Posted inଫୁରସତ

ଆନ୍ଧ୍ରପ୍ରଦେଶର ଊଟି: ଅରକୁ ଘାଟି

ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅରକୁ ଘାଟିକୁ ଅନେକେ ଆନ୍ଧ୍ରପ୍ରଦେଶର ଊଟି ବୋଲି ବି ସମ୍ବୋଧନ କରିଥାନ୍ତି। ଏଠାରେ ପର୍ଯ୍ୟଟକ ଶାନ୍ତ ପରିବେଶରେ ଛୁଟି କଟାଇବାର ମଜା ନେବା ସହ ଟ୍ରେକିଂ କରିବାର ନିଆରା ଆନନ୍ଦ ମଧ୍ୟ ଲଭିପାରିବେ…

ଆନ୍ଧ୍ରପ୍ରଦେଶର ଅଲ୍ଲୁରୀ ସୀତାରାମ ରାଜୁ ନାମକ ଜିଲାରେ ଅବସ୍ଥିତ ଏକ ଶୈଳନିବାସ ହେଉଛି ଅରକୁ ଘାଟି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏତେ ଆକର୍ଷଣୀୟ ଯେ, ଦେଖିଲେ ନିମିଷକରେ କାହାର ବି ଆଖି ଲାଖିଯିବ। ସେଥିପାଇଁ ଅନେକେ ଅରକୁ ଘାଟିକୁ ଆନ୍ଧ୍ରପ୍ରଦେଶର ଊଟି ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି। ଏହି ଅଞ୍ଚଳରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ଅରକୁ ସମ୍ପ୍ରଦାୟର ଆଦିବାସୀ ହେଉଛନ୍ତି ଅନ୍ୟତମ।

ଭୌଗୋଳିକ ଅବସ୍ଥିତି
୨୯୯୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଘାଟିଟି ଆନ୍ଧ୍ରପ୍ରଦେଶର ଅନ୍ୟତମ ଲୋକପ୍ରିୟ ତଥା ବଡ଼ ସହର ବିଶାଖାପାଟଣାଠାରୁ ପ୍ରାୟ ୧୧୪ କି.ମି ଦୂରରେ ଅବସ୍ଥିତ। କିନ୍ତୁ ଅନ୍ୟପକ୍ଷେ ଦେଖିଲେ ଏହା ଓଡ଼ିଶା ସୀମାର ଖୁବ୍‌ ନିକଟରେ ରହିଛି। ସେହିପରି ଅନନ୍ତଗିରି ଏବଂ ସୁଙ୍କାରୀମେଟ୍ଟା ସଂରକ୍ଷିତ ବନକ୍ଷେତ୍ର ହେଉଛି ଅରକୁ ଘାଟିର ଦୁଇ ଅଭିନ୍ନ ଅଙ୍ଗ। ପ୍ରାୟ ୫୦୦୦ ଫୁଟ ଉଚ୍ଚତା ବିଶିଷ୍ଟ ଗାଲିକୋଣ୍ଡା ନାମକ ଏକ ପାହାଡ଼ ବି ଏହି ଘାଟିର ଖୁବ୍‌ ନିକଟରେ ଥିବାର ଦେଖିବାକୁ ମିଳିଥାଏ; ଯାହା ହେଉଛି ଆନ୍ଧ୍ରପ୍ରଦେଶର ଅନ୍ୟତମ ଉଚ୍ଚ ପର୍ବତ।

ଅର୍ଥନୀତି
ଏଠାରେ କଫି ଚାଷ ଭଲ ହୋଇଥାଏ ବୋଲି ସୂଚନା ରହିଛି। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ମୁଖ୍ୟତଃ କଫି ଚାଷ କରି ନିଜ ରୋଜଗାର ମେଣ୍ଟାଇଥାନ୍ତି। ଏ କ୍ଷେତ୍ରରେ ସେମାନଙ୍କୁ ସ୍ଥାନୀୟ ବନ୍ୟ ବିଭାଗ ତରଫରୁ ଅନେକ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଇଥାଏ। କେବଳ କଫି ନୁହେଁ, ମହୁ ଉତ୍ପାଦନ ବି ଏଠାରେ ଭଲ ହୋଇଥାଏ ବୋଲି ସୂଚନା ରହିଛି।

ପର୍ଯ୍ୟଟନ
ଜନଗହଳିପୂର୍ଣ୍ଣ ପରିବେଶରୁ ଦୂର ଏହି ସ୍ଥାନରେ ଶାନ୍ତିରେ କିଛି ମୁହୂର୍ତ୍ତ ବିତାଇବା ପାଇଁ ପ୍ରାୟତଃ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପ୍ରକୃତିର ଅପୂର୍ବ ଶୋଭା ସାଙ୍ଗକୁ କଫିଚାଷ ଦେଖିବାର ମଜା ଏଠି ବେଶ୍‌ ନିଆରା ଲାଗିଥାଏ। ତା’ଛଡ଼ା ଏଠାକାର ପାହାଡ଼ି ଅଞ୍ଚଳରେ ଟ୍ରେକିଂ କରିବାରେ ବି ଥାଏ ଏକ ଅପୂର୍ବ ଆନନ୍ଦ। କେବଳ ସେତିକି ନୁହେଁ, ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପର୍ବପର୍ବାଣି, ଖାଦ୍ୟପେୟ ତଥା ପୋଷାକ ଆଦି ବିଷୟରେ ଜାଣିବାର ସୁଯୋଗ ବି ଏଠାରେ ମିଳିଥାଏ।

ଫିଲ୍ମରେ ଘାଟିର ସୌନ୍ଦର୍ଯ୍ୟ
ଅରକୁ ଘାଟିର ଅପୂର୍ବ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଅନେକ ତେଲୁଗୁ ଫିଲ୍ମର ଶୁଟିଂ ଏଠାରେ ହୋଇଥିବାର ସୂଚନା ମଧ୍ୟ ରହିଛି। ତନ୍ମଧ୍ୟରୁ ହାପି ଡେଜ୍‌, କଥା, ଡାର୍ଲିଂ, ଲାଇଫ୍‌ ଇଜ୍‌ ବ୍ୟୁଟିଫୁଲ୍‌, ପରୁଗୁ ହେଉଛି ଅନ୍ୟତମ।

କେବେ ଓ କେମିତି ଯିବେ
ଅରକୁ ଘାଟିକୁ ଯିବା ପାଇଁ ବିଶାଖାପାଟଣାରୁ ଉଭୟ ସଡ଼କପଥ ଓ ରେଳପଥର ସୁବିଧା ରହିଛି। ପ୍ରତି ଅଧଘଣ୍ଟାକୁ ଥରେ ବିଶାଖାପାଟଣାରୁ ସିଟି ବସ୍‌ ଅରକୁ ଘାଟି ଆଡ଼େ ଯାଇଥାଏ। ତା’ଛଡ଼ା ଅରକୁ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ, ଯେଉଁଠାକୁ ବିଶାଖାପାଟଣା ଜଙ୍କଶନ୍‌ ରେଲଓ୍ବେ ଷ୍ଟେଶନରୁ ନିୟମିତ ବ୍ୟବଧାନରେ ଟ୍ରେନ୍‌ ଚଳାଚଳ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ଅରକୁ ଘାଟିରେ ପହଞ୍ଚତ୍ପାରିବେ। କେବଳ ବର୍ଷାଦିନକୁ ଛାଡ଼ି ବର୍ଷର ବାକି ଯେ କୌଣସି ସମୟରେ ଏଠାକୁ ବୁଲିଗଲେ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?