଟି ମଧ୍ୟ ବଦଳି ପୂର୍ବାପେକ୍ଷା ଅଧିକ ବ୍ୟାପକ ହୋଇଛି। ବର୍ତ୍ତମାନ ଖାଦ୍ୟ, ପାନୀୟ ଜଳ, ବାସଗୃହ, ମାଗଣାରେ ଶିକ୍ଷା ଓ ପ୍ରଦୂଷଣମୁକ୍ତ ପରିବେଶ ପାଇବା ବି ମାନବ ଅଧିକାରର ପରିସରଭୁକ୍ତ ହୋଇଛି। ଲିଙ୍ଗଗତ ବିଭେଦ ଓ ଜାତିଗତ ନିର୍ଯାତନାରୁ ମୁକ୍ତିର ଅଧିକାର, ଜାତୀୟତାର ଅଧିକାର, ଶିଶୁ ଅଧିକାର ଏପରି କି ସମଲିଙ୍ଗୀମାନଙ୍କ ଅଧିକାର ମଧ୍ୟ ମାନବ ଅଧିକାରର ପରିଭାଷାରେ ସାମିଲ ହୋଇ ଏହାର ପରିସୀମାକୁ ଅନେକ ପ୍ରସାରିତ କରିିଛି।
ମାନବ ଅଧିକାରର ସୁରକ୍ଷା ପାଇଁ ଜାତିସଂଘର ତତ୍ତ୍ୱାବଧାନରେ ସାର୍ବଜନୀନ ଘୋଷଣାର ସାତ ଦଶକ ପରେ ମଧ୍ୟ ଆମ ଦେଶରେ ମାନବ ଅଧିକାରର ସ୍ଥିତି ଉଦ୍‌ବେଗଜନକ ରହିଛି। ନିକଟରେ ଆନ୍ତର୍ଜାତିକ ମାନବିକ ଅଧିକାର ସଂସ୍ଥା ‘ହ୍ୟୁମାନ ରାଇଟସ୍‌ ୱାଚ୍‌’ର ରିପୋର୍ଟ ଅନୁସାରେ ଭାରତରେ ମାନବ ଅଧିକାରଟି ଅତି ଭୟଙ୍କର ସ୍ଥିତିରେ ରହିଛି। ଗତ କିଛିବର୍ଷ ମଧ୍ୟରେ ଦେଶରେ ଜାତିବାଦୀ ଓ ସାଂପ୍ରଦାୟିକ ଶକ୍ତିଙ୍କ ପ୍ରଭାବ ବଢ଼ିବା ସହ ସମାଜର ସଂଖ୍ୟାଲଘୁ ଏବଂ ଦଳିତଙ୍କ ଅଧିକାର କ୍ଷୁଣ୍ଣ ହେବାରେ ଲାଗିଛି। ସମାଜରେ ଭିନ୍ନମତକୁ ଅପରାଧ ପର୍ଯ୍ୟାୟଭୁକ୍ତ କରିବାର ଏକ ଫାଶୀବାଦୀ ଅଭିଯାନ ଚାଲିଛି। ଭିନ୍ନମତ ବିଶେଷ କରି ସରକାରଙ୍କ ନୀତି ସହ ଅସହମତି ପ୍ରକାଶ କରୁଥିବା ଅନେକ ଲେଖକ, ସାମ୍ବାଦିକ, ବୁଦ୍ଧିଜୀବୀ, ଓକିଲ, ହେତୁବାଦୀ, ମାନବିକ ଅଧିକାର କର୍ମୀ ଏପରି କି ରାଜନୈତିକ କର୍ମୀଙ୍କୁ ରାଷ୍ଟ୍ରର ପ୍ରୋତ୍ସାହନରେ ଧର୍ମାନ୍ଧ ମୌଳବାଦୀ ଶକ୍ତିମାନେ ଖୋଲାଖୋଲି ଭାବେ ଦେଶଦ୍ରୋହୀ ବୋଲି କହିବା, ସାମାଜିକ ଗଣମାଧ୍ୟମରେ ଟ୍ରୋଲ କରିବା ବଢ଼ିଚାଲିଥିବା ବେଳେ ଅନେକ ସିଧାସଳଖ ରାଷ୍ଟ୍ରର ଆକ୍ରମଣର ଶିକାର ହେଉଛନ୍ତି। ଉଦ୍‌ବେଗର ବିଷୟ ହେଲା, ଦେଶରେ ମାନବ ଅଧିକାରର ବ୍ୟାପକ ଉଲ୍ଲଂଘନ ଘଟୁଥିବା ବେଳେ ନାଗରିକମାନଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷାର ଦାୟିତ୍ୱ ନେଇଥିବା ଦେଶର ବିଚାର ବିଭାଗର ସକ୍ରିୟତାର ଅଭାବ ଏକଦମ୍‌ ନିରାଶାଜନକ ମନେହେଉଛି। ଯଦିଓ ଗତ କିଛି ମାସ ମଧ୍ୟରେ ଦେଶର ସୁପ୍ରିମକୋର୍ଟ ଭିନ୍ନମତକୁ ଦବାଇବା ପାଇଁ ସରକାର ଦ୍ୱାରା ଦେଶଦ୍ରୋହ ଓ ୟୁଏପିଏ ଆଇନର ବ୍ୟାପକ ଅପବ୍ୟବହାରକୁ ପ୍ରଶ୍ନ କରି ଅନେକ ଭଲ ରାୟ ଦେଇଛନ୍ତି, କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ। ଦେଶରେ ମାନବ ଅଧିକାର ଉଲ୍ଲଂଘନର ବର୍ଦ୍ଧିତ ଘଟଣାକୁ ଦେଖି ଜାତୀୟ ସ୍ତରରେ ଓ ବିଭିନ୍ନ ରାଜ୍ୟରେ ମାନବ ଅଧିକାର କମିଶନ ଗଠିତ ହୋଇଥିଲେ ମଧ୍ୟ ସେସବୁର କାର୍ଯ୍ୟ ପରିସର ଓ କ୍ଷମତା ଅତ୍ୟନ୍ତ ସୀମିତ ଥିବାରୁ ଜନଗଣଙ୍କ ମାନବ ଅଧିକାରର ଉପଯୁକ୍ତ ସୁରକ୍ଷା ହୋଇପାରୁ ନାହିଁ। ଏଭଳି ପରିସ୍ଥିତିରେ ଦେଶରେ ମାନବ ଅଧିକାରର ସୁରକ୍ଷା ପାଇଁ ରାଷ୍ଟ୍ର ଓ ତା’ର ଏଜେନ୍ସିଙ୍କ ଉତ୍ତରଦାୟିତ୍ୱକୁ ବଢ଼ାଇବା ସହିତ ୟୁଏପିଏ, ଆଫସ୍ପା, ନାସା, ଦେଶଦ୍ରୋହ ଆଇନ ଭଳି କଳା ଆଇନକୁ ଉଚ୍ଛେଦ କରିବା ନିହାତି ଜରୁରୀ।
ମୋ:୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?