ଘର୍‌ମାଓ

ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

 

ଘର୍‌ମାଓ କହିଲେ ପୋଷା ବିଲେଇକୁ ବୁଝାଏ, ଯିଏ ତାକୁ ପାଳିଥିବା ମାଲିକର ଘରେ ରହିଥାଏ ଦିନରାତି ଚବିଶଘଣ୍ଟା। ତା’ ଆହାର ବିହାର, ଖେଳକୁଦ ସବୁକିଛି ହେଉଥାଏ, କିନ୍ତୁ ସେଇ ଘର ଭିତରେ କେବଳ। ତା’ କାମ କହିଲେ ସକାଳୁ ସଞ୍ଜଯାଏ କେବଳ ମାଲିକ/ମାଲିକାଣୀର ପାଖେପାଖେ ରହି ଗୁଡୁରୁ ଗୁଡୁରୁ ହେଉଥିବ। କେତେବେଳେ କେମିତି ଦେହରେ ଟିକେ ଆଦରରେ ଘଷି ହେଉଥିବ। ଭଲମନ୍ଦ କିଛି ହିଁ ବାଛବିଚାର ନ କରି ଯାହା ମିଳୁଥିବ ଗେଫି ଦେଉଥିବ। କେବେ କେମିତି କୋଉ ଘରମୂଷାକୁ ଶିକାର କଲା ତ କଲା, ନ ହେଲେ ବାକି ସମୟ କୋଉ ମଞ୍ଚାତଳେ କି କୋଉ ଖଟତଳେ ଶୋଇ ଘୁଙ୍ଗୁଡ଼ି ମାରୁଥିବ ଅଚିନ୍ତାରେ। କେତେବେଳେ ବର୍ଷା ହେଲା କି କେତେବେଳେ ପଡ଼ିଲା ଖରା, ସେସବୁ ବାହାର ଦୁନିଆର କଥା କିଛିହେଲେ ଜାଣେନାହିଁ ଘର୍‌ମାଓ। ତା’ ପାଇଁ ଜାଣିବାର ଆବଶ୍ୟକତା ହେଲେ କ’ଣ? ତାକୁ ତ ସମୟ ଜାଣି ଖାଇବାକୁ ମିଳୁଛି ପେଟପୂରା ଦାନା। ଶୋଇବାକୁ ମିଳୁଛି ନରମ ବିଛଣା ଏବଂ ଅପର୍ଯ୍ୟାପ୍ତ ସମୟ। ତେବେ ତା’ର ଚିନ୍ତା କ’ଣ? ଛୋଟବଡ଼ ଜୀବଜନ୍ତୁ ଶିକାର କରି ଆତ୍ମ ନିର୍ଭରଶୀଳ ହେବାର କୌଣସି ଆବଶ୍ୟକତା ନାହିଁ କି ଦିନକୁ କେତୋଟି ମୂଷା ମାରିବ ସେମିତି କିଛି ଧରାବନ୍ଧା ନିୟମ ମଧ୍ୟ ନାହିଁ ତା’ ପାଇଁ। ଘର ଭଲ ତ ସେ ଭଲ। ଦେଶ ଦୁନିଆ ଉଡ଼ୁବୁଡ଼ୁ ତା’ର କି ଯାଏ? ସେଇଥି ପାଇଁ ସଦାବେଳେ ବିନ୍ଦାସ୍‌ ଥାଏ ଘର୍‌ମାଓ। ଆତ୍ମରତିରେ ମଗ୍ନ ମସ୍ତମୌଳାଟିଏ ସେ, ସାଂସାରିକ ରାଗ ବିରାଗ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ। ସଦାସର୍ବଦା ଯେଉଁ ଲୋକଟି ପୋଷାବିରାଡ଼ି ପରି କେବଳ ଘର ଭିତରେ ପଡ଼ି ରହିଥାଏ, ଦେଶ ଦୁନିଆର ହାଲଚାଲ୍‌ କିଛି ବୋଲି କିଛି ବି ଜାଣେନା, ସେମିତି ଲୋକକୁ ଘର୍‌ମାଓ ବୋଲି କହିଥାନ୍ତି ଆମ ଅଞ୍ଚଳର ଲୋକମାନେ।
ଅନେକ ବର୍ଷ ତଳର କଥା। ଘର୍‌ମାଓ ପରି ଅହର୍ନିଶ ଘରେ ପଡ଼ି ରହୁଥିବା ତା’ ପୁଅ ସଦାଶିବକୁ ଘରୁ ବାହାରି ହାଟକୁ ବାଟକୁ ଯିବା ପାଇଁ କହୁଥିଲା ଆମ ଗାଆଁର ଉକିଆ ବୁଢ଼ୀ। ତା’ର ଯୁକ୍ତି ହେଲା, ହାଟକୁ ବାଟକୁ ବାହାରିଲେ ସିନା ଜଣେ ଲୋକ ଆହୁରି ଅନେକ ଲୋକଙ୍କ ସହିତ ଭେଟ ହୋଇପାରିବ। ତାଙ୍କ ସାଥିରେ ଭଲମନ୍ଦ ଦି’ପଦ କଥା ହେଉ ହେଉ ଜାଣିପାରିବ ଦେଶ ଦୁନିଆର ହାଲ୍‌ଚାଲ୍‌। ଶିଖିବାକୁ ପାଇବ ଭଦ୍ରଜନୋଚିତ ଆଚାର ବ୍ୟବହାର। ଆହୁରି ମଧ୍ୟ ଶିଖିପାରିବ ମଣିଷର ଚାଲିଚଳଣି, ହାବଭାବ, ରଙ୍ଗଢ଼ଙ୍ଗ। ଅଧିକ କିଛି ହେଉ କି ନ ହେଉ ନିଶ୍ଚିତ ରୂପେ ସମାଜ ସଚେତନ ହୋଇପାରିବ ପିଲାଟି। ସେମିତିରେ ବଳେ ବଳେ ବ୍ୟାପକ ହୋଇଯିବ ତା’ର ଦୃଷ୍ଟିଭଙ୍ଗୀ। ଦୁନିଆରେ ଏକା ଏକା ଚାଲିବାକୁ ପାଇବ ଶକ୍ତି ଆଉ ସାହସ। ଘରେ ବସି ବସି ସମୟ କାଟିଲେ କ’ଣ ଅବା ଦେଖିବାକୁ କି ଶିଖିବାକୁ ମିଳିବ ତାକୁ?
ଅନ୍ୟଲୋକଙ୍କ ଦୃଷ୍ଟିରେ ଗାଉଁଲି ମୂର୍ଖ ମହିଳା ହେଲେ ହେଁ ଆମ ସଦାଶିବର ମାଆ ଉକିଆ ବୁଢ଼ୀ କିନ୍ତୁ ଠିକ୍‌କଥା ହିଁ କହୁଥିଲା, ଯାହା କି ଆଜିକାର ବଡ଼ ବଡ଼ ଶିକ୍ଷିତ ଲୋକଙ୍କ ମୁଣ୍ଡକୁ ବି ଢୁକି ପାରୁନାହିଁ। ପ୍ରତିଯୋଗିତାପୂର୍ଣ୍ଣ ଏଇ ଦୁନିଆରେ ପିଲାଟି ଦିନରୁ କେବଳ ପାଠ ପଛରେ ଗୋଡ଼େଇ ଗୋଡ଼େଇ ପରିଶେଷରେ ଆମ ପିଲେ ହୋଇ ଯାଉଛନ୍ତି ଘର୍‌ମାଓ ନତୁବା ଗୋଟେ ଗୋଟେ ସଖୀ କଣ୍ଢେଇ। ଦୁନିଆର ହାଲ୍‌ଚାଲ୍‌ କିଛି ବି ଶିଖି ପାରୁନାହାନ୍ତି ସେମାନେ କି ଜାଣି ପାରୁନାହାନ୍ତି ସମାଜର ଚାଲିଚଳଣି, ହାବଭାବ। ଫଳରେ ତାଙ୍କର ପରବର୍ତ୍ତିତ ଜୀବନରେ ଏକନିଷ୍ଠ ପୁସ୍ତକ ଜ୍ଞାନକୁ ଆଶ୍ରାକରି ସଂସାର ଭିତରେ ଚାଲିବାକୁ ଆରମ୍ଭ କରିବା ବେଳେ ସହଜରେ ବାଟହୁଡ଼ି ଯାଉଛନ୍ତି ବିଚରାମାନେ। ଅଜାଣତରେ ଅଜ୍ଞାନ ଅନ୍ଧକୂପରେ ପଡ଼ି ଛଟପଟ ହେଉଛନ୍ତି। କେବେ କୋଉଠି କୌଣସି ଆପଦ ବିପଦରେ ପଡ଼ିଲେ, ଅଳ୍ପକେ ହୋଇ ପଡ଼ୁଛନ୍ତି ଧୈର୍ଯ୍ୟହରା। ହୋଇଯାଉଛନ୍ତି ଅଥୟ, ଚିନ୍ତିତ। କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ଭୁଲିଯାଉଛନ୍ତି ନିଜର ଜ୍ଞାନଧ୍ୟାନ ସବୁକିଛି। ଖୋଜିଲୋଡ଼ି ବାହାର କରିପାରୁନାହାନ୍ତି ଆସନ୍ନ ବିପଦର ଆବର୍ତ୍ତରୁ ମୁକୁଳିବାର ବାଟ। ତେଣୁ ନିଜକୁ ଅତ୍ୟନ୍ତ ଅସହାୟ ମନେକରୁଛନ୍ତି ସେଇ ନିଷ୍ପାପ ପିଲାମାନେ। କାହିଁକି ନା ସେମାନଙ୍କୁ କେଉଁଠୁ ହେଲେ ମିଳିପାରୁନାହିଁ ବ୍ୟବହାରିକ ଜ୍ଞାନ, ମାନସିକ କି ବୌଦ୍ଧିକ ସମର୍ଥନ। ହଇହୋ ବାବୁ, ପୋଥି ବାଇଗଣ ଆଉ ବାଡ଼ି ବାଇଗଣ ଭିତରେ କ’ଣ କିଛିହେଲେ ତଫାତ୍‌ ନାହିଁ? ପୋଥି ବାଇଗଣ ଚାଷ କରିବା ସହଜ। କିନ୍ତୁ ବାଡ଼ିରେ ବାଇଗଣ ଉପୁଜାଇବା କେତେ କଷ୍ଟ? ତାହା ଜଣେ ଚାଷୀ ହିଁ କହିପାରିବ।
ଘର୍‌ମାଓ/ଗ୍ରନ୍ଥକୀଟ ଭଳି ଜୀବନଟିଏ ଜିଉ ଜିଉ ଆମ ପିଲାମାନେ ହଜେଇ ଦେଉଛନ୍ତି ଜୀବନ ଜିଇବାର ଅସଲ ବାଟ। ଅନୁଭବିବାରୁ ବଞ୍ଚିତ ହେଉଛନ୍ତି ବାହାରର ଖୋଲା ପବନ କି ମୁକ୍ତ ଆଲୋକ। ପରିବାର କି ସମାଜ ଭିତରେ କାହା ସହିତ ହୃଦୟ ଖୋଲି ମିଶି ପାରୁନାହାନ୍ତି ସେମାନେ; ଯାହା ଫଳରେ ଏକାକି ହୋଇ ଯାଉଛନ୍ତି ତାଙ୍କ ଜୀବନର ଚଲାପଥରେ। ସତ୍‌ପରାମର୍ଶ ଦେବାକୁ କି ହାତଧରି ସତ୍‌ମାର୍ଗରେ ବାଟ କଢ଼େଇ ନେବାକୁ, ସେମାନଙ୍କ ଆଗକୁ କି ପଛକୁ କେହି ନାହାନ୍ତି ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ, ଗୁରୁ ଗୁରୁଜନ। ଏମିତି ସ୍ଥିତିରେ ସେମାନେ କେଉଁଠୁ ପାଇପାରିବେ ବ୍ୟବହାରିକ ଜ୍ଞାନ? ପୁସ୍ତକଜ୍ଞାନ ହୁଏତ ଚାକିରି ବୃତ୍ତିଟେ ଯୋଗାଇ ଦେଇପାରେ, କିନ୍ତୁ ତାହା ସର୍ବଶ୍ରେଷ୍ଠ ନୁହେଁ। କାରଣ ତାହା ନୁହେଁ ଅନୁଭୂତି ସିଦ୍ଧ କି ବ୍ୟବହାରିକ। ଏଣୁ କେତେବେଳେ କେଉଁଠି ଅସୁବିଧାରେ ପଡ଼ିଲେ କି ଠିକ୍‌ପଥ ନିରୁପଣ କରି ନ ପାରିବାର ଏକ ଦୋଦୁଲ୍ୟମାନ ସ୍ଥିତିରେ ଅଟକି ଗଲେ, ଆମ ପିଲାଙ୍କୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେଇପାରୁନାହିଁ ତାଙ୍କର ପୁସ୍ତକଲବ୍ଧ ଜ୍ଞାନ। ସେଇଥି ପାଇଁ ବାରମ୍ବାର ବାଟହୁଡ଼ି ଯାଉଛନ୍ତି। ଏପରି କି ଅବାଟରେ ଚାଲି ଯାଉଛନ୍ତି ସେମାନେ। ସେମିତି ହେଉ ନ ଥିଲେ, ଆମ ପିଲାମାନେ ଆଜି ବଞ୍ଚିବାର ରାହା ହରେଇ ନିଶାଗ୍ରସ୍ତ ହେଉ ନ ଥାନ୍ତେ କି ସର୍ବଶୂନ୍ୟତାର ଅନୁଭବରେ ବାଛି ନେଉ ନ ଥାନ୍ତେ ସୁଇସାଇଡ୍‌ ଭଳି ଗୋଟେ ଚରମ ପନ୍ଥା।
ପିଲାଏ ବିପଥଗାମୀ ହେବା କି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିବା, ଏକ ବିରାଟ ସଙ୍କଟ ଭାବେ ଉଭା ହୋଇଛି ଆଜିକାର ସମାଜରେ। ଏଇ ସଙ୍କଟରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ କିଛି ଗୋଟେ ନୂଆବାଟ ବାହାର କରିବାକୁ ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ। ଘର୍‌ମାଓ/ଗ୍ରନ୍ଥକୀଟ ଅବସ୍ଥାରୁ ମୁକୁଳାଇ ଦେବାକୁ ହେବ ବ୍ୟବହାରିକ ଜ୍ଞାନ। କାରଣ ବିପଥଗାମୀ ପିଲାଙ୍କୁ ସତ୍‌ମାର୍ଗରେ ନେଇଯିବାର ଦାୟିତ୍ୱ ଆମ ସମସ୍ତଙ୍କର। ହେଲେ ସେଇ ଗୁରୁଦାୟିତ୍ୱ ମୁଣ୍ଡେଇବା ପାଇଁ ଏବେ ଆମେ ଚେତିବା କି ଅଚିନ୍ତାର ଘୁଙ୍ଗୁଡ଼ି ମାରି ଶୋଇ ଯାଇଥିବା ଅନନ୍ତକାଳ ପର୍ଯ୍ୟନ୍ତ?
ଭାରତୀ କୁଟୀର, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର, ମୋ:୮୨୪୯୮୦୭୨୬୭


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?