ପଞ୍ଚାୟତିରାଜ ବ୍ୟବସ୍ଥା ଓ ବିଜୁବାବୁ

ଡ. ପ୍ରଫୁଲ୍ଲ କୁମାର ସାହୁ

ଗାଁର ଦେଶ ଭାରତ। ଗାଁ ଉପରେ ନିର୍ଭର କରେ ଦେଶର ଖାଦ୍ୟାବସ୍ଥା ଓ ଅର୍ଥନୀତି। ଗାଁର ବିକାଶ ହିଁ ଦେଶର ବିକାଶ। ଗାଁରୁ ଶାସନ ଆରମ୍ଭ ନ ହେଲେ ସଫଳ ହେବନି ଗଣତନ୍ତ୍ର। ଏପରି ଏକ ବିଚାରଧାରାରୁ ଜନ୍ମ ନେଇଥିଲା ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ୍ୟ ସ୍ବପ୍ନ। ଗ୍ରାମ ସ୍ବରାଜ୍ୟ କହିଲେ ଗାନ୍ଧିଜୀ ବୁଝିଥିଲେ ଦେଶର ସାତଲକ୍ଷ ଗାଁ ହେବ ସାତଲକ୍ଷ ସାଧାରଣତନ୍ତ୍ର। ଏଠାରେ ଅନୁଭୂତ ହେବ ପ୍ରତ୍ୟକ୍ଷ ଗଣତନ୍ତ୍ରର ସ୍ବାଦ। ଶାସନ ଓ ବିକାଶ ପ୍ରକ୍ରିୟାରେ ସମସ୍ତେ ଭାଗ ନେବେ, ମତ ଦେବେ ଏବଂ ଗ୍ରାମସଭାରେ ବସି ନିଷ୍ପତ୍ତି ନେବେ ସମୂହଭାବେ। ସେମାନେ ଏକାଠି ହୋଇ ଏଭଳି ପ୍ରତିନିଧି ବାଛିବେ ଯେ, ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବେ ଏବଂ ଉତ୍ତରଦାୟୀ ରହିବେ ପଞ୍ଚାୟତ ପାଖରେ।
ଗାନ୍ଧିଜୀଙ୍କ ଦୃଷ୍ଟିରେ ଦେଶର ସ୍ବାଧୀନତା ଓ ଗ୍ରାମ୍ୟ ବିକାଶ ଥିଲା ମୁଦ୍ରାର ଦୁଇଟି ପାର୍ଶ୍ୱ। ସ୍ବାଧୀନତା ପ୍ରାପ୍ତିର ବହୁ ପୂର୍ବରୁ ଏ କଥା ସେ ଲେଖିଥିଲେ ତାଙ୍କ ‘ହିନ୍ଦ୍‌ ସ୍ବରାଜ’ ଗ୍ରନ୍ଥରେ। ମାତ୍ର ବିଡ଼ମ୍ବନାର ବିଷୟ ଗାନ୍ଧିଜୀଙ୍କର ଏହି ବିଚାରଧାରାକୁ ସ୍ବାଧୀନ ଭାରତରେ ମିଳିଲାନି ପ୍ରାଥମିକତା। ଗ୍ରାମ ସ୍ବରାଜ୍ୟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମ୍ବିଧାନର ନିର୍ଦ୍ଦେଶମୂଳକ ନୀତି ୪୦ ଧାରାରେ ଅନ୍ତର୍ଭୁକ୍ତ କରାଗଲା, ଯାହାଥିଲା ରାଜ୍ୟଗୁଡ଼ିକର ଇଚ୍ଛାଧୀନ ବିଷୟ। ଭାରତ ଭଳି ଏକ ବିରାଟ ଦେଶରେ ଶାସନ ବ୍ୟବସ୍ଥା କେବଳ ଦିଲ୍ଲୀ କିମ୍ବା ରାଜ୍ୟ ରାଜଧାନୀରୁ ନିୟନ୍ତ୍ରିତ ଓ ପରିଚାଳିତ ନ ହୋଇ କ୍ଷମତାର ବିକେନ୍ଦ୍ରୀକରଣର ଆବଶ୍ୟକତା ପରବର୍ତ୍ତୀ ସମୟରେ ଅନୁଭୂତ ହେଲା ଏବଂ ସେଥିପାଇଁ ୧୯୫୭ ମସିହାରେ ଗଠନ ହେଲା ବଳବନ୍ତରାୟ ମେହେଟ୍ଟା କମିଟି। ଏହି କମିଟିର ରିପୋର୍ଟ ଆଧାରରେ ୧୯୫୯ ମସିହା ଅକ୍ଟୋବର ୨ ତାରିଖ(ଗାନ୍ଧୀ ଜୟନ୍ତୀ)ରୁ ଦେଶରେ କାର୍ଯ୍ୟକାରୀ ହେଲା ପଞ୍ଚାୟତିରାଜ ବ୍ୟବସ୍ଥା। କିନ୍ତୁ ଏହାର ଆଇନଗତ ଉତ୍ତରଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ଥିବାରୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ନିର୍ବାଚନ ହେଲାନାହିଁ କି ସଶକ୍ତ ହୋଇ ପାରିଲାନି ପଞ୍ଚାୟତିରାଜ ବ୍ୟବସ୍ଥା। ଏହାକୁ ଦୃଷ୍ଟିରେ ରଖି ୧୯୮୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ କଲେ, ଯାହା ବହୁ ଘାତପ୍ରତିଘାତ ପରେ ଆଇନରେ ପରିଣତ ହେଲା ଏବଂ ସେବେଠୁ ଗଣତନ୍ତ୍ରରେ ଯୋଡ଼ି ହୋଇଗଲା ଏକ ନୂଆ ଅଧ୍ୟାୟ। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବାର ପ୍ରାୟ ଅଢ଼େଇବର୍ଷ ପୂର୍ବରୁ ଓଡ଼ିଶାରେ କାର୍ଯ୍ୟକାରୀ ହୋଇ ସାରିଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ। ବିଜୁବାବୁ ରାଜ୍ୟ ଆଇନରେ ବ୍ୟାପକ ସଂଶୋଧନ ଆଣିବା ସହିତ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ରଖିଥିଲେ ୩୩ଭାଗ ଆସନ ସଂରକ୍ଷଣ ବ୍ୟବସ୍ଥା। ତଦନୁଯାୟୀ ୧୯୯୨ରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେଲା ଏବଂ ସେବେଠାରୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପୁନର୍ଜନ୍ମ ଲାଭ କଲା ଏକ ନୂଆ ରୂପରେ। ଏହି ବ୍ୟବସ୍ଥା ଦ୍ୱାରା ପ୍ରକଟ ହେଲା ଲୋକଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତିରେ ସାମାଜିକ, ଅର୍ଥନୈତିକ ଏବଂ ବୌଦ୍ଧିକ ବିକାଶ ଲାଗି ବିଶ୍ୱାସ। ଅର୍ଥାତ୍‌ କ୍ଷମତା ବିକେନ୍ଦ୍ରୀକରଣ ଓ ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନ କରିବା କ୍ଷେତ୍ରରେ ବିଜୁବାବୁ ଥିଲେ ସମଗ୍ର ଭାରତବର୍ଷରେ ଅଗ୍ରଗଣ୍ୟ ଓ ଦୃଷ୍ଟାନ୍ତ ସୃଷ୍ଟିକାରୀ ନେତା। ତେଣୁ ତାଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କଲେ (୧୯୯୩) ଏବଂ ତଦନୁଯାୟୀ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହା ପାଳନ ହୋଇଆସୁଅଛି ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖରେ।
ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମାଞ୍ଚଳର ପ୍ରଗତି ଗ୍ରାମ ବିକାଶ ନୀତିର ଏକ ପୁରୁଣା ଖସଡ଼ା। ଏହି ବ୍ୟବସ୍ଥା ଜରିଆରେ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ, ନିରକ୍ଷରତା, ଅପପୁଷ୍ଟି ଓ ଅନ୍ୟାନ୍ୟ ଅସୁବିଧା ଦୂର ହୋଇପାରିବ ବୋଲି ଦୃଢ଼ ଆଶାପୋଷଣ କରିଥିଲେ ବିଜୁବାବୁ। ମାତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ବି ଅନେକ ଦୁର୍ଗମ ଗାଁ ଏବେ ସୁଦ୍ଧା ବିକାଶ ଅପେକ୍ଷାରେ। ଗାଁର ବିକାଶ ପାଇଁ ଯୋଜନା ଦ୍ୱାରା ଗାଁର ଆର୍ଥନୀତିକ ଚିତ୍ର ବହୁମାତ୍ରାରେ ବଦଳିଛି ସତ କିନ୍ତୁ ସାମାଜିକ ଓ ସାଂସ୍କୃତିକ ଜୀବନଧାରାରେ ଆସିଛି ଅବକ୍ଷୟ। ଗାଁ ଆମ ସାମାଜିକ ଜୀବନଧାରାର ମୌଳିକ ଆଧାର। କର୍ମସଂସ୍କୃତି, ସହଯୋଗ ଓ ସଦ୍‌ଭାବନାର ଭିତ୍ତିଭୂମି କୁହାଯାଉଥିବା ଗାଁରେ ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ରକରି ସୃଷ୍ଟି ହେଉଛି ଫାଟ। ଭାଇ ଭାଇ ଭିତରେ ତୁଟିଯାଉଛି ସମ୍ପର୍କ। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମସଭା ହେଉଛି ତା’ର କେନ୍ଦ୍ରବିନ୍ଦୁ। ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା କ୍ଷେତ୍ରରେ ତା’ର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ପଞ୍ଚାୟତ ସ୍ତରରେ ଗଣତାନ୍ତ୍ରିକ ଅଧିକାର ବା ସହଭାଗିତାକୁ ସୁନିଶ୍ଚିତ କରେ ଗ୍ରାମସଭା। ୭୩ତମ ସମ୍ବିଧାନ ସଂଶୋଧନ ବଳରେ ଗ୍ରାମସଭାକୁ ସାମ୍ବିଧାନିକ ମର୍ଯ୍ୟାଦା ମିଳୁଥିବାରୁ ଏଥିରେ ପାରିତ ହେଉଥିବା ପ୍ରସ୍ତାବ ହିଁ ଚୂଡ଼ାନ୍ତ। ଅର୍ଥାତ୍‌ ଗ୍ରାମସଭା ହିଁ ଗ୍ରାମର ବିଧାନସଭା। ଗ୍ରାମର ପ୍ରତ୍ୟେକଟି ବିକାଶ ପାଇଁ ଏହି ସଭାରେ ବସି ନିଷ୍ପତ୍ତି ନିଅନ୍ତି ଗାଁ ଲୋକେ। ମାତ୍ର ବାସ୍ତବ ସ୍ଥିତି କହୁଛି ଦଳଗତ ପକ୍ଷପାତିତା ପାଇଁ ଗାଁରେ ମୁଣ୍ଡ ଟେକୁଛି ହିଂସା, ଆକ୍ଷେପ ଓ ପ୍ରତିଆକ୍ଷେପ ଆଦି ସମସ୍ୟା।
ଦଳମୁକ୍ତ ପଞ୍ଚାୟତ ନିର୍ବାଚନ ଗ୍ରାମାଞ୍ଚଳର ବିକାଶ ପାଇଁ ଏକ ଆହ୍ବାନ। ଏହି ଦୃଷ୍ଟିରୁ ବିଚାରକଲେ ରାଜନୈତିକ ବିବାଦରୁ ପଞ୍ଚାୟତକୁ ଦୂରେଇ ରଖିବା ପାଇଁ ସରପଞ୍ଚ ପ୍ରାର୍ଥୀଙ୍କୁ ଦଳୀୟ ଚିହ୍ନ ଦିଆଯାଇନି ସତ, ହେଲେ ତାଙ୍କ ପଛରେ ଦଳର ସମର୍ଥନ ଥାଏ ଏବଂ ତାଙ୍କୁ ଜିତେଇବା ପାଇଁ କଳ ବଳ ପ୍ରୟୋଗ କରେ ଦଳ। ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇଛି ସତ, ହେଲେ ଅନେକ କ୍ଷେତ୍ରରେ ନିର୍ବାଚିତ ମହିଳାମାନଙ୍କୁ ଢାଲ କରି କ୍ଷମତା ଉପଭୋଗ କରୁଛନ୍ତି ସ୍ବାମୀ, ଶ୍ୱଶୁର, ବାପା ଓ ଭାଇମାନେ।
ବିଜୁବାବୁ କହୁଥିଲେ ସରପଞ୍ଚମାନେ ହିଁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ। ସେମାନଙ୍କ ନିଷ୍ଠା, ନିରପେକ୍ଷତା, ନିଃସ୍ବାର୍ଥପରତା ଓ ଦକ୍ଷତା ଉପରେ ନିର୍ଭର କରେ ପଞ୍ଚାୟତର ବିକାଶ। ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ୍‌ କଲାମଙ୍କ ମତରେ ‘ଭାରତବର୍ଷ ଦରକାର କରେ ପ୍ରତି ପଞ୍ଚାୟତରେ ଜଣେ ସୃଜନଶୀଳ ନେତା, ଯିଏ ସିଂହାସନରେ ନ ବସି ସାଧାରଣ ଲୋକଙ୍କ ସାଙ୍ଗରେ ବସିବେ, ଆମ ପାଇଁ ଉତ୍ତରଦାୟୀ ରହିବେ ଏବଂ ରୋଲ୍‌ ମଡେଲ ହୋଇ ଅବସ୍ଥାନ କରିବେ ଆମ ହୃଦୟରେ।’ ବାସ୍ତବରେ ଗ୍ରାମବାସୀଙ୍କ ସୁଖ ଦୁଃଖରେ ଠିଆ ହେଉଥିବା ଲୋକଟି ହିଁ ସରପଞ୍ଚ। ସେଭଳି ଯୋଗ୍ୟ ପ୍ରାର୍ଥୀ ନିର୍ବାଚିତ ହେଲେ ତ୍ୱରାନ୍ବିତ ହେବ ବିକାଶ ପ୍ରକ୍ରିୟା। ଅନ୍ୟଥା ଦୁର୍ବଳ ହୋଇପଡ଼ିବ ପଞ୍ଚାୟତିରାଜ ବ୍ୟବସ୍ଥା। ତଳସ୍ତରରେ ବ୍ୟବସ୍ଥା ହୁଗୁଳିଗଲେ ଭୁଶୁଡ଼ି ପଡ଼ିବ ସମୁଦାୟ ଶାସନ।
ବିଜୁ ପଟ୍ଟନାୟକ ନଗର
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?