Posted inଫୁରସତ

ମୋଦିଙ୍କ ନେତୃତ୍ୱ: ଓଡ଼ିଶା ପାଇଁ ସକାରାତ୍ମକ ଦୃଷ୍ଟିଭଙ୍ଗୀ

ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରି ଓଡ଼ିଆ ଅସ୍ମିତାର ପ୍ରତୀକ ପାଲଟି ଯାଇଛନ୍ତି। ସେ ପ୍ରଥମ ଓଡ଼ିଆ ତଥା ପ୍ରଥମ ଆଦିବାସୀ ମହିଳା, ଯିଏ ଭାରତବର୍ଷର ସର୍ବୋଚ୍ଚ ସାମ୍ବିଧାନିକ ପଦ ମଣ୍ଡନ କରିଛନ୍ତି। ଏହା ଓଡ଼ିଶାବାସୀଙ୍କ ପାଇଁ କେବଳ ଗୌରବର ବିଷୟ ନୁହେଁ, ଭାରତର ବଞ୍ଚତ୍ତ, ଅବହେଳିତ ଓ ଅନଗ୍ରସର ବର୍ଗଙ୍କ ପାଇଁ ଗରିମାର କଥା। ଓଡ଼ିଶାର ଏକ ଆଦିବାସୀବହୁଳ ଜିଲା ମୟୂରଭଞ୍ଜର ଏକ ଅଖ୍ୟାତ ପଲ୍ଲୀର ସୁକନ୍ୟା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରର ପ୍ରଥମ ନାଗରିକର ମର୍ଯ୍ୟାଦା ପ୍ରଦାନ କରିବାରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ବନଫୁଲର ମହକରେ ସମଗ୍ର ଭାରତବର୍ଷକୁ ମହକିତ କରିବା କଥା କେବଳ ମୋଦିଜୀ ହିଁ ଚିନ୍ତା କରିପାରନ୍ତି ଏବଂ ତା’ର ବାସ୍ତବ ରୂପାୟନ ମଧ୍ୟ କରିପାରନ୍ତି। ସାଧାରଣ ଲୋକମାନେ କାଳେକାଳେ ଅସାଧାରଣ ପ୍ରତିଭାର ଅଧିକାରୀ ହୋଇଥା’ନ୍ତି। ଶେଷ ତଳ ପାହାଚରେ ଥିବା ଅନେକଙ୍କ ପାଖରେ ଥାଏ ଅସୀମ ଶକ୍ତି ଓ ସାମର୍ଥ୍ୟ। କିନ୍ତୁ ଏପରି ପ୍ରତିଭାମାନେ ବଣମଲ୍ଲୀ ପରି ବଣରେ ଫୁଟି ମଉଳିଯାଆନ୍ତି। ରହିଯାଆନ୍ତି ଜନସମାଜର ଆଢ଼ୁଆଳରେ। ଲୋକ ହିତ ପାଇଁ ସେମାନଙ୍କ ଶକ୍ତି ମଧ୍ୟ ବିନିଯୋଗ କରାଯାଇପାରେ ନାହିଁ। ତେଣୁ ଏପରି ବଣମଲ୍ଲୀମାନଙ୍କୁ ଖୋଜିବା ଏବଂ ଚିହ୍ନଟ କରିବା ସମାଜ ଆଗରେ ସବୁବେଳେ ଏକ ବଡ଼ ଆହ୍ବାନ।
ଭାରତବର୍ଷ ଅନାଦି କାଳରୁ ବିବିଧ ଜାତି, ବର୍ଣ୍ଣ ଓ ଗୋଷ୍ଠୀର ବାସସ୍ଥାନ। ଅନୁସୂଚିତ ଜାତି, ଜନଜାତି, ସାମାଜିକ ଓ ଶୈକ୍ଷିକ ଅନଗ୍ରସର ଜାତି ତଥା ଅସ୍ବଚ୍ଛଳ ବର୍ଗ ଭାରତବର୍ଷର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ। ପୁଣି ଅବସ୍ଥିତି ଭିତ୍ତିରେ କେତେକ ଅଞ୍ଚଳ ମଧ୍ୟ ପଛୁଆ ରାଜ୍ୟ ଭାବରେ ପରିଗଣିତ। ଆମ ସମାଜରେ ପଛରେ ପଡ଼ିଥିବା ପଛୁଆ ବର୍ଗ ଏବଂ ପଛୁଆ ରାଜ୍ୟକୁ ଆଗକୁ ନ ଆଣିଲେ ଦେଶର ସନ୍ତୁଳିତ ବିକାଶ ଅସମ୍ଭବ।
ଭାରତର ସର୍ବାଙ୍ଗୀନ ବିକାଶ ପଛରେ ଥିବା ଏହି ସହଜ ସତ୍ୟକୁ ଅନେକ ଶାସକ ବୁଝି ମଧ୍ୟ ବୁଝିପାରନ୍ତି ନାହିଁ। ସେମାନେ ସାମାଜିକ ନ୍ୟାୟ ବିଷୟରେ ଦୀର୍ଘ ସମୟ ଭାଷଣ ଦିଅନ୍ତି, କିନ୍ତୁ କାର୍ଯ୍ୟରେ କରି ଦେଖାନ୍ତି ନାହିଁ। ଆଦିବାସୀମାନଙ୍କ ପାରମ୍ପରିକ ନୃତ୍ୟରେ ଭାଗ ନିଅନ୍ତି, କିନ୍ତୁ ସେମାନଙ୍କ ବିକାଶକୁ ତ୍ୱରାନ୍ବିତ କରନ୍ତି ନାହିଁ। କିନ୍ତୁ ଗତ ୮ ବର୍ଷ ହେବ, ଏପରି ଦୃଷ୍ଟିଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଆସିଛି। ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ନ୍ୟାୟ ଓ ସନ୍ତୁଳିତ ବିକାଶ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରୁଛନ୍ତି। ଭୌଗୋଳିକ ଦୃଷ୍ଟିରୁ ଭାରତର ପୂର୍ବ ଭାଗ ବିକାଶ କ୍ଷେତ୍ରରେ ପଛରେ ପଡ଼ିଛି। ବିହାର, ଓଡ଼ିଶା ଓ ଝାଡ଼ଖଣ୍ଡ ଆଦି ରାଜ୍ୟ ଅନ୍ୟ ରାଜ୍ୟ ତୁଳନାରେ ଅନଗ୍ରସର। ମାନ୍ୟବର ମୋଦିଜୀ ଭାରତର ସନ୍ତୁଳିତ ବିକାଶକୁ ଆଖି ଆଗରେ ରଖି ପୂର୍ବ ଭାରତର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପୁଣି ପୂର୍ବ ଭାରତରେ ଓଡ଼ିଶା ତାଙ୍କର ଏକ ପ୍ରିୟ ରାଜ୍ୟ। କାରୁକାର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜି, ପ୍ରାକୃତିକ ଓ ଖଣିଜ ସମ୍ପଦ ପାଇଁ ଯେ ଓଡ଼ିଶା ତାଙ୍କ ଦୃଷ୍ଟି ଆକର୍ଷଣ କରିଛି ତା’ ନୁହେଁ, ବରଂ ଓଡ଼ିଶାର ବିକାଶ ପ୍ରତି ସେ ସର୍ବଦା ସମ୍ବେଦନଶୀଳ। ପ୍ରାଚୁର୍ଯ୍ୟ ଓ ସମ୍ଭାବନାରେ ପରିପୂର୍ଣ୍ଣ ଓଡ଼ିଶାର ବିକାଶ କରିବା ପାଇଁ ମୋଦିଜୀଙ୍କ ପ୍ରତିବଦ୍ଧତାର ତୁଳନା ନାହିଁ। ଓଡ଼ିଶାର ପ୍ରତିଭାମାନଙ୍କୁ ସ୍ବୀକୃତି ଦେବାରେ ତାଙ୍କର କାର୍ପଣ୍ୟ ନାହିଁ। ଓଡ଼ିଶାବାସୀଙ୍କ ଆଶା-ଆକାଂକ୍ଷା ପୂରଣ କରିବାରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ତତ୍ପରତାର ପଟାନ୍ତର ନାହିଁ।
ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ୨୦୧୩ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ୨୦୧୬ ମସିହା ଫେବୃୟାରୀ ମାସରେ ପୁରୀ ଆସି ଦିଅଁ ଦର୍ଶନ କରିଥିଲେ। ତାଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ପ୍ରଥମ ଥର ପାଇଁ ନବକଳେବର ନିମନ୍ତେ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମହୋଦୟ ନବକଳେବର ସ୍ମାରକୀ ମୁଦ୍ରାକୁ ଅନୁମୋଦନ ମଧ୍ୟ କରାଇଥିଲେ। ଓଡ଼ିଶାର ପର୍ବପର୍ବାଣି ପ୍ରତି ତାଙ୍କର ଅପ୍ରମିତ ଶ୍ରଦ୍ଧା ରହିଛି। ମହାବିଷୁବ ସଂକ୍ରାନ୍ତି, ରଜ ସଂକ୍ରାନ୍ତି, ରଥଯାତ୍ରା ଓ ନୂଆଁଖାଇ ଆଦି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଓଡ଼ିଶା ପ୍ରୀତିର ପରିଚୟ ଦେଇଆସୁଛନ୍ତି। ଓଡ଼ିଶା ଯେ କଳା ଓ ସଂସ୍କୃତିର ଉତ୍କର୍ଷ ଭୂମି, ଏହା ତାଙ୍କୁ ଭଲ ଭାବରେ ଜଣା। ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟାକୁ ସୂକ୍ଷ୍ମ ଐତିହ୍ୟ (ଇନ୍‌ଟେଞ୍ଜିବୁଲ ହେରିଟେଜ୍‌)ର ମାନ୍ୟତା ତାଙ୍କର ଅବଦାନ। ୨୦୧୮ ମସିହାରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ‘ବାଲିଯାତ୍ରା’ ବିଷୟରେ ଆଲୋଚନା କରି ସେ ଓଡ଼ିଶାର ଏହି ଐତିହାସିକ ପର୍ବ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ କରିଛନ୍ତି।
ଦିଲ୍ଲୀରେ ଓଡ଼ିଆମାନଙ୍କୁ ସ୍ବୀକୃତି ଦେବାରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଅବଦାନ ଯେ ସବା ଉପରେ, ଏହା ଅବିସମ୍ବାଦିତ। ପୂର୍ବରୁ ଓଡ଼ିଶାରୁ ଜଣେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ପଦ ପ୍ରାପ୍ତ ହୋଇଥିଲେ। ତାହା ପୁଣି ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ। ୨୦୧୪ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସଂଖ୍ୟାରେ ଓଡ଼ିଶାର ସ୍ଥାନ ଥିଲା ନଗଣ୍ୟ। କିନ୍ତୁ ମୋଦିଜୀଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଜୁଏଲ ଓରାମଙ୍କଠାରୁ ଅଶ୍ୱିନୀ ବୈଷ୍ଣବଙ୍କ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ନେତା କ୍ୟାବିନେଟ୍‌ ମନ୍ତ୍ରୀ ହୋଇଛନ୍ତି। ଆଦିବାସୀ ନେତା ବିଶେଶ୍ୱର ଟୁଡୁ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ପଦ ମଣ୍ଡନ କରିଛନ୍ତି। ତା’ ପୂର୍ବରୁ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ। ମୋଦିଜୀ ଦ୍ରୌପଦୀ ମୁର୍ମୁ, ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଜ୍ୟପାଳ ପଦବୀରେ ଅଧିଷ୍ଠିତ କରାଇଛନ୍ତି।
ପୂର୍ବରୁ ପଦ୍ମ ପୁରସ୍କାର ତାଲିକାରେ ଓଡ଼ିଆ ଲୋକଙ୍କର ନଁା ଖୋଜି ନିରାଶ ହେବାକୁ ପଡ଼ୁଥିଲା। କେବେ କେମିତି ଗୋଟେ ନଁା ଆଖିରେ ପଡ଼ୁଥିଲା। କିନ୍ତୁ ୨୦୧୫ ମସିହା ପରଠାରୁ ଲଗାତର ଓଡ଼ିଶାର ପ୍ରତିଭାମାନେ ପଦ୍ମ ସମ୍ମାନ ପାଇ ଆସୁଛନ୍ତି। ମନୋଜ ଦାସ, ପ୍ରତିଭା ରାୟଙ୍କ ପରି ସାହିତି୍ୟକମାନେ ପଦ୍ମଭୂଷଣ ସମ୍ମାନ ପାଇଥିବା ବେଳେ ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ସମ୍ମାନ ପାଇଛନ୍ତି। ପଦ୍ମ ସମ୍ମାନ ପାଇଥିବା ଅନେକ ଖ୍ୟାତନାମା କବି, ଲେଖକ, ନୃତ୍ୟାଙ୍ଗନା, କଣ୍ଠଶିଳ୍ପୀ, ସ୍ଥପତିଙ୍କର ଏକ ଲମ୍ବା ତାଲିକା ଏଠାରେ ପ୍ରଦାନ କରିବା ଅନାବଶ୍ୟକ। କିନ୍ତୁ ସମାଜ ପାଇଁ, ଜନସେବା ପାଇଁ ତଥା କିଛି ନୂଆ କାମ କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଥିବା ଅଥଚ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିଛନ୍ତି କେନ୍ଦ୍ରର ମୋଦି ସରକାର। ହଳଧର ନାଗ, ମିତ୍ରଭାନୁ ଗୌନ୍ତିଆଙ୍କଠାରୁ ଆରମ୍ଭ କରି ଦୈତାରୀ ନାୟକ ଓ ପୂର୍ଣ୍ଣମାସୀ ଜାନିଙ୍କ ପର୍ଯ୍ୟନ୍ତ ଅନେକ ଏକନିଷ୍ଠ ନୀରବ ସାଧକମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରିଛନ୍ତି ଏବେର କେନ୍ଦ୍ର ସରକାର। ଗୁଣ ଚିହ୍ନିବାରେ ମୋଦି ସରକାର ସଦା ଅଗ୍ରଣୀ।
ଓଡ଼ିଶା କେବଳ କଳା କାରିଗରିର ଖଣ୍ଡ ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ଯଥା: ବଢ଼ି, ଝଡ଼ି ଓ ମରୁଡ଼ିର ଚରାଭୂଇଁ ମଧ୍ୟ। ସମ୍ରାଟ୍‌ ଖାରବେଳଙ୍କ ରାଜତ୍ୱର ପ୍ରଥମ ବର୍ଷ ଓଡ଼ିଶାରେ ଭୟଙ୍କର ମହାବାତ୍ୟା ସଂଘଟିତ ହୋଇଥିଲା ବୋଲି ଗବେଷକମାନେ ମତ ଦିଅନ୍ତି। ସମ୍ବେଦନଶୀଳ ମୋଦିଜୀ ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଦା ସହାନୁଭୂତିଶୀଳ। ଓଡ଼ିଶାର ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ସେ କେବଳ ଆଗୁଆ ସମୀକ୍ଷା କରନ୍ତି ନାହିଁ, ଆବଶ୍ୟକ ଅର୍ଥର ବନ୍ଦୋବସ୍ତ ମଧ୍ୟ କରନ୍ତି। ୨୦୧୯ ମସିହାରେ ଫନୀ ବାତ୍ୟା ସମୟରେ ସେ ୧ ହଜାର କୋଟି ଟଙ୍କାର ମଧ୍ୟବର୍ତ୍ତିକାଳୀନ ସହାୟତା ଘୋଷଣା କରିଥିଲେ ଏବଂ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଅଗ୍ରିିମ ୩୪୧ କୋଟି ଟଙ୍କା ସହାୟତା ମଞ୍ଜୁର କରାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଫନୀ କ୍ଷତିଗ୍ରସ୍ତଙ୍କ ପାଇଁ ଅତିରିକ୍ତ ୩,୩୩୮ କୋଟି ଅର୍ଥାତ୍‌ ମୋଟ ୪,୬୭୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୋଦି ସରକାର ପ୍ରଦାନ କରିଥିଲେ। ପୁନଶ୍ଚ ୨୦୨୧ ୟସ୍‌ ବାତ୍ୟା ବେଳେ ମୋଦିଜୀ ଭୁବନେଶ୍ୱର ଆସି ଓଡ଼ିଶାରେ ବାତ୍ୟାଜନିତ କ୍ଷୟକ୍ଷତିର ସମୀକ୍ଷା କରିବା ସହିତ ଆକାଶ ମାର୍ଗରୁ କ୍ଷୟକ୍ଷତିର ସର୍ବେକ୍ଷଣ କରିଥିଲେ। ସରକାର ଦାବି କରିବା ପୂର୍ବରୁ ସେ ୫ଶହ କୋଟି ଟଙ୍କାର ସହାୟତା ରାଶି ମଧ୍ୟ ଘୋଷଣା କରିଥିଲେ। ବିଶ୍ୱ ମହାମାରୀ କୋଭିଡ୍‌-୧୯ ସମୟରେ ପ୍ରଧାନମନ୍ତ୍ରୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ସମାଜସେବୀ ନନ୍ଦକିଶୋର ସାହୁ, ବୃନ୍ଦାବନ କଳସ ଏବଂ କିଷାନ ସାହୁଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ଊନବିଂଶ ଶତାବ୍ଦୀରେ ବ୍ରିଟିଶ୍‌ ବିରୋଧୀ ଆନ୍ଦୋଳନ ମଧ୍ୟରେ ପାଇକ ବିଦ୍ରୋହ ଏକ ଗୁରୁତ୍ୱପୂର୍ଣ୍ଣ ମୁକ୍ତି ସଂଗ୍ରାମ। ଏହି ଅଦ୍ୱିତୀୟ ସଂଗ୍ରାମକୁ ଦେଶବ୍ୟାପୀ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୨୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା। ୨୦୧୮ ମସିହା ସେପ୍ଟେମ୍ବର ମାସରେ ରାଉରକେଲାଠାରେ ପ୍ରଧାନମନ୍ତ୍ରୀ ପାଇକ ଇତିହାସର ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଲୋକାର୍ପଣ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରେ ଗବେଷଣା ଚେୟାର ସ୍ଥାପନ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଛି। ୨୦୧୯ ମସିହା ଡିସେମ୍ବର ମାସରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀ ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ କରିଥିଲେ। ଓଡ଼ିଆ ଜାତିର ବୀରତ୍ୱର ଗାଥାକୁ ସର୍ବଭାରତୀୟ ସ୍ତରରେ ସ୍ବୀକୃତି ଦେବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରଶଂସନୀୟ ଭୂମିକା ରହିଆସିଛି।
କଳା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ରାଜ୍ୟ ସଭାକୁ ମନୋନୀତ କରିବା ଏକ ସାମ୍ବିଧାନିକ ବ୍ୟବସ୍ଥା। ପ୍ରଥମ ଥର ପାଇଁ ବର୍ତ୍ତମାନର କେନ୍ଦ୍ର ସରକାର ବିଶିଷ୍ଟ ସ୍ଥପତି ସ୍ବର୍ଗତ ରଘୁନାଥ ମହାପାତ୍ର ଏବଂ ଖ୍ୟାତନାମା ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲ ମାନ ସିଂଙ୍କୁ ରାଜ୍ୟ ସଭାକୁ ମନୋନୀତ କରିଥିଲେ। ଓଡ଼ିଶା ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସକାରାତ୍ମକ ମାନସିକତାର ଏହା ଉଜ୍ଜ୍ୱଳ ଦୃଷ୍ଟାନ୍ତ।
‘ମନ୍‌ କୀ ବାତ୍‌’ ଆମ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏକ ଜନାଦୃତ କାର୍ଯ୍ୟକ୍ରମ। ସେହି କ୍ରମରେ ସେ ଓଡ଼ିଶାର ଅନେକ ନିଷ୍ଠାପର ତଥା ସର୍ଜନଶୀଳ ପ୍ରତିଭାଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି। ନୀଳଗିରିର ଆଶାକର୍ମୀ ଯମୁନାମଣି ସିଂ, ଗରିବ ପିଲାମାନଙ୍କୁ ପାଠ ପଢ଼ାଉଥିବା କଟକର ଚା’ ଦୋକାନୀ ସ୍ବର୍ଗତ ଡି. ପ୍ରକାଶ ରାଓ, ନର୍ଦ୍ଦମା ନିଷ୍କାସନ ସମ୍ପର୍କରେ ମୌଳିକ ପରାମର୍ଶ ଦେଇଥିବା ଭୁବନେଶ୍ୱରର ସିତାଂଶୁ ମୋହନ ପରିଡ଼ା, ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ, ଚିଙ୍ଗାରି ଆପ୍‌ର ସହ ପ୍ରତିଷ୍ଠାତା ବିଶ୍ୱାତ୍ମା ନାୟକ, ସାମରିକ ଓ ଅର୍ଦ୍ଧସାମରିକ ତାଲିମଦାତା ସିଲୁ ନାୟକ, କୋଭିଡ୍‌ ଟିକାକରଣ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ପୁଷ୍ପା ଶୁକ୍ଳା, କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିଥିବା ଅମରେଶ ସାମନ୍ତ, ହେନ୍ତାଳ ବନ ସୃଷ୍ଟି କରିଥିବା ବିଜୟ କୁମାର କବି, ୟୁଟ୍ୟୁବ୍‌ର ଚର୍ଚ୍ଚିତ ଚେହେରା ଇସାକ ମୁଣ୍ଡା ଏବଂ ପୁରୀକୁ ପ୍ଲାଷ୍ଟିକମୁକ୍ତ କରୁଥିବା ରାହୁଲ ମହାରଣାଙ୍କ ସମ୍ପର୍କରେ ମୋଦିଜୀ ନିଜ ‘ମନ୍‌ କୀ ବାତ୍‌’ରେ ଉଲ୍ଲେଖ କରିଥିଲେ। ଓଡ଼ିଶାର ଏତେ ସଂଖ୍ୟକ ଲୋକଙ୍କ ସହିତ ଭାବ ବିନିମୟ କରିବା ତାଙ୍କ ଓଡ଼ିଶା ପ୍ରୀତିର ପରିଚାୟକ।
ଉଚ୍ଚ ଶିକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶାକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦେଶରେ ଛଅ ଗୋଟି ନୂଆ ଆଇଆଇଏମ୍‌ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଓଡ଼ିଶା ଭାଗରେ ପଡ଼ିଥିଲା ଗୋଟିଏ, ସମ୍ବଲପୁର ଆଇଆଇଏମ୍‌। କେବଳ ଆଇଆଇଏମ୍‌ ନୁହେଁ, ବ୍ରହ୍ମପୁରରେ ଆଇଜର (ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା) ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ ମୋଦି ସରକାର।
ଏବଂ ସର୍ବୋପରି ଦେଶରେ ଓଡ଼ିଆ ଅସ୍ମିତା ପ୍ରତିଷ୍ଠିତ ହୋଇଛି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମାଧ୍ୟମରେ। ଆଜି ଦେଶର ରାଷ୍ଟ୍ରପତି ଜଣେ ଓଡ଼ିଆ ଝିଅ, ଆଦିବାସୀ ମହିଳା। ଏହା ଭାରତବର୍ଷର ନେତୃତ୍ୱର ଅଭୂତପୂର୍ବ ପରାକାଷ୍ଠା ନୁହେଁ କି?
– ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?