ବିଦ୍ୱେଷର ବିଷ ଓ ଶାନ୍ତିର ପାରିଜାତ

ଡ.ପ୍ରଫୁଲ୍ଲ କୁମାର ସାହୁ

 

ପ୍ରତିଟି ଦେଶର ସୁରକ୍ଷା ହିଁ ବିଶ୍ବର ସୁରକ୍ଷା। ଘୋଷାପଦ ପରି ଏକଥା ବାରମ୍ବାର କହିହୁଅନ୍ତି ବୃହତ୍‌ ଶକ୍ତିମାନେ, ଯେଉଁମାନଙ୍କ ଅହଂ ଓ ରାଜନୈତିକ ପତିଆରା ପଶାପାଲିରେ ମୋହରା ହୋଇ ମାନବୀୟ ସଂକଟର ସମ୍ମୁଖୀନ ହୁଅନ୍ତି ୟୁକ୍ରେନ୍‌ ପରି ଦୁର୍ବଳ ରାଷ୍ଟ୍ର। ଇତି ମଧ୍ୟରେ ମାସାଧିକ କାଳ ବିତିଗଲାଣି, ୟୁକ୍ରେନ୍‌ରେ ଗର୍ଜୁଛି ରୁଷିଆର ବନ୍ଧୁକ ଓ କମାଣ। ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍‌ ଆକାଶକୁ ଆଚ୍ଛାଦିତ କରି ରଖିଛି ଧୂଳି, ଧୂଆଁ ଓ ନିଆଁର ଆସ୍ତରଣ। ରୁଷିଆର ଘନ କ୍ଷେପଣାସ୍ତ୍ର ମାଡ଼ରେ ଧ୍ବଂସ ସ୍ତୂପରେ ପରିଣତ ହେଲାଣି ୟୁକ୍ରେନ୍‌ର ରାଜଧାନୀ କିଭ୍‌ ତଥା ଅର୍ଥନୈତିକ ପ୍ରାଣକେନ୍ଦ୍ର ଖାର୍କିଭ ସହର। ପ୍ରାଣ ବିକଳରେ ବିଦେଶକୁ ଛୁଟିଛି ଶରଣାର୍ଥୀଙ୍କ ସୁଅ। ଶକ୍ତିଶାଳୀ ରାଷ୍ଟ୍ର ରୁଷିଆର ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ଯୁଦ୍ଧଖୋର ମନୋଭାବ ପାଇଁ ହେଉ କି ଶାନ୍ତିପ୍ରିୟ ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନକ୍ସିଙ୍କ ଅପରିପକ୍ବତା କାରଣରୁ ହେଉ, ୟୁକ୍ରେନ୍‌ ଏବେ ନିଜ ଅସ୍ତିତ୍ୱକୁ ନେଇ ସନ୍ଦିହାନ।
ରୁଷିଆର ବିଭାଜନ ସହିତ ନବେ ଦଶକରେ ୟୁକ୍ରେନ୍‌ ଜନ୍ମ ନେବା ପରଠାରୁ ଦୁଇଦେଶ ମଧ୍ୟରେ ଚାଲିଛି ପ୍ରେମ ଓ ଘୃଣାର ଲୁଚକାଳି ଖେଳ। ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ମତରେ ୟୁକ୍ରେନ୍‌ ହେଉଛି ରୁଷିଆର ଅବିଚ୍ଛେଦ୍ୟ ଅଙ୍ଗ। ଅନ୍ୟପକ୍ଷରେ ରୁଷିଆର ଆଧିପତ୍ୟକୁ ଏଡ଼େଇବାକୁ ଯାଇ ନାଟୋ ଅନ୍ତର୍ଭୁକ୍ତ ହେବା ୟୁକ୍ରେନ୍‌ର ଲକ୍ଷ୍ୟ। ମାତ୍ର ତା’ର ନାଟୋ ଅନ୍ତର୍ଭୁକ୍ତ ହେବା ନିଷ୍ପତ୍ତି ଅନ୍ତରାଳରେ ରହିଛି ଆମେରିକାର ପ୍ରଚ୍ଛନ୍ନ ହାତ, ଯାହା ରୁଷିଆ ପାଇଁ ଚିନ୍ତାର କାରଣ। ଆନ୍ତର୍ଜାତିକ ମଞ୍ଚରେ ରୁଷିଆର ପ୍ରଭାବକୁ କ୍ଷୁଣ୍ଣ କରିବାକୁ ଚାହୁଁଥିବା ଆମେରିକାର କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକଟ କରିଆସୁଥିବା ରୁଷିଆ ଏଥିରେ କ୍ଷୁବ୍ଧହୋଇ ନିଷ୍ପତ୍ତି ବଦଳାଇବା ପାଇଁ ସେ ୟୁକ୍ରେନ୍‌ ଉପରେ ପକାଇଲା ଚାପ। ମାତ୍ର ଆମେରିକା ଇସାରାରେ ୟୁକ୍ରେନ୍‌ ନିଜ ନିଷ୍ପତ୍ତିରେ ଅଟଳ ରହିବାରୁ ସୃଷ୍ଟି ହେଲା ଯୁଦ୍ଧ ପରିସ୍ଥିତି। ଅର୍ଥାତ୍‌ ଦୁଇ ବୃହତ୍‌ ଶକ୍ତିଙ୍କ ଅହଂର ଲଢ଼େଇ ପାଇଁ ଆରମ୍ଭ ହେଲା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ।
ମାନବ ସଭ୍ୟତାର ଆରମ୍ଭରୁ ଏ ପର୍ଯ୍ୟନ୍ତ ଯେତେ ଯୁଦ୍ଧ ହୋଇଛି ସେଥିରେ କେବଳ ଅକାଳରେ ଝଡ଼ିପଡ଼ିଛି ଅନେକ ମୂଲ୍ୟବାନ ଜୀବନ। ବିପର୍ଯ୍ୟସ୍ତ ହୋଇଛି ଅର୍ଥନୀତି। ବାସ୍ତୁହରା ହୋଇଛନ୍ତି ଅସଂଖ୍ୟ ନିରୀହ ମଣିଷ। ସେଥିପାଇଁ ଯୁଦ୍ଧକୁ ଗଣହତ୍ୟା ସହିତ ତୁଳନା କରି ମହାତ୍ମା ଗାନ୍ଧୀ କହନ୍ତି -”ଯୁଦ୍ଧର ଯେତେ ମହିମା ଗାନ କଲେ ବି ଯୁଦ୍ଧ ପାଷାଣ୍ଡ ଶକ୍ତିର ଏକ କ୍ରୂର ପ୍ରଦର୍ଶନ। ଯେଉଁମାନେ ଯୁଦ୍ଧ ପାଇଁ ପ୍ରଶିକ୍ଷିତ ହୋଇଛନ୍ତି ସେମାନେ ଯୁଦ୍ଧ କ୍ଷେତ୍ରରେ ନୀତିହୀନ ହୋଇଯାଆନ୍ତି ଏବଂ ବିଜୟ ତଥା ଗୌରବର କଥା କହୁଥିବା ଯୁଦ୍ଧରେ କେବଳ ରକ୍ତପାତ ଓ ହତ୍ୟା ହିଁ ମୂଳକଥା।“
ଯୁଦ୍ଧର ଏହି ଅକଳ୍ପନୀୟ ଭୟାବହତାକୁ ମଣିଷ ଅନୁଭବ କଲା ଦ୍ବିତୀୟ ବିଶ୍ବଯୁଦ୍ଧ ପରେ। ଦେଶ ଦେଶ ଭିତରେ ଭ୍ରାତୃତ୍ୱ ଭାବ ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଷ୍ଟ୍ରମୁଖ୍ୟଙ୍କ ପକ୍ଷରୁ ଆରମ୍ଭ ହେଲା ବିଚାର ବିମର୍ଶ। ତା’ର ପରିଣାମ ସ୍ବରୂପ ଦ୍ବିତୀୟ ବିଶ୍ବଯୁଦ୍ଧର ଧ୍ବଂସସ୍ତୂପ ମଧ୍ୟରୁ ଜନ୍ମନେଲା (୧୯୪୫ ଅକ୍ଟୋବର ୨୪) ମିଳିତ ଜାତିସଂଘ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଗଠନ ହେଲା ନିରାପତ୍ତା ପରିଷଦ। ଚିନ୍ତାଶୀଳ ଲୋକେ ଭାବିନେଲେ ନିରାପତ୍ତା ପରିଷଦର ହସ୍ତକ୍ଷେପ ଫଳରେ ପୃଥିବୀରେ ଆଉ ପରମାଣୁ ବୋମା ତିଆରି ହେବନି କି ରହିବନି ଯୁଦ୍ଧଜନିତ ଭୟ ଓ ଉତ୍ତେଜନା। ମାତ୍ର ବିଡ଼ମ୍ବନାର ବିିଷୟ ବୃହତ୍‌ ଶକ୍ତିମାନଙ୍କର ଅହଂ ଓ ସ୍ବାର୍ଥପରତା ଆଗରେ ବ୍ୟର୍ଥ ହେଲା ଶାନ୍ତିକାମୀ ବିଶ୍ୱବାସୀଙ୍କ ଆଶା ଓ ଭରସା। ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦ ଲାଭ କରିଥିବା ଆମେରିକା ବ୍ରିଟେନ, ଫ୍ରାନ୍ସ, ରୁଷିଆ ଓ ଚାଇନା ଭଳି ବୃହତ୍‌ ଶକ୍ତିମାନଙ୍କ ଭିଟୋ କ୍ଷମତା ଆଗରେ ମିଳିତ ଜାତିସଂଘ ପାଲଟିଗଲା ତର୍କ ଓ ପ୍ରସ୍ତାବର କେବଳ ଏକ ଅସହାୟ ମଞ୍ଚ। ଜାତିସଂଘର ଏହି ଅସହାୟତା ପାଇଁ ବିଗତ ସାତ ଦଶନ୍ଧି ଭିତରେ ବିଶ୍ବରେ ସଂଘଟିତ ହୋଇଯାଇଛି ଅନେକ ଯୁଦ୍ଧର ଘନଘଟା। ଦ୍ବିତୀୟ ବିଶ୍ବଯୁଦ୍ଧର ପାଞ୍ଚବର୍ଷ ପରେ(୧୯୫୦) ଯୁକ୍ତରାଷ୍ଟ୍ର ସମର୍ଥିତ ଦକ୍ଷିଣ କୋରିଆ ଉପରେ ଆକ୍ରମଣ କଲା ସୋଭିଏଟ୍‌ ସଂଘ ସମର୍ଥିତ ଉତ୍ତର କୋରିଆ। ଏଥିରେ ପ୍ରାଣ ହରାଇଲେ ପାଖାପାଖି ପଚିଶ ଲକ୍ଷ ଲୋକ। ଏ ଯାବତ୍‌ ଦୂର ହୋଇନି ସେ ସଂଘର୍ଷର ତିକ୍ତତା। ୧୯୫୫ରେ ଭିଏତ୍‌ନାମ ଯୁଦ୍ଧ ଆରମ୍ଭ ହେଲା ଏବଂ ଉତ୍ତର ଭିଏତ୍‌ନାମ ଦକ୍ଷିଣ ଭିଏତ୍‌ନାମ ଉପରେ ବିଜୟ ପାଇଲା ବେଳକୁ ପାଖାପାଖି କୋଡ଼ିଏ ଲକ୍ଷ ଲୋକ ପ୍ରାଣ ହରାଇବା ସହ ଭିଟାମାଟି ଛାଡ଼ିଥିଲେ ଲକ୍ଷ ଲକ୍ଷ ଶରଣାର୍ଥୀ। ଜାତିସଂଘ ନିଷ୍ଠାପର ଭାବରେ ଉଦ୍ୟମ କରିଥିଲେ କ’ଣ ରୋକାଯାଇ ପାରି ନ ଥାନ୍ତା ଭାରତ-ଚାଇନା, ଭାରତ- ପାକିସ୍ତାନ, ଇରାକ-ଇରାନ, ଆମେରିକା-ଇରାକ ଆଦି ଅନେକ ଯୁଦ୍ଧ?
ଉତ୍କଳ ଗୌରବ ମଧୁସୂଦନ ଦାସ ଲେଖିଥିଲେ- ”ଜାତିର ଉନ୍ନତି ସେ କାହୁଁ କରିବ ସ୍ବାର୍ଥେ ଯା’ର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ।“ ଏକଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ମାରଣାସ୍ତ୍ର ନିର୍ମାଣରେ ଯେଉଁମାନଙ୍କର ବିଳାସ, ଜାତିସଂଘ ଯଦି ସେହିମାନଙ୍କ ହାତର କ୍ରୀଡନକ ହୋଇଯାଏ କେମିତି ପ୍ରତିଷ୍ଠା ହେବ ବିଶ୍ବ ଶାନ୍ତି? ସବୁଠାରୁ ଭୟାନକ ବିଷୟ ହେଉଛି ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ଯେଉଁମାନେ ତିଆରି କରନ୍ତି ଚୁକ୍ତି, ଆପଣା ସ୍ବାର୍ଥ ପାଇଁ ସେହିମାନେ ପ୍ରଥମେ ଚୁକ୍ତି ଉଲ୍ଲଂଘନ କରି ସୃଷ୍ଟି କରନ୍ତି ବିଶୃଙ୍ଖଳା। ବିଦ୍ବେଷର ମଞ୍ଜି ବୁଣି ଦେଶ ଦେଶ ଭିତରେ ଛିଡ଼ା କରନ୍ତି ବିବାଦ ଓ ବିଭେଦର ପାଚେରି। ଏ କ୍ଷେତ୍ରରେ ଅନ୍ୟାନ୍ୟ ଦେଶଠାରୁ ଆମେରିକାର ଭୂମିକା ବେଶି। କୁହାଯାଏ ଆଧୁନିକ ବିଶ୍ବରେ ସଂଘଠିତ ହୋଇଥିବା ଅଧିକାଂଶ ଯୁଦ୍ଧ ଅନ୍ତରାଳରେ ରହିଛି ଆମେରିକାର ପ୍ରଚ୍ଛନ୍ନ ହାତ। ଆମେରିକାର ଯୁଦ୍ଧଖୋର ମନୋଭାବ ପାଇଁ ସାରା ବିଶ୍ବରେ ବଢୁଛି ଯୁଦ୍ଧାସ୍ତ୍ରର ପରିମାଣ।
ଶୀତଳ ଯୁଦ୍ଧର ଅବସାନ ତଥା ସୋଭିଏଟ୍‌ ରୁଷର ପତନ ପରେ ବିଶ୍ବର ଏକମାତ୍ର ମହାଶକ୍ତି ଭାବରେ ଉଭା ହୋଇଥିବା ଆମେରିକା ଯେ କୌଣସି ଉପାୟରେ ତା’ର ଏକାଧିପତ୍ୟ ବଜାୟ ରଖିବାକୁ ଚାହେଁ । ଅଥଚ ତା’ର ପତିଆରା ପ୍ରତି ଏବେ ଏକ ଖୋଲା ଆହ୍ବାନ ହୋଇଛି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ। ଯୁଦ୍ଧ ରୋକିବା ପାଇଁ ଉଭୟ ପକ୍ଷ ମଧ୍ୟରେ ବହୁ ପର୍ଯ୍ୟାୟ ଆଲୋଚନା ପରେ ବି ସମାଧାନର ରାସ୍ତା ବାହାରି ପାରୁନି । ନିଜର ରାଜନୈତିକ ସଫଳତା ପାଇଁ ଯୁଦ୍ଧ ଅବ୍ୟାହତ ରଖିବା ଜିଦ୍‌ରେ ରୁଷିଆ ଅଟଳ ଥିବାବେଳେ ଆମେରିକା ଇସାରାରେ ପଛଘୁଞ୍ଚା ଦେବାକୁ ଅମଙ୍ଗ ହେଉଛି ୟୁକ୍ରେନ୍‌। ଏଭଳି ସ୍ଥିତିରେ କେମିତି ଥମିବ ଯୁଦ୍ଧର ତାତି?
ରୁଷିଆ ତୁଳନାରେ ଖୁବ୍‌ ଦୁର୍ବଳ ହୋଇପାରେ ୟୁକ୍ରେନ୍‌ର ସାମରିକ ଶକ୍ତି, ମାତ୍ର ତା’ର ଲଢୁଆପଣ ଆଗରେ ଧଇଁସଇଁ ହୋଇଗଲାଣି ରୁଷିଆ। ତା’ସତ୍ତ୍ବେ ବି କିଭ୍‌ ଦଖଲ ନିଷ୍ପତ୍ତିରେ ଅଟଳ ଅଛନ୍ତି ପୁଟିନ। ଯୁଦ୍ଧର ଭୟାବହତା ଦୃଷ୍ଟିରୁ କୁହାଯାଉଛି ଏହା ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସର୍ବବୃହତ୍‌ ସାମରିକ ଆକ୍ରମଣ। ରାଷ୍ଟ୍ରପତି ପୁଟିନଙ୍କ ଏଭଳି କଠୋର ଆଭିମୁଖ୍ୟ କଥା ଭାବିଲେ ମନେହୁଏ, ସତେ ଯେମିତ ସେ ଅତୀତର ଅଖଣ୍ଡ ରୁଷିଆକୁ ପୁନର୍ଜୀବିତ କରିବା ପାଇଁ ବଦ୍ଧପରିକର। ଏହା ତାଙ୍କର ଉଗ୍ର ଜାତୀୟତା ହୋଇପାରେ, ମାତ୍ର ଏହା ଅନ୍ତରାଳରେ ଥିବା ଧ୍ବଂସମୁଖୀ ଭବିଷ୍ୟତର ସଂକେତ ହିଁ ବିଶ୍ବପାଇଁ ଚିନ୍ତାର କାରଣ। ତା’ର ପରିଣତି କଥା ଭାବି ଚାରିଆଡ଼େ ଖେଳିଗଲାଣି ତୃତୀୟ ବିଶ୍ବଯୁଦ୍ଧର ପ୍ରମାଦ।
ସମଗ୍ର ବିଶ୍ବ ଗୋଟିଏ ଗୃହ। ସାରା ମଣିଷ ଜାତି ଗୋଟିଏ ପରିବାର। ସମସ୍ତ ସୃଷ୍ଟି ଗୋଟିଏ ସମଷ୍ଟି। ସେହି ସମଗ୍ରତା ମଧ୍ୟରୁ ମୁକ୍ତ ନୁହନ୍ତି କୌଣସି ରାଷ୍ଟ୍ର ବା ବ୍ୟକ୍ତି। ମଣିଷର ଏହି ଉପଲବ୍ଧି ହିଁ ବିଶ୍ବ ଭ୍ରାତୃତ୍ୱର ମୂୂଳକଥା। ସେହି ମୂଳ ଉପରେ ଏବେ ଭାରି ପଡୁଛି ସାମରିକ ଖର୍ଚ୍ଚର ଶିଖର ଆରୋହଣ କରିଥିବା ବୃହତ୍‌ ଶକ୍ତିମାନଙ୍କର ଅହଂବାଦୀ ଲଢ଼େଇ। ଥରେ ଭାବିଲେ ଦେଖି ଏଇ କେଇମାସ ପୂର୍ବରୁ ଯେତେବେଳେ କରୋନା ପ୍ରକୋପରେ ଥରହର ହେଉଥିଲା ସାରା ପୃଥିବୀ, ସେତେବେଳେ କୁଆଡ଼େ ଗଲା ନିଜକୁ ବୃହତ୍‌ ଶକ୍ତି ଭାବୁଥିବା ଆମେରିକାର ଷ୍ଟେଲଥ ବମ୍ବର ଅସ୍ତ୍ର, ଯିଏ ଗୋଟେ ଆଲ୍‌ପିନ ମୁନକୁ ଲକ୍ଷ୍ୟ କରି ହଜାର ହଜାର ମାଇଲ ଦୂରରୁ ବୋମା ନିକ୍ଷେପ କରିପାରେ ନିର୍ଭୁଲ ଭାବରେ। କାହିଁ ସେତେବେଳେ କିଛି ତ କାମ ଦେଲାନି ରୁଷିଆର ୪୦୦ ମିଶାଇଲ ଡିଫେନ୍ସ ସିଷ୍ଟମ, ଯାହା ପୃଥିବୀକୁ ଟୁକୁଡ଼ା ଟୁକୁଡ଼ା କରିଦେଇ ପାରେ ନିମିଷକ ମଧ୍ୟରେ। କେବଳ ସାମରିକ ଶକ୍ତି ନୁହେଁ, ଚିକିତ୍ସା ବିଜ୍ଞାନକୁ ନେଇ ଗର୍ବ କରୁଥିବା ଇଉରୋପରେ ତ ଅଭାବ ପଡ଼ିଲା କଫିନ ପାଇଁ କାଠ। ଗୋଟେ ଅଦୃଶ୍ୟ ଭୂତାଣୁର ବିଧ୍ବଂସକ ଶକ୍ତି ଓ ତେଜ ଆଗରେ ଆଣ୍ଠେଇ ପଡ଼ିଲା ଆମେରିକାର ଅହମିକା। ତେବେ ଆଉ କ’ଣ ପାଇଁ ଏ ଶକ୍ତି ପ୍ରଦର୍ଶନର ବାହାସ୍ଫୋଟ?
ସାଧାରଣତଃ ଦୁଇଟି ଷଣ୍ଢ ଭିତରେ ଲଢ଼େଇ ହେଲେ ଯେମିତି ଦଳାଚକଟାରେ ଧ୍ବସ୍ତ ବିଧ୍ବସ୍ତ ହୋଇଯାଏ ଉଭୟଙ୍କ ଚରାଭୂଇଁର ଘାସ, ସେମିତି ଦେଶ ଦେଶ ଭିତରେ ଲଢ଼େଇ ହେଲେ ସବୁ ପକ୍ଷ ପ୍ରଭାବିତ ହେବା ସ୍ବାଭାବିକ। ଅର୍ଥାତ୍‌ ସମାଧାନର ପନ୍ଥା ଯୁଦ୍ଧ ନୁହେଁ, ଶାନ୍ତିପୂର୍ଣ୍ଣ ଓ ସକାରାତ୍ମକ ଆଲୋଚନା। ବିସ୍ତାରବାଦୀଙ୍କ ମନରେ ଏହି ଭାବନା ଉଜାଗ୍ରତ ନ ହେବା ଯାଏ ପୃଥିବୀରୁ ଗୋଳା ବାରୁଦର ଗନ୍ଧ ହଟିବନି କି ବିଶ୍ବ ବଗିଚାରେ ଫୁଟିବନି ଶାନ୍ତିର ପାରିଜାତ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ:୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri