ଗୋଟିଏ ଦେଶ ଗୋଟିଏ ନିର୍ବାଚନ

ବିଚିତ୍ର ବିଶ୍ୱାଳ

 

ସମ୍ପ୍ରତି କେନ୍ଦ୍ର ସରକାରଙ୍କ ତରଫରୁ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ତତ୍ତ୍ୱକୁ ବହୁଳଭାବେ ପ୍ରଚାର କରାଯାଉଛି। ସେପ୍ଟେମ୍ବର ୨୦୨୩ରେ କେନ୍ଦ୍ର ସରକାର, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏହା ଅବଶ୍ୟ ଭିନ୍ନ କଥା ଯେ, ରାଷ୍ଟ୍ରପତି ପରି ଦେଶର ସର୍ବୋଚ୍ଚ ସ୍ଥାନରେ ବସିବା ପରେ ରାମନାଥ କୋବିନ୍ଦ ଏକ କମିଟିର ଅଧ୍ୟକ୍ଷ ରହିବାକୁ ରାଜି ହୋଇଛନ୍ତି। ଅତୀତରେ କେନ୍ଦ୍ର ସରକାରଙ୍କର ସମର୍ଥନରେ ରାଷ୍ଟ୍ରପତି ହୋଇଥିବା ଜଣେ ବ୍ୟକ୍ତି କମିଟିର ଅଧ୍ୟକ୍ଷ ଭାବେ କେନ୍ଦ୍ର ସରକାର ଚାହୁଁଥିବା ଭଳି ରିପୋର୍ଟ ନ ଦେଇ ଯେ ନିରପେକ୍ଷ ରିପୋର୍ଟ ଦେଇପାରିବେ, ସେଥିପାଇଁ ସନ୍ଦେହ ରହିବା ସ୍ବାଭାବିକ। ରାଷ୍ଟ୍ରପତି ପରି ସର୍ବୋଚ୍ଚ ପଦବୀ ପାଇଥିବା ପୁରସ୍କାରର ପ୍ରତିବଦଳରେ ସେ ହୁଏତ ସରକାର ଚାହୁଁଥିବା ଭଳି ରିପୋର୍ଟ ପ୍ରଦାନ କରି ନିଜର କୃତଜ୍ଞତା ପ୍ରକାଶ କରିବେ। କିନ୍ତୁ ଏହାଦ୍ୱାରା ଦୀର୍ଘକାଳୀନ ଭିତ୍ତିରେ ଦେଶ ଉପରେ ଓ ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ କ’ଣ ପ୍ରଭାବ ପଡ଼ିବ ତାହା ନିଶ୍ଚିତ ଭାବେ ଗୌଣ ହୋଇଯିବ।
ସେହି ଉଚ୍ଚସ୍ତରୀୟ କମିଟି ଇତିମଧ୍ୟରେ ତିନି ଥର ବୈଠକ ବସି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ଭିନ୍ନ ଭିନ୍ନ ରାଜନୈତିକ ଦଳମାନଙ୍କର ମତାମତ ଆହ୍ବାନ କରିଛି। ଯଦିଓ କମିଟିକୁ ରିପୋର୍ଟ ପ୍ରଦାନ କରିବା ପାଇଁ କୌଣସି ସମୟସୀମା ଦିଆଯାଇନାହିଁ, ତଥାପି ୨୦୨୪ର ସାଧାରଣ ନିର୍ବାଚନ ପୂର୍ବରୁ କମିଟିର ରିପୋର୍ଟକୁ ନେଇ କିଛି ହଟଚମଟ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। କିନ୍ତୁ ଏତିକି କଥା ସ୍ପଷ୍ଟ ଯେ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ଏହି କମିଟିର ରିପୋର୍ଟ ଆମ ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ଢାଞ୍ଚାକୁ ଦୋହଲାଇ ଦେଇପାରେ। ତେଣୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ଜରୁରୀ।
ଆମ ଦେଶ ଏକ ସଂଘୀୟ ଗଣତନ୍ତ୍ର। ଏଠାରେ ରାଜ୍ୟମାନଙ୍କରେ ମଧ୍ୟ ନିଜର ନିର୍ବାଚିତ ଗଣତାନ୍ତ୍ରିକ ସରକାର ଅଛି ଓ ସେମାନେ ରାଜ୍ୟ ପାଇଁ ନୀତି ପ୍ରଣୟନ କରୁଛନ୍ତି। ଏବେ ବି ଅନେକ ପ୍ରସଙ୍ଗ ରାଜ୍ୟମାନଙ୍କ ନିୟନ୍ତ୍ରଣରେ ଅଛି। ରାଜ୍ୟର ନିର୍ବାଚିତ ସରକାର ନ ଚାହିଁଲେ ସେହିସବୁ ପ୍ରସଙ୍ଗରେ କେନ୍ଦ୍ର ସରକାର ସେମାନଙ୍କୁ ଜୋର୍‌ କରିପାରିବେ ନାହିଁ । ଏହା ଆମ ସଂଘୀୟ ଗଣତନ୍ତ୍ରର ସୁନ୍ଦରତା। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରସଙ୍ଗ ଆସିଲେ, ପ୍ରଥମେ ପ୍ରଶ୍ନଉଠେ ଏହା ସଂଘୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ଦୁର୍ବଳ କରିବ ନାହିଁ ତ? ରାଜ୍ୟବାସୀ ଯେଉଁ ସରକାରଙ୍କୁ ଭୋଟ୍‌ ଦେଇ ନିର୍ବାଚିତ କରିଛନ୍ତି ସେହି ସରକାରଙ୍କର କ୍ଷମତା ସଂକୁଚିତ ହେବ ନାହିଁ ତ? ଯେଉଁ ତର୍କ ଉପରେ ଆଧାର କରି ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ବହୁଳ ଭାବେ ପ୍ରଚାର କରାଯାଉଛି, ତାହା ହେଉଛି ନିର୍ବାଚନରେ ହେଉଥିବା ବହୁଳ ଖର୍ଚ୍ଚ ଏବଂ କେନ୍ଦ୍ର ଓ ରାଜ୍ୟ ପାଇଁ ଦୁଇଥର ନିର୍ବାଚନ ହେଉଥିବାରୁ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଲାଗୁ ହେଉଥିବା ଆଚରଣ ସଂହିତା, ଯାହା ଯୋଗୁ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ୨୦୧୪ ଲୋକ ସଭା ନିର୍ବାଚନରେ ସରକାରୀ ରାଜସ୍ବରୁ ୩୮୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ୨୦୧୯ ନିର୍ବାଚନରେ ପାଖାପାଖି ୫୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଜଣାଯାଏ। ତେଣୁ କେନ୍ଦ୍ର ସରକାରଙ୍କ ଯୁକ୍ତି ଯେ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନୀତି ଲାଗୁ ହେଲେ କେନ୍ଦ୍ର ଓ ରାଜ୍ୟର ନିର୍ବାଚନ ଖର୍ଚ୍ଚକୁ ଏକାଠି କରାଯିବା ସହ ପ୍ରକାରାନ୍ତରେ ଖର୍ଚ୍ଚକୁ ବଞ୍ଚା ଯାଇପାରିବ। କିନ୍ତୁ ପ୍ରଶ୍ନ ଉଠୁଛି, ଲୋକମାନଙ୍କ ପ୍ରତ୍ୟକ୍ଷ ଭାଗୀଦାରିରେ ଦେଶରେ ବା ରାଜ୍ୟରେ ସରକାର ଗଠନ କରିବା ତଥା ଏକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଦେଶର ରାଜସ୍ବରୁ ଏତିକି ଟଙ୍କା ଖର୍ଚ୍ଚହେବା କ’ଣ ସ୍ବାଭାବିକ ନୁହେଁ! ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସ୍ଥାପିତ ଓ ସୁଦୃଢ଼ କରିବା ଲାଗି କ’ଣ ସରକାରଙ୍କ ରାଜସ୍ବରୁ ଏତିକି ଟଙ୍କା ଖର୍ଚ୍ଚ ହେବା ଅପ୍ରାସଙ୍ଗିକ? ଭିନ୍ନ ଭିନ୍ନ ଧାର୍ମିକ ସ୍ଥଳୀ ନିର୍ମାଣ କରିବା ପାଇଁ ତଥା ଉନ୍ନତୀକରଣ ଲାଗି ସରକାରଙ୍କ ରାଜସ୍ବରୁ ଏବେ ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଦେଶର ଅସଲ ମନ୍ଦିରର(ଲୋକ ସଭା ଓ ବିଧାନସଭା) ଗଠନ ତଥା ଗଣତନ୍ତ୍ରର ସ୍ଥାପନା ପାଇଁ ଏତିକି ଖର୍ଚ୍ଚ ହେବାକୁ ସରକାର ହଜମ କରିପାରୁ ନାହାନ୍ତି କାହିଁକି? ଦୁଇ ଥର ନିର୍ବାଚନ ଯୋଗୁ ଦୁଇଥର ଆଚରଣ ସଂହିତା ଲାଗୁ ହେଉଛି ଓ ଶାସନ ପ୍ରକ୍ରିୟାରେ ବାଧକ ଆସୁଛି, ଏହା ସତ୍ୟ। କିନ୍ତୁ ଗୋଟେ ସଙ୍ଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଧାରଣ ଲୋକମାନେ ଏତିକି ମୂଲ୍ୟ ନ ଦେଲେ ବ୍ୟବସ୍ଥା ତିଷ୍ଠିବ କିପରି? ସ୍ବଚ୍ଛ ଓ ସୁସ୍ଥ ନିର୍ବାବନ ପାଇଁ ଭୋଟରମାନଙ୍କୁ ନେତାମାନଙ୍କର ମିଥ୍ୟା ପ୍ରଲୋଭନର ଜାଲରୁ ବଞ୍ଚେଇବା ପାଇଁ ଆଚରଣ ସଂହିତାର ଆବଶ୍ୟକତା ରହିଛି। ନିର୍ବାଚନ ପରିଚାଳନାରେ ଖର୍ଚ୍ଚ ହେଉଛି ବୋଲି ଆମେ କ’ଣ କହିପାରିବା ଯେ, ନିର୍ବାଚନ ନ ହୋଇ ରାଜା ଶାସନ ବା ସ୍ବେଚ୍ଛାଚାରୀ ଶାସନ ବ୍ୟବସ୍ଥା ପ୍ରତିଷ୍ଠା କରିବା ଶ୍ରେୟସ୍କର।
ଭାରତ ଭଳି ଗୋଟିଏ ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣତନ୍ତ୍ରର ମୂଲ୍ୟକୁ ଅକ୍ଷୁଣ୍ଣ ରଖି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରାୟତଃ ଅସମ୍ଭବ ମନେହୁଏ। ଯଦି କୌଣସି ରାଜ୍ୟରେ ଗଠନ ହୋଇଥିବା ସରକାର ପାଞ୍ଚ ବର୍ଷ ପୂରଣ କରି ନ ପାରି ମଝିରେ ଭାଙ୍ଗିଯାଏ, ତେବେ ସେହି ରାଜ୍ୟରେ ସାଙ୍ଗେ ସାଙ୍ଗେ ପୁଣି ନିର୍ବାଚନ ହେବ କି ନାହିଁ? ନ ହେଲେ ସେହି ରାଜ୍ୟକୁ ଶାସନ କରିବ କିଏ? କ’ଣ କେନ୍ଦ୍ର ସରକାର ଚାହୁଁଛନ୍ତି ଯଦି କୌଣସି କାରଣରୁ ରାଜ୍ୟର ସରକାର ପାଞ୍ଚ ବର୍ଷ ପୂର୍ବରୁ ଭାଙ୍ଗିଯାଏ, ସେ ରାଜ୍ୟର ଶାସନ ଭାର ରାଷ୍ଟ୍ରପତିଙ୍କ ପାଖକୁ ନ ହେଲେ କେନ୍ଦ୍ର ସରକାର ନିଜ ହାତରେ ରଖିବେ? ଏପରି ହେଲେ ତ, ଆଜି ଯେପରି ରାଜ୍ୟର ସରକାରଗୁଡ଼ିକୁ ଯୋଜନାବଦ୍ଧ ଭାବେ ଭାଙ୍ଗି ଦିଆଯାଉଛି, କିଛି ଦିନ ମଧ୍ୟରେ ଦେଶର ଅଧା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବ ନ ହେଲେ ସେଠାରେ କେନ୍ଦ୍ର ସରକାରଙ୍କର ରାଜୁତି ଚାଲୁଥିବ। ତା’ ହେଲେ ସେହି ରାଜ୍ୟର ଲୋକମାନଙ୍କର ଗଣତାନ୍ତ୍ରିକ ଅଧିକାର ବିପନ୍ନ ହେବ ନାହିଁ କି। ଏହା ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିବ ନାହିଁ କି। ଠିକ୍‌ ସେହିପରି ସଂଖ୍ୟାର ଅଭାବରୁ ଯଦି ମଝିରେ କେନ୍ଦ୍ର ସରକାର ଭାଙ୍ଗିଯାଏ, ତେବେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ କିପରି ତିଷ୍ଠିବ। ଆଜି ଯେପରି ମେଣ୍ଟ ସରକାର ଚାଲୁଛି, ଏହା ଭାବିବା ଆଦୌ ଅପ୍ରାସଙ୍ଗିକ ନୁହେଁ। ସରକାର ତିଆରି ହେବା ଏବଂ ସରକାର ଭାଙ୍ଗିବା ଗଣତନ୍ତ୍ରର ଶକ୍ତି। ଏହାକୁ ଏଡ଼ାଇ ହେବ ନାହିଁ। ଯଦି ବି ଏଡ଼ାଇ ଯିବା ପାଇଁ ବ୍ୟବସ୍ଥା ତିଆରି କରାଯାଏ, ତେବେ ତାହା ଗଣତନ୍ତ୍ରକୁ ପଙ୍ଗୁ କରିଦେବ। ତା’ହେଲେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ଭବ ହେବ କିପରି?
୧୯୯୪ରେ ସର୍ବୋଚ୍ଚ ଅଦାଲତଙ୍କ ଏକ ରାୟ ଅନୁସାରେ ରାଜ୍ୟମାନଙ୍କର ଏକ ସ୍ବତନ୍ତ୍ର ସାମ୍ବିଧାନିକ ଅଧିକାର ଅଛି ଏବଂ କେନ୍ଦ୍ର ସରକାର ପରି ରାଜ୍ୟ ସରକାରଙ୍କର ମଧ୍ୟ ରାଜ୍ୟବାସୀଙ୍କ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଜୀବନଯାପନର ସୁରକ୍ଷା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମ୍ବିଧାନ ପ୍ରତ୍ୟେକ ରାଜ୍ୟର ବିଧାନସଭାକୁ ଗଠନ ହେବା ଦିନଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମୟସୀମାର ଅଧିକାର ଦେଇଛି। ସେହିପରି କେନ୍ଦ୍ରର ଲୋକ ସଭାର ସମୟସୀମା ମଧ୍ୟ ସମ୍ବିଧାନ ଅନୁସାରେ ପାଞ୍ଚବର୍ଷ। ଏପରି ପରିସ୍ଥିତିରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନୀତି ଦୀର୍ଘଦିନ ପର୍ଯ୍ୟନ୍ତ ତିଷ୍ଠିବା ଅସମ୍ଭବ ମନେହୁଏ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri