ନୂଆଦିଲ୍ଲୀ,୧୩ା୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସମ୍ମାନଜନକ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ଏଥର କେହି ଖେଳରନତ୍ ପୁରସ୍କାର ପାଇଁ ମନୋନୀତ ହୋଇ ନାହାନ୍ତି। ଅର୍ଜୁନ ପୁରସ୍କାର ପାଇଥିବା ଷ୍ଟାର ଖେଳାଳିମାନଙ୍କ ମଧ୍ୟରେ ଡେକାଥଲେଟ ତେଜସ୍ବିନୀ ଶଙ୍କର, ବିଶ୍ୱକପ୍ ବିଜେତା ଚେସ୍ ଖେଳାଳି ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ ଓ ଭିଦିତ ଗୁଜରାଠୀ ଅନ୍ୟତମ।
ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରାୟ ୩୬ ମିନିଟ ଧରି ଚାଲିଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ କ୍ରୀଡ଼ା ସଚିବ ହରିରଞ୍ଜନ ରାଓ ଅନ୍ୟତମ ଥିଲେ। ଗତବର୍ଷ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଅରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ସନ ପ୍ୟାନେଲ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପାଇଁ ୧୭ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରିଥିଲେ। ପୁରସ୍କାର ସିଲେକ୍ସନ କମିଟିରେ ସ୍ଥାନ ପାଇଥିବା ଅନ୍ୟମାନଙ୍କ ମଧ୍ୟରେ ଥିଲେ ଆଇଓଏ ଉପସଭାପତି ଗଗନ ନାରଙ୍ଗ, ପୂର୍ବତନ ବ୍ୟାଡ୍ମିଣ୍ଟନ ଖେଳାଳି ଅପର୍ଣ୍ଣା ପୋପଟ ଏବଂ ପୂର୍ବତନ ହକି ଖେଳାଳି ଏମ୍.ଏମ୍. ସୋମାୟା। ପୂର୍ବରୁ ଥରେ ୨୦୧୪ରେ କେହି ଖେଳରତ୍ନ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ନ ଥିଲେ।
ମହିଳା ଡବଲ୍ସ ବ୍ୟାଡ୍ମିଣ୍ଟନ ଖେଳାଳି ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିସା ଜୋଲିଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ମିଳିଛି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜୟୀ ବକ୍ସର ନରେନ୍ଦର ବରଓ୍ବାଲ (+୯୨କେଜି) ଏବଂ ଯୁବ ବଧିର ରାଇଫଲ ଶୁଟର ଧନୁଶ ଶ୍ରୀକାନ୍ତଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି। ୨୦ ବର୍ଷୀୟା ଦେଶମୁଖ ବିଶ୍ୱକପ୍ ଜିତିବାରେ ପ୍ରଥମ ଭାରତୀୟ ମହିଳା। ଗୁଜରାଠୀ ୨୦୨୪ ଚେସ୍ ଅଲିମ୍ପିଆଡ୍ରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ। ତେଜସ୍ବିନୀ ୨୦୨୩ ଏସିଆନ ଗେମ୍ସରେ ଡେକାଥଲନରେ ଐତିହାସିକ ରୌପ୍ୟ ପଦକ ଜିତିଥିଲେ। ପରେ ଗତବର୍ଷ ଏସିଆନ ଚାମ୍ପିୟନଶିପ୍ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଆଣ୍ଠୁରେ ସମସ୍ୟା ସତ୍ତ୍ୱେ ସେ ନିକଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏକ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ସେ ଆହୁରି ମଧ୍ୟ ଆଇଚି ନାଗୋୟାଠାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଏକ ବ୍ରୋଞ୍ଜ ପାଇଥିଲେ। ଏଥର ପୁରସ୍କାର ବିଜେତାଙ୍କ ନାମ ଘୋଷଣାରେ ବିଳମ୍ବ ଘଟିଥିବାରୁ ସମାଲୋଚନା କରିବା ସହ କ୍ରୀଡ଼ାବିତ୍ମାନଙ୍କ ପ୍ରତି ଅସମ୍ମାନ ବୋଲି ଯେଉଁ କେତେଜଣ ଆଥ୍ଲେଟ ଅଭିଯୋଗ କରିଥିଲେ ସେମାନଙ୍କ ମଧ୍ୟରେ ତେଜସ୍ବିନୀ ଅନ୍ୟତମ ଥିଲେ।
୨୦୨୪ରେ ରେକର୍ଡ ୩୨ ଜଣ ଆଥ୍ଲେଟଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ପାରା ସ୍ପୋଟର୍ସର ୧୭ ରହିଥିଲେ। ଏଥର କିନ୍ତୁ ପାରା ସ୍ପୋଟର୍ସର ୨ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଲେ ପାରା କ୍ଲବ ଥ୍ରୋୟର ଏକତା ଭୂୟଁା। ସେ ୨୦୨୪ ପାରା ବିଶ୍ୱ ଚାମ୍ପିୟନଶିପ୍ରେ ଏକ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟ ଜଣେ ହେଲେ ଶୁଟର ରୁଦ୍ରାଂଶ ଖାଣ୍ଡେଲଓ୍ବାଲ। ସେ ୨୦୨୪ ପାରା ବିଶ୍ୱକପ୍ର ସ୍ବର୍ଣ୍ଣ ବିଜେତା। ଏକତା ଆହୁରି ମଧ୍ୟ ଗତ ବର୍ଷ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍ରେ ଜଣେ ରୌପ୍ୟ ବିଜେତା। ୨୦୨୩ରେ ମହମ୍ମଦ ଶାମିଙ୍କ ପରେ ତାଲିକାରେ ଜଣେ ହେଲେ କ୍ରିକେଟର ସ୍ଥାନ ପାଇ ନାହାନ୍ତି। ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପାଇଁ ଏକମାତ୍ର ଅର୍ଜୁନ ପୁରସ୍କାର ବିଜେତା ହେଉଛନ୍ତି ୧୯୬୨ ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଫୁଟ୍ବଲ ଦଳର ଅନ୍ୟତମ ସଦସ୍ୟ ଆଇ, ଅରୁମୈନାୟାଗମ। ମନ୍ତ୍ରଣାଳୟ ଅର୍ଜୁନ ପୁରସ୍କାର ବିଜେତାଙ୍କ ଲାଗି ୧୫ ଲକ୍ଷ ଟଙ୍କା ଆର୍ଥତ୍କ ପୁରସ୍କାରର ବ୍ୟବସ୍ଥା ରହିଛି।
ଅର୍ଜୁନ ପୁରସ୍କାର ବିଜେତା:
ତେଜସ୍ବିନୀ ଶଙ୍କର (ଆଥଲେଟିକ୍ସ), ପ୍ରିୟଙ୍କା ଗୋସ୍ବାମୀ (ଆଥଲେଟିକ୍ସ). ନରେନ୍ଦର (ବକ୍ସିଂ), ଭିଦିତ୍ ଗୁଜରାଠୀ (ଚେସ୍), ଦିବ୍ୟା ଦେଶମୁଖ (ଚେସ୍), ଧନୁଷ ଶ୍ରୀକାନ୍ତ (ବଧିର ଶୁଟିଂ), ରାଜକୁମାର ପାଲ୍ (ହକି), ସୁରଜିତ (କବାଡ଼ି), ରାଦ୍ରାଂଶ ଖାଣ୍ଡେଲଓ୍ବାଲ (ପାରା-ଶୁଟିଂ), ଏକ୍ତା ଭୂୟଁା (ପାରା-ଆଥଲେଟିକ୍ସ), ଅରବିନ୍ଦ ସିଂ (ରୋଇଂ), ତ୍ରିସା ଜୋଲି (ବ୍ୟାଡମିଣ୍ଟନ), ଗାୟତ୍ରୀ ଗୋପୀଚାନ୍ଦ (ବ୍ୟାଡ୍ମିଣ୍ଟନ), ଲାଲରେମ୍ସିଆମି (ହକି), ମହମ୍ମଦ ଅଜମଲ (ଆଥଲେଟିକ୍ସ) ଓ ପୂଜା (କବାଡ଼ି)।
ଅର୍ଜୁନ ପୁରସ୍କାର (ଲାଇଫ୍ ଟାଇମ୍): ଆଇ. ଅରୁମୈନାୟାଗମ (ଫୁଟ୍ବଲ)।
ଦ୍ରୋଣାଚାର୍ଯ୍ୟ ପୁରସ୍କାର: ପରବୀର ସିଂ, ଛୋଟେଲାଲ ଯାଦବ ଓ ନେହା ଚଭନ। ଦ୍ରୋଣାଚର୍ଯ୍ୟ ପୁରସ୍କାର (ଲାଇଫଟାଇମ୍): ଧର୍ମେନ୍ଦ୍ର ଯାଦବ, ବୀରେନ୍ଦ୍ର କୁମାର।

