ଆଉ ଥରେ ପ୍ରହସନ

ସମଗ୍ର ଦେଶରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ (ଏସ୍‌ୟୁପି)ର ଉତ୍ପାଦନ, ଆମଦାନୀ, ବଣ୍ଟନ ଓ ବିକ୍ରି ଉପରେ ଭାରତ ଜୁଲାଇ ୧ରୁ ନିଷେଧାଦେଶ ଜାରି କରିଛି। ଏଥିସହିତ ପ୍ଲାଷ୍ଟିକ୍‌ର ଇଅର ବଡ୍‌ସ, ବେଲୁନ୍‌ରେ ବ୍ୟବହୃତ ପ୍ଲାଷ୍ଟିକ୍‌, ପ୍ଲାଷ୍ଟିକ୍‌ ପତାକା, ଆଇସ୍‌କ୍ରିମ୍‌ ଷ୍ଟିକ୍ସ, ପଲିଷ୍ଟିରିନ୍‌ ଡେକୋରେଶନ, ପ୍ଲାଷ୍ଟିକ୍‌ ପ୍ଲେଟ, କପ୍‌, ଚାମଚ, ଛୁରି ଆଦି ବହୁ ସାମଗ୍ରୀକୁ ନିଷିଦ୍ଧ କରାଯାଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ର ବେଆଇନ ଉତ୍ପାଦନ, ଆମଦାନୀ, ଗଚ୍ଛିତ କରି ରଖିବା, ବଣ୍ଟନ, ବିକ୍ରି ଓ ବ୍ୟବହାରକୁ ଯାଞ୍ଚ କରି ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରିବା ସକାଶେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ମଧ୍ୟ ଗଠନ କରିଛି। ଯଦିଓ ଚଳିତ ଥର ସରକାରୀ ନିଷେଧାଜ୍ଞାର ପରିସର ବ୍ୟାପକ ହୋଇଛି, ତଥାପି ବିଭିନ୍ନ ରାଜ୍ୟ ବା ସମଗ୍ର ଦେଶରେ ପ୍ଲାଷ୍ଟିକ୍‌ ବନ୍ଦ କରିବା ସହଜ ମନେହେଉନାହିଁ। କାରଣ ନିଷେଧାଜ୍ଞା ପାଳନ ପର୍ବ ଆରମ୍ଭରୁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ୩ ଜୁଲାଇରେ ସରକାରଙ୍କୁ ଅନୁରୋଧ କରି କହିଛି ଯେ, ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ପଦାର୍ଥ ନିଷିଦ୍ଧ ନିର୍ଦ୍ଦେଶକୁ ଆଉ ଏକ ବର୍ଷ ବିଳମ୍ବରେ କରାଯାଉ। ପରିବେଶକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ନିଜ ତରଫରୁ ଏହାର କୌଣସି ବିକଳ୍ପ ଖୋଜି ବାହାର କରିବାର ଚେଷ୍ଟା କରୁନାହାନ୍ତି। ଏକ ବର୍ଷ ସମୟ ଯାହା ମାଗିଛନ୍ତି, ତାହା କେବଳ ଏକ ଚତୁରାମି ଦର୍ଶାଉଛି। ଆଜି ଯେତେବେଳେ ପରିବେଶକୁ ନେଇ ସମଗ୍ର ପୃଥିବୀରେ ଘଡ଼ିକେ ଘୋଡ଼ା ଛୁଟୁଛି, ସେତେବେଳେ ଭାରତର ବ୍ୟବସାୟୀ ମହାସଂଘ ସମୟ ମାଗିବା ଏକ ମନ୍ଦ ଓ ଅଭିସନ୍ଧିମୂଳକ ମନେହୁଏ।
ଇତିମଧ୍ୟରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ବଜାରରେ ଚଢ଼ାଉ କରାଯାଇ ଦୋକାନୀ ଓ ଜନସାଧାରଣଙ୍କଠାରେ ସଚେତନତା ଅଣାଯିବା ଲାଗି ପ୍ରୟାସ ହୋଇଛି। ବିଗତ ବର୍ଷଗୁଡ଼ିକ ଭଳି ଏହା ଏକ ଲୋକଦେଖାଣିଆ ଚଢ଼ାଉ ବୋଲି କୁହାଯାଇପାରେ। କାରଣ ଭାରତୀୟମାନଙ୍କ ଚରିତ୍ର ହେଉଛି ଯେତେବେଳେ ଏଭଳି ନିର୍ଦ୍ଦେଶ ଦିଆଯାଇଥାଏ, ତାହା କିଛି ଦିନ କାର୍ଯ୍ୟକାରୀ ହେବା ପରେ ପୁଣି ଯେଉଁ କଥାକୁ ସେହି କଥା ଦୃଷ୍ଟିଗୋଚର ହୁଏ।
ପୂର୍ବରୁ ୧୨୦ ମାଇକ୍ରନ୍‌ରୁ କମ୍‌ ଓଜନର ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାରକୁ ଅନୁମତି ଦିଆଯାଇ ନ ଥିଲା। ଏବେ ତାହା ୬୦ ମାଇକ୍ରନ୍‌ କରି ଦିଆଗଲାଣି। ଅର୍ଥାତ୍‌ ଆହୁରି ପତଳା ପଲିଥିନ୍‌ ତିଆରି ଓ ବିକ୍ରି ହେଉଛି। କିନ୍ତୁ ଏଭଳି ବୈଷୟିକ ଦିଗ ପ୍ରତି ସାଧାରଣ ଉପଭୋକ୍ତା ସଚେତନ ନ ଥାଆନ୍ତି। ବଜାରରୁ ସେମାନଙ୍କ ସାମଗ୍ରୀ ବେହିନେବା ସକାଶେ ଯେଉଁ ଓଜନର ପଲିଥିନ୍‌ ଦରକାର ସେତିକି ହୋଇଗଲେ ଖାଉଟି ଖୁସି। ଦୁଇବର୍ଷ ତଳେ ଓଡ଼ିଶାରେ ପଲିଥିନ୍‌ ନିଷିଦ୍ଧ କରିବା ଲାଗି ଏତେ ଧରପଗଡ଼ କରାଗଲା ଯେ, ଲୋକେ କନା ବା ଅଖା ବ୍ୟାଗ୍‌ ନେଇ ବଜାର ଯିବାର ଅଭ୍ୟାସରେ ପଡ଼ିଥିଲେ। ହେଲେ ଖୁବ୍‌ଶୀଘ୍ର ପଲିଥିନ୍‌ ପୁଣି ବହୁଳମାତ୍ରାରେ ବଜାରକୁ ପ୍ରବେଶ କରିବା ପରେ ଲୋକେ ଘରୁ ବାହାରିବା ବେଳେ ବ୍ୟାଗ୍‌ ଧରି ଯିବାକୁ ଭୁଲିଗଲେ। କେବଳ ବୁହାଯାଉଥିବା ପଲିଥିନ୍‌ ବ୍ୟାଗ୍‌ ନୁହେଁ, ପ୍ଲାଷ୍ଟିକ୍‌ ପ୍ଲେଟ୍‌, ଗ୍ଲାସ୍‌, ଆଇସ୍‌କ୍ରିମ୍‌ରେ ବ୍ୟବହୃତ ହେଉଥିବା କାଠି ଓ ଏପରି କି ସାଜସଜ୍ଜା ଲାଗି ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର କରାଯାଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ଦୈନିକ ୨୬,୦୦୦ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ବାହାରୁଛି। ସେହିଭଳି ବାର୍ଷିକ ପ୍ଲାଷ୍ଟିକ୍‌ ବ୍ୟବହାର ୨୦ ମିଲିୟନ୍‌ ଟନ୍‌ରେ ପହଞ୍ଚତ୍ଛି। ସମୁଦ୍ରରେ ପ୍ଲାଷ୍ଟିକ୍‌ ପଦାର୍ଥର ଅତି କ୍ଷୁଦ୍ର ଗୁଣ୍ଡ ଭାସିବା, ଯାହାକୁ ମାଇକ୍ରୋପ୍ଲାଷ୍ଟିକ୍‌ କୁହାଯାଉଛି ତାହାର ପରିମାଣ ୨୪.୪ ଟ୍ରିଲିୟନ ବୋଲି ଆକଳନ କରାଯାଇଛି। ତେଣୁ କୁହାଯାଉଛି ଆସନ୍ତା କିଛି ବର୍ଷ ପରେ ସମଗ୍ର ବିଶ୍ୱ ପ୍ଲାଷ୍ଟିକମୟ ହୋଇଯାଇଥିବ। ମାଟିରେ ଯେହେତୁ ଏହା ବିଘଟିତ ଓ ପାଣିରେ ଦ୍ରବୀଭୂତ ହୋଇପାରୁ ନାହିଁ, ତାହା ମଣିଷ, ଭୂପୃଷ୍ଠ ଜୀବଜନ୍ତୁ ଓ ଜଳଚର ଜୀବଙ୍କ ପ୍ରତି ଘୋର ବିପଦ ସୃଷ୍ଟି କଲାଣି। ଗଣମାଧ୍ୟମରେ ବାରମ୍ବାର ଖବର ମିଳିଥାଏ ଗୋରୁ, ତିମି, ଶାର୍କ ଆଦି ପ୍ରାଣୀଙ୍କ ପେଟରୁ ବହୁପରିମାଣର ପଲିଥିନ୍‌ ବାହାର କରାଯାଉଛି।
ପ୍ଲାଷ୍ଟିକ୍‌ ଅତି ହାଲୁକା ଓ ମଣିଷର ବଜାରଭିତ୍ତିକ ସାମଗ୍ରୀ ନେବାଆଣିବାରେ ବିଶେଷ ସହାୟକ ହୋଇଥାଏ। ତେଣୁ ତାହାର ଅଦାର ବଢ଼ିଆସିଛି। ଏବେ ଯେତେବେଳେ ତାହାର କୁପ୍ରଭାବ ପ୍ରାଣୀଙ୍କ ପ୍ରତି ବିପଦ ଭାବେ ଉଭା ହୋଇଛି, ତାହାକୁ ତତ୍‌କ୍ଷଣାତ୍‌ ବନ୍ଦ କରିବା କଷ୍ଟକର ହେଉଛି। ପଲିଥିନ୍‌ର ଉପଯୁକ୍ତ ବିକଳ୍ପ ତିଆରିକୁ ଠିକ୍‌ ପ୍ରୋତ୍ସାହନ ମିଳୁ ନ ଥିବାରୁ ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ କରାଯାଇପାରୁ ନାହିଁ। ଅନ୍ୟପକ୍ଷରେ ଝୋଟ, ଖଦି ନିର୍ମିତ ବ୍ୟାଗ୍‌ କିମ୍ବା ବାଉଁଶ କାଠିରେ ତିଆରି ଝୁଲା ବ୍ୟାଗ୍‌ ଆକଷର୍କଣୀୟ ହୋଇଥାଏ। କିନ୍ତୁ ସାଧାରଣରେ ମାନସିକତା ରହିଛି ଏହିସବୁ ସାମଗ୍ରୀ ନୀଚ ସ୍ତରର ହୋଇଥିବାରୁ କେହି ଧରିବେ ନାହିଁ। କିନ୍ତୁ ଫେଶନ ବଜାରକୁ ଦେଖିଲେ ଏସବୁ ପଦାର୍ଥ ଏବେ ଉଚ୍ଚକୋଟୀର ବୋଲି ଧରାଯାଇ ଧନୀ ଲୋକମାନେ ବ୍ୟବହାର କରୁଛନ୍ତି। ସେହିପରି କ୍ଷୀର ଭଳି ପଦାର୍ଥ ବୋହିବା ଲାଗି ପ୍ଲାଷ୍ଟିକ୍‌ର ବିକଳ୍ପ ଭାବେ ସରକାର କୌଣସି ଚିନ୍ତା କରୁ ନ ଥିବା ଦେଖାଯାଉଛି। ଭାରତ ସମେତ କାନାଡ଼ା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରରେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ଉତ୍ପାଦନ, ଆମଦାନୀ, ଗଚ୍ଛିତ କରି ରଖିବା, ଏହାର ବଣ୍ଟନ ଓ ବ୍ୟବହାର ଉପରେ କଡ଼ା ନିୟମ କରାଯାଇଛି। ଅନ୍ୟ ଦେଶଗୁଡ଼ିକରେ ସରକାରୀ ନିଷ୍ପତ୍ତିକୁ ଜନସାଧାରଣ ସମର୍ଥନ କରିଥିବା ବେଳେ ଭାରତ ଭଳି ଦେଶରେ ଏଭଳି ନିଷେଧାଜ୍ଞାକୁ ବିରୋଧ କରାଯାଉଛି। ଯେପର୍ଯ୍ୟନ୍ତ ଏଠାରେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ଉତ୍ପାଦନ, ଆମଦାନୀ, ବିକ୍ରି ଓ ବ୍ୟବହାର ବନ୍ଦ ନ ହେବ, ଉପରୋକ୍ତ ନିଷେଧାଦେଶ ଆଉ ଥରେ ପ୍ରହସନ ବୋଲି କୁହାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?