ମନ୍ତ୍ରୀଙ୍କ ପାଖଲୋକ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ବହୁ ବର୍ଷ ଧରି ମାଲକାନଗିରିରେ ଚାକିରି କରି ଆସୁଥିବା ଓ ତଜ୍ଜନିତ ଦୁଃଖ ଏବଂ ଅସହାୟତାକୁ ଟେଲିଫୋନ୍‌ରେ ତା’ ସହ ବାଣ୍ଟିଥିବା ଏ ଲେଖକର ଜଣେ ପୂର୍ବତନ ଛାତ୍ରକୁ ଏଇ କରୋନା କାଳରେ ଅଚାନକ ରାଜଧାନୀ ଭୁବନେଶ୍ୱରକୁ ବଦଳି ହୋଇ ଆସିଥିବା ଖବର ନିଶ୍ଚିତ ଭାବେ ଏକ ଶୁଭ ଖବର ଶ୍ରେଣୀଭୁକ୍ତ କରାଯାଇପାରେ। କଥା ପ୍ରସଙ୍ଗରେ ଏଇ ସଫଳତା ପାଇଁ ତାଙ୍କୁ ସାବାସୀ ଦେଇ ‘ସବୁ ଦୁଃଖର ଏକ ଶେଷ ଥାଏ’ ଭଳି ଗୁରୁସୁଲଭ ଆପ୍ତବାଣୀଟିଏ ଶୁଣାଇଲା ପରେ ପୁରାତନ ଛାତ୍ର ଜଣକ ଯେଉଁ ବିଶେଷ ଚରିତ୍ରଙ୍କ ପ୍ରତି କୃତଜ୍ଞତା ପ୍ରକଟ କରି ତାଙ୍କୁ ନିଜର ଦୁଃଖ ମୋଚନକାରୀ ଭାବେ ଚିତ୍ରଣ କଲେ ସେଇ ଚରିତ୍ରଙ୍କ ନାମ ହେଉଛି ‘ମନ୍ତ୍ରୀଙ୍କ ପାଖଲୋକ’।
ଏମାନେ ଏକ ବିଶେଷ ବର୍ଗର ଲୋକ, ଯେଉଁମାନେ ମନ୍ତ୍ରୀ ନୁହନ୍ତି ସିନା, ମାତ୍ର ମନ୍ତ୍ରୀଙ୍କ ସାମର୍ଥ୍ୟକୁ ବିଚାରକୁ ନେଲେ ମନ୍ତ୍ରୀଙ୍କଠୁ କିଛି କମ୍‌ ନୁହନ୍ତି। ଯେଉଁମାନଙ୍କଠୁ ମନ୍ତ୍ରୀଙ୍କ ଭଳି ଅସାଧାରଣ ମାନ୍ୟବରମାନେ ଯୋଜନ ଯୋଜନ ଦୂରତ୍ୱରେ, ସାମାନ୍ୟ ପ୍ରାପ୍ତି ପାଇଁ ପ୍ରାର୍ଥନା ପେସ୍‌ କରୁଥିବା କୃପା ପ୍ରାର୍ଥୀମାନଙ୍କ ଲାଗି ମନ୍ତ୍ରୀମାନେ ଯେତେବେଳେ ଅପହଞ୍ଚ ଇଲାକାର ଅଧୀଶ୍ୱର, ସେତେବେଳେ ଏଇ ପାଖଲୋକମାନେ ହିଁ ଆଶାର ଆଶ୍ୱାସନା ଓ ସଫଳତାର ସମ୍ଭାବନା ହୋଇ ଉଭା ହୋଇଥାନ୍ତି। ମନ୍ତ୍ରୀଙ୍କ ସହ ନୈକଟ୍ୟକୁ ନେଇ ଏମାନେ ଅସାଧ୍ୟ ସାଧନ କରିପାରନ୍ତି। ଏମାନେ କେହି ମନ୍ତ୍ରୀଙ୍କ ସମ୍ପର୍କୀୟ ନୁହନ୍ତି ବା ସଖା ସହୋଦର ହୋଇ ନ ପାରନ୍ତି। ତେବେ କେଉଁ ବିଶେଷ ଗୁଣ ଦ୍ୱାରା ଏମାନେ ମନ୍ତ୍ରୀଙ୍କ ପାଖଲୋକ ଭାବେ ମାନ୍ୟତା ଅର୍ଜନ କରିଥାନ୍ତି, ତାହା ଭିତରକୁ ନ ଯାଇ କେବଳ ଏତିକି କହିଲେ ଯଥେଷ୍ଟ ହେବ ଏମାନଙ୍କ ମଧ୍ୟସ୍ଥ ବିନା ମନ୍ତ୍ରୀଙ୍କ କରୁଣାରୁ କିଞ୍ଚତ୍ତ ଲାଭ କରିବା ମଧ୍ୟ ଏକ ଅସମ୍ଭବ ବ୍ୟାପାର।
ପ୍ରାୟ ଚାଳିଶ ବର୍ଷ ତଳେ ଏ ଲେଖକ ନୂଆ ନୂଆ ଅଧ୍ୟାପନା କରୁଥିଲାବେଳେ ତା’ର ଦୂରବର୍ତ୍ତୀ ବୃତ୍ତିସ୍ଥଳର ନିକଟବର୍ତ୍ତୀ ଏକ ସ୍ଥାନକୁ ବଦଳି କରି ଆଣିବା ପାଇଁ ନିଜ ଆଡୁ ଆଗେଇ ଆସିଥିଲା ତା’ର ଜଣେ ପୂର୍ବତନ ସହପାଠୀ, ଯିଏ କ୍ରମାଗତ କେଇବର୍ଷ ଫେଲ୍‌ ହେଲା ପରେ ଶେଷରେ ପାଠପଢ଼ା ଛାଡ଼ି ଦେଇଥିଲା ଓ ନୂଆ ନୂଆ ଜଣେ ଯୁବନେତାର ପରିଚୟ ହାସଲ କରୁଥିଲା। ସେତେବେଳର ବୟସ ଓ ପାରିପାର୍ଶ୍ୱିକ ପରିସ୍ଥିତିକୁ ନେଇ ସ୍ଥାନାନ୍ତରିତ ହେବାର ସାମାନ୍ୟ ଆବଶ୍ୟକତା ନ ଥିବାରୁ ତା’ର ଏ ପ୍ରସ୍ତାବକୁ ଆଡ଼େଇ ଦେଇଥିଲେ ମଧ୍ୟ ସେ କେମିତି ଏତେ ବଡ଼ ସାମର୍ଥ୍ୟର ଅଧିକାରୀ ହେଲା ଏହା ଜାଣିବାର ଉତ୍କଣ୍ଠାକୁ ଚାପିପାରି ନ ଥିଲା ଏ ଲେଖକ। ତା’ର ଆଗ୍ରହ ଓ ଉତ୍କଣ୍ଠାକୁ ହତାଦର ନ କରି ତା’ର ସେହି ଅଳ୍ପ ପାଠୁଆ, ଅଥଚ ବଡ଼ ପ୍ରଭାବଶାଳୀ ବନ୍ଧୁ ମୁରଲୀ ଯାହା ବୟାନ କରିଥିଲା, ତାହା ଯେମିତି ଥିଲା ରହସ୍ୟମୟ, ସେମିତି ବି ଥିଲା ରୋମାଞ୍ଚକର।
ସେଇ ବର୍ଷ ନିର୍ବାଚନର ମାସକ ପୂର୍ବରୁ ହାଓ୍ବା ବହୁଥିବା ଦଳର ପ୍ରାର୍ଥୀଙ୍କ ସପକ୍ଷରେ ମୁରଲୀ ସକ୍ରିୟ ଭାବେ ପ୍ରଚାରରେ ଲାଗି ପଡ଼ିଥିଲା। ତା’ର ଏମନ୍ତ ସକ୍ରିୟତା ଦେଖି ସେ ପ୍ରାର୍ଥୀ ମଧ୍ୟ ତାକୁ ଛାମୁଆ କର୍ମୀ ଭାବେ ସ୍ବୀକୃତି ଦେଇଥିଲେ ଓ କେଇବାର ଅତି ଆଗ୍ରହ ଓ ଆନନ୍ଦରେ ସର୍ବଜନ ସମ୍ମୁଖରେ ପିଠି ଥାପୁଡ଼ାଇ ସାବାସୀ ଦେଇଥିଲେ। ପ୍ରାର୍ଥୀଙ୍କ ସହ ମୁରଲୀର ଏ ପ୍ରକାର ପ୍ରକାଶ୍ୟ ନୈକଟ୍ୟକୁ ନେଇ ଲୋକମୁଖରେ ବହୁବିଧ ଆଲୋଚନା ହେଉଥିବାବେଳେ ନିର୍ବାଚନରେ ସେଇ ପ୍ରାର୍ଥୀଙ୍କ ବିଜୟ ମୁରଲୀର ମହତ୍ତ୍ୱକୁ ବହୁଗୁଣିତ କରିଦେଲା। ପ୍ରାର୍ଥୀଙ୍କ ଭାଗ୍ୟ ହେଉ କି ମୁରଲୀର, ନିର୍ବାଚନ ସରିଲା ପରେ ରାଜ୍ୟରେ ଯେତେବେଳେ ନୂଆ ସରକାର ଗଢ଼ା ହେଲା ସେତେବେଳେ ସେଇ ପ୍ରାର୍ଥୀଙ୍କ ମଥାରେ ମନ୍ତ୍ରିତ୍ୱର ମୁକୁଟ ବନ୍ଧାଗଲା। ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀଙ୍କ ପାଖଲୋକ ଭାବେ ମୁରଲୀ ଯେଉଁ ମାନ୍ୟତା ପାଇଥିଲା, ତାହାର ରୂପ ବଦଳିଗଲା ଓ ଆତ୍ମଘୋଷିତ ଭାବେ ମୁରଲୀ ପାଲଟିଗଲା ମନ୍ତ୍ରୀଙ୍କ ପାଖଲୋକ।
ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିବାରେ ଲାଗିପଡ଼ିଥିଲା ମୁରଲୀ। ରାଜଧାନୀରେ ପହଞ୍ଚତ୍ ନୂଆ ମନ୍ତ୍ରୀଙ୍କଠାରୁ ଦିନ ଧାର୍ଯ୍ୟ କରି ଫେରିବା ପୂର୍ବରୁ ତାଙ୍କ ପାଖରେ ପେଶ୍‌ କରିଥିଲା ଏକ ବିଚିତ୍ର ଅନୁରୋଧ। ଅତ୍ୟନ୍ତ ଆବେଗରେ କହିଥିଲା, ”ଆଜ୍ଞା! ଆପଣଙ୍କୁ ଜିତାଇବା ପାଇଁ ଯେଉଁ କର୍ମୀମାନେ ଦିନରାତି ଏକ୍‌ କରି ଦେଇଥିଲେ, ସେମାନଙ୍କ ପେଟପିଠି କଥା ଆପଣ ଯେମିତି ବୁଝିବା କଥା ସେମିତି ବୁଝିବେ। ମୋର ସେ ସବୁ କିଛି ଲୋଡ଼ା ନାହିଁ। କେବଳ ଛୋଟିଆ ଗୋଟିଏ ମାଗୁଣି। ସମ୍ବର୍ଦ୍ଧନା ସଭାରେ ମଞ୍ଚ ଉପରେ ମୋତେ ଟିକେ ପାଖରେ ବସାଇବେ। ସେଇଠି କେତେବେଳେ ଆପଣଙ୍କ ମୁହଁ ମୋ କାନ ପାଖକୁ ତ ଆଉ ବେଳେ ଆପଣଙ୍କ କାନ ମୋ ମୁହଁ ଯାଏ ବଢ଼ାଇଦେବେ। ବେଶି ନୁହେଁ, ଏହିଭଳି ଚାରି ପାଞ୍ଚ ଥର। ବାସ୍‌ ଏତିକି ଆଜ୍ଞା। ଆଉ କିଛି ମୋର ଲୋଡ଼ା ନାହିଁ।“ ଏଇ ଛୋଟ କଥାଟି ପାଇଁ ମନ୍ତ୍ରୀଙ୍କ ଅଭୟ ବରଦାନ ପାଇ ମୁରଲୀ ସେଦିନ ଫେରି ଆସିଥିଲା।
ଯଥା ସମୟରେ ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ମୁରଲୀ ସହ ଅନ୍ୟ ବହୁ ବକ୍ତା ମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଲେ। ସରଳ, ସଚ୍ଚୋଟ, ନିଃସ୍ବାର୍ଥପର, ନିରହଙ୍କାର ଓ ଉପାକାରୀ ଆଦି କେତେ ବିଶ୍ଲେଷଣରେ ମନ୍ତ୍ରୀ ପୋତି ହୋଇପଡିଲେ। କହିବା ବାହୁଲ୍ୟ, ବକ୍ତାମାନଙ୍କର ଭାଷଣ ଚାଲିଥିଲା ବେଳେ ମନ୍ତ୍ରୀ ଓ ମୁରଲୀ ମୁହଁକୁ ମୁହଁ ଲଗାଇ କିଛି ନିଃଶବ୍ଦ ଆଲୋଚନାରେ ବ୍ୟସ୍ତଥିଲେ। ଶେଷରେ ସମ୍ବର୍ଦ୍ଧନାର ଉତ୍ତର ଦେବାକୁ ମନ୍ତ୍ରୀ ଛିଡା ହେଲା ମାତ୍ରେ ସେଇ ମଞ୍ଚ ଉପରେ ତାଙ୍କ ଜୟଧ୍ୱନି ଆରମ୍ଭ କରି ଦେଇଥିଲା ମୁରଲୀ, ଯାହା ପରେ ପରେ ସମଗ୍ର ସଭାସ୍ଥଳକୁ ସଂକ୍ରମିତ ହୋଇ ଗଗନମଣ୍ଡଳ ପ୍ରକମ୍ପିତ ହୋଇ ଉଠିଲା। ମନ୍ତ୍ରୀ ତାଙ୍କ ଚିରାଚରିତ ଭାଷଣ ସରିବା ପୂର୍ବରୁ ଯାହା କହିଲେ, ତାହା ଥିଲା ମୁରଲୀ ଜୀବନକାଳ ମଧ୍ୟରେ ଅର୍ଜନ କରିଥିବା ମହାନ୍‌ ଉପଲବ୍‌ଧିଗୁଡ଼ିକଠାରୁ ଅଧିକ ମହତ୍ତର। ମନ୍ତ୍ରୀ କହିଥିଲେ, ରାଜଧାନୀରେ କର୍ମବ୍ୟସ୍ତ ରହି ମୁଁ ଆପଣମାନଙ୍କ ସୁଖଦୁଃଖ ବୁଝିବାକୁ ଏଠାକୁ ଆସି ନ ପାରେ। ମାତ୍ର ଏ ଅଞ୍ଚଳର ଯେ କୌଣସି ସମସ୍ୟା ମୋ ନଜରକୁ ନେବା ପାଇଁ ମୁଁ ମୁରଲୀବାବୁଙ୍କୁ ଦାୟିତ୍ୱ ଦେଇଯାଉଛି।
ରାଜଧାନୀକୁ ବାହୁଡ଼ିଗଲେ। ମାତ୍ର ସେଇ ଯେ ମୁରଲୀଙ୍କୁ ତାଙ୍କ ପ୍ରତିନିଧି ଭାବେ ମୁକୁଟ ପିନ୍ଧାଇ ଦେଲେ, ସେଦିନରୁ ତାଙ୍କ ମନ୍ତ୍ରିତ୍ୱର ଅବସାନ ଯାଏ ମୁରଲୀ କେବଳ ସେଇ ଅଞ୍ଚଳର ସମସ୍ୟା ନୁହେଁ, ବହୁ ଲୋକଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନକାରୀଭାବେ ଢେର ପ୍ରସିଦ୍ଧ ହୋଇଯାଇଥିଲେ। ପ୍ରସିଦ୍ଧି ସହ ସମତାଳରେ ବଢ଼ି ଚାଲିଥିଲା ତା’ର ଆର୍ଥିକ ସ୍ବଚ୍ଛଳତା, ଠିକ୍‌ ମନ୍ତ୍ରୀଙ୍କର ବଢ଼ି ଚାଲିଲା ପରି। ଅବଶ୍ୟ ଏ କଥା ଭିନ୍ନ ଯେ ମନ୍ତ୍ରୀଙ୍କ କାର୍ଯ୍ୟକାଳର ସେଇ ପାଞ୍ଚବର୍ଷ ପରେ ମନ୍ତ୍ରୀଙ୍କ ମନ୍ତ୍ରିତ୍ୱର ନବୀକରଣ ହୋଇଥିଲା ନା ମୁରଲୀର ସାମର୍ଥ୍ୟ ଓ ପ୍ରସିଦ୍ଧିର। ଏବେ ସେଇ ମନ୍ତ୍ରୀ ସଂସାରରେ ନାହାନ୍ତି ସିନା ମୁରଲୀ କିନ୍ତୁ ପରିଣତ ବୟସରେ ଚିଡ଼ିଆଖାନାର ବୁଢ଼ାଭାଲୁ ପରି ଗାଁରେ ପଡ଼ି ରହିଛି ଓ ଏବେକାର ଯୁବନେତାମାନଙ୍କୁ ଶୁଣାଉଛି ତା’ ଅତୀତର ସାମର୍ଥ୍ୟ ସଙ୍ଗୀତ ।
ସବୁ ଆମ ମୁରଲୀମାନଙ୍କ କଥା, ଯେଉଁମାନଙ୍କ ହାତଧରି ସେଇ ପୁରାତନ ଛାତ୍ରଟି ପରି ବହୁ ଲୋକ ମାଲକାନଗିରିରୁ ବଦଳି ହୋଇ ଭୁବନେଶ୍ୱର ଆସିପାରନ୍ତି ତ ଅନ୍ୟ କେଉଁଠି ଠିକାଦାରିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଯାଏ ଲାଇସେନ୍‌ସ ପାଇ ପାରନ୍ତି। ଏମାନଙ୍କ ଚରିତ୍ର ଏମିତି ଯେ ମନ୍ତ୍ରୀଙ୍କ କୃପାପ୍ରାର୍ଥୀଙ୍କ ପାଇଁ ଏମାନେ ଯେତିକି ପ୍ରିୟ, ମନ୍ତ୍ରୀଙ୍କ ପାଇଁ ମଧ୍ୟ ସେତିକି ପ୍ରିୟ। ଏମାନଙ୍କୁ ଯିଏ ଯେମିତି ଯେଉଁ ବିଶେଷଣରେ ବିଭୂଷିତ କଲେ ବି ଏମାନଙ୍କ ଉପସ୍ଥିତିକୁ ଅସ୍ବୀକାର କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଏତେ ସହଜ ନୁହେଁ। ଏବେ ଅବଶ୍ୟ ‘ମନ୍ତ୍ରୀଙ୍କ ପାଖଲୋକ’ ବଦଳରେ ନୂଆ ନାଆଁଟିରେ ଲୋକେ ଏମାନଙ୍କୁ ଚିହ୍ନୁଛନ୍ତି। ଏମାନଙ୍କ ଉଦ୍ଭବ ଓ ଉତ୍‌ଥାନ ମଧ୍ୟରେ ଯେଉଁ ଲୋକପ୍ରିୟ ନାମରେ ଏମାନେ ପରିଚିତ, ସେଇ ନାଆଁଟି ହେଉଛି ‘ମଧ୍ୟସ୍ଥ’, ଯଦିଓ ନିନ୍ଦୁକମାନେ କହନ୍ତି ‘ଦଲାଲ’। ତେବେ ପାଖଲୋକ ହୁଅନ୍ତୁ କି ମଧ୍ୟସ୍ଥ ଅବା ଦଲାଲ, ଏମାନଙ୍କ ମହିମା ବଡ଼ ଅପାର, ଯାହା ଭେଦ କରି ନ ପାରି ଏକଦା ଜଣେ ପ୍ରଧାନମନ୍ତ୍ରୀ ନିଜକୁ ବଡ଼ ଅସହାୟ ମଣିଥିଲେ।
ସ୍ବଳ୍ପକାଳ ପାଇଁ ମଧ୍ୟବର୍ତ୍ତୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଗୁଲଜାରିଲାଲ ନନ୍ଦା ନିଜ ବାସଭବନରେ ଜନ ଦରବାର କରୁଥିଲେ। ଥରେ ଦୂରବର୍ତ୍ତୀ ଅଞ୍ଚଳର ଜଣେ ବୃଦ୍ଧ ବ୍ୟକ୍ତି ନିଜ ଆପତ୍ତି ଜଣାଇବାକୁ ଆସି ଦେଖିଲେ ଯେ ଅଭିଯୋଗ ପ୍ରକୋଷ୍ଠରେ ପଡ଼ିଥିବା ସମସ୍ତ ଚେୟାର ଅଧିକୃତ ହୋଇସାରିଛି। ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ଚୌକିଟିଏ ଦଖଲ କରିବାକୁ ସେ ବିକଳରେ ଏଣେତେଣେ ଚାହୁଁଥିଲା ବେଳେ ଚେୟାରଟିଏ ଅଧିକାର କରି ପୂର୍ବରୁ ବସିଥିବା ଲୋକଟିଏ ତାଙ୍କୁ ପାଖକୁ ଡାକି କହିଲେ, ”ମୁଁ ପ୍ରଧାନମନ୍ତ୍ରୀଙ୍କ ଗୃହର ଜଣେ ସେବକଙ୍କ ଭାଇ। ଏଠାରେ ଦର୍ଶନାର୍ଥୀଙ୍କ ସଂଖ୍ୟା ଅଧିକ ତ ଚୌକି ସଂଖ୍ୟା କମ୍‌। ଏଣେ ଛିଡ଼ା ହେବାକୁ ଅନୁମତି ନାହିଁ। ସୁତରାଂ, ମୋତେ କୋଡିଏ ଟଙ୍କା ଦେଲେ ମୋ ଚୌକିଟିକୁ ତୁମକୁ ଛାଡ଼ିଦେବି।“ ବୃଦ୍ଧ ବ୍ୟକ୍ତି ବୁଝିଗଲେ ଓ କୋଡ଼ିଏ ଟଙ୍କା ଖର୍ଚ୍ଚ କରି ଚେୟାରଟିର ଅଧିକାର ହାସଲ କଲେ। ନନ୍ଦାଜୀ ଆସିଲେ ଓ ଜଣ ଜଣ କରି ଲୋକଙ୍କ ହାରି ଗୁହାରି ଶୁଣିଲେ। ଯେତେବେଳେ ବୃଦ୍ଧବ୍ୟକ୍ତିଙ୍କର ପାଳି ପଡ଼ିଲା, ସେତେବେଳେ ସେ କହିଲେ, “ପ୍ରଧାନମନ୍ତ୍ରୀ ମହୋଦୟ ! ଆମ ଅଞ୍ଚଳରେ ହେଉଥିବା ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଆପଣଙ୍କୁ ଜଣାଇବା ପାଇଁ ଆସିଥିଲି। ମାତ୍ର ଏଠାରେ ପହଞ୍ଚି ଆଉ ତାହାର ଆବଶ୍ୟକତା ଅନୁଭବ କରୁନାହିଁ। ଆପଣଙ୍କ ପାଖରେ ପହଞ୍ଚିବା ପାଇଁ ମୋତେ ଯେତେବେଳେ ମଧ୍ୟସ୍ଥଙ୍କ ଦୁର୍ନୀତିର ଶିକାର ହେବାକୁ ପଡ଼ିଛି, ସେତେବେଳେ କେଉଁ ଭରସାରେ ମୁଁ ଆମ ଅଞ୍ଚଳରେ ହେଉଥିବା ଦୁର୍ନୀତି ପ୍ରତିବିଧାନ ଆଶା କରିବି !”
ସବୁ ଶୁଣିସାରି ନନ୍ଦା ମହୋଦୟ ଦୁଃଖରେ ହସିଲେ। ଦୁର୍ନୀତି ବିରୋଧରେ ଫେରାଦ ହେବାପାଇଁ ଯେତେବେଳେ ସେଇ ଦୁର୍ନୀତିର ଶିକାର ହେବାକୁ ପଡ଼େ, ସେଠି ଦୁର୍ନୀତି ବିରୋଧରେ ସେ କେମିତି ଲଢ଼ିବେ ବୁଝିପାରିଲେ ନାହିଁ। ପରଦିନଠୁ ତାଙ୍କ ଜନ ଦରବାର ବନ୍ଦ ହୋଇଗଲା !!

ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?