ସେଲିବ୍ରେସନ

ହରେକୃଷ୍ଣ ଦାସ

ଆମ ସାମାଜିକ, ସାଂସ୍କୃତିକ ଜୀବନରେ ପାଳନ କରାଯାଉଥିବା ବିଭିନ୍ନ ଉତ୍ସବକୁ କଡ଼ା ଟକ୍କର ଦେଇ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଭବଟି ଆମକୁ ଧୀରେ ଧୀରେ ଆଚ୍ଛାଦିତ କଲା, ତାହା ହେଉଛି ବିଭିନ୍ନ ‘ଡେ’ ର ସେଲିବ୍ରେସନ, ଯେମିତି ଟିଚର୍ସ ଡେ, ମଦର୍ସ ଡେ, ପ୍ୟାରେଣ୍ଟ୍‌ସ ଡେ, ଓମେନ୍ସ ଡେ ଇତ୍ୟାଦି ତଥା ବିଭିନ୍ନ ଆନିଭର୍ସାରିର ସେଲିବ୍ରେସନ। ନିଜକୁ ଯୁଗୋପଯୋଗୀ ତଥା ଆଧୁନିକ ପ୍ରମାଣିତ କରିବା ପାଇଁ କାଳେ ଏସବୁ ସହ ଯୋଡ଼ିହୋଇ ରହିବା ନିହାତି ଆବଶ୍ୟକ। ହେଲେ ଏସବୁର ସେଲିବ୍ରେସନ ପ୍ରଣାଳୀରେ ହୃଦୟର ଆବେଗ ନ ଥାଇ ଯେମିତି ଏକ ହାସ୍ୟାସ୍ପଦ ଔପଚାରିକତା ଅନେକ ସମୟରେ ଦେଖାଯାଏ, ତାହା ହଜମ କରିହୁଏନି।
ଗୁରୁଦିବସରେ ପିଲାମାନେ ଆସି ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିବା ଭିତରେ ଗୁରୁ ଓ ଶିଷ୍ୟଙ୍କ ଭିତରେ ଏକ ଭାବ ସ୍ଥାପନ ହେଉଥିଲା। କିନ୍ତୁ ହସ ଲାଗିଲା ଯେଉଁଦିନ ପିଲାମାନେ ଆଉ ପାଖକୁ ନ ଆସି ‘ହାପି ଟିଚର୍ସ ଡେ’ ଲେଖି ହ୍ବାଟ୍‌ସଆପରେ ପଠେଇଦେଲେ। ଦୈବାତ ଦେଖାହୋଇଗଲେ ମୁଣ୍ଡିଆ ତ ଦୂରର କଥା, କେବଳ ହସି ଦେଇ ‘ହାପି ଟିଚର୍ସ ଡେ’ ଉଇସ କରି ଚାଲିଯାଆନ୍ତି। ତା ଅର୍ଥ, ଟିଚର୍ସ ଡେ ଟା ମୋ ଭଳିଆ ‘ଗୁରୁ’ମାନଙ୍କ ପାଇଁ ଗୋଟେ ଖୁସିର ଦିନ ହେଉ, କୋଉ ଛାତ୍ରୀଛାତ୍ର ଆସି ମୁଣ୍ଡିଆ ନ ମାରନ୍ତୁ କି ଆଶୀର୍ବାଦ ନ ଲୋଡନ୍ତୁ ଚଳିବ, ସେ ଦିନ ସହ ‘ଶିଷ୍ୟ’ମାନଙ୍କର କିଛି ସମ୍ପର୍କ ନାହିଁ। କିଛି ଶିକ୍ଷକ(ଗୁରୁ) ଛାତ୍ରୀଛାତ୍ରଙ୍କୁ ଧରି ପାଶ୍ଚାତ୍ତାଯ ଶୈଳୀରେ କେକ୍‌ କାଟି ମୁହଁରେ ବୋଳି ନିଲଠା ଖୁସି ଦେଖେଇବାକୁ ଚେଷ୍ଟା କରନ୍ତି ଯଦିଓ ଏ ପର୍ବ ପାଳନରେ ଭକ୍ତି ଭାବନା ସନ୍ଦେହାତ୍ମକ। ଜଙ୍ଗଲ ମାଫିଆମାନଙ୍କ ସହ ହାତ ମିଳାଇ ଗଛ କାଟି ଲୁଟି ପ୍ରଚୁର କଳାଧନ କମେଇ ଅନେକ ଥର ସସ୍‌ପେଣ୍ଡ ହୋଇଥିବା ଫରେଷ୍ଟର ବନ୍ଧୁ ଜଣକ ମୁହଁରେ ସାମାନ୍ୟ ସଙ୍କୋଚ ଭାବ ନ ଆଣି ପରିବେଶ ଦିବସର ଶୁଭେଚ୍ଛା ଜଣାନ୍ତି, ଶୁଣିବାକୁ ଟିକିଏ ଅସୁସ୍ଥିକର ଲାଗେ। ଠିକ ସେମିତି ପାରିବାରିକ ତଥା ସାମାଜିକ ଜୀବନରେ ଅନ୍ୟ ମହିଳାମାନଙ୍କୁ ନିର୍ଯାତନା ଓ ଅପମାନ ଦେବାରେ, ଅସମ୍ମାନ ପ୍ରଦର୍ଶନ କରିବାରେ ଆଦୌ ସାଲିସ କରୁ ନ ଥିବା ଅନେକ ନାରୀ ‘ହାପି ଓମେନ୍ସ ଡେ’ ନାରା ଦେଇ ବିଭିନ୍ନ ଲୋକଦେଖାଣିଆ କାର୍ଯ୍ୟକ୍ରମ ଆୟୋଜନ କରି ନିଜ ଶଠତାକୁ ଲୁଚେଇବାକୁ ଚେଷ୍ଟା କରନ୍ତି।
କୌଣସି କଥାରେ ଆବେଗିକ ଭାବେ ଜଡିତ ନ ହେଇ ପାଇଟି ସାରିଲାଭଳି ଜଣକ ପାଖକୁ କେବଳ ‘ଉଇସ୍‌’ଟେ ପଠେଇଦେବା କାମଟି ବର୍ତ୍ତମାନ ବିଭିନ୍ନ ‘ଡେ’ ସେଲିବ୍ରେସନର ମୂଳମନ୍ତ୍ର। କେହି କାହା ସାଙ୍ଗରେ ଶାରୀରିକ ଉପସ୍ଥିତି ସହ ଖୁସି ନ ମନେଇ, ଠାକୁରଙ୍କୁ ପ୍ରାର୍ଥନା ନ କରି ‘ହାପି ରଜ’, ‘ହାପି ରଥଯାତ୍ରା’, ‘ହାପି ଗଣେଶ ପୂଜା’ ଇତ୍ୟାଦି ଲେଖିଦେଲେ କୋଉ ଖୁସି ବଢ଼ିଯାଏ କି ଭକ୍ତି ବିଗଳିତ ହେଇଯାଏ ଠିକ୍‌ ବୁଝାପଡ଼େନି।
ସେଦିନ ସନ୍ଧ୍ୟାରେ ରାଓ ମଉସାଙ୍କ ଘରେ ଚା ପିଇ ଗପସପ ହେବା ଭିତରେ ମାଉସୀ ହସହସ ମୁହଁରେ ଆସି କିଛି ଜିନିଷ ଦେଖେଇ କହିଲେ, ”ଜାଣିଲ ପୁଅ, ଆମ ପିଲାମାନେ ସିନା ଦୂରରେ ରହୁଛନ୍ତି, ହେଲେ ଆମ ମ୍ୟାରେଜ ଆନିଭର୍ସାରି, ମଦର୍ସ ଡେ, ଫାଦର୍ସ ଡେ ଇତ୍ୟାଦି କେବେ ଭୁଲନ୍ତିନି। ଆମର ବହୁତ ଖିଆଲ ରଖନ୍ତି। ହେଇଟି ଆମ ଆନିଭର୍ସାରି ଉପଲକ୍ଷେ ବଡ଼ ପୁଅ ତୁମ ମଉସାଙ୍କ ପାଇଁ ଏ ବ୍ରେସଲେଟ ପଠେଇଥିଲା। ମଦର୍ସ ଡେ ଉପଲକ୍ଷେ ସାନ ପୁଅ ମୋ ପାଇଁ ଏ ପାଟଶାଢ଼ି ପଠେଇଛି। କେଡେ ସୁନ୍ଦର ମେସେଜଟେ ବି ହ୍ବାଟ୍‌ସଆପରେ ପଠେଇଛି, ହେଇ ଦେଖୁନ।“ ମାଉସୀ ନିଜ ପିଲାମାନଙ୍କର ଭକ୍ତି, ଅନୁରକ୍ତି ତଥା ମାଆବାପାଙ୍କ ପ୍ରତି ଯତ୍ନଶୀଳତାର ଦେଖାଣିଆ ବୟାନବାଜି କରୁଥିବା ବେଳେ ମଉସା ଯେମିତି ଲାଜରେ ଝାଉଁଳି ପଡୁଥିଲେ। ତାଙ୍କର ଏ ଅବସ୍ଥା ଦେଖି ମାଉସୀଙ୍କ କଥା ଉପରେ ମୁଁ କିଛି ମନ୍ତବ୍ୟ ଦେଇପାରିଲିନି, ଯଦିଓ ତାଙ୍କୁ ମୁହେଁ ମୁହେଁ ଦି’ ପଦ ଶୁଣେଇଦେବାକୁ ଇଚ୍ଛା ହଉଥିଲା। ମାଉସୀ ଯିବା ପରେ ମୋ ମୁହଁର ଭାବ ପଢ଼ିପାରିଥିବା ରାଓ ମଉସା ଦୀର୍ଘଶ୍ବାସ ଛାଡ଼ି ମୋ ପିଠି ଆଉଁସି ଦେଇ କହିଲେ, ‘ମାଉସୀ କଥାଟା ଧରନି ପୁଅ। ସତ କ’ଣ, ସେ କଥା ତମେ ଜାଣିଛ ବୋଲି ତମ ମାଉସୀ ଜାଣେନି। ମରମ ପୋଡ଼ିଯାଉଥିଲେ ବି ବାହାରକୁ ଖୁସି ଥିବାର ଛଳନା କରୁଛି। ଯେଉଁ ପିଲାମାନଙ୍କର ଦୌରାତ୍ମ୍ୟକୁ ଦାନ୍ତ ଚିପି ସହି ସହି ସାରା ଜୀବନ ଡରି ଡରି ଏମିତି ବଞ୍ଚୁଛୁ ଯେ ତାଙ୍କ ସହ କଥା ହେବାକୁ ବି ଭୟ ଲାଗୁଛି କାଳେ କେତେବେଳେ ପାନରୁ ଚୂନ ଖସିଗଲେ ପ୍ରଳୟ କରିଦେବେ; ସେମାନେ ପଠଉଥିବା ମେସେଜ ଓ ଗିଫ୍ଟ ଆମକୁ ଉପହାସ ଭଳି ଲାଗିଲେ ବି ତାକୁ ଆମେ ସହାସ୍ୟ ବଦନରେ ସୁନ୍ଦର ଉପହାର ବୋଲି ଦେଖେଇ ହେବାକୁ ବାଧ୍ୟ। ନିଜର ଦୁଃଖ, ଅସହାୟତା ଲୁଚାଇରଖି କେବଳ ତୁମ ସାମ୍ନାରେ ନୁହଁ, ହ୍ବାଟ୍‌ସଆପ ଫେସ୍‌ବୁକରେ ମଧ୍ୟ ତମ ମାଉସୀ ମିଛ ଖୁସିର ସେଲିବ୍ରେସନ କରୁଛି। ଚୋର ମାଆ କ’ଣ ଲୋକଙ୍କୁ ଦେଖେଇ କାନ୍ଦିପାରେ କି ପୁଅ? ଏମିତି ବିଭିନ୍ନ ଡେ ପାଳନ କରି ପିଲାମାନେ ଗୁଡ଼ାଏ ଛଳନାର ସେଲିବ୍ରେସନ କରୁଛନ୍ତି, ଆଉ ଆମେ ବି ସେ ଛଳନାରେ ସାମିଲ ହେବାକୁ ବାଧ୍ୟ।’ ମାଉସୀଙ୍କ କଥା ଶୁଣି ତାଙ୍କୁ ବିଦ୍ରୁପ କରିବାକୁ ଇଚ୍ଛା ହେଉଥିଲେ ବି ମଉସାଙ୍କ ଅସହାୟତା ଦେଖି ଖୁବ୍‌ ଦୁଃଖ ଲାଗିଲା। ପରିସ୍ଥିତି ହାଲୁକା କରିବାକୁ ଯାଇ କହିଲି, ‘ସେ କଥା ଛାଡ଼ନ୍ତୁ ମଉସା। ହଁ, କାଲି ଏଇ ପାଖ ଜଗନ୍ନାଥ ମନ୍ଦିରର କର୍ମକର୍ତ୍ତା ବନ୍ଧୁମାନେ ଆମକୁ ଡାକିଛନ୍ତି। ଆପଣ ଦି’ ଜଣ ବି ପ୍ରସ୍ତୁତ ଥିବେ। ସକାଳ ନଅଟା ବେଳେ ଯିବା।’ମୁଁ ଘରେ ପହଞ୍ଚିବା ମାତ୍ରେ ଝିଅ ଆସି ଖୁସି ହୋଇ କହିଲା, ”ଜାଣିଛ ପାପା, କାଲି ରଥଯାତ୍ରା ପାଇଁ ମୋ ସାଙ୍ଗମାନେ ‘ହାପି ରଥଯାତ୍ରା ଇନ୍‌ ଆଡଭାନ୍ସ’ ମେସେଜ ପଠେଇଛନ୍ତି। ମୁଁ କ’ଣ ଲେଖି ପଠେଇବି ଜଲ୍‌ଦି କୁହ।“ ଟିକିଏ ହସିଦେଇ କହିଲି, ଲେଖିଦେ, ‘ପ୍ରଭୁ ଜଗନ୍ନାଥ ସମସ୍ତଙ୍କର କଲ୍ୟାଣ କରନ୍ତୁ।’
ଅଧ୍ୟାପକ, ନିଆଳି କଲେଜ, କଟକ
ମୋ:୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri