ଖାଲି ବାତିଲ

ଭୁବନେଶ୍ବର,୨୬ା୬ (ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳ ନିଜ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି। ଓଡ଼ିଶା କଥା ଦେଖିଲେ ଏଠାରେ ବିଜେଡି ସହ ଭାଜପାର କଡ଼ା ମୁକାବିଲା ହେବ ବୋଲି ବହୁ ଅସନ୍ତୁଷ୍ଟ ଶାସକ ଦଳ ନେତା ଏବଂ ଭାଜପାର ରାଜ୍ୟ ନେତୃବୃନ୍ଦ ଚିନ୍ତା କରୁଛନ୍ତି। ହେଲେ କେନ୍ଦ୍ରୀୟ ଭାଜପା ନେତାମାନଙ୍କ ଗତିବିଧି ଦେଖିଲେ ଭିନ୍ନ ଆଭାସ ମିଳୁଛି। ଅନ୍ୟପଟେ ବିଜେଡିରେ ଥାଇ ମଧ୍ୟ ଅସନ୍ତୁଷ୍ଟ ହୋଇ ରହିଥିବା ଅନେକ ନେତା ଭାଜପାକୁ ଯିବେ ବୋଲି ଏକପ୍ରକାର ମନସ୍ଥ କରିଥିବା ଗୁଜବ ହେଉଛି। ହେଲେ ଭାଜପା କେନ୍ଦ୍ରୀୟ ନେତୃବୃନ୍ଦ କେବେ ବିଜେଡି ବିରୋଧରେ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସ୍ପଷ୍ଟ କରିବେ ସେକଥାକୁ ସେମାନେ ଅପେକ୍ଷା କରି ରହିଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଭାଜପା ରାଜ୍ୟ ନେତୃବୃନ୍ଦ ତୃଣମୂଳସ୍ତରରେ ସଙ୍ଗଠନ କରିବାରେ ସଫଳ ହେଉ ନ ଥିବା କାରଣରୁ କେନ୍ଦ୍ରୀୟ ସଂସ୍ଥା ଇଡି, ସିବିଆଇ ସହଯୋଗରେ ଓଡ଼ିଶାରେ ସରକାର କରିନେବେ ବୋଲି ଚିନ୍ତା କରୁଛନ୍ତି। ହେଲେ ଗତ ମେ ୩୦ରୁ ଆସନ୍ତା ୩୦ ତାରିଖ ମଧ୍ୟରେ ମାସେବ୍ୟାପୀ ଚାଲିଥିବା ଭାଜପାର ମହାଜନସମ୍ପର୍କ ଅଭିଯାନ ଭଳି କାର୍ଯ୍ୟକ୍ରମକୁ ଦେଖିଲେ ବାସ୍ତବରେ ଓଡ଼ିଶାରେ ଭାଜପା ଶୀର୍ଷ ନେତୃତ୍ୱ ସେପରି କିଛି କରିବେ ନାହିଁ ବୋଲି ବୁଝାପଡୁଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସିବା ନେଇ ଭାଜପା ରାଜ୍ୟ ନେତୃବୃନ୍ଦ ବାରମ୍ବାର କହୁଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ କାର୍ଯ୍ୟକ୍ରମ ଗୋଟିଏ ପରେ ଗୋଟଏ ଖାଲି ବାତିଲ ହେବାରେ ଲାଗିଛି।
ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ମହାଜନସମ୍ପର୍କ କାର୍ଯ୍ୟକ୍ରମ ପାଳନ ସମ୍ପର୍କରେ ଯାହା ଚିଠି ଦେଇଛନ୍ତି ସେଥିରୁ ମଧ୍ୟ ସ୍ପଷ୍ଟ ହୋଇଛି, ଓଡ଼ିଶାରେ ଥିବା ସରକାର ଭାଜପା କେନ୍ଦ୍ରୀୟ ନେତାଙ୍କ ସମସ୍ୟାର କାରଣ ନୁହେଁ। ଉକ୍ତ ଚିଠିରେ ନଡ୍ଡା ଉଲ୍ଲେଖ କରିଛନ୍ତି ଯେ, ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ୯ ବର୍ଷ ପୂର୍ତ୍ତି ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ସମ୍ପର୍କରେ ପ୍ରଚାର କରାଯିବ। ହେଲେ କେଉଁଠାରେ ବି ସ୍ଥାନୀୟ ସରକାର ବିରୋଧରେ ପ୍ରଚାର କରିବା ନେଇ ସେଥିରେ ଉଲ୍ଲେଖ ନାହିଁ। ଭାଜପା ରାଜ୍ୟ ନେତାମାନେ ଏ କଥା କହିପାରନ୍ତି କି, ରାଜ୍ୟରେ ସେମାନଙ୍କ ଦଳ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଉଛି ଯେତେବେଳେ କେନ୍ଦ୍ରୀୟ ନେତୃବୃନ୍ଦ ଏ ବିଷୟରେ କହିବାର ଆବଶ୍ୟକତା ନ ଥାଇ ପାରେ। ହେଲେ ଯଦି ଏହା ସେମାନେ କହିବେ, ତେବେ ଉକ୍ତ ଚିଠିରେ ନଡ୍ଡା କିପରି ଉଲ୍ଲେଖ କରିଛନ୍ତି, ଜୁନ୍‌ ୨୫ ଅର୍ଥାତ୍‌ ରବିବାର ପ୍ରତ୍ୟେକ ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରମୁଖ ସ୍ଥାନରେ କଂଗ୍ରେସ ତା’ର ଶାସନ କାଳରେ କିପରି ଗଣତନ୍ତ୍ରକୁ ନଷ୍ଟ କରିଛି ତା’ର ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଦର୍ଶନ କରାଯିବ। ଓଡ଼ିଶା ଭଳି ଯେଉଁ ରାଜ୍ୟରେ କଂଗ୍ରେସ ଲୋପ ପାଇବାକୁ ବସିଲାଣି ସେଠାରେ ଏହି ଦଳ ବିରୋଧରେ ବଳ ଦେଖାଇ ଭାଜପା ରାଷ୍ଟ୍ରୀୟ ସଭାପତି କେଉଁଭଳି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହା ବୁଝିବା କଷ୍ଟ। ଏଥିରୁ ବୁଝିନେବାକୁ ହେବ ଯେ, ଓଡ଼ିଶାରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କୌଣସି ପ୍ରକାର ମନୋମାଳିନ୍ୟ କରିବାକୁ ଚାହାନ୍ତି ନାହିଁ। ଭାଜପା ଶୀର୍ଷ ନେତାଙ୍କ ଏଭଳି ଆଭିମୁଖ୍ୟ ଓଡ଼ିଶା ଭାଜପା ନେତାଙ୍କୁ ମଧ୍ୟ ଏକପ୍ରକାର ଦୁର୍ବଳ କରୁଥିବା ଆଲୋଚନା ଆରମ୍ଭ ହୋଇଗଲାଣି।
ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଗତ ମେ ୩୧ରେ କରିଥିବା ଖବରଦାତା ସମ୍ମିଳନୀରେ କହିଥିଲେ ଯେ, ଓଡ଼ିଶାରେ ମହାଜନସମ୍ପର୍କ କାର୍ଯ୍ୟକ୍ରମ ଜରିଆରେ ୪ଟି ମହାସଭା ହେବ। ସେଥିରେ ମୋଦି, ଶାହା, ରାଜନାଥ ସିଂ ଏବଂ ନଡ୍ଡା ପ୍ରମୁଖ ଯୋଗଦେବେ। ଏମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତ ଆସିଲେ ନାହିଁ। ଅମିତ ଶାହାଙ୍କ ବାରମ୍ବାର ଓଡ଼ିଶା ଆସିବା ନେଇ ଭାଜପା ନେତାମାନେ ଗଣମାଧ୍ୟମରେ ଖବର ଦେଉଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ କାର୍ଯ୍ୟକ୍ରମ ବାତିଲ ହେଲା ବୋଲି କହିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ପ୍ରଥମେ ଭଦ୍ରକ ଏବଂ କଟକ ଆସିବେ ବୋଲି କୁହାଗଲା। ହେଲେ ପରବର୍ତ୍ତୀ ସମୟରେ ତାହା ବାତିଲ ହେଲା। ନିକଟରେ ସେ ଢେଙ୍କାନାଳ ଆସିବେ ବୋଲି କୁହାଯାଇଥିବାବେଳେ ଗୁଜରାଟରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ ତାଙ୍କ ଓଡ଼ିଶା ଗସ୍ତ ବାତିଲ ହେଲା ବୋଲି କୁହାଗଲା। ସେହିପରି କଳାହାଣ୍ଡିରେ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକ୍ରମ ୨୨ ତାରିଖରେ ହେବାର ଥିଲା। ହେଲେ କାର୍ଯ୍ୟକ୍ରମର ଦିନକ ଆଗରୁ କୁହାଗଲା ଅନିବାର୍ଯ୍ୟ କାରଣ ସକାଶେ ତାଙ୍କ ଗସ୍ତ ଗୋଟିଏ ଦିନ ଘୁଞ୍ଚାଯାଇଛି। ଭାଜପାର ଏହି ଶୀର୍ଷ ନେତାମାନେ ଓଡ଼ିଶା ଆସନ୍ତୁ ଏବଂ ଶାସକ ବିଜେଡି ବିରୋଧରେ ଯୁଦ୍ଧ ଡାକରା ଦିଅନ୍ତୁ ବୋଲି ସେମାନଙ୍କ ଦଳରୁ ରାଜ୍ୟର ଶତାଧିକ ନେତା ଓ କର୍ମୀ ଅନାଇ ବସିଥିବାବେଳେ ଏହା କାହିଁକି ବାସ୍ତବରୂପ ନେଇପାରୁନି ତାହା ଆଲୋଚନାର ବିଷୟବସ୍ତୁ ପାଲଟିଛି।
ସବୁଠାରୁ ବଡ଼ କଥା ହେଉଛି, କଳାହାଣ୍ଡିରେ ହୋଇଥିବା ସଭାରେ ନଡ୍ଡା ଯୋଗଦେଇ ତାଙ୍କ ଭାଷଣ ଆରମ୍ଭରୁ ବିଜେଡି ବିପକ୍ଷରେ କହିବାକୁ ଉଚିତ ମଣି ନ ଥିଲେ। ଏବେ ଦେଶରେ ଭାଜପା ବିରୋଧରେ ୧୯ଟି ବିରୋଧୀ ଦଳ ଏକାଠି ହୋଇସାରିଛନ୍ତି। ବିହାରର ପାଟନାଠାରେ ସେମାନଙ୍କ ଏକ ମହାସଭା ଅନୁଷ୍ଠିତ ହୋଇଯାଇଛି। ସେଥିରେ ଯୋଗଦେଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପ୍ରମୁଖ ଯୋଗଦେଇଥିଲେ। ନଡ୍ଡା ତାଙ୍କ ଭାଷଣରେ ଏହି ଜାତୀୟ ରାଜନୀତି ସମ୍ପର୍କରେ ଗୁଡ଼ାଏ କଥା କହିଥିଲେ। ଭାଷଣର ଶେଷ ବେଳକୁ ପଦେ ଦୁଇ ପଦ ରାଜ୍ୟରେ ଚାଲିଥିବା ଶାସନ ସମ୍ପର୍କରେ ମତ ଦେଇ ରାଜ୍ୟ ନେତୃବୃନ୍ଦ ଏବଂ କର୍ମୀଙ୍କୁ ଖୁସି କରିବାକୁ ଚାହିଁଥିଲେ। ହେଲେ ନିକଟରେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଥିବା ଜଣେ ଯୁବ ନେତା ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଏ ଦଳ ବିଜେଡି ସହ ସାଲିସ କରିସାରିଛି। କାରଣ ଜାତୀୟ ରାଜନୀତି ଉପରେ ନଜର ପକାଇଲେ ଜଣାପଡୁଛି, ଗତଥର ଯେଉଁ ଦଳଗଡ଼ିକ ଯଥା ଅକାଳି, ଶିବସେନା, ଟିଆର୍‌ଏସ, ଜେଡିୟୁ ଆଦି ଭାଜପା ସହ ରହିଥିଲେ ସେମାନେ ଆସନ୍ତା ସାଧାରଣ ନିର୍ବାଚନବେଳକୁ ଏନ୍‌ଡିଏ ସହ ରହିବେନି ବୋଲି ଜଣାପଡ଼ିଗଲାଣି। ତେଣୁ କେନ୍ଦ୍ରରେ ଏମାନେ ଯଦି ସରକାର କରନ୍ତି ତେବେ ନବୀନ ବାବୁଙ୍କ ସମର୍ଥନ ଏମାନଙ୍କୁ ନିଶ୍ଚୟ ଲୋଡ଼ା ପଡ଼ିବ। ତେଣୁ ନବୀନଙ୍କୁ ଟାର୍ଗେଟ କରି ସେମାନେ ଓଡ଼ିଶାରୁ ବିଜେଡିର ସମର୍ଥନ ହରାଇବାକୁ କୌଣସି ପ୍ରକାରେ ଚାହୁଁ ନାହାନ୍ତି ବୋଲି ସେ କହିଛନ୍ତି।
ସେହିପରି ମନମୋହନ ତାଙ୍କ ଖବରଦାତା ସମ୍ମିଳନୀରେ ଆହୁରି କହିଥିଲେ, ଏହି ମହାଜନସମ୍ପର୍କ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୨୧ ଲୋକ ସଭା ନିର୍ବାଚନମଣ୍ଡଳୀକୁ ୮ଟି କ୍ଲଷ୍ଟରରେ ଭାଗବଣ୍ଟା କରାଯାଇଛି। ଏହି ୮ଟି କ୍ଲଷ୍ଟରରେ ୮ ଜଣ କେନ୍ଦ୍ରମନ୍ତ୍ରୀ ଆସି ୮ ଦିନ ଓ ୮ ରାତି କଟାଇବେ। ହେଲେ ସେକଥା ମଧ୍ୟ ହେଲା ନାହିଁ। କେତେଜଣ କେନ୍ଦ୍ରୀୟ ନେତା ଓଡ଼ିଶା ଆସିଥିଲେ ମଧ୍ୟ କେହି ବି ୮ ରାତି, ୮ ଦିନ ରହିନାହାନ୍ତି। ସେପଟେ ଗଜପତି ଜିଲାରେ ଏହି କାର୍ଯ୍ୟକ୍ରମ ହୋଇପାରି ନ ଥିବା ବେଳେ ଘୁମୁସରରେ ଗୋଟିଏ ଦିନରେ କାର୍ଯ୍ୟକ୍ରମ ଶେଷ କରିଦେଲେ। ଗଞ୍ଜାମ ଏବଂ ବ୍ରହ୍ମପୁରରେ ଦଳର ସାଙ୍ଗଠନିକ ସ୍ଥିତି ଠିକ୍‌ ନାହିଁ ବୋଲି ଆଲୋଚନା ଜୋର୍‌ ଚାଲିଛି। ଏହାର ମୁଖ୍ୟ କାରଣ ହେଉଛି ମନମୋହନ ସଭାପତି ହେବା ପରେ ସେ ତାଙ୍କ ନୂଆ ରାଜ୍ୟ ପଦାଧିକାରୀ ଏବଂ ଜିଲା ସଭାପତି ତାଲିକା ପ୍ରକାଶ କରିପାରିନାହାନ୍ତି। ଯେଉଁ ଜିଲା ସଭାପତିମାନେ ଏବେ ବିଦା ହେବେ ଏବଂ ତାଙ୍କ ସ୍ଥାନରେ ନୂଆ କେହି ଆସିବେ ବୋଲି ଜାଣିଲେଣି ସେମାନେ ଏହି କାର୍ଯ୍ୟକ୍ରମ ପ୍ରତି ଆନ୍ତରିକତା ରଖୁନାହାନ୍ତି। ତେଣୁ ଯେପର୍ଯ୍ୟନ୍ତ ରାଜ୍ୟ ତାଲିକା ପ୍ରକାଶ ନ ପାଇଛି ସେ ଯାଏ ଜିଲାସ୍ତରରେ ତାଲିକା ମଧ୍ୟ ପ୍ରକାଶ ପାଇବନି। ମିଳିଥିବା ସୂଚନା ମୁତାବକ, ମନମୋହନ ତାଙ୍କର ଏକ ପଦାଧିକାରୀ ଏବଂ ଜିଲା ସଭାପତିମାନଙ୍କ ତାଲିକା ପ୍ରସ୍ତୁତ କରି ନଡ୍ଡାଙ୍କୁ ଭେଟିଥିଲେ। ହେଲେ ସେହି ତାଲିକା ଠିକ୍‌ ନାହିଁ ବୋଲି ନଡ୍ଡା କହିବା ସହ ସାମଲଙ୍କୁ କୁଆଡେ ଫେରାଇ ଦେଇଥିବା ତାଙ୍କ ଦଳୀୟ ମହଲରେ ଜୋର୍‌ରେ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?