ମୁଖା ତଳର ମୁହଁ

ଡ. ପବିତ୍ର ସୁବୁଦ୍ଧି

 

ଜାମ୍ବିଆ ରାଜଧାନୀ ଲୁସାକାରେ ଅବସ୍ଥିତ ଏକ ଚିଡ଼ିଆଖାନାକୁ ଜଣେ ଦର୍ଶକ ବୁଲିବାକୁ ଯାଇଥାନ୍ତି। ବୁଲୁବୁଲୁ ସେ ଏକ କୋଠରି ଆଗରେ ଅଦ୍ଭୁତ ଫଳକଟିଏ ଦେଖି ଅଟକି ଗଲେ। ଫଳକଟିରେ ଲେଖାଥିଲା ”Here lives the most dangerous animal of the world“ ଅର୍ଥାତ୍‌ ଏଠାରେ ବିଶ୍ୱର ସବୁଠାରୁ ଭୟଙ୍କର ପ୍ରାଣୀଟିଏ ବାସକରେ। ବିସ୍ମୟାଭିଭୂତ ଦର୍ଶକ ଜଣକ ସେହି ପ୍ରାଣୀଟିକୁ ଦେଖିବା ପାଇଁ ଅତ୍ୟନ୍ତ ଉତ୍ସୁକତାର ସହ କୋଠରି ନିକଟକୁ ଗଲେ। କିନ୍ତୁ ଏ କ’ଣ? କୋଠରି ଭିତରେ କୌଣସି ବି ପ୍ରାଣୀ ନାହିଁ, ଶୂନ୍ୟ କୋଠରିରେ କେବଳ ଏକ ପୁରୁଷଉଚ୍ଚା ଦର୍ପଣ ରହିଛି, ଯାହା ଦର୍ଶକଙ୍କ ପୂର୍ଣ୍ଣ ଅବୟବକୁ ପ୍ରତିଫଳିତ କରୁଛି। ଦର୍ଶକ ଜଣକ କ୍ଷଣକ ମଧ୍ୟରେ ବୁଝିଗଲେ ଯେ, ମଣିଷ ହେଉଛି ଏ ବିଶ୍ୱର ସବୁଠାରୁ ଭୟଙ୍କର ପ୍ରାଣୀ।
ପାଠକେ! ଯଦି ବିଷାକ୍ତ ବିଛାଟିଏ ମଣିଷକୁ କାମୁଡ଼ିଦିଏ ତେବେ ଯନ୍ତ୍ରଣା ଗୋଟିଏ ଦିନରେ କମିଯାଏ। ଯଦି ବିଷଧର ସାପଟିଏ ମଣିଷକୁ ଦଂଶନକରେ ୩ଦିନର ଚିକିତ୍ସା ପରେ ମଣିଷ ଆରୋଗ୍ୟଲାଭ କରେ। ଯଦି କୁକୁରଟିଏ ମଣିଷକୁ କାମୁଡ଼ିଦିଏ, ତେବେ ଦଶଦିନର ଚିକିତ୍ସା ପରେ ମଣିଷ ବିଷମୁକ୍ତ ହୋଇଯାଏ। ଯଦି ମଣିଷଟିଏ ମଣିଷକୁ କାମୁଡ଼ିଦିଏ? ହାୟ! ବଞ୍ଚିବାର ଆଶା ଅତ୍ୟନ୍ତ କ୍ଷୀଣ। ସତରେ କେତେ ଭୟାନକ ଏ ମଣିଷ ବିଷ! ସୃଷ୍ଟିର ଶ୍ରେଷ୍ଠ ଜୀବ ହେଉଛି ଏ ମଣିଷ। ‘ମୁଁ ’ହେଉଛି ମଣିଷର ମୁଖା। ସେଇ ‘ମୁଁ’ର ମୁଖାତଳେ କେତେ ଯେ ଛଳନା, ପ୍ରତାରଣା, ଶଠତା, ପ୍ରବଞ୍ଚନା। ସବୁଠି କେବଳ ମାରୀଚର ମାୟା। ମିଛର ଭେଳିକି। ମାୟା ମିରିଗର ନାଟ। କାଳନେମୀର କୁଟିଳ ଭେକ। ପୁତନାର ସ୍ତନରେ ବିଷ। ଜଟାଜୁଟ ସନ୍ନ୍ୟାସୀର ବେଶ ତଳେ ସବୁ ଜଘନ୍ୟ ରାବଣ।
ଘର ସାମ୍ନା ଗଛ ଉପରେ ରହୁଥିବା ପୋହଳା ଏଣ୍ଡୁଅଟି ଆଜି ଆମତ୍ହତ୍ୟା କରିଦେଲା। ସୁଇସାଇଡ୍‌ ନୋଟ୍‌ରେ ଲେଖା ଥିଲା- ”ମୁଁ ମଣିଷ ସହ ମୁକାବିଲା କରିପାରିଲିନି ରଙ୍ଗ ବଦଳାଇବାରେ। ଏଣୁ ଆମତ୍ହତ୍ୟା କରିଦେଲି।“ ମୁହୁର୍ମୁହୁ ରଙ୍ଗ ବଦଳାଉଥିବା ପୋହଳା ଏଣ୍ଡୁଅକୁ ବି ବଳିଗଲା ଏ ମଣିଷ। ମିଛ ଏଠି ଅତି ଆପଣାର। ସତ ଏଠି ସାତପର। ମଣିଷ ଏଠି ଗୋଟେ ଗୋଟେ ମିଛ କଣ୍ଢେଇ। ଏଠି ସାତକଥାରେ ସତୀ ଭୁଲେ। ତିନି ତୁଣ୍ଡରେ ଛେଳି କୁକୁର। ଯେତେସବୁ ଚକ୍‌ଚକ୍‌ କରେ ସେସବୁ ସୁନା ନୁହେଁ, ଏକଥା ଜାଣିଲା ପରେ ବି ସୁନାମିରିଗ ପଛରେ ମଣିଷ ଦଉଡ଼େ। ସତ୍ୟକୁ ମାୟାବିନୀ ମିଛ ଢାଙ୍କି ଦିଏ। ଏଠି ପର ଚିଜ ଭାରି ସୁଆଦ। ଏଠି ନିଃଶ୍ୱାସରେ ବିଷ। ସତ୍ୟ ଏଠି ଭୂଲୁଣ୍ଠିତ। ଧର୍ମ ବିପର୍ଯ୍ୟସ୍ତ। ମାନବିକତା ମୃତ। ତଥାପି ଭାଙ୍ଗୁନି ମଣିଷର ନିଦ।
ମିଅଁା କହୁଛି ଏଠି ସାହିତ୍ୟରେ, ସଂସ୍କୃତିରେ ଅପମିଶ୍ରଣ, ବିଦେଶୀ ଚାରା ଉଧେଇବ ଆଉ କେତେକାଳ ଆମ ପ୍ରାଚୀନ ମାଟିରେ। ତିନିଦିନର ବାସି ତୁଛା ପଖାଳ ଚାଖି ନ ଥିବା ଜିଭ, କାଦୁଅ ଲାଗି ନ ଥିବା ଗୋଡ଼ ଆଜି ବେଶି ଚିତ୍କାର କରୁଛି ଦଳିତ ଓ ଶୋଷିତଙ୍କ ପାଇଁ। ନିଜ ଶୋଷରେ ଯା’ର ସରିଯାଏ କାଦମ୍ବରୀର ସମୁଦ୍ର, ସେମାନେ ଆଜି ଗରିବଙ୍କ ପାଇଁ ଗଢ଼ୁଛନ୍ତି ସ୍ବପ୍ନର ବୋଇତ। ସତରେ କପଟତା ବି ହାର୍‌ ମାନେ ଏମାନଙ୍କ ମିଛ କପଟପାଶାରେ। ଏବେ ଦାନଖଇରାତରେ ପୂରୁଛି ତ ପେଟ,ଏଣୁ ରାଜାଙ୍କୁ ସାତଖୁଣ ମାଫ୍‌।
ସମସ୍ତେ ଦେଖୁଛନ୍ତି ରାଜା ଲଙ୍ଗଳା, କିନ୍ତୁ କରତାଳି ଦେଇ ସମସ୍ତେ କହୁଛନ୍ତି- ସାବାସ୍‌ ରାଜା ସାବାସ୍‌। ରାଜାଙ୍କ ଦେହରେ ବସ୍ତ୍ର ନାହିଁ, ସେ ସମ୍ପୂର୍ଣ୍ଣ ନିର୍ବସ୍ତ୍ର। ଅଥଚ ପ୍ରଜାଏ କହୁଛନ୍ତି, ରାଜାଙ୍କ ଲୁଗା ଅତି ସୂକ୍ଷ୍ମ ସୂତାରେ ବୁଣା, ଆଖିକୁ ଦିଶୁନି ସିନା, କିନ୍ତୁ ଅଛି ନିଶ୍ଚୟ। ଅନ୍ତତଃ ଥିବାଟା ଆଦୌ ଅସମ୍ଭବ ନୁହେଁ। ଅହଂକାରରେ ଅନ୍ଧରାଜା ନିଜ ନଗ୍ନତାକୁ ବି ଚର୍ମଚକ୍ଷୁରେ ଦେଖିପାରୁ ନାହାନ୍ତି। ସେଥିପାଇଁ ଉଲଗ୍ନ ରାଜା ଏବେ ଓହ୍ଲେଇ ଆସିଛନ୍ତି ବାସ୍ତବତାର ରାସ୍ତା ଉପରକୁ। ତାଳିରେ ଫାଟିପଡୁଛି ଶୋଭାଯାତ୍ରା । ରାସ୍ତାରେ ସ୍ତାବକମାନଙ୍କର ଭିଡ଼। ମିଛ ପ୍ରଶଂସାରେ ପୋତିହୋଇପଡ଼ୁଛନ୍ତି ରାଜା। ଏ ଗଳ୍ପଟି ଆପଣମାନେ ସମସ୍ତେ ଜାଣନ୍ତି। କିନ୍ତୁ କେହି ପାଟି ଫିଟେଇ କହୁନାହାନ୍ତି-”ହେ ରାଜନ୍‌! ଆପଣଙ୍କ ଲୁଗା କାହିଁ?“ କାରଣ କାହା ମନରେ ପୁରୁଣା ସଂସ୍କାର ତ, କାହାର ରାଜଦଣ୍ଡକୁ ହାଲ୍‌ ଭୟ। ଆଉ କିଏ ନିଜ ବୁଦ୍ଧି ବନ୍ଧକ ପକେଇଛି ରାଜାଙ୍କ ପାଖରେ ତ, ଆଉ କିଏ ପରାନ୍ନଭୋଜୀ, କିଏ କୃପାପ୍ରାର୍ଥୀ ତ କିଏ ପ୍ରବଞ୍ଚକ। କିନ୍ତୁ ସେହି ଶୋଭାଯାତ୍ରାରେ ଜଣେ ହିଁ ପିଲା ଥିଲା, ଯିଏ କାହାର ମିଛ ପ୍ରଶସ୍ତି ଗାନ କରିବା ଶିଖି ନ ଥିଲା କି ଭୀତତ୍ରସ୍ତ ବି ନ ଥିଲା। ଫନ୍ଦିବାଜ୍‌ ବି ନ ଥିଲା କି ବୟସ୍କଙ୍କ ଭଳି ନିର୍ବୋଧ ବି ନ ଥିଲା। ତେଣୁ ସେହି ସରଳ, ସାହସୀ, ସତ୍ୟବାଦୀ କୁନିପିଲାଟି ସେଦିନ ଲଙ୍ଗଳାରାଜାଙ୍କ ସାମ୍ନାରେ ନିର୍ଭୟରେ ଛିଡ଼ାହୋଇ ମୁହୁର୍ମୁହୁ କରତାଳିର ଊର୍ଦ୍ଧ୍ୱରେ ଉଚ୍ଚସ୍ବରରେ ପ୍ରଶ୍ନକଲା- ”ଆରେ ଏ ନିର୍ଲଜ୍ଜ ରାଜା! ତୋର ଲୁଗା କାହିଁ।“ ଏ ପ୍ରଶ୍ନ ସ୍ତମ୍ଭୀଭୂତ କଲା ଅଗଣିତ ସ୍ତାବକଙ୍କୁ, ତୋଷାମଦକାରୀଙ୍କୁ, ମିଛ କରତାଳକୁ,ଏପରିକି ଲଙ୍ଗଳା ରାଜାଙ୍କୁ ବି।
ଏକ ଗଁାରେ ବୁଢ଼ାବାପାଟିଏ ବାଘମୁଖା ପିନ୍ଧି ନାଟ ଦେଖେଇ ପଇସା ଆଣୁଥିଲା। ହେଲେ ବୁଢ଼ାର ବେକାରିଆ ଭେଣ୍ଡାପୁଅ ବାପାର ପଇସାରେ ଖାଇପିଇ ମସ୍ତ ହୋଇ ବୁଲୁଥିଲା। ଏମିତି ବା କେତେଦିନ ଚାଲନ୍ତା। ଦିନେ ବୁଢ଼ାବାପାର ବେଳକାଳ ସରିଗଲା। ସେ ଆରପାରିକୁ ଚାଲିଗଲା। ଏବେ ଭେଣ୍ଡାପୁଅ ଖାଇବ କ’ଣ? ରହିବ କେମିତି? ତା’ ମୁଣ୍ଡରେ ଚିନ୍ତା ପଶିଲା। ଶେଷରେ ବାପାର ବୃତ୍ତିକୁ ଆଶ୍ରା କରିବ ବୋଲି ଭାବି ଦେଖିଲା ବେଳକୁ ବାପା ପିନ୍ଧୁଥିବା ବାଘମୁଖାଟି ନଷ୍ଟ ହୋଇଯାଇଥିଲା। ପୁଅ ମୁଖାଦୋକାନକୁ ଯାଇ ସୁନ୍ଦରିଆ ବାଘମୁଖାଟିଏ ମାଗିଲା। ଦୋକାନୀ କହିଲା- ଆଜିକାଲି ସେ ପୁରୁଣା ବାଘନାଟରେ ଆଉ ଲାଭ ନାହିଁ। ସେ ମହାବଳ ହେଉ କି କଲରାପତରିଆ ହେଉ, ବାଘର ଆଉ ଜମାନା ନାହିଁ। ଏବେ ନୂଆ ବାଘର ମୁଖା ପିନ୍ଧି ଅଭିନୟ କଲେ ଯାଇ ଦି’ପଇସା ଭଲ ରୋଜଗାର ହେବ। ଏତିକି କହି ଦୋକାନୀ ଦୁଇଟି ମୁଖା ଆଣି ଦେଖାଇଲା। ପୁଅ ଉତ୍ସୁକ ହୋଇ ପଚାରିଲା- ”ଏଇଟା କେଉଁ ବାଘର ମୁଖା?“ ଦୋକାନୀ ଉତ୍ତର ଦେଲା- ”ଗୋଟିଏ ଜନସେବକ ଆଉ ଅନ୍ୟଟି ଧର୍ମ ପ୍ରଚାରକ। ଯୋଉଟା ନେବ ନିଅ।“ ପୁଅ ମନେ ମନେ ଭାବୁଥିଲା- ସତରେ କ’ଣ ସବୁ ମୁଖା ତଳେ ଖାଲି ମହିଷାସୁରର ମୁହଁ?
ପ୍ରାଧ୍ୟାପକ, ନୀଳମାଧବ କଲେଜ, କଣ୍ଟିଲୋ
ମୋ:୬୩୭୦୬୪୫୭୮୯


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri