Posted inଫୁରସତ

ପଣା

ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହ ପଣା ବା ପ୍ରପାନକ ଜଡ଼ିତ। ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହା ଅତି ପ୍ରିୟ। ଏହାକୁ ପିଇବା ମାତ୍ରେ ତୃଷା ନିବାରଣ ହୁଏ, ତୁରନ୍ତ ଶକ୍ତି ମିଳେ। ପ୍ରସାଦଭାବେ ଦେବୀ ଦେବତାଙ୍କୁ ଅର୍ପଣ ମଧ୍ୟ କରାଯାଏ। ମାନବଠାରୁ ଆରମ୍ଭ କରି ଦେବଦେବୀ, ଚଣ୍ଡୀ ଚାମୁଣ୍ଡା, ଅଶରୀରୀ ସମସ୍ତଙ୍କ ପାଇଁ ଏହା ଅମୃତ ତୁଲ୍ୟ। ପଣାର ମହତ୍ତ୍ୱ ଏତେ ଯେ ଏହାକୁ ନେଇ ପର୍ବ ବି ରହିଛି। ବୈଶାଖ ମାସର ସଂକ୍ରାନ୍ତି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିଭାବେ ପରିଚିତ। ଏହିଦିନ ଘରେ ଘରେ ପଣା ହୁଏ। ପଣା ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷଭାବେ ମଧ୍ୟ ପାଳନ କରାଯାଇଥାଏ।

ପରମ୍ପରାରେ ମହାନୈବେଦ୍ୟ ଅର୍ପଣରେ ‘ପେୟ’ ଶବ୍ଦରେ ପଣାକୁ ସମୀକରଣ କରାଯାଇଛି। ଏପରିକି ହୋମ, ଯଜ୍ଞରେ ମଧ୍ୟ ପଣାର ବ୍ୟବହାର ଅଛି। ପରମ୍ପରା ଅନୁଯାୟୀ ପେୟ ୬ଟି ଦ୍ରବ୍ୟ ଯଥା ଦୁଗ୍ଧ, ଲହୁଣି, ସାବର୍ତ୍ତ, ଦହି, ମହୁ ଓ ଘିଅ ଆଦିକୁ ମିଶାଇ ପ୍ରସ୍ତୁତ କରାଯାଏ। ଏହା ‘ପରଶୁରାମ କଳ୍ପସୂତ୍ର’ ଗ୍ରନ୍ଥ ଅନୁସାରେ ନିର୍ଦ୍ଦିଷ୍ଟ। ତେବେ ଆଜିକାଲି ସାବର୍ତ୍ତ ଓ ଘିଅ ନ ପକାଇ କଦଳୀ ଏବଂ ଛତୁଆ ମିଶାଇ ପଣା ପ୍ରସ୍ତୁତ କରାଯାଉଛି। ଓଡ଼ିଶାର କେତେକ ଅଞ୍ଚଳରେ ନଡ଼ିଆକୁ କୋରାଯାଇ ବି ମିଶାଯାଉଛି। ପଣା ଓଡ଼ିଆମାନଙ୍କ ଘରେ ଭୋଗ ଭାବେ ମଧ୍ୟ ଲାଗି କରାଯାଇଥାଏ। ତୁଳସୀ ଚଉଁରା ଉପରେ ଶିକା ବାନ୍ଧି ଏକ ଘଡିରେ ପଣା ରଖି ତାକୁ ଘୋଡ଼ାଇ, ଘଡ଼ିର ତଳଭାଗରେ ସରୁ ଛିଦ୍ର କରି କୁଶକୁ ଶାସ୍ତ୍ର ବିଧିରେ ଖଞ୍ଜାଯାଇ ତଳକୁ ଓହଳାଯାଏ। ସେଇ ଛିଦ୍ରରୁ କୁଶ ଦେଇ ତୁଳସୀ ମୂଳରେ ପଣା ପଡ଼େ। ଏହିପରି ମାସେ ଅର୍ଥାତ୍‌ ସଂକ୍ରାନ୍ତିରୁ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲେ। ତେବେ ମହା ବିଷୁବ ସଂକ୍ରାନ୍ତିରେ ହିଁ କେବଳ ଘଡ଼ିରେ ପଣା ରଖାଯାଏ। ଅନ୍ୟ ୨୯ ଦିନ କେବଳ ଶୁଦ୍ଧ ପାଣି ରଖାଯାଇଥାଏ।

ଶ୍ରୀମନ୍ଦିରରେ ପଣା: ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ‘ଶ୍ରୀକ୍ଷେତ୍ରରେ ସମୁଦାୟ ୧୩ ପ୍ରକାରର ପଣା ପ୍ରଚଳିତ। ଆଉ ଶ୍ରୀଜଗନ୍ନାଥ ଉପାସନାରେ ଦୁଇ ପ୍ରକାରର ପଣା ପ୍ରସିଦ୍ଧ। ସେ ହେଉଛି ଅଧରପଣା ଓ ଅଣସର ପଣା।
ଅଧରପଣା: ଶ୍ରୀମନ୍ଦିରରେ ଏକ ବିଶେଷ ପଣା ହେଉଛି ଅଧରପଣା। ଏଥିରେ ସାଧାରଣ ପଣାଠାରୁ ଅଧିକ ଛେନା, ସର, ଛାଚି, କର୍ପୂର ଓ ଜାଇଫଳ ମିଶାଯାଏ। ସୁନାବେଶ ଏକାଦଶୀ ପରଦିନ ସିଂହଦ୍ୱାର ନିକଟରେ ଛିଡା ହୋଇଥିବା ତିନି ରଥ ଉପରକୁ ତିନୋଟି ବଡ ବଡ ମାଟିପାତ୍ର ଭର୍ତ୍ତି ପଣା ରଥାରୂଢ଼ ତିନି ଦିଅଁଙ୍କ ପାଇଁ ଅଣା ଯାଇଥାଏ। ପାତ୍ରଗୁଡିକର ଉଚ୍ଚତା ତିନି ଦିଅଁଙ୍କ ଅଧର ବା ଓଠ ପର୍ଯ୍ୟନ୍ତ ପହଞ୍ଚତ୍ବା ଭଳି ତିଆରି ହୋଇଥାଏ। ପରେ ମହାପ୍ରଭୁଙ୍କୁ ସମର୍ପଣ କରାଯାଇ ସେହି ପଣାହାଣ୍ଡି ଭାଙ୍ଗି ଦିଆଯାଏ। ଏହି ପଣାକୁ ମାନବମାନେ ଗ୍ରହଣ କରନ୍ତି ନାହିଁ। ବିଶ୍ୱାସ କରାଯାଏ ରଥଯାତ୍ରାବେଳେ ରଥରେ ରହି ତିନି ଦିଅଁଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଦେବଦେବୀଙ୍କ ସହ ଚଣ୍ଡୀ ଚାମୁଣ୍ଡା, ଅଶରୀରୀ, ଭୂତପ୍ରେତଙ୍କ ପାଇଁ ଉଦ୍ଦିଷ୍ଟ ଥାଏ ଏହି ଅଧରପଣା ନୀତି।

ଅଣସର ପଣା: ସ୍ନାନ ପୂର୍ଣ୍ଣିମା ପରେ ଅଣସରରେ ରହିବାବେଳେ ମହାପ୍ରଭୁଙ୍କୁ ଏକ ସ୍ବତନ୍ତ୍ର ଧରଣର ପଣା ଦିଆଯାଏ। ସେଥିରେ କ୍ଷୀର, ସର, ଛେନା, ନବାତ ପକାଯାଏ। ଚିନି ବ୍ୟବହାର ହୁଏ ନାହିଁ। ତାହା ଅଣସର ପଣାଭାବେ ପରିଚିତ।
ଯେତେବେଳେ ଜଗତର ନାଥ ଜଗନ୍ନାଥଙ୍କର ପଣା ପ୍ରୀତି ରହିଛି, ସେତେବେଳେ ପୁରୀବାସୀ ବା କେମିତି ଏହାର ପ୍ରୀତିରୁ ବାଦ୍‌ ପଡିବେ। ଏଠାରେ ପଣାକୁ ଅନେକେ ସରବତ ବି କହନ୍ତି। ଜାଗା ଭେଣ୍ଡିଆମାନଙ୍କ ଭାଷାରେ ତ ଏହା ‘ହାତପାଣି’ ଭାବରେ ପ୍ରସିଦ୍ଧ। ତେବେ ଏଠାରେ ଭାଙ୍ଗପଣା ଅଧିକ ପ୍ରିୟ। ପଣାରେ ଭାଙ୍ଗ ବାଟି ମିଶାଗଲେ ତାହା ଭାଙ୍ଗପଣା ଭାବେ ପରିଚିତ ହୁଏ। ଖରାଦିନେ ତ ପୁରୀରେ ମାଗଣା ପଣା ବିତରଣ ହୁଏ। ଗରିବ, ଧନୀ, ପର୍ଯ୍ୟଟକ ସମସ୍ତଙ୍କୁ ଏହା ପ୍ରଦାନ କରାଯାଏ।
ଚୈତ୍ରମାସ ମା’ମଙ୍ଗଳାଙ୍କ ପୂଜାରେ ପଣା: ଦେବୀଙ୍କ ପୂଜାରେ ପଣାର ଗୁରୁତ୍ୱ ବହୁତ ରହିଛି। ଚୈତ୍ର ମାସରେ ପଡୁଥିବା ମଙ୍ଗଳବାରଗୁଡିକରେ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ମା’ ମଙ୍ଗଳାଙ୍କର ସ୍ବତନ୍ତ୍ର ପୂଜା ହୁଏ। ଏହି ମଙ୍ଗଳବାରଗୁଡିକରେ ମା’ମଙ୍ଗଳାଙ୍କ ଓଷା କରୁଥିବା ମହିଳାମାନେ ଏକାଠି ହୋଇ ଦାଣ୍ଡରେ ମାଟି ଖୋଳି ଗୋଲାକାର ପନ୍ଥେଇ ତିଆରି କରିଥାନ୍ତି। ତାକୁ ହଳଦୀ ପାଣିରେ ଧୁଆଯାଏ। ତା’ସହ ପନ୍ଥେଇ ଚାରିପଟେ ମୁରୁଜ ପକାଇଯାଏ ଓ ଫୁଲରେ ସଜାଯାଏ। ମା’ଙ୍କ ଫଟୋକୁ ପନ୍ଥେଇ ଉପରେ ସ୍ଥାପନ କରି ଫୁଲ ଓ ସିନ୍ଦୂର ଅର୍ପଣ କରାଯାଏ। ମହିଳାମାନେ ଆଣିଥିବା ବିଭିନ୍ନ ପ୍ରକାରର ଫଳମୂଳ, ଛେନା, ଗୁଡ଼, ନଡ଼ିଆ ଆଦିରେ ପଣା ପ୍ରସ୍ତୁତ କରାଯାଇ ତାକୁ ପନ୍ଥେଇରେ ଢାଳି ପ୍ରସାଦଭାବେ ଅର୍ପଣ କରାଯାଏ।

ଶୀତଳତା ଭରେ, ଶକ୍ତି ପ୍ରଦାନ କରେ ପଣା: ଆୟୁର୍ବେଦିକ ଡାକ୍ତର ବାସୁଦେବ ପ୍ରଧାନ କୁହନ୍ତି, ବୈଶାଖ ମାସର ସଂକ୍ରାନ୍ତିକୁ ବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ବୋଲି କୁହାଯାଏ। ଏହି ସମୟରେ ସୂର୍ଯ୍ୟ ବିଷୁବରେଖା ଉପରେ ଅବସ୍ଥାନ କରୁଥିବାରୁ ଏହାକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ। ଏହିଦିନ ସୂର୍ଯ୍ୟ ଓ ପୃଥବୀ ସରଳ ରେଖାରେ ରହିଥାନ୍ତି। ତେଣୁ ସୂର୍ଯ୍ୟଙ୍କର ଉତ୍ତାପ ପୃଥିବୀ ଉପରେ ଅଧିକ ରହେ। ଆଉ ଭାରତ ଗ୍ରୀଷ୍ମ ମଣ୍ଡଳୀୟ ଦେଶ ହୋଇଥିବାରୁ ଏଠାରେ ଅଧିକ ଗରମ ଅନୁଭୂତ ହୋଇଥାଏ। ଶରୀରରେ ଖାଦ୍ୟର ଆବଶ୍ୟକତା ହେଲେ ଯେମିତି ଭୋକ ଲାଗିଥାଏ, ସେହିପରି ଖରାଦିନେ ପ୍ରବଳ ଉତ୍ତାପ ଯୋଗୁ ଶରୀରରେ ଜଳୀୟଅଂଶ କମିଗଲେ ପ୍ରବଳ ଶୋଷଲାଗେ। ଆଉ ମଣିଷ ଖୋଜେ ପାଣି, ପଣା ଅବା ସର୍ବତ। ସେଥିପାଇଁ ଆଗରୁ ଘରେ ଘରେ ପଣା କରାଯାଉଥିଲା। ଯଦିଓ ଆଜିକାଲି ପଣା ବଦଳରେ କୋଲ୍ଡ ଡ୍ରିଙ୍କ୍‌ ପିଇବାକୁ ପସନ୍ଦ କରାଯାଉଛି। ହେଲେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ସେହିପରି ଫ୍ରିଜ୍‌ ପାଣି ମଧ୍ୟ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ଫ୍ରିଜ୍‌ ପାଣି ପିଇଲେ ଦାନ୍ତ ମାଢି ଦୁର୍ବଳ ହୋଇଯାଏ। ତେଣୁ କୋଲ୍ଡ ଡ୍ରିଙ୍କ୍‌ ବଦଳରେ ପଣା ପିଇବା ଭଲ। ଆଉ ସେହି ପଣା ଫ୍ରିଜ୍‌ର ଥଣ୍ଡା ପାଣିରେ ପ୍ରସ୍ତୁତ ନ କରାଯାଇ ସୁରେଇର ଶୀତଳ ଜଳରେ କରିବା ଶ୍ରେୟସ୍କର। ସାଧାରଣଭାବେ ପାଣିରେ ସୁସ୍ବାଦୁ ଫଳମୂଳ ଓ ମିଠା ମିଶିବାପରେ ପାଣି ପଣା ପାଲଟିଥାଏ। ପଣା ବିଭିନ୍ନ ପ୍ରକାରର, ଯେମିତିକି ଗୁଡ଼ପଣା, ମିଶ୍ରିପଣା, ଛେନାପଣା, ଭାଙ୍ଗପଣା, ବେଲପଣା ଇତ୍ୟାଦି। ଆଉ ସବୁ ପଣାରେ ଔଷଧୀୟ ଗୁଣ ଭରିରହିଥାଏ। ଏହା ଶୀଘ୍ର ହଜମ ହୁଏ। ପାଚକ ତନ୍ତ୍ର ଉପରେ ଚାପ ବି ପକାଏ ନାହିଁ। ତେଣୁ ଆଜିକାଲିର କୋଲ୍ଡ ଡ୍ରିଙ୍କ୍‌ଠାରୁ ଏହା ବହୁ ଗୁଣରେ ଶ୍ରେୟସ୍କର। ଆମ ଦେଶରେ ପଣାର ପ୍ରଚଳନ ବହୁ ପୂର୍ବରୁ ରହିଛି। ତେବେ ଓଷା ଉପବାସରେ ପଣାର ଗୁରୁତ୍ୱ ଅଧିକ ବଢିଯାଏ। ଉପବାସ କରୁଥିବା ବ୍ୟକ୍ତି ଖାଦ୍ୟ ନ ଖାଇବା ଦ୍ୱାରା ସାଧାରଣତଃ ସେମାନଙ୍କ ଶରୀର ଦୁର୍ବଳ ହୋଇଯାଏ। ଆଉ ଏହି ପଣା ସେତେବେଳେ ସେମାନଙ୍କ ତୃଷା ନିବାରଣ କରିବା ସହ ତୁରନ୍ତ ଶକ୍ତି ଓ ଫୂର୍ତ୍ତି ପ୍ରଦାନ କରିଥାଏ।

ତେଣୁ ଓଡ଼ିଶାର ଘରେ ଘରେ ପଣାର ଆଦର ସବୁବେଳେ ରହିଆସିଛି। ଆଗରୁ ଖରାଦିନେ ଘରକୁ ଅତିଥି ଆସିଲେ ବି ଲେମ୍ବୁ, ମିଶ୍ରି, ଅବା ଦହିକୁ ନେଇ ପଣା ପ୍ରସ୍ତୁତ କରି ଆତିଥ୍ୟ ପ୍ରଦାନ କରାଯାଉଥିଲା। ଏହା ପ୍ରବଳ ରୌଦ୍ର ତାପରୁ ଶରୀରକୁ ଶୀତଳତା ପ୍ରଦାନ କରିବା ସହ ଶକ୍ତି ଫୂର୍ତ୍ତି ପ୍ରଦାନ କରୁଥିଲା। ହେଲେ ଆଜିକାଲି ଯେଉଁ କୋଲ୍ଡ ଡ୍ରିଙ୍କ୍‌ ପିଆଯାଉଛି ତାହା ପାଟିକୁ ଭଲ ଲାଗୁଥିଲେ ହେଁ ସେଥିରେ ମିଶ୍ରିତ ରାସାୟନିକ ପଦାର୍ଥ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ କୋଲ୍ଡ ଡ୍ରିଙ୍କ୍‌ ବଦଳରେ ପଣା ପିଇବା ସବୁଠାରୁ ଭଲ। ପଣାର ଭିନ୍ନ ଭିନ୍ନ ପ୍ରକାର ରହିଛି। ଆଉ ପ୍ରତି ପଣାରେ କିଛି ନା କିଛି ଉପକାରୀ ଗୁଣ ଭରି ରହିଥାଏ।

ଗୁଡ଼ପଣା: ଶୀତଳ ଜଳରେ ଗୁଡ଼ ସହ ଆମ୍ବ ଖଣ୍ଡ, ଅଦା ଛେଚା ଓ ଗୋଲମରୀଚ ଗୁଣ୍ଡ ପକାଇ ଗୁଡ଼ପଣା ପ୍ରସ୍ତୁତ କରାଯାଏ। ଏହାକୁ ପିଇବାଦ୍ୱାରା ଶରୀରରେ ଶୀତଳତା ଆସେ, ଶୁଷ୍କତା ଦୂର ହୁଏ। ଦୁର୍ବଳତାରୁ ମୁଣ୍ଡ ବୁଲାଇବା ବି ଦୂର ହୁଏ। ଅଂଶୁଘାତ ହୋଇ ନ ଥାଏ। ରାତିରେ ସୁନିଦ୍ରା ବି ହୁଏ। ଏହା ବଳକାରକ ମଧ୍ୟ।

ମିଶ୍ରିପଣା: ମାଟି ପାତ୍ରର ଶୀତଳ ଜଳରେ ମିଶ୍ରି ମିଶାଇ, ସେଥିରେ ସାମାନ୍ୟ ଲେମ୍ବୁରସ ମିଶାଇ ଏହାକୁ ପ୍ରସ୍ତୁତ କରିପାରିବେ। ଏହା ଶରୀରରେ ଶୀତଳତା ପ୍ରଦାନ କରିଥାଏ।

ବେଲପଣା: ଖରାଦିନେ ଏହାର ଚାହିଦା ଅଧିକ। ଏହାକୁ ପ୍ରସ୍ତୁତ କରିବା ଲାଗି ପାଚିଲା ବେଲର ଶସ ବାହାର କରି ଭଲଭାବେ ଚକଟାଯାଏ। ପରେ ତାକୁ ଛାଣି ସେଥିରେ ଦହି, ଗୋଲମରୀଚ ଗୁଣ୍ଡ ପକାଯାଏ। ଗୋଲମରୀଚ ଗୁଣ୍ଡ ସ୍ବାଦ ବଢାଇବା ସହ ପଣାରେ ସୁଗନ୍ଧ ଭରିଥାଏ। କେହି କେହି ଏହି ପଣାରେ କାଜୁ, ଚେରି ମଧ୍ୟ ମିଶାଇଥାନ୍ତି। ବେଲପଣା ଡାଇରିଆ ନାଶ କରେ। ଏଥିରେ ଆଣ୍ଟି ଇନଫ୍ଲେମେଣ୍ଟାରି ଓ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଛି। ଯଦି ଖରାଦିନେ ପରିସ୍ରାପୋଡା ଦେଖାଯାଏ, ଏହି ପଣାରେ କିଛି ମାତ୍ରାରେ ଚନ୍ଦନକୁ ମିଶାଇ ପିଇଲେ ଲାଭ ମିଳେ।

ବେଣାଚେର ପଣା: ବେଣାଚେରକୁ ଶିଳରେ ବାଟି ସମସ୍ତ ପ୍ରକାର ପାଚିଲା ଫଳକୁ ମିଶାଇ ମଧ୍ୟ ପଣା ପ୍ରସ୍ତୁତ କରିପାରିବେ।

ଗୁଲକନ୍ଦ ପଣା: ସେହିପରି ଗୋଲାପ ଫୁଲକୁ ବାଟି ମିଶ୍ରି ସହ ଅନ୍ୟାନ୍ୟ ସୁବାସିତ ଦ୍ରବ୍ୟ ଓ ଗୁଲକନ୍ଦ ମିଶାଇ ପଣା କରିପାରିବେ। ଏହା ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟପ୍ରଦ ମଧ୍ୟ। ଶରୀରରେ ଶୀତଳତା ବି ଆଣିଥାଏ। ଝାଳ ପାଇଁ ଶରୀର ଦୁର୍ଗନ୍ଧ ହେଉଥିଲେ ମଧ୍ୟ ଏହାକୁ ପିଇପାରିବେ। ଏହା ଶରୀର ଦୁର୍ଗନ୍ଧକୁ ନିୟନ୍ତ୍ରଣ କରିବ। ତା’ସହ ସୌନ୍ଦର୍ଯ୍ୟ ବୃଦ୍ଧି ମଧ୍ୟ କରିବ।

ଛେନାପଣା: କୁହାଯାଏ ଏହି ପଣା ପ୍ରଭୁ ଜଗନ୍ନାଥଙ୍କର ବହୁତ ପ୍ରିୟ। ଖାସ୍‌କରି ଓଡ଼ିଆ ନବବର୍ଷରେ ଏହି ପଣା ପ୍ରସ୍ତୁତ କରାଯାଏ ଏବଂ ଜଗନ୍ନାଥ ମହାପ୍ରଭୁଙ୍କୁ ଲାଗି କରାଯାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଛେନାକୁ କଦଳୀ ଓ କ୍ଷୀର, ନଡିଆ କୋରା ସହ ଭଲରେ ଚକଟା ଯାଏ। ସେଥିରେ ସ୍ବାଦାନୁସାରେ ଅଳେଇଚ ଗୁଣ୍ଡ, ଗୋଲମରୀଚ ଗୁଣ୍ଡ, ଅଦା ଛେଚା ଆଦିକୁ ପକାଇପାରିବେ। ଏହି ପଣା ତୃଷ୍ଣା ନିବାରକ, ବଳକାରକ ଓ ସୁନିଦ୍ରା ପ୍ରଦାନ ମଧ୍ୟ କରିଥାଏ।

ପାଳୁଅପଣା: ପଶ୍ଚିମ ଓଡ଼ିଶାରେ ଏକ ସ୍ବତନ୍ତ୍ର ପ୍ରକାରର ପଣା ପ୍ରସ୍ତୁତ କରାଯାଏ। ସେ ହେଉଛି ଝରପଣା ବା ପାଳୁଅ ପଣା। ଏହି ପଣା ବହୁତ ଔଷଧୀୟ। ସାଧାରଣତଃ ପାଳୁଅରେ ମିଶ୍ରି ଓ ପାନମଧୁରୀ ପକାଇ ପଣା କରି ପିଆଯାଏ। ଏହାକୁ ଅନ୍ୟ ଏକ ପଦ୍ଧତିରେ ବି ପ୍ରସ୍ତୁତ କରିପାରିବେ। ସେଥିପାଇଁ ପ୍ରଥମେ ଏକ ପାତ୍ରରେ ପାଣି ରଖି ପାଳୁଅକୁ ୨୦ ମିନିଟ ବୁଡାଇ ରଖିବାକୁ ହେବ। ଏହାପରେ ପାଣିକୁ ଢାଳି ଦେଇ ଅଧଗ୍ଲାସ୍‌ ପାଣିରେ ସେହି ପାଳୁଅକୁ ସିଝାଯିବ। କମ୍‌ ଆଞ୍ଚରେ ତାକୁ ରନ୍ଧାଯାଏ। ଏହା ସିଝିବା ସହ ଏକ ମୋଟା ଟ୍ରାନ୍ସପରେଣ୍ଟ ପେଷ୍ଟରେ ପରିଣତ ହୋଇଯାଏ। ପରେ ଏଥିରେ ଦହି, ଚିନି, ଲୁଣ, ଗୋଲମରୀଚ ଗୁଜୁରାତି ଗୁଣ୍ଡ ଆଦି ପକାଇ ପଣା ପ୍ରସ୍ତୁତ କରାଯାଏ। ଏହାକୁ ଥଣ୍ଡା ଥଣ୍ଡା ପିଇଲେ ଭଲ ଲାଗେ। ଏହା ବେଶ୍‌ ଶକ୍ତି ପ୍ରଦାୟକ ।

ଦହିପଣା: ତାଜା ଦହି, ଗୁଡ଼, ନଡ଼ିଆକୋରା, କଦଳୀକୁ ଏକସଙ୍ଗେ ଚକଟି, ସେଥିରେ ଗୋଲମରୀଚ ଗୁଣ୍ଡ ପକାଇ ଏହି ପଣାକୁ ପ୍ରସ୍ତୁତ କରାଯାଇଥାଏ। ଏହି ପଣାକୁ ସାଧାରଣତଃ ପର୍ବପର୍ବାଣିରେ ପ୍ରସାଦ ଭାବେ ଅର୍ପଣ କରାଯାଇଥାଏ। ଏହାକୁ ଅନେକ ସ୍ଥାନରେ ଲସି ମଧ୍ୟ କୁହାଯାଏ। ଆଉ ସାଧାରଣରେ ବିକ୍ରି କରାଯାଏ। ଏହା ଶରୀରରେ ଶୀତଳତା ଆଣିଥାଏ। ପେଟ ରୋଗୀଙ୍କ ପାଇଁ ମଧ୍ୟ ଏହା ଲାଭଦାୟକ।

ଆମ୍ବପଣା: ଖରାଦିନେ ପ୍ରଚୁର କଞ୍ଚା ଆମ୍ବ ମିଳେ। ଏହାକୁ ନେଇ ଅନେକେ ଆମ୍ବପଣା ପ୍ରସ୍ତୁତ କରିଥାନ୍ତି। ଆମ୍ବକୁ ସିଝାଇ ତା’ର ରସ ବାହାର କରି ପାଣିରେ ମିଶାଯାଏ। ସେଥିରେ ଚିନି ଅବା ମିଶ୍ରି ମିଶାଯାଏ। ଚାହିଁଲେ ନଡ଼ିଆକୋରା ମଧ୍ୟ ପକାଇପାରିବେ। ଏହା ବଳକାରକ ।

ଖଇପଣା: ଏହି ପଣାକୁ ବହୁତ କମ୍‌ ଲୋକ ପ୍ରସ୍ତୁତ କରିଥାନ୍ତି। ହେଲେ ଏହା ସ୍ବାଦରେ ଅନ୍ୟ ପଣାଠାରୁ ଆଦୌ କମ୍‌ ନୁହେଁ। ଏହାକୁ ପ୍ରସ୍ତୁତ କରିବା ପାଇଁ ଖଇରେ କ୍ଷୀର, ଦହି, ଗୁଡ଼କୁ ଭଲଭାବେ ମିଶାଯାଏ। କେହି କେହି ଖଇରେ କ୍ଷୀର, ଦହି ମିଶାଇବା ପୂର୍ବରୁ ଖଇ ସହ କଦଳୀ ଚକଟିଥାନ୍ତି। ଅଧିକ ସ୍ବାଦ ପାଇଁ ଛେନା ବି ବ୍ୟବହାର କରିହେବ। ସ୍ବାଦ ଓ ସୁଗନ୍ଧ ବଢାଇବା ଲାଗି ଗୋଲମରୀଚ ଗୁଣ୍ଡ ପକାଇପାରିବେ। ଏହା ଶକ୍ତି ପ୍ରଦାୟକ।

ଛତୁଆପଣା: ଛତୁଆରେ କ୍ଷୀର, ଛେନା, କଦଳୀ ଚକଟା, ଗୁଡ଼, ଗୋଲମରୀଚ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ। ଏହି ପଣା ମଧ୍ୟ ଶକ୍ତି ପ୍ରଦାୟକ।

ତେବେ ଏହିସବୁ ପଣା ମଧୁମେହ ରୋଗୀ, କିଡ୍‌ନୀ ରୋଗୀ ପିଇବା ଉଚିତ ନୁହେଁ। କାରଣ ଏହା ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?