ଦେଶଭକ୍ତି ଓ ବିଦ୍ୟାର୍ଥୀ

ନଗେନ୍ଦ୍ର ନାଥ ପଟ୍ଟନାୟକ

ଅଥର୍ବ ବେଦରେ ଏକ ସ୍ତୋତ୍ର ବା ସୂକ୍ତ ଅଛି- ‘ମାତା ଭୂମିଋ ପୁତ୍ରୋଅହଂ ପୃଥିବ୍ୟା’ ଅର୍ଥାତ୍‌ ‘ଏ ଭୂମି ମୋର ମାତା ଏବଂ ମୁଁ ତାଙ୍କ ପୁତ୍ର।’ ଭାରତବର୍ଷର ସନାତନ ଧର୍ମ ସଂସ୍କୃତିରେ ଏଇ ମହତ୍‌ ଭାବନାର ସ୍ବର ନିରନ୍ତର ଝଙ୍କୃତ ହେବାରେ ଲାଗିଛି। ଏବେକାର ଭାରତବର୍ଷ ତା’ର ଗୌରବାନ୍ବିତ ଇତିହାସ ଓ ସମୃଦ୍ଧ ପରମ୍ପରା ପାଇଁ ବେଶ୍‌ ଜଣାଶୁଣା। ଇଏ ସେହି ଉତ୍କୃଷ୍ଟ ସାଂସ୍କୃତିକ ପରମ୍ପରାର ଦେଶ, ଯାହାର ମୂଲ୍ୟବୋଧରେ ପ୍ରେମ, ଉଦାରତା, ଦୟା, କରୁଣା, ସହଯୋଗ, କ୍ଷମା ଆଦି ସୁଗୁଣ ସଞ୍ଚରିଯାଇଛି। ପ୍ରଚଣ୍ଡ ବିଦ୍ୱାନ୍‌, ପ୍ରଜ୍ଞାଦୀପ୍ତ ମହାପୁରୁଷଗଣ ଭାରତକୁ ସମଗ୍ର ବିଶ୍ୱର ମଉଡ଼ମଣି ବୋଲି ଆଖ୍ୟା ଦେଇଛନ୍ତି।
ସମଗ୍ର ବିଶ୍ୱକୁ ‘ବସୁଧୈବ କୁଟୁମ୍ବକମ୍‌’ ବାର୍ତ୍ତା ବାଣ୍ଟିଥିବା ଏହି ମହନୀୟ ସଂସ୍କୃତି ଆଜିକାର ଯୁବବର୍ଗ ମଧ୍ୟରେ ୧୫ ଅଗଷ୍ଟ ଓ ୨୬ ଜାନୁୟାରୀ ଭଳି ଜାତୀୟ ପର୍ବରେ ସୀମିତ ହୋଇ ରହିଯାଇଛି। ମାତୃଭୂମି ପ୍ରତି ସମର୍ପଣଭାବ, ପ୍ରେମ ସମ୍ପ୍ରିତି, ଦେଶଭକ୍ତିର ସଙ୍ଗୀତ ତଥା ଚଳଚ୍ଚିତ୍ରକୁ ଦେଖି ଜାଗ୍ରତ ଜାଗିଉଠେ କି? ଏଭଳି ପ୍ରଶ୍ନର ଉତ୍ତରରେ ଏତିକି କୁହାଯାଇପାରେ, ଆମେ କେବଳ ଜାତୀୟ ସଙ୍ଗୀତ ଗାନ କରିବା ସଙ୍ଗେ ସଙ୍ଗେ ବନ୍ଦେ ମାତରମ୍‌ର ସ୍ଲୋଗାନ୍‌ ଦେଇ ଚାଲିଛେ। ଉପରୋକ୍ତ କଥା ସବୁ ଆମର ରାଷ୍ଟ୍ରପ୍ରେମ ତଥା ଦେଶଭକ୍ତି ପ୍ରଦର୍ଶନରେ ସହାୟକ ହେଉଥିଲେ ମଧ୍ୟ ଦେଶଭକ୍ତି ଶବ୍ଦଟି ଭିତରେ ଏକ ଉଦାତ୍ତ ତଥା ସୁସ୍ଥ ବିଚାରଧାରା ପ୍ରଚ୍ଛନ୍ନ ଭାବେ ନିହିତ। ଦେଶ ପ୍ରତି ସମର୍ପଣ ଭାବ, ଦେଶ କଲ୍ୟାଣ ପାଇଁ ମହତ୍‌ କାର୍ଯ୍ୟ ହାତକୁ ନେବା, ନ୍ୟସ୍ତସ୍ବାର୍ଥରୁ ଉପରକୁ ଉଠି ଦେଶକୁ ସର୍ବୋଚ୍ଚ ବୋଲି ଆପଣାଇ ନେବା, ତା’ର ସ୍ବାଭିମାନ ଓ ସମ୍ମାନକୁ ଅକ୍ଷୁଣ୍ଣ ରଖିବା ପାଇଁ ସଦା ସତର୍କ ରହିବା, ଦେଶର ସର୍ବାଙ୍ଗୀନ ବିକାଶ ଓ ଭବିଷ୍ୟତକୁ ନିରବଚ୍ଛିନ୍ନ ଭାବେ ସମୁଜ୍ଜ୍ୱଳ ରଖିବାରେ ନିଜକୁ ସଂଶ୍ଳିଷ୍ଟ କରିବା ଇତ୍ୟାଦି ଅନେକ କଥାକୁ ଦେଶଭକ୍ତିର ରୂପ ଦିଆଯାଇପାରେ।
ମାତ୍ର ଏସବୁ ଊର୍ଦ୍ଧ୍ୱରେ ରାଷ୍ଟ୍ରଭକ୍ତିର ଭାବନା କେବଳ ଆମର ଧମନୀରୁ ହିଁ ନିର୍ଗତ ହୋଇଥାଏ। ଦେଶର ସ୍ବାଧୀନତା ସଂଗ୍ରାମ ସମୟରେ ଏ ପ୍ରକାର ମହତ୍‌ ଭାବନାକୁ ପ୍ରଥିତଯଶା କବିମାନେ ଉଦ୍ରେକ କରିଥିଲେ। ଆଜି ଆମ ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଏହି ମହତ୍‌ ଭାବନା ଇ-ଯୁଗରେ ହ୍ବାଟ୍ସ ଆପ୍‌, ଫେସ୍‌ବୁକର କବଳିତ ହୋଇ ମରିମରି ଯାଉଥିବା ଦେଖିବାକୁ ମିଳୁଛି। ଆମେ ଆଧୁନିକତାର ଦୃଷ୍ଟିଭଙ୍ଗୀକୁ ଆପଣାଇ ଆଗକୁ ମାଡ଼ିଚାଲିଛେ ଏବଂ ବିକାଶ ପ୍ରକ୍ରିୟାରେ ବିଶ୍ୱର ସମୃଦ୍ଧଶାଳୀ ଦେଶଗୁଡ଼ିକୁ କଡା ଟକ୍କର ଦେବାରେ ଲାଗିଛେ। ତରୁଣ ପ୍ରତିଭାଧରଙ୍କ ଅନ୍ତର୍ନିହିତ ପ୍ରତିଭାର ଉନ୍ମେଷକୁ ସ୍ବଚକ୍ଷୁରେ ନିରୀକ୍ଷଣ କରୁଛେ। ହେଲେ ଏସବୁ ଭିତରେ ଆମର ଦେଶଭକ୍ତିର ମହତ୍‌ ଭାବନା ଅବଦମିତ ହେଉଥିବା ଲକ୍ଷ୍ୟ କରାଯାଏ। ଯେଉଁ ମହତ୍‌ ବିଚାରସମ୍ପନ୍ନ ବ୍ୟକ୍ତିତ୍ୱ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବାରେ ଏକଦା ସକ୍ଷମ ଥିଲା, ସେଇ ଭାବାବେଗ ଏବେ ଲୋପ ପାଇବାକୁ ବସିଲାଣି।
ତେବେ ଯାହାହେଉ, କିଛିଦିନ ତଳେ ଦିଲ୍ଲୀ ସରକାର ଦେଶଭକ୍ତିକୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବା ଲାଗି ଯେଉଁ ନିର୍ଣ୍ଣୟ ଗ୍ରହଣ କରିଛନ୍ତି, ତାହା ବାସ୍ତବିକ ପ୍ରଶଂସନୀୟ। ଏବର ଯୁବବର୍ଗ ମଧ୍ୟରେ ଲୋପ ପାଇବାକୁ ବସିଥିବା ଦେଶଭକ୍ତି ଭାବନାକୁ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି। ନିଜ ମାତୃଭୂମିର ଶ୍ରେଷ୍ଠତ୍ୱ ଓ ସୁରକ୍ଷା ନିରାପତ୍ତା ଦିଗରେ ସେମାନଙ୍କ ଯୋଗଦାନକୁ ସୁନିଶ୍ଚିତ କରିବାର ପ୍ରକୃଷ୍ଟ ସମୟ ଏବେ ଉପଗତ। ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନର ଭାରତ ନିର୍ମାଣ ପ୍ରକ୍ରିୟାରେ ଯୁବଗୋଷ୍ଠୀଙ୍କୁ ଜଡିତ କରିବା ଏକାନ୍ତ ବାଞ୍ଛନୀୟ। ଏବେକାର ଇ-ଯୁଗରେ ଇଣ୍ଟରନେଟ୍‌ର ମାତ୍ରାଧିକ ଉପଯୋଗରେ ହଜି ଯାଇଥିବା ସେମାନଙ୍କର ପିଲାଦିନକୁ ଫେରାଇ ଆଣିବାକୁ ପଡ଼ିବ। ପିଲାମାନଙ୍କ ମନ ଓ ହୃଦୟରେ ଦେଶଭକ୍ତିର ଭାବନା ଯେପରି ସଞ୍ଚରିଯିବ, ସେଥିପ୍ରତି ସରକାରଙ୍କ ନିଘା ରହିବା ଆବଶ୍ୟକ। ବିଦ୍ୟାଳୟ ସ୍ତରରେ ଦେଶଭକ୍ତିର ଭାବନାକୁ ସୁଦୃଢ଼ କରିବା ସହିତ ତା’ର ବ୍ୟାପକ ପ୍ରସାର ପ୍ରଚାର କରିବା ଦିଗରେ ସରକାର ଓ ଜନସାଧାରଣ ସମ୍ମିଳିତ ପ୍ରଚେଷ୍ଟା କରିବା ଦରକାର। ବିଦ୍ୟାଳୟରେ ସଂକଳ୍ପବଦ୍ଧ ଯୁବପିଢ଼ିଙ୍କ ସର୍ବାଙ୍ଗୀନ ବିକାଶ ଓ ସେମାନଙ୍କ ସମୁଜ୍ଜ୍ୱଳ ଭବିଷ୍ୟତ ଉଚିତ ଦିଶାନିର୍ଦ୍ଦେଶ ଦିଗରେ ବେଶ୍‌ ମହତ୍ତ୍ୱପୂର୍ଣ୍ଣ।
ଅବଶ୍ୟ ଏକଥା ସତ ଯେ, କଞ୍ଚାମାଟି ସମ ପିଲାଟିକୁ ବିଦ୍ୟାଳୟରେ ଭର୍ତ୍ତି କରାଯାଏ ଆଉ ସେଇଠି ନୈତିକ ମୂଲ୍ୟବୋଧ ସହିତ ଭିନ୍ନଭିନ୍ନ ପ୍ରକାରର ଆବଶ୍ୟକତାର ପୂରଣ ପାଇଁ ଶିକ୍ଷା ପ୍ରଦାନ କରାଯାଇଥାଏ। ତେବେ ଏକଥା ହେଜିବାକୁ ହେବ ଯେ, ଦେଶଭକ୍ତିର ମୂଳ ଭାବନାର ପ୍ରସାର ଗୋଟିଏ ଦିନର ପ୍ରୟାସ ନୁହେଁ। ନିରନ୍ତର ଭାବେ ଏହାକୁ ବିଦ୍ୟାଳୟର କାର୍ଯ୍ୟକଳାପ ସହିତ ସାମିଲ କରାଯିବା ବିଧେୟ।
ବିଦ୍ୟାଳୟରେ ଦେଶର ଅସ୍ମିତା, ଗୌରବ ତଥା ଇତିହାସକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଉ, ବିଦ୍ୟାଳୟର ବିସ୍ତୀର୍ଣ୍ଣ ଅଗଣାରେ ଦେଶଭକ୍ତି ସଂକ୍ରାନ୍ତ କାହାଣୀଗୁଡ଼ିକର ଅବିକଳ ଚିତ୍ରଣ କରାଯିବା ଆବଶ୍ୟକ । ସେହିପରି ବିଦ୍ୟାଳୟରେ ଭାରତୀୟ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର କରାଯିବା ନିହାତି ଜରୁରୀ। ମହାପୁରୁଷଙ୍କ ଜୀବନୀ ସଂକ୍ରାନ୍ତ ମାର୍ମିକ ତଥା ପ୍ରେରଣାଦାୟକ ପ୍ରସଙ୍ଗଗୁଡିକୁ ସ୍କୁଲ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବା ଉଚିତ, ଯାହାକୁ କିଶୋର କିଶୋରୀମାନେ ବେଶ୍‌ ଭଲ ଭାବରେ ବୁଝି ଆତ୍ମସାତ୍‌ କରିପାରିବେ। ଦେଶର ସ୍ବାଧୀନତା ସଂଗ୍ରାମର ଗାଥା ସମ୍ବଳିତ କବିତା ଓ କାହାଣୀ ସବୁକୁ ନେଇ ପ୍ରତିଯୋଗିତାର ଆୟୋଜନ କରାଯାଉ । ଏହାଛଡ଼ା ପିଲାଙ୍କ ରୁଚିକୁ ଦୃଷ୍ଟିରେ ରଖି ନାଟକର ଆୟୋଜନ କରାଯାଇପାରେ। ସ୍ଥଳ ବିଶେଷରେ ନୃତ୍ୟ, କଳା ଲୋକଗୀତ ଇତ୍ୟାଦି ମଧ୍ୟ ଗୌରମୟ ଅତୀତକୁ ପ୍ରକଟିତ କରିଥାଏ। ଅତଏବ ଦେଶଭକ୍ତି ଭାବନା ଜାଗ୍ରତ କରାଇବାରେ ଏସବୁ ସହାୟକ ହୋଇପାରେ। ସୈନିକ ଜୀବନ ଅନୁଭବରେ ଭାଗୀଦାର ହେବା ଲାଗି ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦିଆଯିବା ଆବଶ୍ୟକ। ବିଭିନ୍ନ ଅବସରରେ ଯବାନମାନଙ୍କୁ ବିଦ୍ୟାଳୟକୁ ଡକାଇବା, ସେମାନଙ୍କ ଅନୁଭବରେ ସହଭାଗୀଦାର ହେବା ବିଦ୍ୟାର୍ଥୀଙ୍କ ଉପରେ ବିଶେଷ ପ୍ରଭାବ ପକାଇଥାଏ। କିନ୍ତୁ ବିଡ଼ମ୍ବନାର କଥା, ଆଜିକାଲିର ଶୈକ୍ଷିକ ଅନୁଷ୍ଠାନଗୁଡ଼ିକରେ ରାଷ୍ଟ୍ରୀୟ ସଙ୍ଗୀତ ଓ ପ୍ରାର୍ଥନା ଇତ୍ୟାଦିର ଡାକବାଜି ଯନ୍ତ୍ର ଜରିଆରେ ବଜାଯାଇ ଶୁଣାଇ ଦିଆଯାଉଛି। ଏହାର ଶବ୍ଦ ଓ ଭାବରେ ପିଲାଏ ଅଭିଭୂତ ହୋଇ ଯାଉଥିବା ଲକ୍ଷ୍ୟ କରାଯାଉଛି। ବିଦ୍ୟାଳୟର ଶିକ୍ଷାଦାତାଙ୍କୁ ମଧ୍ୟ ଏ ଦିଗରେ ବିଶେଷ ମାର୍ଗଦର୍ଶନ ପ୍ରଦାନ କରିବା ଉଚିତ, ଯୋଉଥିରେ ସେମାନେ ମଧ୍ୟ ଏହି ପୁଣ୍ୟ ତଥା ମହତ୍‌ କାର୍ଯ୍ୟର ଅଗ୍ରଦୂତ ସାଜିପାରିବେ। ମହାପୁରୁଷଙ୍କ ମୂଲ୍ୟବୋଧ ଆଧାରିତ କାହାଣୀଗୁଡ଼ିକୁ ବଚନ ଓ ଶ୍ରବଣ ଜରିଆରେ ଉପସ୍ଥାପନ କରାଯାଉ। ସେମାନଙ୍କ ଜୀବନର ଅଜଣା ଓ ଅନାଲୋଚିତ ପ୍ରସଙ୍ଗଗୁଡ଼ିିକୁ ଶ୍ରେଣୀକକ୍ଷରେ ଶୁଣାଇ ଦିଆଯାଉ। ଦେଶର ସମ୍ମାନ ସଂକ୍ରାନ୍ତ ଅନେକ ଗବେଷଣା ତଥା ଗବେଷକଙ୍କୁ ପାଠ୍ୟକ୍ରମରେ ଯୋଡ଼ି ଦିଆଯାଉ। ମୋଟାମୋଟି ଭାବେ ଜାତି ସଂପ୍ରଦାୟ, ଆଞ୍ଚଳିକତାବାଦ ଊର୍ଦ୍ଧ୍ୱରେ ଉଠି ଦେଶଭକ୍ତିକୁ ଅଗ୍ରପ୍ରାଧାନ୍ୟ ପ୍ରଦାନ କରାଯାଇପାରିଲେ ଏହି ସଂକଳ୍ପ ପୂରଣ ହୋଇଯିବ ବୋଲି ଆଶା।
୯୯୯-୩ ଜଗମୋହନ ନଗର, ଜାଗମରା, ଭୁବନେଶ୍ୱର, ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri