ଆମ ଫୌଜଦାରି ଆଇନ ଗରିବ ବିରୋଧୀ

ସହଦେବ ସାହୁ

 

ଯଥେଷ୍ଟ ଅର୍ଥ ଅମାନତ ରୂପେ ଦେଇପାରିବାର ସାମର୍ଥ୍ୟ ଥିବା ପ୍ରଦୀପ ପାଣିଗ୍ରାହୀ ବା ଅଭୟ ପାଠକ ଜାମିନ ପାଉନାହାନ୍ତି ବୋଲି ବହୁତ ଆଲୋଚନା ହେଉଛି।
ପଇସା ଅଭାବରୁ ଅର୍ଥାତ୍‌ ଜାମିନ ମିଳୁ ନ ଥିବାରୁ କେତେ ଯେ ଗରିବ ଜେଲରେ ଶଢୁଛନ୍ତି ସେ କଥା ଆଲୋଚନା କରୁନାହାନ୍ତି କାହିଁକି? ୨୦୧୬ର ପରବର୍ତ୍ତୀ କାଳରେ ବିଚାରାଧୀନମାନଙ୍କ ସାମାଜିକ ପୃଷ୍ଠଭୂମି ଉଲ୍ଲେଖ କରି ଜାତୀୟ ଅପରାଧ ରେକର୍ଡ ବୁରୋ (ଏନ୍‌ସିଆର୍‌ବି) ଦେଖାଇଛନ୍ତି ଯେ, ଗରିବୀ କାରଣରୁ ଡ୍ରଗ୍ସ ଓ ନିଶା ଦ୍ରବ୍ୟ ବୁହାବୋହିରେ କିଛି ଅଧିକା ମଜୁରି ପାଇବା ପାଇଁ ଲାଗିଥିବା ଗରିବ ଲୋକେ, ସାରା ଦେଶରେ ପ୍ରାୟ ୩ ଲକ୍ଷ ବିଚାରାଧୀନ କଏଦୀ ହୋଇ ରହିଛନ୍ତି, ସେମାନଙ୍କ ଭିତରୁ ୭୦ପ୍ରତିଶତ ଏସ୍‌ସି, ଏସ୍‌ଟି ଅବା ଓବିସି ଗୋଷ୍ଠୀର।
ଆମ ରାଜ୍ୟରେ ଜେଲରେ ଥିବା ଲୋକଙ୍କ ଭିତରୁ ବିଚାରାଧୀନ ଅଛନ୍ତି ୯୧ପ୍ରତିଶତ । ହିସାବ ଅନୁଯାୟୀ ୨୦୧୮ ଆରମ୍ଭରେ ୪୭୦୦ ବନ୍ଦୀ ୫ ବର୍ଷରୁ ବେଶି ଜେଲରେ ଥିଲେ, ମୋଟ କଏଦୀଙ୍କ ଭିତରୁ ଅଛନ୍ତି। ୩ ମାସରୁ କମ୍‌ ଜେଲରେ ଥିବା କଏଦୀଙ୍କ ସଂଖ୍ୟା ମୋଟ କଏଦୀଙ୍କ ୩୬ପ୍ରତିଶତ। ଅଥଚ ଶହ ଶହ କୋଟି ଟଙ୍କା ଲୁଟ୍‌ କରିଥିବା ଟିଟ୍‌ଫଣ୍ଡ-ମାଲିକ ଗିରଫ ପରେ ପ୍ରଚୁର ଅମାନତ ଦେଇ ଜାମିନରେ ଯାଇପାରେ, କିନ୍ତୁ ୫ ଟଙ୍କାର ପାଉଁରୁଟି ଝାମ୍ପି ନେଇଥିବା ଭିକାରିଟିଏ ଅମାନତ ଦେବା ଅବସ୍ଥାରେ ନ ଥିବାରୁ ଜାମିନ୍‌ ପାଏ ନାହିଁ, କୋର୍ଟ ଦ୍ୱାରା ଛାଡ଼ ପାଇବା ପର୍ଯ୍ୟନ୍ତ ସେ ଜେଲରେ ରହିଥାଏ।
ଫୌଜଦାରି ଆଇନରେ ଦୁଇଟି ବ୍ୟବସ୍ଥା, ଯଥା ଜରିମାନା ରୂପକ ଦଣ୍ଡ ଓ ଅମାନତ ସହ ଜାମିନ, ଗରିବ ବିରୋଧୀ, ସେଥିଲାଗି ମାନବ ଅଧିକାରର ଉଲ୍ଲଂଘନ । ଭୁକ୍ତଭୋଗୀମାନେ ଜାଣନ୍ତି କିପରି ଲାଞ୍ଚ ନ ମିଳିଲେ ଏତଲା ବି ନିଆଯାଏ ନାହିଁ। ଏତଲା ଦେବାକୁ ଆସିଥିବା ଲୋକକୁ ଏତେ ହଇରାଣ କରାଯାଏ ଯେ ସେ ସକାଳୁ ରାତି ଯାଏ ବସି ବସି ଶେଷରେ ନିରାଶ ହୋଇ ଘରକୁ ଫେରେ, ପୋଲିସ୍‌ ଦୁଇ ପକ୍ଷରୁ ପଇସା ପାଇ କିପରି ଏତଲା ଦରଜ କରି କଳିକୁ ବଢାଇଦିଏ ।
ଜାମିନ ଏବଂ ଦଣ୍ଡ ବ୍ୟବସ୍ଥା ଭିତରେ ଅର୍ଥ ବା ଧନ ଉପରେ ଏତେ ଜୋର୍‌ ଦିଆଯାଉଛି ଯେ ନୈତିକତା ଓ ମାନବିକତାକୁ ବଳି ଦିଆଯାଉଛି । ସବୁ ବ୍ୟବସ୍ଥା ଯେପରି ଧନୀଙ୍କ ପାଇଁ, ଗରିବକୁ ମନା! କେତେକ ପୋଲିସ ଯେ ଅପରାଧକୁ ବୃତ୍ତି ବା ବ୍ୟବସାୟ ରୂପେ ଗ୍ରହଣ କରି ରାଜନେତାଙ୍କ ଛତ୍ରତଳେ ବଢୁଥିବା ଅପରାଧୀକୁ କେବଳ ଧରେ ନାହିଁ, ତାକୁ ବୃତ୍ତିରେ ବଢିବାକୁ ସାହାଯ୍ୟ କରେ, ଯେ ପର୍ଯ୍ୟନ୍ତ ସିଏ ସାମାଜିକ ନିରାପତ୍ତା ନଷ୍ଟ ନ କରିଛି। ନିଜର ତଥା ଛାୟା ଯୋଗାଇଥିବା ରାଜନେତାମାନଙ୍କର ଲିପ୍ତତା ଲୁଚାଇବା ପାଇଁ ସେ ପ୍ରକାର ଲୋକ ଧରାପଡିଲେ ତାକୁ ଏନକାଉଣ୍ଟରରେ ମାରିଦିଏ। ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ଦୁବେ ବଞ୍ଚିଥିଲେ ଯେଉଁ ପୋଲିସ ଅଧିକାରୀ ଓ ରାଜନେତାମାନେ ଦୁବେକୁ ସାହାଯ୍ୟ କରୁଥିଲେ ସେମାନଙ୍କ କେଳେଙ୍କରି ପଦାରେ ପଡିଥାନ୍ତା, ମିଡିଆରେ ବାରମ୍ବାର ଖବର ବାହାରୁଥାନ୍ତା।
ମନେ ରଖିବା କଥା ଯେ ୬୫ଟି ଏତଲାରେ ସମ୍ପୃକ୍ତ ଦୁବେ ପୁଣି ପାରୋଲରେ ଥିଲା, କିପରି? ରେକର୍ଡ କହୁଛି କାନପୁରର ଚୌବେପୁର ଇଲାକାରେ ବିକୃ ଗାଁରେ ଦୁବେକୁ ଜୁଲାଇ ୩ ମଧ୍ୟରାତ୍ରିରେ ତା’ ଘରେ ଗିରଫ କରିବାକୁ ଯାଇଥିବା ୮ ଜଣ ପୋଲିସ ଜଣେ ଡିଏସପି ସହିତ ଆମ୍ବୁଷ୍‌ ହେଲେ, ଗୁଳିମାଡରେ ସମସ୍ତେ ମଲେ ା ଦୁବେ ଯେତେଥର ଗିରଫ ହୋଇଛି ସେତେଥର ଜାମିନ ପାଇଛି, ତାହା ଘରେ ପୋଲିସ ରେଡ୍‌ କରିବାକୁ ଗଲାଦିନ ସେ ପାରୋଲ୍‌ରେ ଥିଲା ା ଏହାର ଅନ୍ତରାଳରେ ଥିଲା ତାହାର ବେଲ୍‌ ଆପ୍ଲିକେଶନ୍‌କୁ ବିରୋଧ କରିବାରେ ପୋଲିସ ଓ ସରକାରୀ ଓକିଲଙ୍କ ଆନ୍ତରିକତାର ଅଭାବ!
ନ୍ୟାୟ ପାଇବା ଆମର ମୌଳିକ ଅଧିକାର, ଅଥଚ ନ୍ୟାୟ ପାଇବା ଏକ ବିଡମ୍ବନା ହୋଇପଡିଛି ା
ଯେମିତି ପାପୀ ତା’ର ଧନ ବଳରେ ପୁରୋହିତଙ୍କୁ ଧରି ଲୋକଦେଖାଣିଆ ପୂଜା-ପ୍ରାୟଶ୍ଚିତ୍ତ କରିନିଏ ଏବଂ ମିଡିଆ ଜରିଆରେ ତା’ର ଧାର୍ମିକତା ପ୍ରଚାର କରିଥାଏ, ସେହିଭଳି ଯେଉଁ ଅପରାଧୀର ପଇସା ଅଛି ସେ ବଡ ବଡ ଓକିଲ ଲଗାଇ ଏ କୋର୍ଟରୁ ସେ କୋର୍ଟ ଯାଇ ବିଚାର-ପ୍ରକ୍ରିୟାକୁ ଏତେ ଢିଲା କରିପାରିବ ଯେ ସେ ମଲା ପର୍ଯ୍ୟନ୍ତ ବିଚାର ସରିବ ନାହିଁ ଏବଂ ମଲା ପରେ ମାମଲାଟା ଆପେ ଆପେ ଉଡିଯିବ; ତେଣୁ ଜୀବନସାରା ସେ ଭଦ୍ରଲୋକ ଭାବେ ପରିଚିତ ହେଉଥିବ ଅଥବା ରାଜନୈତିକ ଦଳଟିଏ ତାକୁ ଲୋକପ୍ରତିନିଧି କରାଇନେଇଥିବ।
ବ୍ରିଟିଶ୍‌ ଶାସନ ପୂର୍ବରୁ ରାଜାମାନେ ତତ୍‌କ୍ଷଣ ବିଚାର କରୁଥିଲେ। ଏକା ଦିନକେ ବିଚାର ସରୁଥିଲା। କୋର୍ଟ ଫି ନ ଥିଲା କି ଅପରାଧୀକୁ ପରେ ଦରବାରରେ ଉପସ୍ଥିତ କରିବାର ଦରକାର ପଡୁ ନ ଥିଲା ା ଗୋରା ସାହେବମାନେ ବିଲାତର ଫୌଜଦାରି ବ୍ୟବସ୍ଥାକୁ ନକଲ କରି ‘ଭାରତୀୟ ପିଙ୍ଗଳ ସଂହିତା’ ତିଆରି କରିଦେଲେ ା ବିଲାତରେ ରାଜତନ୍ତ୍ରକୁ ନିୟନ୍ତ୍ରିତ କରିବା ପାଇଁ ଜମିମାଲିକମାନେ ଯେଉଁ ମାଗ୍‌ନାକାର୍ଟା ୧୨୧୫ ସାଲରେ ଗ୍ରହଣ କରାଇନେଲେ, ତାହା ବିଚାର ବ୍ୟବସ୍ଥାକୁ ରାଜାଙ୍କ ହାତରୁ କାଢିନେଲା, ସମାନସ୍କନ୍ଧ ଲୋକଙ୍କ ଦ୍ୱାରା ବିଚାର ହେବାର ବ୍ୟବସ୍ଥା କଲା। ଆରମ୍ଭରେ ଏହି ବିଚାରପତିମାନେ ବୁଲି ବୁଲି (ସର୍କିଟ୍‌) ଲୋକଙ୍କ ପାଖରେ ପହଞ୍ଚି ଶୁଣାଣି କରୁଥିଲେ। (କୋର୍ଟ ବସିବା, ସେସନ୍‌, ଶବ୍ଦରୁ ସେସନ୍ସ କୋର୍ଟ ଆସିଛି।) ପରେ ପରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ କୋର୍ଟ ପ୍ରତିଷ୍ଠା ହେଲା, ଦୂରତା ଓ ଅର୍ଥାଭାବ ଯୋଗୁ ଅଭିଯୁକ୍ତମାନେ ବେଳେ ବେଳେ କୋର୍ଟକୁ ଆସିପାରିଲେ ନାହଁି। ତେଣୁ ସେମାନଙ୍କୁ ଧରି ଆଣି (ଗିରଫ କରି) ରଖିବାକୁ ପଡିଲା, ତାହା ହେଲା ଜେଲ। ଜେଲ ଭିତରେ ଅସ୍ବାସ୍ଥ୍ୟକର ପରିବେଶ ବଢିଲା, ପ୍ରକାର ପ୍ରକାରର ରୋଗ ଧରିଲା, ବିଚାରାଧୀନ ଏବଂ ଦଣ୍ଡିତ ଉଭୟେ ଏକାଠି ରହୁଥିବାରୁ ବିଚାରାଧୀନମାନଙ୍କ ଭିତରେ ଅପରାଧପ୍ରବଣତା ବଢିବା ଦେଖାଗଲା। ପରିସ୍ଥିତି ଗୁରୁତର ହେଲା ଏବଂ ବିଚାରାଧୀନମାନେ ପ୍ରତିବାଦ କଲେ, ଦଣ୍ଡିତମାନଙ୍କଠାରୁ ଭିନ୍ନ ରହିବାକୁ ଚାହିଁଲେ। ଏହି ପରିସ୍ଥିତିରୁ ଜନ୍ମ ନେଲା ଜାମିନ ବ୍ୟବସ୍ଥା। ଆସାମୀ ନିଜେ ଯଥାସମୟରେ କୋର୍ଟରେ ହାଜର ହେବାର ପ୍ରତିଶ୍ରୁତି ଦେଲା ଅଥବା ତାକୁ ହାଜର କରାଇବାର ପ୍ରତିଶ୍ରୁତି ଦେବା ଜଣେ ଜାମିନଦାର ଯୋଗାଡ କଲା ତ ସେ ଜେଲରୁ ବାହାରେ ରହିପାରିଲା ା ଯଦି ଅଭିଯୁକ୍ତ ନ ଆସିଲା ଜାମିନଦାର ଦଣ୍ଡିତ ହେଲା ା ୧୨୭୫ରେ ଷ୍ଟାଚୁ ଅଫ୍‌ ୱେଷ୍ଟ ମିନିଷ୍ଟର ବଳରେ ଅପରାଧଗୁଡିକୁ ଦୁଇଭାଗ କରାଗଲା – ଜାମିନଯୋଗ୍ୟ ଓ ଜାମିନବିହୀନ ା ଜଜ୍‌ ଠିକ୍‌ କରିବା କ୍ଷମତା ପାଇଲେ ା ୧୬୨୮ର ରାଇଟ୍‌ ଅଫ୍‌ ପେଟିସନ୍‌ ଆଇନ ସାଙ୍ଗରେ ହେବିଆସ୍‌ କର୍ପସ୍‌ ଆକ୍ଟ ୧୬୭୭ରେ ଯୋଡାଗଲା, ଯାହା ଫଳରେ ଆସାମୀକୁ ଅଧିକାର ଦିଆଗଲା ଯେ ସେ ତା’ ନାଁରେ କି ଅଭିଯୋଗ ଅଛି ତାହା ଜାଣିବା ଦରକାର ଏବଂ ତା’ ସାଙ୍ଗେ ସାଙ୍ଗେ ଅଭିଯୋଗଟି ଜାମିନଯୋଗ୍ୟ କି ଜାମିନବିହୀନ ତାକୁ ଜଣାଇ ଦିଆଯିବ। ସେ ଯାଏ ପ୍ରତିଶ୍ରୁତି ଥିଲା ଅମାନତ, ୧୬୭୯ରେ ଦି ହେବିଆସ୍‌ କର୍ପସ୍‌ ଆକ୍ଟ ଅମାନତକୁ ପଇସାରେ (ଇଂଲଣ୍ଡରେ ପାଉଣ୍ଡ) ହିସାବ କଲା ା ଆମ ଦେଶର ସିଆର୍‌ପିସିରେ ବେଲ୍‌ ସଂଜ୍ଞା ଦିଆଯାଇନାହିଁ, ସେକ୍ସନ୍‌ ୨(କ)ରେ ଓ ପ୍ରଥମ ସ୍କିଡ୍ୟୁଲରେ କୁହାଯାଇଛି କେଉଁ ଅପରାଧ ବେଲ୍‌ ଯୋଗ୍ୟ ଓ କେଉଁଟି ବେଲ୍‌ ଅଯୋଗ୍ୟ। ସେକ୍ସନ ୪୩୬ରୁ ୪୫୦ ଯାଏ ବେଲ୍‌ ଓ ବଣ୍ଡ୍‌ କିପରି ଦିଆଯିବ କୁହାଯାଇଥିଲେ ବି ସେକ୍ୟୁରିଟି କେତେ ନିଆଯିବ ଉଲ୍ଲେଖ ନାହିଁ।
ପରବର୍ତ୍ତୀ ସମୟରେ ଆମ ଦେଶ ନେଇଥିବା ତିନୋଟି ବ୍ୟବସ୍ଥା ଆର୍ଥିକ ଅମାନତ ବିରୋଧରେ ଯାଉଛି: ମୁକ୍ତ କାରାଗାର ବା ଓପନ୍‌ ଜେଲ୍‌, ପାରୋଲ ବ୍ୟବସ୍ଥା ଓ ପଳାତକ ଘୋଷଣା ସହ ବ୍ୟକ୍ତିର ଜମିବାଡିକୁ ଜବତ୍‌ (ଆଟାଚ୍‌) କରାଯିବା। ଅମାନତ ମାଗିବା ମାନେ ଗରିବକୁ ଜେଲ୍‌ ପଠାଇବା ନୁହେଁ କି? ୨୦୦୫ରେ ସିଆର୍‌ପିସିରେ ସେକ୍ସନ ୪୩୬ଏ ଯୋଡାଗଲା, ବ୍ୟବସ୍ଥା ରହିଲା ଯେ ଯିଏ ଆରୋପିତ ଅପରାଧ ପାଇଁ ଉଦ୍ଦିଷ୍ଟ ସର୍ବାଧିକ ଜେଲ କାଳର ଅଧାରୁ ବେଶି ସମୟ ଜେଲରେ କଟାଇସାରିଲାଣି ତାକୁ ବ୍ୟକ୍ତିଗତ ବଣ୍ଡ୍‌ରେ ବିନା ଅମାନତରେ ଛାଡିଦିଆଯାଇପାରିବ। କିନ୍ତୁ ତା’ ହେଉନାହିଁ, ୨୦୧୭ରେ ମାତ୍ର ୦.୫ପ୍ରତିଶତ ବିଚାରାଧୀନ ବନ୍ଦୀ ମୁକ୍ତ ହୋଇଛନ୍ତି ବୋଲି ଏନ୍‌ସିଆର୍‌ବି କହିଛି। ଏସବୁ ମୂଳରେ ଅଛି ଆମର ଅମାନବୀୟ ଆଚରଣ; ଅଭିଯୁକ୍ତ ବୋଲି ସନ୍ଦେହ କଲା ପରେ ଲୋକଟିକୁ ଅମଣିଷ ବୋଲି ଆମ ପୋଲିସ୍‌ ଓ ନିମ୍ନବିଚାରାଳୟ ଭାବିନେଉଛି।
‘ମୋତିରାମ ଓ ଅନ୍ୟାନ୍ୟ ବନାମ ମଧ୍ୟପ୍ରଦେଶ’ ମାମଲାରେ ଅଭିଯୁକ୍ତ ଜଣେ ଗରିବ ରାଜମିସ୍ତ୍ରି ଥିଲା, ସୁପ୍ରିମ କୋର୍ଟ ତାକୁ ଜାମିନରେ ଛାଡିବା ଲାଗି ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ କୋର୍ଟକୁ ପଠାଇଦେଲେ। ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଆଦେଶ ଦେଲେ ଯେ ୧୦,୦୦୦ ଟଙ୍କା ଅମାନତରେ ବଣ୍ଡ୍‌ ଲେଖି ଓ ଜଣେ ସିଓରିଟି ଦେଇ ଆସାମୀ ଯାଇପାରିବ, କିନ୍ତୁ ତାଙ୍କ ଭାଇ ସିଓରିଟି ହୋଇପାରିବ ନାହିଁ ଯେହେତୁ ତାଙ୍କ ଜମି ଅନ୍ୟ ଗାଁରେ । ମୋତିରାମ ପୁଣି ସୁପ୍ରିମ୍‌ କୋର୍ଟ ଗଲେ, ଜଷ୍ଟିସ୍‌ ଆୟାର୍‌ କଟୁ ସମାଲୋଚନା କରି କହିଲେ – ତୁମେ ବେଲ୍‌ ଦେଉଛ ନା ଜେଲ । ଆମ ଦେଶରେ କୋଟି କୋଟି ଲୋକ ଏତେ ଗରିବ ଯେ ଅତି କମ୍‌ ଟଙ୍କାରେ ବି ଜାମିନ୍‌ ନେଇପାରିବେ ନାହିଁ ।
କେତେକ ଜେଲ ଯିବା ପସନ୍ଦ କରୁଛନ୍ତି, ମାଗଣା ଭୋଜନ ସିନା ଗରିବକୁ ପସନ୍ଦ, କିନ୍ତୁ ଲୋକଙ୍କଠୁ ଲୁଟ୍‌ କରିଥିବା ଅପରାଧୀ ଜେଲରେ ରହିବାକୁ ଅଧିକ ପସନ୍ଦ କରୁଥିବା ଭଳି ମନେହୁଏ। ଜେଲ ଅଧିକାରୀମାନଙ୍କୁ ହାତ କରି ତାଙ୍କ କୋଠରିକୁ ୩ ତାରକା ଦୁର୍ଗ କରିପକାନ୍ତି, ଲୋକଙ୍କ କ୍ରୋଧଜନିତ ଆକ୍ରମଣରୁ ସୁରକ୍ଷିତ ରହିପାରୁଛନ୍ତି, ମଝିରେ ମଝିରେ ଗୋପନରେ ପରିବାର ଓ ସହକର୍ମୀଙ୍କ ସହ ମୁଲାକାତ୍‌ କରିପାରୁଛନ୍ତି। ଯେଉଁମାନେ ରାୟକୁ କାର୍ଯ୍ୟକାରୀ କରିବେ ଓ ଯେଉଁ ନେତାମାନେ ସେପ୍ରକାର ଅଧିକାରୀମାନଙ୍କୁ ମୁତୟନ କରୁଛନ୍ତି ସେମାନେ ତ ଲାଞ୍ଚରେ ମସ୍‌ଗୁଲ୍‌ ।
sahadevas@yahoo.mail

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ସୁରକ୍ଷା ସର୍ବୋପରି

ଅନିଲ କୁମାର ବିଶ୍ୱାଳ   ଶ୍ରୀମନ୍ଦିରକୁ ନେଇ ଏବେ ଯେଉଁ ଦୁଇଟି ଘଟଣା ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ଚିନ୍ତାର କାରଣ, ତାହା ହେଉଛି ଯେଉଁଭଳି ଭାବରେ...

ଗୃହଯୁଦ୍ଧରେ ଶିକ୍ଷାର ଭବିଷ୍ୟତ

ବିନିୟାମ ବେଡାସୋ ୧୧ ମାସ ଧରି ଉତ୍ତର ଇଥିଓଆରେ ଗୃହଯୁଦ୍ଧ ଲାଗି ରହିଛି। ଏହା ଟିଗ୍ରେ ଅଞ୍ଚଳରୁ ଆରମ୍ଭ ହୋଇ ଏହାର ପାଖାପାଖି ଅଞ୍ଚଳ ଅମ୍‌ହାରା...

ଚତୁର୍ଥ ଔଦ୍ୟୋଗିକ ବିପ୍ଳବ ଓ ଭାରତ

ବିପ୍ଳବ ଅର୍ଥ ହେଉଛି କୌଣସି ଅବସ୍ଥାର ଆତଙ୍କିତ, ଦ୍ରୁତ ଓ ପ୍ରାୟ ସମ୍ପୂର୍ଣ୍ଣ ପରିବର୍ତ୍ତନ। ମାନବ ସମାଜର ଇତିହାସକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଯେତେବେଳେ...

ଏଇ ଭାରତରେ

ନିଜ ପେଟ କଥା ଚିନ୍ତା ନ କରି ଅଭାବୀଙ୍କ ପାଇଁ ବ୍ୟସ୍ତ ମଣିଷଟିଏ ହେଉଛନ୍ତି କେରଳର ରେଜି ଥୋପିଲେଥ। ସେ ଜଣେ ଟ୍ୟାକ୍ସି ଚାଳକ। କେରଳ...

ମମତାର ଡାକ

ଦ୍ୱିତୀ ଚନ୍ଦ୍ର ସାହୁ ପ୍ରବଳ ଖରାରେ ଗାଁକୁ ଯିବାକୁ ବାହାରିଲେ ମା’। ସ୍ନେହର ପରଶରେ, ମମତାର ମୋହରେ ବନ୍ଧା ସ୍କୁଲପଢୁଆ କିଶୋର ଛାଡ଼ିବାକୁ ବାହାରିଲା ଆପେ...

ଏଇ ଭାରତରେ

ବିଭିନ୍ନ ସ୍ଥାନରେ ଅଦରକାରୀ ଟାୟାର ଜମା ହୋଇ ପରିବେଶକୁ ପ୍ରଦୂଷଣ କରୁଥିବାବେଳେ ତାହାକୁ ଉପଯୋଗ କରି ଚପଲ ତିଆରି କରିବାରେ ସଫଳ ହୋଇଛନ୍ତି ପୁଣେର ପୂଜା...

ସମ୍ପର୍କର ଫାଇଦା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଗତମାସରେ କ୍ଷମତା ଅଳିନ୍ଦରେ ଦେଖିବା ଭଳି ଏକ କାର୍ଯ୍ୟ ନଜରକୁ ଆସିଥିଲା। ଜଣେ ବାବୁ ତାଙ୍କ ଝିଅ ପାଇଁ ମୁଣ୍ଡନ...

ସମ୍ପାଦକୀୟ/ଲାଠି

ଆୟକର (ଆଇଟି) ବିଭାଗ ଦେଶରେ ଟିକସ ଆତଙ୍କରାଜ ଚଳାଇଛି ବୋଲି ବ୍ୟକ୍ତିଗତ ଟିକସଦାତା ଓ ଉଦ୍ୟୋଗ ଜଗତ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ନିକଟରେ କାଫେ କଫି...

Advertisement
Archives

Model This Week