Posted inଫୁରସତ

ଉଦ୍‌ଘାଟନ…

ବିଭିନ୍ନ ସୂତ୍ରରୁ ମିଳିଥିବା ବହୁ ଉପୁରି ଅର୍ଥରେ ଅନେକଦିନର ପ୍ରତୀକ୍ଷା ପରେ କେଳୁପଡ଼ା ଗାଁରେ ଖେଳିଯାଇଥିଲା ଖୁସିର ଲହରି । ସଞ୍ଜବୁଡ଼ିଲେ ବୁଢ଼ାବୁଢ଼ୀମାନେ ଯେଉଁ ଭାଗବତ ଟୁଙ୍ଗିରେ ବସି ପୁରାଣ ଶ୍ରବଣ କରୁଥିଲେ, ତା’ର ମାଟିକାନ୍ଥ ଭାଙ୍ଗି ଚାଳଛପର ଉଡିଯାଇ, ଗଲା ଫନୀ ବାତ୍ୟାଠାରୁ ଲାଗୁଥିଲା… ଯେମିତି ଆପଣାର ଲୋକ ମଲା ପରେ ଦଶତୁଠିଆ କାର୍ଯ୍ୟରେ ମୁଣ୍ଡକୁ ନଣ୍ଡା କଲାପରି । ପରେ କିନ୍ତୁ ନଣ୍ଡା ମୁଣ୍ଡରେ ଘଞ୍ଚ କୁଞ୍ଚୁକୁଞ୍ଚିଆ କେଶ ଉଠିଲେ ଯେମିତି ସୌନ୍ଦର୍ଯ୍ୟ ଫେରିଆସେ, ଠିକ୍‌ ସେମିତି ଦିଶୁଥିଲା ଭାଗବତ ଟୁଙ୍ଗି… ନୂତନ ଛାତଘର -ରଙ୍ଗରେ ସଜେଇ ହୋଇ । ଦୀପ କି ଲଣ୍ଠନ ଜଳୁଥିବା ଘରେ… ଆଖି ଝଲସିଆ ବିଜୁଳି ଆଲୁଅକୁ ଚାରି ଚାରିଟା ପଙ୍ଖା ଘିରି ଘିରି ବୁଲିବା ଦେଖି, ମନେହେଉଥିଲା.. ସତେକି ବୃଦ୍ଧ ଦେହରେ ଯୌବନ ଉଛୁଳିଲା ବାଗିଆ । ସୂରୁଯ ଉଇଁଆସୁଥିବା ପୂରୁବ ଦିଗରେ ଏଇ ଭାଗବତ ଟୁଙ୍ଗିର ନବକଳେବର ଦେଖି ଦାନ୍ତଶୂନ୍ୟ ବୁଢ଼ା-ବୁଢ଼ୀଙ୍କର ପାକୁଆ ହସ… ଲାଗୁଥିଲା ଭାରି ସରସିଆ । ତେଣେ ଗାଁର ପଶ୍ଚିମ ଦିଗରେ ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ଆଧୁନିକ ଯୁବ -ବର୍ଗଙ୍କ ମନ-ବାସନା ଚରିତାର୍ଥ କରିବାପାଇଁ ଗଢ଼ିଉଠିଥିଲା… ଗୋଟାଏ ସୁନ୍ଦର ଲମ୍ବା-ଚଉଡ଼ା ଛାତର ପକ୍କା କ୍ଲବଘର l

ଏଇସବୁ ଭିତରେ ଗାଁ ମଝିରେ ମଧ୍ୟ ନବୀକରଣ ହୋଇଛି… ନାରୀଙ୍କର ସଶକ୍ତୀକରଣ ଯୋଜନାରେ ଗୋଷ୍ଠୀ କେନ୍ଦ୍ର । ତେଣୁ ଯୁବ-ବୃଦ୍ଧ, ନର-ନାରୀ ସମସ୍ତେ ଖୁସିରେ ଅନେଇଥିଲେ… କୋଉଦିନ କୋଉ ନେତା /ମନ୍ତ୍ରୀ କି ବଡ଼ ଖେଳାଳି ନ ହେଲେ ଚଳଚ୍ଚିତ୍ର ତାରକାଙ୍କ ହସ୍ତରେ କତୁରିରେ ରିବନ କଟାଯାଇ ଉଦ୍‌ଘାଟନ ହେବ । ଆଉ ଗାଁ ଆରପଟରେ କେଉଁ ଜ୍ଞାନୀ ସାଧୁ-ସନ୍ଥଙ୍କ ଦ୍ୱାରା ଭାଗବତ ଘରେ ଉଦ୍‌ଘାଟନର ପ୍ରଥମ ପ୍ରଦୀପ ଜଳିବ ! ଗାଁ ଏ ମୁଣ୍ଡରେ ଉଚ୍ଚ ମଞ୍ଚରେ ଚାଲିବ… ଭାଷଣ ସାଙ୍ଗକୁ ନୃତ୍ୟ -ଗୀତାଦି ପରିବେଷଣ ଓ ସେ ମୁଣ୍ଡରେ… ସାଧୁ-ସନ୍ଥଙ୍କ ପ୍ରବଚନରେ ଏରିଆ କମ୍ପିବ !
ଏଥିପାଇଁ ଯେଉଁ ଅର୍ଥର ଆବଶ୍ୟକ… ତାହା ଆଗରୁ ସାଇତା ହୋଇ ରହିଛି… ଗଲା ନିର୍ବାଚନବେଳେ ବିଭିନ୍ନ ନେତୃବୃନ୍ଦଙ୍କ ସ୍ବଚ୍ଛ ଦାନର ଖର୍ଚ୍ଚପରେ ଆହୁରି ଲକ୍ଷାଧିକ ଟଙ୍କା । ଯାହା ଗାଁ ମୁରବୀଙ୍କ ଫଣ୍ଡରେ ସୁରକ୍ଷିତ ଅଛି l

ଗଲା ପନ୍ଦରଦିନ ତଳେ ଟୋକା -ବୁଢ଼ା -ନର -ନାରୀଙ୍କ ମିଳିତ ବୈଠକରେ ନିଷ୍ପତ୍ତି ହେଲା… ଏମିତି ଅତିଥିଙ୍କୁ ନିମନ୍ତ୍ରଣ କରାଯିବ, ଯାହାଙ୍କ କରକମଳରେ ଉଭୟ ଅନୁଷ୍ଠାନ ଉଦ୍‌ଘାଟନ ସାଙ୍ଗକୁ ଗୋଟାଏ ବଡ଼ ଜମାଣିଆ ଭୋଜିଭାତର ଆୟୋଜନ, ନାଚ-ଗୀତର ବ୍ୟବସ୍ଥା କରାଯିବ ! ଏଇ ଶୁଭ-ଖବର ଆଗରୁ ଶୁଣି, ଆସନ୍ତା ନିର୍ବାଚନର ଆଶାୟୀ ପ୍ରାର୍ଥୀମାନେ ଆଗୁଆ ଅନେକକିଛି ଉପହାର ଦେଇ ଆପଣା ବଦାନ୍ୟର ଗୁଣ ପ୍ରଦର୍ଶନ କରି ସାରିଛନ୍ତି । ଏଥିରେ କ୍ଲବଘର ପାଇଁ ଏଲ୍‌ଇଡି ଟିଭି, ଚେୟାର, ହକି, କ୍ରିକେଟ ଖେଳପାଇଁ ଷ୍ଟିକ, ବ୍ୟାଟ୍‌, ବଲ ଏବଂ ଭାଗବତ ଘର ତଥା ବୁଢ଼ା-ବୁଢ଼ୀଙ୍କ ଲାଗି ରାମାୟଣ, ମହାଭାରତ, ଭାଗବତ ପୁସ୍ତକ ସହିତ ଯିବା ଆସିବା ସୁବିଧାପାଇଁ ତଡ଼ା ବାଡ଼ି, ଛତା, ଜୋତା… ଏମିତି ଅନେକକିଛି । ଏଥର ମିଳିତ ବୈଠକରେ ଫଇସଲା ହେଲା… ରାଜ୍ୟର ମହାମାନ୍ୟଙ୍କ କର-କମଳରେ ଏଇ ଶୁଭକାର୍ଯ୍ୟ ଉଦ୍‌ଘାଟନ ସୁଚାରୁରୂପେ ଶୃଙ୍ଖଳିତ ଢଙ୍ଗରେ କରାଯିବ ! ତେବେ ଅସଲ କଥାଟିହେଲା… ମହାମାନ୍ୟ ତଥା ତାଙ୍କ ସହ ଆସୁଥିବା ଅନ୍ୟ ସମ୍ମାନନୀୟ ଅତିଥିମାନଙ୍କ ପାଇଁ କ’ଣ କ’ଣ ରନ୍ଧାଯିବ ! ଯୁବଗୋଷ୍ଠୀ ଲେଖି ଆଣିଥିବା ଆଇଟମ୍‌ର ଲମ୍ବାତାଲିକା ପଢ଼ି ଶୁଣାଇବା ଆରମ୍ଭ କରୁକରୁ, ଗାଁ ର ବୁଢ଼ା-ମୁରବୀ ମକର ସାହୁ, କିଆବୁଦାପରି ରଖିଥିବା ତାଙ୍କ ପାଚିଲା ନିଶକୁ ଦୁଇହାତରେ ସାଉଁଳିଦେଇ କଳରେ ଜାକିଥିବା କଡ଼ା ପାନକୁ ହାତରେ କାଢ଼ି ବସିଥିବା ଘରଭିତରୁ ବାହାରକୁ ଫିଙ୍ଗିଲାବେଳକୁ, ବଗୁଲିଆ-ରଙ୍କରାଗୁଆ ନବା ଛାତିରେ ଲଥକରି ପିଟିହୋଇ ପଡିଲା । ରାଗରେ ବସିଥିବା ଜାଗାରୁ ଉଠି କ’ଣ ଗୋଟାଏ କରିବାକୁ ଯାଉ ଯାଉ, ସାଙ୍ଗମାନେ ତା ପାଟିକି ଚାପିଧରି ଭିଡ଼ି ବସେଇ କହିଲେ… ରହିଯା ନବା ! ଏଇନେ ଧୈର୍ଯ୍ୟ ଧର । ସଭା ସରିଲେ ବୁଝାଯିବ ! ପଛପଟୁ ଯୁବଗୋଷ୍ଠୀର ସଭାପତି-କଣ୍ଡୁରିଆ ଉଠି ତାଲିକା ପାଠକରି ଶୁଣାଇଲା.. ଆମିଷ-ନିରାମିଷ ଭୋଜିହେବ । ମଟନ କଷା, ଚିକେନ-ବିରିୟାନୀ ସାଙ୍ଗକୁ ମସୃମ, ପନିର ମସଲା… ଇତ୍ୟାଦି ଭେଜ୍‌ ଆଇଟମ ହେବ । ମୁରବି-ମକର ସାହୁ ଶୁଣି ଭାରି ଖପାହୋଇ କିଆ ବୁଦିଆ ନିଶକୁ ମୋଡ଼ି ଖାଡାହେଇ କହିଲେ… ଧେ ତେରିକି! ହୈ ରେ, ଏଗୁରା କ’ଣ ଭଦ୍ରଲୋକ ଖାଆନ୍ତି ? ସେ ଅସୁରିଆ ଖାଦ୍ୟ ଛାଡ଼! ମୁଁ ମୋ ଅଭିଜ୍ଞତାରୁ ବୟସ୍କ ଦୃଷ୍ଟିରୁ ବୁଝିବିଚାରି ଯାହା କହୁଛି, ତା ମାନ! କାଗଜ କଲମ ଧରି ନେଖି ପକାଅ। ଏକରେ ଅସଲି ଢିଙ୍କିକୁଟା ଶାରଦ ଉଷୁନା ଚାଉଳର ଅନ୍ନଟେ ହବ । ତା’ ସାଙ୍ଗକୁ କୁଞ୍ଜିଆ କୋଳଥ ଡାଲିରେ ଆମ୍ବୁଲ ଫଡ଼ା ପଡ଼ି ଭଲକି ସୋରିଷ ତେଲରେ ରସୁଣ ଛୁଙ୍କ ଦିଆଯାଇ ବଘରାଟାଏ ହବ। ତା’ ସାଥିକି ଛୋଟ ମହୁରାଳି ମାଛରେ ସୋରିଷ ବେସରଦେଇ ଅଳପ ରାଗରେ ତରକାରିଟେ ହବ । ଆଉକିଛି ଚୂନାମାଛକୁ ପୋଇ ପତରରେ ହଳଦୀ ବେସର ଗୋଳେଇ ଗୋବର ଘସି ଚୁଲିରେ ପୋଡ଼ାଯାଇ ତେଲ, ଲୁଣ, ଲଙ୍କା, ଅଦା, ପିଆଜ, ରସୁଣ ମିଶେଇ ଛେଚିକି ଚଟଣିଟାଏ ହବ । ହବ ଯେ, ହେଇଟି! ମୋ କଥା ମନେରଖିଥିବ, ପ୍ରଥମେ ଅଳପ ଦେଇ ପଛକୁ ବହୁତ ରଖିଥିବ । ନଇଲେ ପାଟିରେ ସୁଆଦ ବାରି ଖାଇଦେଇ ପୁଣି ମାଗିଲେ, ଇଜ୍ଜତ ପଳେଇବଟି…! ମୋ କଥା ପିଲାଏ ମାନ । ଅଝଟ ହୁଅନା… ଏଇଟା ଆମ ଗାଁର ସନମାନ !

ଏ କଥା ଶୁଣି ଯେମିତି ଢଙ୍ଗରେ ଫେଁ ଫେଁ ହୋଇ ଟୋକାମାନେ ହସି ମୁରବୀଙ୍କ କଥାକୁ ଉଡେଇ ଦେଇ ନାହିଁ ନ ଥିବା ଶବ୍ଦରେ ବିସ୍ଫୋରଣ କଲେ, ବିଚରା ବୁଢ଼ା ମୁରବୀଠୁ ସବୁ ବୟସ୍କଙ୍କ ଦେହରେ ଧାନୁଆଁ ଲଙ୍କା ବାଟି ବୋଳିଲା ଭଳିଆ ଲାଗିଲା। ସେମାନେ ରାଗିପାଚି ଉଚ୍ଛନ୍ନ । ମୁରବୀଙ୍କ କଥାକୁ ସମର୍ଥନ ଜଣେଇ, କଡ଼ା ଭାଷାରେ ଟୋକାଙ୍କୁ ଗାଳିଦେଇ ମୋହନ ମଉସା କହିଲେ… ଆରେ ହେ! ତମ ବୋପା-ମା’ କଣ ଏଇଆ ଶିଖେଇଛନ୍ତି? ବଡ଼ଙ୍କୁ କେମିତି ସମ୍ମାନ ଦିଆଯାଏ ଜାଣିନ? ଏତକ ଶୁଣି ରଙ୍କରାଗୁଆ ନବା ତ ମୁରବୀଙ୍କ ପାଟିର କଢ଼ାଯାଇଥିବା ପାନ ତା’ ଉପରେ ପଡ଼ିଥିବାରୁ ରାଗିକି ଥିଲା, ଏବେ ଉଠି ଗର୍ଜନକରି କହିଲା… ହୈ ହେ, ତମେ ଆମ ବୋପା -ମା’ଙ୍କ ନାଁ ଧରିବାକୁ କିଏ? ଟୋକାଏ ଠିଆହୋଇଯାଇଥିଲେ। ପାଟି ତୁଣ୍ଡ ଗଣ୍ଡଗୋଳ ଚାଲିଲାବେଳେ, ଏଇ ମଉକାରେ ନବା ପଛରୁ ଠେଲିଦେଇ କିଛି ଟୋକାଙ୍କୁ ମୁରବୀଙ୍କ ଉପରେ ପକେଇବା ଦେଖି, ବୁଢ଼ାଏ ଧରିଥିବା ତଡ଼ା ବାଡ଼ି ବୁଲେଇ କେଇଜଣଙ୍କ ପିଠିରେ ଭଲକି ନାଦିଦେଇ ଗଲେ l ଆଉଦଳେ ଆଗରୁ ଆଗରୁ ପାରିବାରିକ କଳହର ପ୍ରତିଶୋଧ ନେବାର ଏଇ ସୁବର୍ଣ୍ଣ ସୁଯୋଗ ହାତେଇଲେ। ଚାଲିଲା ଚାରିଘଣ୍ଟା ରାତିଅଧିଆ ଘମାଘୋଟିଆ ଖଣ୍ଡ-ଯୁଦ୍ଧ । ବୟସ ସମ୍ମାନ ନିର୍ବିଶେଷରେ ଅନେକେ କ୍ଷତ ବିକ୍ଷତ ହୋଇ ବୁହାହୋଇ ଆମ୍ବୁଲାନ୍ସରେ ମେଡିକାଲ ଗଲାପରେ ନାଟ ଲଗେଇଥିବା କିଛି ଭଦ୍ରଲୋକ ଭଲେଇହୋଇ ହାତ ହଲେଇ, ଗାଁ ଦାଣ୍ଡରେ ଠିଆହୋଇ କହୁଥିଲେ… ଆରେ ଆମେ ଯଦି ବୁଦ୍ଧିକରି ଗଣ୍ଡଗୋଳ ରୋକି ନ ଥାନ୍ତୁ… ତେବେ କ’ଣ ନାଇଁ କ’ଣ ହୋଇଯାଇଥାନ୍ତା ହୋ !

ଆଗରୁ କେବେ କଳି ପଶୁ ନ ଥିବା କେଳୁପଡ଼ା ଗାଁରେ ଏବେ ଏମିତିଆ କିଛି ଘଟଣା ସାଧାରଣ ହୋଇଗଲାଣି । ଆଠଦିନ ତଳେ ମହିଳାମାନଙ୍କ ସଶକ୍ତୀକରଣ ଯୋଜନାର ସଫଳ ପରୀକ୍ଷଣ ହୋଇସାରିଥିଲା, ଯେବେ ଉପରୁ ଆସିଥିବା ମୋଟା ଟଙ୍କାର ବଣ୍ଟାକୁଣ୍ଟାକୁ ନେଇ ହିସାବ ନ ତୁଟିବାରୁ ଭାଉଜ, ନାନୀ, ଖୁଡ଼ୀମାନଙ୍କ ମଧ୍ୟରେ ଖରାବେଳେ ଗାଁ ମଝିରେ ଚୁଟି ଧରାଧରି ହୋଇସାରିଥିବା ଏହାର ବଳିଷ୍ଠ ପ୍ରମାଣ।

ଯା ହେଉ, ଏଇ ଯୁବ-ବୃଦ୍ଧଙ୍କ ଯୁଦ୍ଧର ଚାରିଦିନ ପରେ, ଆତଙ୍କବାଦୀଙ୍କ ବୋମା ଆକ୍ରମଣରେ କୋଠାଘର ଭୁଶୁଡିବାପରି, ଯୁବଶକ୍ତିର କ୍ରୋଧର ବିସ୍ଫୋରଣରେ… ନୂଆକରି ଗଢ଼ାଯାଇଥିବା ଭାଗବତ ଟୁଙ୍ଗି ଭାଙ୍ଗି, ଭଙ୍ଗା କାନ୍ଥଗୁଡା ଯେମିତି ବୃଦ୍ଧମାନଙ୍କ ଧର୍ମଭାବନାକୁ ଦାନ୍ତନିକୁଟି ଉପହାସ କରୁଥିଲା l ସେମାନେ ସଞ୍ଜବୁଡ଼ିଲେ ଘରେ ଦୁଆରକିଳି ବସିଥିଲାବେଳେ, ଦେଶର ଭବିଷ୍ୟତ କୁହାଯାଉଥିବା ଯୁବଗୋଷ୍ଠୀଙ୍କର ଆଖଡ଼ା ଜମୁଥିଲା ଅଣ ଉଦ୍‌ଘାଟିତ କ୍ଲବଘରେ । ନିଇତି ସଞ୍ଜରେ ବ୍ରଏଲର କୁକୁଡ଼ା ମାଉଁସ ଭୋଜିକି ନାଲିପାଣି ବୋତଲ ସାଙ୍ଗରେ। ସ୍ମାର୍ଟ ଫୋନରେ ଟିପ ଘଷି ଅଧିକ ନିଶା ମୁଣ୍ଡକୁ ଚଢିଗଲାପରେ… ଆଲୋଚନା କରୁଥିଲେ -ଏ ଦେଶର ରାଜ୍ୟର ନେତାମାନଙ୍କ ଚରିତ୍ର କେମିତିକା ସୁଧୁରିବ ! ସାରା ଦୁନିଆରେ ଆମ ଭାରତ କେମିତି ଏକ ନମ୍ବର ହେବ!

– ମଙ୍ଗରାଜ ପୁର, ପୁରୀ ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?