ପ୍ରଚାର ଓ ପ୍ରତାରଣା

ଡ.ପ୍ରଫୁଲ୍ଲ କୁମାର ସାହୁ

ଦେଶର ଅର୍ଥନୀତି ପାଇଁ ଖରାପ ଖବର ଆଣିଛି ନୂଆବର୍ଷ -୨୦୨୩। ବର୍ଷର ପ୍ରଥମ ଦିନରେ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଏ ଦେଶରେ ବେକାରି ହାର ୮.୩ ପ୍ରତିଶତ ବୃଦ୍ଧି ପାଇଛି,ଯାହା ୧୬ ମାସ ମଧ୍ୟରେ ସର୍ବାଧିକ। ସରକାର ଯେତେ ଅସ୍ବୀକାର କଲେ ବି ଏହାକୁ ପ୍ରମାଣ କରୁଛି ଖାଦ୍ୟ ବଣ୍ଟନ ବ୍ୟବସ୍ଥାର ବ୍ୟାପକତା। ଆଗେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯାଉଥିଲା ସ୍ବଳ୍ପ ମୂଲ୍ୟରେ। କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତିକ୍ରମେ ଚଳିତ ମାସରୁ ତାହା ହିତାଧିକାରୀଙ୍କୁ ମିଳିବ ପୂରା ମାଗଣାରେ। ଏଭଳି ମାଗଣାରେ ବଣ୍ଟନ କରିବା ପାଇଁ ସରକାରଙ୍କୁ ଆକାଶଛୁଆଁ ଦରଦାମ ସାଙ୍ଗକୁ ବେକାରି ଓ ବେରୋଜଗାରିର ଚିନ୍ତାଜନକ ସ୍ଥିତି ଯେ ବ୍ୟାପକ କରିଛି,ତାହା ନିଃସନ୍ଦେହ। ଏଥିରୁ ବୁଝିବାକୁ ହେବ ଯେ ସରକାରଙ୍କ ନିଯୁକ୍ତି ନୀତି ବିଫଳ ହେବା ସହିତ ଏକ ଧୂଆଁବାଣରେ ପରିଣତ ହୋଇସାରିଛି ପ୍ରଧାନମନ୍ତ୍ରୀଙ୍କ ବର୍ଷକୁ ଦୁଇକୋଟି ନିଯୁକ୍ତି ଘୋଷଣା।
କୌଣସି ରାଷ୍ଟ୍ରର ବିକାଶ ନିର୍ଭର କରେ ଜ୍ଞାନ, ବୁଦ୍ଧିମତ୍ତା, ଧୀଶକ୍ତିର କୌଶଳପୂର୍ଣ୍ଣ ବ୍ୟବହାର ବା ମାନବସମ୍ବଳର ସୁପରିଚାଳନା ଉପରେ। ବିଶେଷକରି ଯେଉଁ ଦେଶ ଯୁବଶକ୍ତିକୁ ଅର୍ଥଶକ୍ତିରେ ପରିଣତ କରିବାରେ ଯେତେ ସକ୍ଷମ, ସେ ଦେଶର ସାମାଜିକ, ବୈଷୟିକ ଓ ଅର୍ଥନୈତିକ ବିକାଶ ସେତେ ଉନ୍ନତ,ଦ୍ରୁତ ଓ ନିରନ୍ତର। ଅଥଚ ଆମ ଦେଶରେ ଯୁବଶକ୍ତିର ବାଟ ଓଗାଳି ଠିଆ ହୋଇଛି ବେକାରି ଓ ବେରୋଜଗାରି। ଆନ୍ତର୍ଜାତିକ ଶ୍ରମ ସଂଗଠନ(ଆଇଏଲ୍‌ଓ) ପକ୍ଷରୁ ପ୍ରକାଶିତ ‘ଗ୍ଲୋବାଲ ଏମ୍ପ୍ଲୟମେଣ୍ଟ ଟ୍ରେଣ୍ଡସ ଫର୍‌ ୟୁଥ ଶୀର୍ଷକ’ ଏକ ରିପୋର୍ଟ ଅନୁଯାୟୀ ଭାରତ ଭଳି ବିକାଶଶୀଳ ଦେଶରେ ଯୁବଶକ୍ତି ପାଇଁ ସବୁଠାରୁ ବଡ଼ ସମସ୍ୟା ହେଲା ସୁଯୋଗର ମରୁଡି। କର୍ମ ଯୋଗାଣର ଉପଯୁକ୍ତ ବ୍ୟବସ୍ଥା ନ କରି ଶିକ୍ଷାର ପ୍ରସାର ଘଟିଲେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ିିବା ସ୍ବାଭାବିକ। ଆମ ଦେଶରେ ସ୍ବାଧୀନତା ପରେ ଯେଉଁ ପରିମାଣରେ ଶିକ୍ଷାର ପ୍ରସାର ଘଟିଛି,ସେହି ପରିମାଣରେ ଉପଯୁକ୍ତ କର୍ମସଂସ୍ଥାନ ନ ହୋଇପାରିବା କାରଣରୁ ଦେଶାନ୍ତରୀ ହେଉଛି ପ୍ରତିଭା। ଖବରକାଗଜରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାର ୩୮ପ୍ରତିଶତ ଡାକ୍ତର,୩୬ ପ୍ରତିଶତ ନାସା ଗବେଷଣା କେନ୍ଦ୍ରର କର୍ମଚାରୀ ଓ ୩୪ ପ୍ରତିଶତ ମାଇକ୍ରୋସଫ୍ଟ କର୍ମଚାରୀ ଭାରତୀୟ। ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଦେଶରୁ ଖର୍ଚ୍ଚ ହେଉଛି ପର୍ଯ୍ୟାପ୍ତ ପୁଞ୍ଜି। ଅଥଚ ସେମାନଙ୍କ ସାମର୍ଥ୍ୟକୁ ବିନିଯୋଗ କରି ଆଗକୁ ବଢୁଛି ପାଶ୍ଚାତ୍ୟ ରାଷ୍ଟ୍ର।
ନିଯୁକ୍ତି ସୃଷ୍ଟି କରିବା ହେଉଛି ଦକ୍ଷ ଅର୍ଥନୀତି ପରିଚାଳନାର ଏକ ନମୁନା। ସେଭଳି ପରିଚାଳନାଗତ ଦକ୍ଷତା ଅଭାବରୁ ଆମ ଦେଶରେ ପ୍ରତିବର୍ଷ ବେକାରି ତାଲିକାଭୁକ୍ତ ହୁଅନ୍ତି କୋଟିଏରୁ ଅଧିକ ଯୁବତୀଯୁବକ। ପ୍ରତିଥର ନିର୍ବାଚନ ଆସିଲେ ବେକାରି ହଟେଇବା ପାଇଁ ଅଜାଡି ହୋଇପଡେ ଅଜସ୍ର ପ୍ରତିଶ୍ରୁତି। ଶେଷରେ ପ୍ରତାରଣାର ଶିକାର ହୁଅନ୍ତି ଭାରତର ଯୁବତୀଯୁବକ। ବେକାରି ସମସ୍ୟାର ଏକ ପ୍ରମୁଖ କାରଣ ହେଉଛି ଚାକିରିମୁଖୀ ଶିକ୍ଷା ବ୍ୟବସ୍ଥା। ଏହା ପିଲାମାନଙ୍କୁ ତାଙ୍କ କୌଳିକ ବୃତ୍ତିରୁ ଦୂରେଇ ନେବା ସହିତ ସୃଷ୍ଟି କରୁଛି ଶାରୀରିକ ଶ୍ରମକୁ ନୂ୍ୟନ ମନେକରିବାର ମାନସିକତା। ଏ ଦିଗରେ ସେମାନଙ୍କୁ ଅଧିକ ପ୍ରୋତ୍ସାହିତ କରୁଛି ବିଭିନ୍ନ ମାଗଣା ବଣ୍ଟନ ଯୋଜନା। ନିଜ ଉଦ୍ୟମରେ କିଛି ନ କରି ବର୍ଷ ବର୍ଷ ଧରି ସରକାରୀ ଚାକିରିକୁ ଚାହିଁ ରହିଥିବା ବେକାରି ଯୁବକମାନଙ୍କ ସଂଖ୍ୟା ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ବେଶି। ସିଏମ୍‌ଆଇଇ ରିପୋର୍ଟ ଅନୁସାରେ ସହରାଞ୍ଚଳରେ ବେରୋଜଗାରି ହାର ବଢି ୧୦.୦୯ ପ୍ରତିଶତରେ ପହଞ୍ଚିଥିବା ବେଳେ ଗ୍ରାମାଞ୍ଚଳରେ ଏହା ୭.୪୪ ପ୍ରତିଶତ।
ରିପୋର୍ଟରେ ବିଭିନ୍ନ ରାଜ୍ୟକୁ ନେଇ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ହରିୟାଣାର ବେକାରି ହାର (୩୭.୪) ସବୁଠାରୁ ଉପରେ ଥିବାବେଳେ ତା’ ତଳକୁ ରହିଛି ରାଜସ୍ଥାନ (୨୮.୫), ଦିଲ୍ଲୀ(୨୦.୮), ବିହାର(୧୯.୧), ଝାଡଖଣ୍ଡ ୧୮.୦ ଆଦି ରାଜ୍ୟ। ରିପୋର୍ଟରେ ସବୁଠାରୁ ଚକିତ କଲାଭଳି ତଥ୍ୟ ହେଉଛି ଓଡ଼ିଶାର ବେକାରି ହାର ମାତ୍ର ୦.୯ ପ୍ରତିଶତ, ଯାହା ଦେଶର ଯେ କୌଣସି ରାଜ୍ୟଠାରୁ ବି କମ୍‌। କିଏ ଏହାକୁ ରାଜ୍ୟ ସରକାରଙ୍କ ଅନବରତ ପ୍ରୟାସର ଫଳ କହୁଛି ତ କିଏ କହୁଛି ଶିଳ୍ପାୟନ ଆଣିଦେଇଛି ଅପୂର୍ବ ସୁଯୋଗ। ହେଲେ ବୁଝିହେଉନି ରାଜ୍ୟରୁ କେମିତି ହଠାତ୍‌ ଉଭାନ ହୋଇଗଲେ ବେକାରି। କିଏ କେଉଁଠି ନିଯୁକ୍ତି ପାଇଲେ ତାହା ପ୍ରାୟତଃ ସମସ୍ତଙ୍କୁ ଅଜଣା। ତଥାପି ରିପୋର୍ଟ କହୁଛି ଗୁଜରାଟ ଭଳି ରାଜ୍ୟ (୨.୩ )ଠାରୁ ବି ଓଡ଼ିଶା ଢେର୍‌ ଆଗରେ।
ତଥ୍ୟ ଅନୁସାରେ ଓଡ଼ିଶାର ବେକାରି ଓ ବେରୋଜଗାରି ତୁଳନାତ୍ମକ ଭାବେ କମ୍‌ ହେଲେ ବି ଚିନ୍ତାଜନକ। ବିଧାନସଭାରେ ସରକାର ରଖିଥିବା ଏକ ତଥ୍ୟ ଅନୁସାରେ ୨୦୨୦ ଲକ୍‌ଡାଉନ ସମୟରେ ୧୦ ଲକ୍ଷ ୭ହଜାର ୩୩୩ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଘରକୁ ଫେରି ଆସିଥିଲେ ଏବଂ ସେମାନଙ୍କୁ ସେତେବେଳେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା ୧୩୪ କୋଟି ୬୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା। ଏଥିରୁ ସ୍ପଷ୍ଟ ହେଉଛି ଏଠାରେ କାମ ନ ପାଇ ଲକ୍ଷ ଲକ୍ଷ ଶ୍ରମିକ ଦାଦନ ଖଟୁଛନ୍ତି ବାହାର ରାଜ୍ୟରେ। ଓଡ଼ିଶାର ବିଭିନ୍ନ ଜିଲାରେ ବିଶେଷକରି ପଶ୍ଚିମ ଓଡ଼ିଶାରେ ନୂଆଖାଇ ପର୍ବ ପରେ ଆରମ୍ଭ ହୋଇ ଯାଏ ଦାଦନ ଋତୁ। ପେଟପାଟଣା ପାଇଁ ଆନ୍ଧ୍ର, ଗୁଜରାଟ, କେରଳ ଓ ତାମିଲନାଡୁ ଆଦି ରାଜ୍ୟକୁ ଛୁଟେ ଦାଦନ ସୁଅ।
ଓଡ଼ିଶାରେ କୃଷି ପରେ ବୟନ ଶିଳ୍ପ ଥିଲା ସର୍ବବୃହତ୍‌ ନିଯୁକ୍ତି ଏବଂ ଜାତୀୟ ଆୟ ଯୋଗାଉଥିବା ଶିଳ୍ପ ଓ କଳାକ୍ଷେତ୍ର। ଏକ ସର୍ବେକ୍ଷଣରୁ ଜଣାଯାଏ ନିକଟ ଅତୀତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାୟ ପଚାଶ ହଜାର ତନ୍ତ ଚାଲୁଥିଲା ଏବଂ ଏଥିରୁ ଜୀବିକା ନିର୍ବାହ କରୁଥିଲେ ଅଢେଇ ଲକ୍ଷ ଲୋକ। କେବଳ ଦେଶରେ ନୁହେଁ, ବିଦେଶରେ ବି ଥିଲା ସମ୍ବଲପୁରୀ ଶାଢ଼ି, ବରହମପୁରୀ ପାଟ ଓ ଖଣ୍ଡୁଆ ପାଟ ଇତ୍ୟାଦିର ବିଶେଷ ଆଦର। ମାତ୍ର ସୂତାର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଓ ହସ୍ତତନ୍ତ ନିର୍ମିତ ଲୁଗାର ଅଭାବୀ ବିକ୍ରି ପାଇଁ ସଙ୍କଟ ମୁହଁକୁ ଟାଣି ହୋଇଗଲା ବୟନ ଶିଳ୍ପ। ମସିଣା ବୁଣାଠାରୁ ଗାଲିଚା ତିିଆରି ଯାଏ ହସ୍ତତନ୍ତ, ବୟନଶିଳ୍ପ ଭଳି ବୃହତ୍‌ କ୍ଷେତ୍ରରୁ ଦୂରେଇ ଗଲେଣି କାରିଗର। ବାଣପୁରର ବେତ କାମ ଏବେ ସଙ୍କଟରେ। ଉପଯୁକ୍ତ ପାରିଶ୍ରମିକ ନ ପାଇ ରାଜ୍ୟ ଛାଡି ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି କାରିଗର। ଜୀବିକା ହରାଇ ବସିଲେଣି ଶହଶହ ଶ୍ରମିକ ଓ ବ୍ୟବସାୟୀ। କଟକର ଶିଙ୍ଗ କାମ,ଭୁବନ,ବାଳକାଟି ଓ ରେମୁଣାର କଂସା ବାସନ, ନୀଳଗିରି ଓ ଖିଚିଂର ପଥର ଏବଂ ପିପିଲି,ଗଞ୍ଜାମ ଓ ଖଲ୍ଲିକୋଟର ଚାନ୍ଦୁଆଠାରୁ ବାନ୍ଧ, ବାଉଁଶକାମ,ମାଟି କଣ୍ଢେଇ, ଝୋଟ ନିର୍ମିତ ହସ୍ତଶିଳ୍ପ, ତାଳପତ୍ର ତିଆରି ସାଜସଜ୍ଜା, ଶଙ୍ଖ ଶାମୁକା କାର୍ଯ୍ୟ, ଯାତ୍ରାଦଳ ପୋଷାକ, ନଡ଼ିଆ କତା ଓ ନଡ଼ା ତିଆରି ହସ୍ତକଳା ଆଦି ବିଭିନ୍ନ ଅଞ୍ଚଳର ହସ୍ତକଳା ଓ କୁଟୀରଶିଳ୍ପ ଏବେ ମୃତପ୍ରାୟ। ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟରେ ଗରୀୟାନ ଓଡ଼ିଶାରେ ଏସବୁ ଶିଳ୍ପକଳା ନିମନ୍ତେ ସମ୍ବଳ ବା କଞ୍ଚାମାଲର ଅଭାବ ନାହିଁ, ଅଭାବ କେବଳ ଆଗ୍ରହ ଓ ଉଦ୍ୟମର। କୌଳିକ ବୃତ୍ତି ପ୍ରତି ଲୋକଙ୍କ ମନରେ ଆଗ୍ରହ ଓ ଭରସା ଭରିଦେବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରୋତ୍ସାହନ ବ୍ୟବସ୍ଥା ରହିବା ଜରୁରୀ। ଅନ୍ୟଥା ବିକାଶର ଗୋଲାପି ଚିତ୍ର ଦେଖେଇ ଯେତେ ଯାହା ପ୍ରଚାର କଲେ ବି ତାହା କେବଳ ପ୍ରତାରଣାରେ ପରିଣତ ହେବ ଏବଂ ଦିବାସ୍ବପ୍ନ ହୋଇ ରହିଯିବ ସଭିଙ୍କ ହାତକୁ କର୍ମ ଯୋଗାଣ।
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର,ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?