ଆମ ପାଠପଢ଼ା ଓ ଜିଜ୍ଞାସା

ରିତେଶ କୁମାର ଶିଶୁ

ଗଛରୁ ସେଓ ଆଗରୁ ବି ପଡୁଥିଲା କିନ୍ତୁ ନିଉଟନ ପ୍ରଥମ ବ୍ୟକ୍ତି ଥିଲେ ପଚାରିବାକୁ କାହିଁକି ପଡ଼ିଲା। ଯଦି ତାଙ୍କ ମନରେ ଏହି ପ୍ରଶ୍ନଟି ଆସି ନ ଥା’ନ୍ତା ତେବେ ଆଜି ହୁଏ ତ ମାଧ୍ୟାକର୍ଷଣ ବଳ ବିଷୟରେ ବିଶ୍ୱ ଜାଣିପାରି ନ ଥାନ୍ତା। ତେଣୁ ଏକ ଅନୁସନ୍ଧିତ୍ସୁ ଓ ଜିଜ୍ଞାସା ପୂର୍ଣ୍ଣ ଚିନ୍ତାଧାରା ସର୍ବଦା ନୂତନ ଉଦ୍ଭାବନର ବିଜ ବପନ କରିଥାଏ। ଯେଉଁ ସମାଜରେ ବୈଜ୍ଞାନିକ ଚିନ୍ତାଧାରା ଓ ଅନୁସନ୍ଧିତ୍ସୁ ବ୍ୟକ୍ତିଙ୍କର ସଂଖ୍ୟା ଯେତେ ଅଧିକ ସେ ସମାଜ ଆର୍ଥିକ, ସାମାଜିକ, ବୌଧିକ ଦୃଷ୍ଟିକୋଣରୁ ସେତେ ଉନ୍ନତ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ହେଉଛନ୍ତି ଏହାର ଏକ ଜ୍ୱଳନ୍ତ ଉଦାହରଣ। ତେବେ ଏହି ମର୍ମରେ ଆମ ଦେଶ ତଥା ଆମ ରାଜ୍ୟ କଥା ଆସନ୍ତୁ ବିଚାର କରିବା।
ସର୍ବଦା ସଫଳ ଓ ମହାନ୍‌ ବ୍ୟକ୍ତିବିଶେଷମାନେ ଆମକୁ ପ୍ରେରଣା ଦିଅନ୍ତି ଓ ଆମେମାନେ ସେମାନଙ୍କୁ ଅନୁସରଣ କରୁ। ବିଗତ କିଛି ଦଶନ୍ଧିକୁ ଅନୁଶୀଳନ କଲେ ଆମେ ଦେଖିବା ଆମ ଯୁବ ସମାଜ ଏକ ସିଂହଭାଗ ଅନୁକରଣ କରନ୍ତି ସଫଳ କ୍ରିକେଟ ଖେଳାଳି ଅବା ଅଭିନେତା ଅବା ରାଜନେତାମାନଙ୍କୁ। କାରଣ ସମାଜରେ ସେମିତିକା ଏକ ଉହ୍ୟ ବାତାବରଣ ସୃଷ୍ଟି ହୋଇଯାଇଛି ବା ସୃଷ୍ଟି କରିଦିଆଯାଇଛି। ଆମ ପାଠ ବହିର ଶୈକ୍ଷିକ ଖସଡ଼ା ମଧ୍ୟ ଯୁଗୋପଯୋଗୀ ହୋଇପାରୁ ନାହିଁ। ଅଭିଭାବକମାନେ ବିସ୍ତୃତ ରଚନାଧର୍ମୀ ପ୍ରଶ୍ନ ବଦଳରେ ଅତି ସଂକ୍ଷିପ୍ତ ଟିକ୍‌ ମାରି ଉତ୍ତର ଦେବା ପ୍ରଶ୍ନ ପାଇଁ ଅଳି କରନ୍ତି। କିଛି ଦିନ ତଳେ ଗୋଟିଏ ଖବରକାଗଜର ସଂପାଦକଙ୍କ ସହିତ ବିଜ୍ଞାନଭିତ୍ତିିକ ଏକ ଲେଖା ବିଷୟରେ ଆଲୋଚନା ବେଳେ ସେ କହିଲେ, ଏଭଳି ଲେଖାର ଚାହିଦା କମ୍‌। ସମାଜର ଅଧୁନାତନ ବାତାବରଣରେ ଏହା ଅବଶ୍ୟ ଅସତ୍ୟ ନୁହେଁ। ସାମାଜିକ ଗଣମାଧ୍ୟମ ଏବେ ବହୁତ ଆଦୃତ ହୋଇଛି ଏବଂ ଆଜିକାଲି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଗଲାଣି। ଯୁବ ସମାଜ ଖେଳ ପଡ଼ିଆକୁ ତ ଯାଉଛନ୍ତି ହେଲେ ସେଠାରେ ଆଉ ସତସତିକା ଖେଳ ଖେଳୁ ନାହାନ୍ତି ବରଂ ମୋବାଇଲ ଫୋନକୁ ଧରି କିଏ କାହା ସାଙ୍ଗେ ଚାଟିଂ କଲାଣି ତ କିଏ ଅନ୍‌ଲାଇନ୍‌ କ୍ରିକେଟ ଖେଳର ମଜା ନେଲାଣି ବା ଅନ୍‌ଲାଇନ୍‌ରେ ଅନ୍ୟାନ୍ୟ ଖେଳ ଚାଲିଲାଣି। ସେଥିରେ ପୁଣି ଗୋଟେ ଟ୍ରେଣ୍ଡ ଚାଲିଛି ଷ୍ଟାଟସ ରଖିବାର, କିଏ କୋଉ କ୍ରିକେଟର କେତେ ରନ୍‌ କଲା ବା ଅଭିନେତାର ବା ନେତାର ସଫଳତାର କାହାଣୀ ବା ଜନ୍ମଦିନର ଶୁଭେଚ୍ଛାରେ ଫଟୋଟିଏ ରଖି ଷ୍ଟାଟସ ଭରି ଦିଅନ୍ତି। କିନ୍ତୁ ସମାଜର ପ୍ରତିଷ୍ଠିତ ଲେଖକ ବା ବୈଜ୍ଞାନିକ ବା କୌଣସି ବୌଧିକ ବ୍ୟକ୍ତିତ୍ୱଙ୍କର ଗାଥା କ୍ୱେଚିତ ଦେଖିବାକୁ ମିଳେ।
ପାଶ୍ଚାତ୍ୟ ଦେଶ ସମୂହ, ଜାପାନ, ଚାଇନାରେ ବିଜ୍ଞାନ ଓ ବୈଷୟିକ ବିପ୍ଳବ ଚାଲିଥିବା ବେଳେ ଆମ ଯୁବ ସମାଜ ଆଜି କେଉଁ ଲକ୍ଷ୍ୟ ପଥରେ ଧାବମାନ ତାହା ସମାଜର ଅଧୁନା ପରିସ୍ଥିତିରୁ ଅନୁମେୟ। ସୁଯୋଗ ସୃଷ୍ଟି କରିବା ଓ ଏହାର ସୁବିନିଯୋଗ କରିବାରେ ଆମେ ପଛୁଆ କାରଣ ଆମର ମାନସିକତା ଅନୁସନ୍ଧିିତ୍ସା ଓ ବିଜ୍ଞାନମନସ୍କ ନୁହେଁ। ଅମେ ଏପର୍ଯ୍ୟନ୍ତ ଏକ ଅନୁସନ୍ଧିତ୍ସା ଓ ବିଜ୍ଞାନମନସ୍କ ସମାଜ ଗଠନ କରିବାରେ ବିଫଳ ହୋଇଛେ। ଆମେ ପ୍ରକୃତିର ବିଚିତ୍ରତା ପ୍ରତି ଅକୃଷ୍ଟ ହେଉନେ ବା ବୌଧିକ ଜ୍ଞାନ ବିକଶିତ କରିବା ପାଇଁ ଉଦ୍ଦିଷ୍ଟ ପାଠ୍ୟ ଖସଡା ଓ ପ୍ରୋତ୍ସାହନ ପ୍ରଦାନ କରିପାରୁନେ। ନୂତନ ଉଦ୍ଭାବନ କରିବାକୁ ଆବଶ୍ୟକ ଜିଜ୍ଞାସା, ଉତ୍ସାହ ଓ ମାନସିକତା ଆମ ଯୁବ ସମାଜ ପାଖରେ ଅଭାବ। ଅଳ୍ପ ପ୍ରଚେଷ୍ଟା ଓ ଅସାଧୁ ଉପାୟରେ ଅଧିକ ଧନ ଉପାର୍ଜନ କରିବାର ମାନସିକତା ସମାଜକୁ କୋରେଇ ଖାଇଚାଲିଛି।
ପ୍ରତ୍ୟେକ ବ୍ୟକ୍ତି ପାଖରେ କିଛି ନା କିଛି ଉହ୍ୟ ପ୍ରତିଭା ଅଛି। ସମସ୍ତଙ୍କର କୌଣସି ନା କୌଣସି ବିଷୟରେ ପାରଦର୍ଶିତା ଅଛି କିନ୍ତୁ ତାହାକୁ ପାଥେୟ କରି ଜୀବନର ଲକ୍ଷ୍ୟ ସାଧନ କାରିବାକୁ ସ୍ବପ୍ନ ଦେଖୁନା। ସେଥିପାଇଁ ଆବଶ୍ୟକ ଅଧ୍ୟବସାୟ ଓ ପରିଶ୍ରମ କାରିବାକୁ ଆମର ଜୁ ନ ଥାଏ କିମ୍ବା ଆମେ ମାନସିକ ଭାବରେ ପ୍ରସ୍ତୁତ ହୋଇପାରୁନା। କେତେକେ ସମ୍ଭାବ୍ୟ ବିଫଳତାକୁ ଭୟ କରନ୍ତି, କେତେକେ ସମ୍ବଳ ଅଭାବକୁ ବାହାନା କରନ୍ତି ତ ଆଉ କେତେକ କୁସଙ୍ଗରେ ପଡ଼ି ଭବିଷ୍ୟତକୁ ଖରାପ କରିଦିଅନ୍ତି। କେହି ଛୋଟରୁ ବଡ଼ ହେବାକୁ ଚାହାନ୍ତି ନାହିଁ, ଏକାଥରେ ରାତାରାତି ସେମାନେ ବଡ଼ ହୋଇଯିବାକୁ ଚାହାନ୍ତି। ମନେରଖିବା ଉଚିତ୍‌, ପ୍ରଥମେ ଛୋଟ ଛୋଟ ସଫଳତା ବା ବିଫଳତାର ଅନୁଭୂତି ଆମକୁ ବଡ଼ ବଡ଼ ସଫଳତା ପାଇବାର ପାହାଚ ତିଆରି କରନ୍ତି। ପିଲାର ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନିବାରେ ଅଭିଭାବକଙ୍କର ମଧ୍ୟ ଏକ ବିଶେଷ ଭୂମିକା ରହିଛି।
ଯୁବ ଗୋଷ୍ଠୀ ସମାଜରେ ଏକ ବିଶାଳ ସମ୍ବଳ। ୨୦୧୧ ଜନଗଣନା ମୁତାବକ ଦେଶର ଲୋକ ସଂଖ୍ୟାର ୫୦ ପ୍ରତିଶତ ହେଉଛି ୨୪ ବର୍ଷରୁ କମ୍‌ ବୟସର ଯୁବକ । କିଛି ସମଭାବାପନ୍ନ ଯୁବକ ମିଶି ସେମାନଙ୍କ ଅଞ୍ଚଳରେ ଛୋଟ ବିଜ୍ଞାନଭିତ୍ତିକ ଗବେଷଣା କରିପାରିବେ, ନୂତନ ବୈଷୟିକ କୌଶଳର ପ୍ରୟୋଗ କରିପାରିବେ। ଯେପରି କି ସୌରଶକ୍ତି, କୃଷି ଓ ଉଦ୍ଭିଦ ବିଜ୍ଞାନ, ହର୍ଟିକଲଚର, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ସ, ରୋବୋଟିକ୍ସ, ସେମିକଣ୍ଡକ୍ଟର, ଗ୍ରାମାଞ୍ଚଳ ପାରମ୍ପରିକ ଜ୍ଞାନର ଆଧୁନିକୀକରଣ, ରକେଟ ସାଇନ୍ସ, ଆଷ୍ଟ୍ରୋନୋମି, କମ୍ପ୍ୟୁଟର ହାର୍ଡଓୟାର ଓ ସଫ୍ଟଓୟାର ଆଦି ଅନେକ ବିଷୟ। ଏହି ପ୍ରକ୍ରିୟାରେ ସେମାନେ ବିଭିନ୍ନ ବୈଜ୍ଞାନିକ ଓ ବୈଷୟିକ ଉପକରଣ ବିକଶିତ କରି ତାହାର ବ୍ୟବସାୟିକ ଉପତ୍ାଦନ କରିବାକୁ ପ୍ରୟାସ କରିପାରିବେ।
ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି, ସମ୍ବଳ ଓ ପ୍ରୋତ୍ସାହନ ଯୋଗାଇଦେବାରେ ସରକାରଙ୍କର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଛଡ଼ା ଆମ ପାଠ୍ୟ ଖସଡ଼ା ଅଧିକ ପ୍ରୟୋଗାମତ୍କ ଓ ଯୁଗୋପଯୋଗୀ ହେବା ମଧ୍ୟ ଆବଶ୍ୟକ। ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଏକ ଛୋଟ ପ୍ରୟୋଗଶାଳା ତଥା ବିଜ୍ଞାନ ଓ ବୈଷୟିକ ପ୍ରଦର୍ଶନୀ କକ୍ଷ କରି ପିଲାଙ୍କୁ ଛୋଟ ବୟସରୁ ଏଥି ପ୍ରତି ଆଗ୍ରହ ସୃଷ୍ଟି କରି ସେମାନଙ୍କର ଜିଜ୍ଞାସା ବଢ଼ାଇବାରେ ସାହାଯ୍ୟ କରିବା ଆବଶ୍ୟକ। ଆମ ପାଠ୍ୟକ୍ରମରେ ପିଲାମାନେ ସାଧାରଣତଃ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମରେ କିଛି ମାତ୍ରାରେ ବିଜ୍ଞାନଭିତ୍ତିକ ପ୍ରୟୋଗ କରିବାକୁ ସୁଯୋଗ ପାଇଥାନ୍ତି; ଯାହା ଉଚ୍ଚ ପ୍ରାଥମିକ ସ୍ତରରୁ ଅଳ୍ପ ବହୁତେ ଆରମ୍ଭ ହେବା ଦରକାର। ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ବିଜ୍ଞାନ ଓ ବୈଷୟିକର ପ୍ରଚାର ପ୍ରସାର ପାଇଁ ପ୍ରଦର୍ଶନୀ କକ୍ଷ, ଲାଇବ୍ରେରୀ ଓ ଛୋଟ ପ୍ରୟୋଗଶାଳାମାନ କରାଯାଇପାରିବ। କିଛି ଉତ୍ସାହୀ ଯୁବକଙ୍କୁ ନେଇ ଗୋଷ୍ଠୀ ଗଠନ କରି ତାହାର ରକ୍ଷଣାବେକ୍ଷଣ କରି ସେଠାରେ ପ୍ରୟୋଗାମତ୍କ ପ୍ରତିଯୋଗିତା ଓ ନୂତନ ଉଦ୍ଭାବନ କରିବାକୁ ପ୍ରୋତ୍ସାହିତ କରାଯାଇପାରିବ। ଆଗକୁ ବଢ଼ିବାକୁ ହେଲେ ଆମକୁ ଜିଜ୍ଞାସୁ ହେବାକୁ ପଡିବ, ପ୍ରଶ୍ନ ପଚାରିବାକୁ ହେବ ଯେମିତି ନିଉଟନ ପ୍ରଶ୍ନ କରିଥିଲେ ‘କାହିଁକି’, ଯାହା ଆମକୁ ବିଜ୍ଞାନ ମନସ୍କ କରିବ ଓ ପ୍ରକୃତିର ବିବିଧତାକୁ ଖୋଜି ଏହା ମାଧ୍ୟମରେ ସମାଜର ଉନ୍ନତି କରିବାରେ ସହାୟକ ହେବ। ତା’ହେଲେ ଯାଇ ଆମ ଜୀବନକୁ ଏକ ଲକ୍ଷ୍ୟ ମିଳିବ, ଯାହା ଆମ ଜୀବନର ସାର୍ଥକତାକୁ ପ୍ରତିପାଦିତ କରିବ।
ଦଧିବାବନପୁର, କଟକ
ମୋ: ୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri