ଆମ ପାଠପଢ଼ା ଓ ଜିଜ୍ଞାସା

ରିତେଶ କୁମାର ଶିଶୁ

ଗଛରୁ ସେଓ ଆଗରୁ ବି ପଡୁଥିଲା କିନ୍ତୁ ନିଉଟନ ପ୍ରଥମ ବ୍ୟକ୍ତି ଥିଲେ ପଚାରିବାକୁ କାହିଁକି ପଡ଼ିଲା। ଯଦି ତାଙ୍କ ମନରେ ଏହି ପ୍ରଶ୍ନଟି ଆସି ନ ଥା’ନ୍ତା ତେବେ ଆଜି ହୁଏ ତ ମାଧ୍ୟାକର୍ଷଣ ବଳ ବିଷୟରେ ବିଶ୍ୱ ଜାଣିପାରି ନ ଥାନ୍ତା। ତେଣୁ ଏକ ଅନୁସନ୍ଧିତ୍ସୁ ଓ ଜିଜ୍ଞାସା ପୂର୍ଣ୍ଣ ଚିନ୍ତାଧାରା ସର୍ବଦା ନୂତନ ଉଦ୍ଭାବନର ବିଜ ବପନ କରିଥାଏ। ଯେଉଁ ସମାଜରେ ବୈଜ୍ଞାନିକ ଚିନ୍ତାଧାରା ଓ ଅନୁସନ୍ଧିତ୍ସୁ ବ୍ୟକ୍ତିଙ୍କର ସଂଖ୍ୟା ଯେତେ ଅଧିକ ସେ ସମାଜ ଆର୍ଥିକ, ସାମାଜିକ, ବୌଧିକ ଦୃଷ୍ଟିକୋଣରୁ ସେତେ ଉନ୍ନତ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ହେଉଛନ୍ତି ଏହାର ଏକ ଜ୍ୱଳନ୍ତ ଉଦାହରଣ। ତେବେ ଏହି ମର୍ମରେ ଆମ ଦେଶ ତଥା ଆମ ରାଜ୍ୟ କଥା ଆସନ୍ତୁ ବିଚାର କରିବା।
ସର୍ବଦା ସଫଳ ଓ ମହାନ୍‌ ବ୍ୟକ୍ତିବିଶେଷମାନେ ଆମକୁ ପ୍ରେରଣା ଦିଅନ୍ତି ଓ ଆମେମାନେ ସେମାନଙ୍କୁ ଅନୁସରଣ କରୁ। ବିଗତ କିଛି ଦଶନ୍ଧିକୁ ଅନୁଶୀଳନ କଲେ ଆମେ ଦେଖିବା ଆମ ଯୁବ ସମାଜ ଏକ ସିଂହଭାଗ ଅନୁକରଣ କରନ୍ତି ସଫଳ କ୍ରିକେଟ ଖେଳାଳି ଅବା ଅଭିନେତା ଅବା ରାଜନେତାମାନଙ୍କୁ। କାରଣ ସମାଜରେ ସେମିତିକା ଏକ ଉହ୍ୟ ବାତାବରଣ ସୃଷ୍ଟି ହୋଇଯାଇଛି ବା ସୃଷ୍ଟି କରିଦିଆଯାଇଛି। ଆମ ପାଠ ବହିର ଶୈକ୍ଷିକ ଖସଡ଼ା ମଧ୍ୟ ଯୁଗୋପଯୋଗୀ ହୋଇପାରୁ ନାହିଁ। ଅଭିଭାବକମାନେ ବିସ୍ତୃତ ରଚନାଧର୍ମୀ ପ୍ରଶ୍ନ ବଦଳରେ ଅତି ସଂକ୍ଷିପ୍ତ ଟିକ୍‌ ମାରି ଉତ୍ତର ଦେବା ପ୍ରଶ୍ନ ପାଇଁ ଅଳି କରନ୍ତି। କିଛି ଦିନ ତଳେ ଗୋଟିଏ ଖବରକାଗଜର ସଂପାଦକଙ୍କ ସହିତ ବିଜ୍ଞାନଭିତ୍ତିିକ ଏକ ଲେଖା ବିଷୟରେ ଆଲୋଚନା ବେଳେ ସେ କହିଲେ, ଏଭଳି ଲେଖାର ଚାହିଦା କମ୍‌। ସମାଜର ଅଧୁନାତନ ବାତାବରଣରେ ଏହା ଅବଶ୍ୟ ଅସତ୍ୟ ନୁହେଁ। ସାମାଜିକ ଗଣମାଧ୍ୟମ ଏବେ ବହୁତ ଆଦୃତ ହୋଇଛି ଏବଂ ଆଜିକାଲି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଗଲାଣି। ଯୁବ ସମାଜ ଖେଳ ପଡ଼ିଆକୁ ତ ଯାଉଛନ୍ତି ହେଲେ ସେଠାରେ ଆଉ ସତସତିକା ଖେଳ ଖେଳୁ ନାହାନ୍ତି ବରଂ ମୋବାଇଲ ଫୋନକୁ ଧରି କିଏ କାହା ସାଙ୍ଗେ ଚାଟିଂ କଲାଣି ତ କିଏ ଅନ୍‌ଲାଇନ୍‌ କ୍ରିକେଟ ଖେଳର ମଜା ନେଲାଣି ବା ଅନ୍‌ଲାଇନ୍‌ରେ ଅନ୍ୟାନ୍ୟ ଖେଳ ଚାଲିଲାଣି। ସେଥିରେ ପୁଣି ଗୋଟେ ଟ୍ରେଣ୍ଡ ଚାଲିଛି ଷ୍ଟାଟସ ରଖିବାର, କିଏ କୋଉ କ୍ରିକେଟର କେତେ ରନ୍‌ କଲା ବା ଅଭିନେତାର ବା ନେତାର ସଫଳତାର କାହାଣୀ ବା ଜନ୍ମଦିନର ଶୁଭେଚ୍ଛାରେ ଫଟୋଟିଏ ରଖି ଷ୍ଟାଟସ ଭରି ଦିଅନ୍ତି। କିନ୍ତୁ ସମାଜର ପ୍ରତିଷ୍ଠିତ ଲେଖକ ବା ବୈଜ୍ଞାନିକ ବା କୌଣସି ବୌଧିକ ବ୍ୟକ୍ତିତ୍ୱଙ୍କର ଗାଥା କ୍ୱେଚିତ ଦେଖିବାକୁ ମିଳେ।
ପାଶ୍ଚାତ୍ୟ ଦେଶ ସମୂହ, ଜାପାନ, ଚାଇନାରେ ବିଜ୍ଞାନ ଓ ବୈଷୟିକ ବିପ୍ଳବ ଚାଲିଥିବା ବେଳେ ଆମ ଯୁବ ସମାଜ ଆଜି କେଉଁ ଲକ୍ଷ୍ୟ ପଥରେ ଧାବମାନ ତାହା ସମାଜର ଅଧୁନା ପରିସ୍ଥିତିରୁ ଅନୁମେୟ। ସୁଯୋଗ ସୃଷ୍ଟି କରିବା ଓ ଏହାର ସୁବିନିଯୋଗ କରିବାରେ ଆମେ ପଛୁଆ କାରଣ ଆମର ମାନସିକତା ଅନୁସନ୍ଧିିତ୍ସା ଓ ବିଜ୍ଞାନମନସ୍କ ନୁହେଁ। ଅମେ ଏପର୍ଯ୍ୟନ୍ତ ଏକ ଅନୁସନ୍ଧିତ୍ସା ଓ ବିଜ୍ଞାନମନସ୍କ ସମାଜ ଗଠନ କରିବାରେ ବିଫଳ ହୋଇଛେ। ଆମେ ପ୍ରକୃତିର ବିଚିତ୍ରତା ପ୍ରତି ଅକୃଷ୍ଟ ହେଉନେ ବା ବୌଧିକ ଜ୍ଞାନ ବିକଶିତ କରିବା ପାଇଁ ଉଦ୍ଦିଷ୍ଟ ପାଠ୍ୟ ଖସଡା ଓ ପ୍ରୋତ୍ସାହନ ପ୍ରଦାନ କରିପାରୁନେ। ନୂତନ ଉଦ୍ଭାବନ କରିବାକୁ ଆବଶ୍ୟକ ଜିଜ୍ଞାସା, ଉତ୍ସାହ ଓ ମାନସିକତା ଆମ ଯୁବ ସମାଜ ପାଖରେ ଅଭାବ। ଅଳ୍ପ ପ୍ରଚେଷ୍ଟା ଓ ଅସାଧୁ ଉପାୟରେ ଅଧିକ ଧନ ଉପାର୍ଜନ କରିବାର ମାନସିକତା ସମାଜକୁ କୋରେଇ ଖାଇଚାଲିଛି।
ପ୍ରତ୍ୟେକ ବ୍ୟକ୍ତି ପାଖରେ କିଛି ନା କିଛି ଉହ୍ୟ ପ୍ରତିଭା ଅଛି। ସମସ୍ତଙ୍କର କୌଣସି ନା କୌଣସି ବିଷୟରେ ପାରଦର୍ଶିତା ଅଛି କିନ୍ତୁ ତାହାକୁ ପାଥେୟ କରି ଜୀବନର ଲକ୍ଷ୍ୟ ସାଧନ କାରିବାକୁ ସ୍ବପ୍ନ ଦେଖୁନା। ସେଥିପାଇଁ ଆବଶ୍ୟକ ଅଧ୍ୟବସାୟ ଓ ପରିଶ୍ରମ କାରିବାକୁ ଆମର ଜୁ ନ ଥାଏ କିମ୍ବା ଆମେ ମାନସିକ ଭାବରେ ପ୍ରସ୍ତୁତ ହୋଇପାରୁନା। କେତେକେ ସମ୍ଭାବ୍ୟ ବିଫଳତାକୁ ଭୟ କରନ୍ତି, କେତେକେ ସମ୍ବଳ ଅଭାବକୁ ବାହାନା କରନ୍ତି ତ ଆଉ କେତେକ କୁସଙ୍ଗରେ ପଡ଼ି ଭବିଷ୍ୟତକୁ ଖରାପ କରିଦିଅନ୍ତି। କେହି ଛୋଟରୁ ବଡ଼ ହେବାକୁ ଚାହାନ୍ତି ନାହିଁ, ଏକାଥରେ ରାତାରାତି ସେମାନେ ବଡ଼ ହୋଇଯିବାକୁ ଚାହାନ୍ତି। ମନେରଖିବା ଉଚିତ୍‌, ପ୍ରଥମେ ଛୋଟ ଛୋଟ ସଫଳତା ବା ବିଫଳତାର ଅନୁଭୂତି ଆମକୁ ବଡ଼ ବଡ଼ ସଫଳତା ପାଇବାର ପାହାଚ ତିଆରି କରନ୍ତି। ପିଲାର ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନିବାରେ ଅଭିଭାବକଙ୍କର ମଧ୍ୟ ଏକ ବିଶେଷ ଭୂମିକା ରହିଛି।
ଯୁବ ଗୋଷ୍ଠୀ ସମାଜରେ ଏକ ବିଶାଳ ସମ୍ବଳ। ୨୦୧୧ ଜନଗଣନା ମୁତାବକ ଦେଶର ଲୋକ ସଂଖ୍ୟାର ୫୦ ପ୍ରତିଶତ ହେଉଛି ୨୪ ବର୍ଷରୁ କମ୍‌ ବୟସର ଯୁବକ । କିଛି ସମଭାବାପନ୍ନ ଯୁବକ ମିଶି ସେମାନଙ୍କ ଅଞ୍ଚଳରେ ଛୋଟ ବିଜ୍ଞାନଭିତ୍ତିକ ଗବେଷଣା କରିପାରିବେ, ନୂତନ ବୈଷୟିକ କୌଶଳର ପ୍ରୟୋଗ କରିପାରିବେ। ଯେପରି କି ସୌରଶକ୍ତି, କୃଷି ଓ ଉଦ୍ଭିଦ ବିଜ୍ଞାନ, ହର୍ଟିକଲଚର, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ସ, ରୋବୋଟିକ୍ସ, ସେମିକଣ୍ଡକ୍ଟର, ଗ୍ରାମାଞ୍ଚଳ ପାରମ୍ପରିକ ଜ୍ଞାନର ଆଧୁନିକୀକରଣ, ରକେଟ ସାଇନ୍ସ, ଆଷ୍ଟ୍ରୋନୋମି, କମ୍ପ୍ୟୁଟର ହାର୍ଡଓୟାର ଓ ସଫ୍ଟଓୟାର ଆଦି ଅନେକ ବିଷୟ। ଏହି ପ୍ରକ୍ରିୟାରେ ସେମାନେ ବିଭିନ୍ନ ବୈଜ୍ଞାନିକ ଓ ବୈଷୟିକ ଉପକରଣ ବିକଶିତ କରି ତାହାର ବ୍ୟବସାୟିକ ଉପତ୍ାଦନ କରିବାକୁ ପ୍ରୟାସ କରିପାରିବେ।
ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି, ସମ୍ବଳ ଓ ପ୍ରୋତ୍ସାହନ ଯୋଗାଇଦେବାରେ ସରକାରଙ୍କର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଛଡ଼ା ଆମ ପାଠ୍ୟ ଖସଡ଼ା ଅଧିକ ପ୍ରୟୋଗାମତ୍କ ଓ ଯୁଗୋପଯୋଗୀ ହେବା ମଧ୍ୟ ଆବଶ୍ୟକ। ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଏକ ଛୋଟ ପ୍ରୟୋଗଶାଳା ତଥା ବିଜ୍ଞାନ ଓ ବୈଷୟିକ ପ୍ରଦର୍ଶନୀ କକ୍ଷ କରି ପିଲାଙ୍କୁ ଛୋଟ ବୟସରୁ ଏଥି ପ୍ରତି ଆଗ୍ରହ ସୃଷ୍ଟି କରି ସେମାନଙ୍କର ଜିଜ୍ଞାସା ବଢ଼ାଇବାରେ ସାହାଯ୍ୟ କରିବା ଆବଶ୍ୟକ। ଆମ ପାଠ୍ୟକ୍ରମରେ ପିଲାମାନେ ସାଧାରଣତଃ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମରେ କିଛି ମାତ୍ରାରେ ବିଜ୍ଞାନଭିତ୍ତିକ ପ୍ରୟୋଗ କରିବାକୁ ସୁଯୋଗ ପାଇଥାନ୍ତି; ଯାହା ଉଚ୍ଚ ପ୍ରାଥମିକ ସ୍ତରରୁ ଅଳ୍ପ ବହୁତେ ଆରମ୍ଭ ହେବା ଦରକାର। ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ବିଜ୍ଞାନ ଓ ବୈଷୟିକର ପ୍ରଚାର ପ୍ରସାର ପାଇଁ ପ୍ରଦର୍ଶନୀ କକ୍ଷ, ଲାଇବ୍ରେରୀ ଓ ଛୋଟ ପ୍ରୟୋଗଶାଳାମାନ କରାଯାଇପାରିବ। କିଛି ଉତ୍ସାହୀ ଯୁବକଙ୍କୁ ନେଇ ଗୋଷ୍ଠୀ ଗଠନ କରି ତାହାର ରକ୍ଷଣାବେକ୍ଷଣ କରି ସେଠାରେ ପ୍ରୟୋଗାମତ୍କ ପ୍ରତିଯୋଗିତା ଓ ନୂତନ ଉଦ୍ଭାବନ କରିବାକୁ ପ୍ରୋତ୍ସାହିତ କରାଯାଇପାରିବ। ଆଗକୁ ବଢ଼ିବାକୁ ହେଲେ ଆମକୁ ଜିଜ୍ଞାସୁ ହେବାକୁ ପଡିବ, ପ୍ରଶ୍ନ ପଚାରିବାକୁ ହେବ ଯେମିତି ନିଉଟନ ପ୍ରଶ୍ନ କରିଥିଲେ ‘କାହିଁକି’, ଯାହା ଆମକୁ ବିଜ୍ଞାନ ମନସ୍କ କରିବ ଓ ପ୍ରକୃତିର ବିବିଧତାକୁ ଖୋଜି ଏହା ମାଧ୍ୟମରେ ସମାଜର ଉନ୍ନତି କରିବାରେ ସହାୟକ ହେବ। ତା’ହେଲେ ଯାଇ ଆମ ଜୀବନକୁ ଏକ ଲକ୍ଷ୍ୟ ମିଳିବ, ଯାହା ଆମ ଜୀବନର ସାର୍ଥକତାକୁ ପ୍ରତିପାଦିତ କରିବ।
ଦଧିବାବନପୁର, କଟକ
ମୋ: ୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?