ଟିକାରେ ଫିକା

ବିମଳ ପାଣ୍ଡିଆ

ଏପ୍ରିଲ ୮ ତାରିଖରେ ପ୍ରଧାନମନ୍ତ୍ରୀ କୋଭିଡ ଟିକାର ଦ୍ୱିତୀୟ ଡୋଜ ନେବା ଅବସରରେ ଏକ ଟୁଇଟ୍‌ କରି ଦେଶବାସୀଙ୍କୁ କହିଲେ ଯେ, ‘ଯଦି ତୁମେ ଟିକା ପାଇଁ ଯୋଗ୍ୟ ଅଟ ତେବେ ତୁରନ୍ତ ଟିକା ନେଇଯାଅ’। ତାଙ୍କ ବକ୍ତବ୍ୟରୁ ଲାଗିଥିଲା ଯେମିତି ସରକାର ଟିକାର ଭଣ୍ଡାର ଧରି ଟାକି ବସିଛି, ଲୋକେ ଆସିଲେ ଖାଲି ଛୁଞ୍ଚି ଫୋଡ଼ିବା ବାକି ରହିଛି ଯାହା। ସେଇ ତାରିଖରେ ଭାରତରେ ୧.୨୮ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ। ତାହା ସେତେବେଳେ ଦୈନିକ ସଂକ୍ରମଣର ନୂତନ ରେକର୍ଡ ଥିଲା। ସେଇଦିନ ଦେଶର ପ୍ରାୟ ୩୭.୪୮ ଲକ୍ଷ ଲୋକ କୋଭିଡ ଟିକା ନେଇଥିଲେ। ତା’ପରଠୁ କେବଳ ୧୨ ଏପ୍ରିଲକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦିନରେ କମ୍‌ ଲୋକ ହିଁ ଟିକା ନେଇଛନ୍ତି। ତାହାରି ତିନିଦିନ ପରେ, ଏପ୍ରିଲ ୧୧ରେ ପ୍ରଧାନମନ୍ତ୍ରୀ ଚାରିଦିନିଆ ‘ଟିକା ଉତ୍ସବ’ ଆରମ୍ଭ କରି ଦେଶବାସୀଙ୍କୁ ‘ଚାରିଟି ଅନୁରୋଧ’ ରଖିଥିଲେ। ତହିଁରୁ ଗୋଟିଏ ଥିଲା, ‘each one vaccinate one’, ପ୍ରତ୍ୟେକେ ଆଉ ଜଣଙ୍କୁ ଟିକା ଦେଉ ବା ଟିକା ନେବାରେ ସାହାଯ୍ୟ କରୁ। ପୁଣି ଲାଗିଲା ଯେମିତି ଦେଶରେ ଟିକା ଭରିକି ଅଛି, ଲୋକେ ଖାଲି ଯାହା ଟିକା ନେବା ପାଇଁ ମଙ୍ଗୁ ନାହାନ୍ତି। ଏପ୍ରିଲ ୧୭ରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଅନେକ ନିର୍ବାଚନୀ ରାଲିରେ ଯୋଗଦେଇ ତହିଁରେ ବିପୁଳ ସଂଖ୍ୟାରେ ଜନସମାଗମ ହୋଇଥିବାରୁ ଅଭିଭୂତ ହୋଇଯାଉଥିଲେ। ତାକୁ ଦେଖି ଅନେକଙ୍କୁ ଲାଗିଥିବ ଦେଶରେ କରୋନା ନାହିଁ ବା କରୋନାକୁ ଫୁ କରିବା ପାଇଁ ସବୁ ତୟାର ହୋଇ ରହିଛି। ସେହିଦିନ ଭାରତରେ ୨.୭୪ ଲକ୍ଷ ନୂତନ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ, ଯାହା ସେହି ସମୟର ନୂଆ ରେକର୍ଡ ଥିଲା। କୋଭିଡ୍‌କୁ ଆମେ ନୁହେଁ,କୋଭିଡ୍‌ ଆମକୁ ଫୁ କରି ମାଡି ଚାଲିଥିଲା। ବାଧ୍ୟହୋଇ ତା’ ପରଦିନ ହିଁ, ୧୮ ଏପ୍ରିଲରେ ପ୍ରଧାନମନ୍ତ୍ରୀ କରୋନାକୁ ନେଇ ଅନେକ ବୈଠକ କରି ସଂଧ୍ୟାବେଳକୁ ପୁଣି ମେଞ୍ଚେ ଘୋଷଣା କଲେ। ତହିଁରୁ ଗୋଟିଏ ଘୋଷଣା ଥିଲା ଯେ ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ମେ ପହିଲାରୁ ଟିକା ପାଇଁ ଯୋଗ୍ୟ ହେବେ। ସେ ଆହୁରି ପଦେ ଯୋଡ଼ିକହିଲେ, ସରକାର ବର୍ଷେ ହେଲାଣି ଦେଶର ଅଧିକାଂଶ ଲୋକଙ୍କୁ ସ୍ବଳ୍ପ ସମୟ ମଧ୍ୟରେ ଟିକା ଦେବା ପାଇଁ ରାତିଦିନ ଗୋଟିଏ କରି ଦେଇଛି। ପୁଣି ଲାଗିଲା ଯେମିତି ସବୁ ପ୍ରସ୍ତୁତ ହୋଇ ରହିଛି, ଖାଲି ଯାହା ଲୋକେ ଟିକା କେନ୍ଦ୍ରରେ ପହଞ୍ଚିବା କଥା। ମେ ପହିଲାରୁ ୧୮ ବର୍ଷରୁ ଅଧିକ ସମସ୍ତେ ଯୋଗ୍ୟ ହୋଇଗଲେ, ଟିକା ଉତ୍ସବ ବି ପାଳିତ ହୋଇଗଲା। କିନ୍ତୁ ଟିକା ପ୍ରଦାନର ଗତି ତଳକୁ ଓ ଆହୁରି ତଳକୁ ହିଁ ଖସି ଚାଲିଛି। ‘ଟିକା ଉତ୍ସବ’ର ଚାରିଦିନରେ ଦୈନିକ ହାରାହାରି ୩୦.୬ ଲକ୍ଷ ଲୋକ ହିଁ ଟିକା ନେଇଥିଲେ।୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଯୋଗ୍ୟ କରିବା ସତ୍ତ୍ୱେ ମେ’ ମାସର ପ୍ରଥମ ଛଅ ଦିନରେ ଦୈନିକ ହାରାହାରି ମାତ୍ର ୧୫.୫୪ ଲକ୍ଷ ଲୋକଙ୍କୁ ହିଁ ଟିକା ଦିଆଯାଇଥିଲା। ଦେଶରେ ସେତେବେଳକୁ ପ୍ରତିଦିନ ଚାରି ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇ ଚାଲିଥିଲେ। ସରକାରଙ୍କ କହିବା ଓ ବାସ୍ତବତା ମଧ୍ୟରେ ଥିବା ପ୍ରଭେଦ ପ୍ରତିଦିନ ଅଧିକ ପ୍ରସାରିତ ହେବାରେ ଲାଗିଥିଲା।
ସରକାର ମାନୁନାହାନ୍ତି କିନ୍ତୁ ସରକାର ଟିକା ମାମଲାରେ ଯୋଜନା ଓ ପ୍ରସ୍ତୁତି କରିବାରେ ଗୁରୁତର ଅବହେଳା କରିଛନ୍ତି। ୨୩ ମାର୍ଚ୍ଚରେ ରାଜ୍ୟ ସଭାରେ ସରକାରଙ୍କୁ ଅତି ସିଧା ପ୍ରଶ୍ନଟିଏ ପଚରାଯାଇଥିଲା, ‘କେବେ ସୁଦ୍ଧା ଦେଶର ଅଧା ଲୋକଙ୍କୁ ଟିକା ଦିଆଯାଇ ସାରିଥିବ ବୋଲି ସରକାର ଆକଳନ କରିଛନ୍ତି’? ମନ୍ତ୍ରୀ ମହୋଦୟ ଏହାର ସଳଖ ଜବାବଟିଏ ନ ଦେଇ କହିଲେ, ‘କୋଭିଡ-୧୯ ମହାମାରୀର ପରିବର୍ତ୍ତନଶୀଳ ସ୍ବରୂପ ତଥା ବେସରକାରୀ ଟିକା କେନ୍ଦ୍ରମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା କାରଣରୁ କେବେ ସୁଦ୍ଧା ଟିକା ଦେବା ସରିବ ତାହା ବିଷୟରେ କୌଣସି ଏକ ନିଶ୍ଚିତ ସମୟସୂଚୀ ଦିଆଯାଇପାରିବ ନାହିଁ’। ଅର୍ଥାତ ସରକାରଙ୍କ ପାଖରେ ଟିକା ଦେବା ନେଇ କୌଣସି ଠୋସ୍‌ ଯୋଜନା ନ ଥିଲା। ୨୮ ଏପ୍ରିଲରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଲେ, ଟିକାକୁ ନେଇ ତୁମ ଯୋଜନା କ’ଣ? କେନ୍ଦ୍ର ସରକାରଙ୍କ ଓକିଲ ସଲିସିଟର ଜେନେରାଲଙ୍କ ଗୁଡ଼ାତୁଡା ଉତ୍ତରରୁ କିଛି ବୁଝାପଡୁ କି ନ ପଡୁ ଗୋଟିଏ କଥା କିନ୍ତୁ ସ୍ପଷ୍ଟ ଥିଲା ଯେ ଟିକାକୁ ନେଇ କେନ୍ଦ୍ର ସରକାରଙ୍କ କିଛି ସ୍ପଷ୍ଟ ଯୋଜନା ଅନ୍ତତଃ ଏଯାଏ ନାହିଁ।
ଭାରତର ସଂଘୀୟ ବ୍ୟବସ୍ଥାରେ ସ୍ବାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ। କିନ୍ତୁ ମହାମାରୀ ସ୍ଥିତିରେ ପ୍ରମୁଖ ଦାୟିତ୍ୱ କେନ୍ଦ୍ର ସରକାରଙ୍କର। ସଂଘୀୟ ବ୍ୟବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିମିଶି ନିଷ୍ପତ୍ତି ନେବା ସହ ତାହାକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି। ଟିକା କ୍ଷେତ୍ରରେ ତାହା ହେଉଥିବାର ବୋଧ ହେଉନାହିଁ। କେନ୍ଦ୍ର ସରକାର ନିଷ୍ପତ୍ତି ଥୋପି ଦେଉଥିବା ଭଳି ମନେ ହେଉଛି। ଏପ୍ରିଲ ୧୮ରେ ଟିକାକରଣ ପାଇଁ ଗୋଟିଏ ତଥାକଥିତ ‘ତୃତୀୟ ପର୍ଯ୍ୟାୟ’ କୌଶଳ ଘୋଷଣା ହେଲା। ସେଥିରେ କୁହାହେଲା, ମେ ପହିଲାରୁ ଟିକା ପ୍ରସ୍ତୁତକାରୀମାନେ ୫୦% ଟିକା ରାଜ୍ୟ ସରକାରଙ୍କୁ ଓ ଖୋଲା ବଜାରରେ ବିକ୍ରି କରିପାରିବେ। ରାଜ୍ୟ ସରକାରଙ୍କ ସହ ଏ ବିଷୟରେ ଆଗରୁ ଆଲୋଚନା ହୋଇଥିବାର ସୂଚନା ମିଳିନାହିଁ। କେନ୍ଦ୍ର ସରକାର ଟିକାକରଣକୁ ବଢ଼ାଇବାରେ ନିଜ ଅଙ୍ଗୀକାରବଦ୍ଧତା ଦେଖାଇବା ବଦଳରେ ନିଜ ମୁଣ୍ଡରୁ ବୋଝ ଖସାଇବାରେ ବେଶି ବ୍ୟସ୍ତ ଥିବା ସ୍ପଷ୍ଟ ଜଣାପଡୁଥିଲା। କଥା ଜଟିଳ ହେଲା ଯେତେବେଳେ ଟିକା ପ୍ରସ୍ତୁତକାରୀ କମ୍ପାନୀ ରାଜ୍ୟ ସରକାରଙ୍କ ପାଇଁ ଦୁଇଗୁଣରୁ ଅଧିକ ଦର ସ୍ଥିର କଲେ। କୋଭିଶିଲ୍ଡ ପ୍ରସ୍ତୁତକାରୀ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଟିିକା ଯୋଗାଉଥିବା ବେଳେ ରାଜ୍ୟ ସରକାରମାନଙ୍କ ପାଇଁ ୪୦୦ ଟଙ୍କା ଦର ଠୁଙ୍କିଲେ। ପରେ ଅବଶ୍ୟ ‘ଆମେ ଉଦାରତା ଦେଖାଉଛୁ’ କହି ରାଜ୍ୟ ସରକାରମାନଙ୍କୁ ୩୦୦ ଟଙ୍କାରେ ଦେବୁ ବୋଲି ଘୋଷଣା କଲେ। ଏହା ବି କେନ୍ଦ୍ର ସରକାରଙ୍କୁ ବିକୁଥିବା ଦରଠୁ ଦୁଇଗୁଣ ଅଧିକ। ଏହା ସହିତ କେନ୍ଦ୍ର ସରକାର ଆଉ ଗୋଟେ ଜଟିଳତା ସୃଷ୍ଟି କଲେ। କେନ୍ଦ୍ର ସରକାରଙ୍କୁ ୫୦% ଟିକା ଦେବା ପରେ ବାକି ଟିକାକୁ ପ୍ରସ୍ତୁତକାରୀ କମ୍ପାନୀ କାହାକୁ ବିକିବେ ତାହାର ନିଷ୍ପତ୍ତି ତାଙ୍କ ଉପରେ ଛାଡିଦେଲେ। ସେମିତିରେ ସବୁ ରାଜ୍ୟ ଟିକା ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚାପ ଦେବା ସ୍ବାଭାବିକ, ଦେଇଥିବେ ମଧ୍ୟ। ଫଳ ହେଲା ଏୟା ଯେ ମୋତେ ଧମକ ମିଳୁଛି କହି ସିରମ ଇନ୍‌ଷ୍ଟିଚ୍ୟୁଟ୍‌ର ମାଲିକ ଭାରତ ଛାଡି ବିଲାତ ପଳାଇଲେ। ଏହା ଭାରତର ଛବିକୁ କେତେ ସଫା ବା ମଳିନ କଲା ତାହା ଅଲଗା କଥା, କିନ୍ତୁ ଭାରତରେ ଟିକାକରଣର ସ୍ଥିତି ଓ ଗତି ଯେ ଅତ୍ୟନ୍ତ ଖରାପ ତାହା ବାରି ହୋଇଗଲା।
ଏବେ ଭାରତରେ ହାହାକାର ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଡାକ୍ତରଖାନାରେ ଖଟିଆ ମିଳୁନି, ଅମ୍ଳଜାନ ଟିକେ ନ ପାଇ ଲୋକେ ଅକାଳରେ ମରୁଛନ୍ତି। ଶ୍ମଶାନରେ ଦାହ ପାଇଁ ଜାଗା ମିଳୁନି। ଏହି ଦୁଃସ୍ଥିତି ପାଇଁ ସାରା ପୃଥିବୀର ଦୃଷ୍ଟି ଏବେ ଭାରତ ଉପରେ। ୧୯ ଜାନୁୟାରୀରେ ପ୍ରଧାନମନ୍ତ୍ରୀ ବଡ଼ ଗର୍ବରେ ‘ଭାକ୍‌ସିନ ମୈତ୍ରୀ’ ଆରମ୍ଭ କରିଥିଲେ। ଭାରତ ବିଶ୍ୱକୁ ଭାକ୍‌ସିନ ଯୋଗାଉଛି କହି ବାହାଦୁରି ମାରିଥିଲେ। ଏହାକୁ ସେତେବେଳେ ତାଙ୍କର ‘ଭାକସିନ କୂଟନୀତି’ ବୋଲି କୁହାଗଲା। ଏବେ ଭାରତ ଭାକ୍‌ସିନ ଆମଦାନୀ କରିବା ପାଇଁ ବାଧ୍ୟ ହୋଇଛି। ଏବେବି ସରକାରଙ୍କ ପ୍ରଚାରତନ୍ତ୍ର କହୁଛି ଭାରତର ଟିକାକରଣ କାର୍ଯ୍ୟକ୍ରମ ବିଶ୍ୱର ସବୁଠାରୁ ବଡ଼। ବାସ୍ତବତା ହେଲା ଯେ, ୧୬ ଜାନୁୟାରୀରୁ ଦେଶରେ କୋଭିଡ ଟିକାକରଣ ଆରମ୍ଭ ହୋଇଥିଲେ ସୁଦ୍ଧା ମେ ୮ ବେଳକୁ ମାତ୍ର ୧୦ ପ୍ରତିଶତ ଲୋକ ହିଁ ପ୍ରଥମ ଡୋଜ୍‌ ଟିକା ପାଇଛନ୍ତି ଓ ସେମାନଙ୍କ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶ ହିଁ ଦ୍ୱିତୀୟ ଡୋଜ୍‌ ପାଇଛନ୍ତି। ଅତି ଛୋଟଛୋଟ ଦେଶ ବି ଏଇ ମାମଲାରେ ଭାରତଠାରୁ ଢେର ଆଗରେ। ଏବେ ବି ସମୟ ଅଛି, ସଂଘୀୟ ବ୍ୟବସ୍ଥାକୁ ଲାତ ମାରି ନୁହେଁ, ତାହାକୁ ବଳିଷ୍ଠ କରି, ଯେତେ ଅଧିକ ସମ୍ଭବ ସେତେ ଅଧିକ ଲୋକଙ୍କ ମତ ଓ ତାଙ୍କର ଯୋଗଦାନ ପାଇଁ ସୁଯୋଗ ଓ ବ୍ୟବସ୍ଥା ସୃଷ୍ଟି କରି ଟିକାକରଣ ବ୍ୟବସ୍ଥାକୁ ସଜାଡି ହେବ ଏବଂ କୋଭିଡ ମହାମାରୀଙ୍କୁ ଅଧିକ ଫଳପ୍ରଦ ଭାବରେ ମୁକାବିଲା କରିହେବ। ଏଥିପାଇଁ ରାଜନୀତିରୁ ଊର୍ଦ୍ଧ୍ୱକୁ ଯିବାକୁ ହେବ ତଥା କଥାରେ ଓ କାମରେ ତାଳମେଳ ରଖିବାକୁ ହେବ। ପ୍ରଧାନମନ୍ତ୍ରୀ ଏହା କରିବାରେ ସବୁଠାରୁ ଅଧିକ ଝୁଣ୍ଟିଛନ୍ତି। ଦେଶ ତାଙ୍କଠାରୁ ନେତୃତ୍ୱ ଆବଶ୍ୟକ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍‌ମାନେ ଯାହା ପ୍ରମାଣ କରିଛନ୍ତି ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଉତ୍ତରାଖଣ୍ଡର କବିତା ବିଷ୍ଟ୍‌। ୧୯ ବର୍ଷ ବୟସରେ ଏସିଡ୍‌ ଆକ୍ରମଣରେ...

ମୋ ସରକାର: ଗାନ୍ଧୀରୁ ନବୀନ

ତୁଷାରକାନ୍ତ ମହାତ୍ମା ଗାନ୍ଧୀ ଆମ ସମସ୍ତଙ୍କ ପାଇଁ ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା କହିଯାଇଛନ୍ତି- ତାହା ହେଉଛି (୧) ପ୍ରକୃତି ସମସ୍ତଙ୍କ ଚଳିବା ପାଇଁ ଯଥେଷ୍ଟ ଦେଇଛି,...

ମହାମାରୀରେ ସାମାଜିକ ବାଛନ୍ଦ

ରୁଦ୍ର ପ୍ରସନ୍ନ ରଥ କରୋନା ବିଷୟରେ ଲେଖିବାକୁ ବିଶେଷ କିଛି ବାକି ନାହିଁ। ଗୋଟିଏ ପାହୁ ନ ଥିବା ରାତି ପରି ଏହି ମହାମାରୀ ଆମ...

ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ

ସିମୋନ ଜାଡେକ୍‌ ସାମ୍ପ୍ରତିକ ସମୟରେ ଗ୍ଲୋବାଲ ଫୁଡ୍‌ ସିଷ୍ଟମ ବା ବୈଶ୍ୱିକ ଖାଦ୍ୟ ବ୍ୟବସ୍ଥା ପରିବେଶ ପ୍ରତିକୂଳ ହୋଇଯାଇଛି। ଏହାର ମୂଲ୍ୟ ପ୍ରାୟ ୮ ଟ୍ରିଲିୟନ...

ଭାଟ୍‌ ନିଅ ଭୋଟ୍‌ ଦିଅ

ଅକ୍ଷୟ କୁମାର ମିଶ୍ର ଗଣତାନ୍ତ୍ରିକ ପ୍ରକ୍ରିୟାଗୁଡ଼ିକ ମଧ୍ୟରେ ନିର୍ବାଚନ ଏକ ମୁଖ୍ୟ ପ୍ରସଙ୍ଗ ହୋଇଥିବାବେଳେ ପ୍ରସଙ୍ଗବିହୀନ ନିର୍ବାଚନ ଯେ ଗଣତନ୍ତ୍ରକୁ ଦୁର୍ବଳ କରିବ ଏହା ଅସ୍ବୀକାର...

ସମାଜର ଦୃଶ୍ୟ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ନିକଟରେ ଦୁଇଟି ଦୁଃଖଦାୟକ ଖବର ଆମ ଭଳି ସାଧାରଣ ଲୋକଙ୍କୁ ଖୁବ୍‌ ବ୍ୟସ୍ତବିବ୍ରତ କଲା। ଦୁଇଟି ଯାକ ଖବର ସ୍ବାସ୍ଥ୍ୟବିଭାଗକୁ ନେଇ।...

ଏଇ ଭାରତରେ

ଚାକିରି ଛାଡି ଚାଷ କରି କେରଳର ଓ୍ବିଲିୟମ ମାଥ୍ୟୁସ ଯୁବପିଢିଙ୍କୁ ନୂଆ ବାଟ ଦେଖାଇଛନ୍ତି। ୮ ଏକର ଜମିରେ ୫୫୦ ଫଳ ଗଛ ଲଗାଇଛନ୍ତି। ଏମ୍‌ସିଏ...

ପିତୃପୁରୁଷଗଣ ଅନୁଶରଣ୍ୟ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ପୂର୍ବ ପ୍ରବନ୍ଧ (୧୭ା୩ା୨୦)ରେ ଆମେ ଆର୍ଯ୍ୟ ‘ପଞ୍ଚବର୍ହିଃ’ର ଦ୍ୱିତୀୟ ଶ୍ଳୋକଟି ଆଲୋଚନା କରିଛୁ। ପଞ୍ଚବର୍ହିଃର ତୃତୀୟ ଶ୍ଳୋକଟି ହେଲା- ‘ତଦ୍‌ବର୍ତ୍ମାନୁବର୍ତ୍ତିନଃ ପିତରଃ ଶରଣମ୍‌’।...

Advertisement
Archives

Model This Week