ଭଞ୍ଜନଗର, ୧୩ା୧୧ (ବାବୁଲା ପ୍ରଧାନ): ବନ୍ୟା ବିପର୍ଯ୍ୟୟରେ ସର୍ବସ୍ବ ହରାଇଥିବା ଗିଡିପାବାଲି ଓ ବାଉଁଶଲୁଣ୍ଡି ମଶାଣିସାହିର କ୍ଷତିଗ୍ରସ୍ତ ପରିବାରଙ୍କ ଥଇଥାନ ଓ ସହାୟତା ପାଇଁ ଜିଲା ପ୍ରଶାସନ ତତ୍ପର ହୋଇଛି। ବ୍ରହ୍ମପୁର ରାଜସ୍ବ ଡିଭିଜନାଲ କମିଶନର (ଆରଡିସି) ବିଜୟ ଅମୃତା କୁଲାଙ୍ଗେଙ୍କ ଗସ୍ତ ପରେ ଶୁକ୍ରବାର ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଭଞ୍ଜନଗର ଗସ୍ତ କରି ବନ୍ୟା ପରବର୍ତ୍ତୀ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିଛନ୍ତି। ଗୁରୁବାର ଆରଡିସି ଭଞ୍ଜନଗର, ସୋରଡ଼ା, ଧରାକୋଟ ଓ ଆସିକା ଗସ୍ତ କରି ବନ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ସହ ରିଲିଫ ସାମଗ୍ରୀ ବଣ୍ଟନକୁ ତ୍ୱରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲାପାଳ ଭଞ୍ଜନଗର ବ୍ଲକର ସର୍ବାଧିକ କ୍ଷତିଗ୍ରସ୍ତ ବାଉଁଶଲୁଣ୍ଡି ମଶାଣିସାହିକୁ ଯାଇ ପ୍ରଭାବିତ ପରିବାରଙ୍କୁ ଭେଟିଥିଲେ। ଭୂମିହୀନ ପରିବାରଗୁଡ଼ିକୁ ଘର ନିର୍ମାଣ ପାଇଁ ଏକ ସପ୍ତାହ ମଧ୍ୟରେ ବସୁନ୍ଧରା ଯୋଜନାରେ ଜମି ଯୋଗାଇ ଦିଆଯିବା ସହ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ମଧ୍ୟ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଖୁବଶୀଘ୍ର ଗୃହ ନିର୍ମାଣ ସହାୟତା ରାଶି ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ, ଏନେଇ ପଦକ୍ଷେପ ନିଆଯାଇଛି ବୋଲି ଜିଲାପାଳ କହିଥିଲେ। ଗିଡିପାବାଲିର ୭ଟି କ୍ଷତିଗ୍ରସ୍ତ ପରିବାର ମଧ୍ୟରୁ ଦୁଇଟି ପରିବାର ଭଞ୍ଜନଗର ବ୍ଲକର ବାଇବାଲି ନିକଟରେ ରହିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସେମାନଙ୍କୁ ସେଠାରେ ବାସଗୃହ ଯୋଗାଇ ଦିଆଯିବ। ଅନ୍ୟ ୫ଟି ପରିବାର କନ୍ଧମାଳ ଜିଲାରେ ନିଜ ସମ୍ପର୍କୀୟଙ୍କ ନିକଟରେ ରହିବାକୁ ଚାହୁଁଥିବାରୁ ସେମାନଙ୍କୁ ସେଠାରେ ଘର ଯୋଗାଇ ଦେବା ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଥିଲେ।
ଶୁକ୍ରବାର ସନ୍ଧ୍ୟାରେ ଗିଡିପାବାଲିର କ୍ଷତିଗ୍ରସ୍ତ ପରିବାରଙ୍କୁ ଜିଲାପାଳ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। କ୍ଷତିଗ୍ରସ୍ତ ପରିବାର ମଧ୍ୟର ୮ ଟି ପରିବାରକୁ ୧୪ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ପରିବାର ପିଛା ୧ ଲକ୍ଷ ୮୪ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। ସେଥିରେ ସେମାନେ ଘର ନିର୍ମାଣ କରିବେ। କ୍ଷତିଗ୍ରସ୍ତ ପରିବାର ସ୍ବାଭାବିକ ଜୀବନକୁ ଫେରିବା ପର୍ଯ୍ୟନ୍ତ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ, ବ୍ଲକ, ତହସିଲ ଓ ପୌରପାଳିକା ପ୍ରଶାସନ ସେମାନଙ୍କ ସମସ୍ତ ଆବଶ୍ୟକତା ବୁଝିବେ ବୋଲି ଜିଲାପାଳ ଆଶ୍ୱାସନା ଦେଇଥିଲେ। ଏହି ଗସ୍ତ ସମୟରେ ଜିଲାପାଳ ରିଲିଫ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ମହିଳାମାନଙ୍କୁ ଶାଢ଼ି ଏବଂ ଛାତ୍ରୀ ଛାତ୍ର ଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ। ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା, ବିଡିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମହାର, ପୌର ନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା, ବିଇଓ ଲୋପାମୁଦ୍ରା ରଥଙ୍କ ସମେତଅନ୍ୟମାନେ ଉପସ୍ଥିତ ଥିଲେ।

