ମିୟାଓ୍ବାକୀ ବନୀକରଣ

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ପୃଥିବୀକୁ ଏକ ବିକଶିତ ଜୀବଜଗତର ‘ଧରିତ୍ରୀମାତା’କୁ ରୂପାନ୍ତରିତ କରିବାରେ ଉଦ୍ଭିଦର ଅବଦାନ ଅତୁଳନୀୟ। ଧରିତ୍ରୀମାତାର ଆମତ୍ା ବୋଲାଉଥିବା ପର୍ଯ୍ୟାବରଣର ଏହା ହେଉଛି ମୁଖ୍ୟ ସ୍ଥପତି। ଶ୍ୱାସକ୍ରିୟା ଲାଗି ଅମ୍ଳଜାନ ସମୃଦ୍ଧ ବାୟୁ, ପୁଷ୍ଟିକର ଖାଦ୍ୟ ଏବଂ ବିଶୁଦ୍ଧଜଳ ଇତ୍ୟାଦି ଜୀବନ ଧାରଣର ସମସ୍ତ ବ୍ୟବସ୍ଥା ଖଞ୍ଜି ଏହା ତା’ର ନିର୍ମାଣ କରିଥାଏ ଏବଂ ସେଗୁଡ଼ିକ କିପରି ସକ୍ରିୟ ରହିବେ ସେଥିପ୍ରତି ଧ୍ୟାନ ରଖିଥାଏ। କିନ୍ତୁ ବିଗତ ପ୍ରାୟ ୨ଶତାଦ୍ଦୀ ଧରି ଶିଳ୍ପବିପ୍ଲବ କାଳରୁ ମଣିଷ ତାହାର ଧ୍ୱଂସ କରିଚାଲିଛି। ଏକ ଆକଳନ (୨୦୨୧) ଅନୁସାରେ ପ୍ରତିବର୍ଷ ମଣିଷ ପ୍ରାୟ ୧୫ ହଜାର ନିୟୁତ ବୃକ୍ଷ ଛେଦନ କରୁଛି। ପରିଣାମ ସ୍ବରୂପ ବିବିଧ ପ୍ରାକୃତିକ ବିପର୍ଯ୍ୟୟ ଘଟିବାରେ ଲାଗିଛି, ଯାହାକି ଆଗାମୀ ମହାବିଲୁପ୍ତି ପ୍ରକ୍ରିୟାର ଆଗମନକୁ ତ୍ୱରାନ୍ବିତ କରୁଛି।
ଦ ଓ୍ବାର୍ଲଡ ଇକୋନୋମିକ୍‌ ଫୋରମ (୨୦୨୦) ଦ୍ୱାରା ଅନୁଷ୍ଠିତ ସର୍ବେକ୍ଷଣ ଅନୁସାରେ ବର୍ତ୍ତମାନ ପୃଥିବୀର ସମସ୍ତ ଜୈବବସ୍ତୁତ୍ୱର ୮୨.୪ ଶତାଂଶ ହେଉଛି ଉଦ୍ଭିଦ। ଅନ୍ୟପକ୍ଷରେ ଜୀବାଣୁ, କବକ, ଏକ ଜୀବକୋଷ ବିଶିଷ୍ଟ ସୂକ୍ଷ୍ମଜୀବ ଏବଂ ସମସ୍ତ ପ୍ରାଣୀ ଯଥାକ୍ରମେ ୧୨.୮ ଶତାଂଶ, ୨.୨ଶତାଂଶ,୧.୫ଶତାଂଶ ଏବଂ ୧.୧ଶତାଂଶ। କେବଳ ମଣିଷ କଥା ବିଚାରକଲେ ଏହା ଅତ୍ୟନ୍ତ ନଗଣ୍ୟ- ମାତ୍ର ୦.୧ ଶତାଂଶ। ସେହିପରି ପୃଥିବୀ ପୃଷ୍ଠରେ ଜୀବଜଗତର ପ୍ରାରମ୍ଭ ୩୭୦ ହଜାର ନିୟୁତ ବର୍ଷ ପୂର୍ବେ ଘଟିଥିଲା ବେଳେ ଭୂଭାଗରେ ଉଦ୍ଭିଦମାନଙ୍କ ଉଦ୍ଭବ ହୋଇଥିଲା ୪୦୦ ନିୟୁତ ବର୍ଷ ପୂର୍ବେ ଏବଂ ମଣିଷ ଏଥିରେ ମାତ୍ର ୫ରୁ ୭ ନିୟୁତ ବର୍ଷ ହେଲା ବାସବାସ କରି ଆସୁଛି। ତେବେ ଏହି ସ୍ବଳ୍ପ ସମୟ ମଧ୍ୟରେ ବିକଶିତ ଉକ୍ତ ସଂଖ୍ୟାଲଘୁ ପ୍ରଜାତିର ପ୍ରଭାବରେ ଆଜି ସମଗ୍ର ଜୀବଜଗତ, ବିଶେଷକରି ଉଦ୍ଭିଦଜଗତ ଗଭୀର ଭାବେ ପ୍ରଭାବିତ।
ବର୍ତ୍ତମାନର ପୃଥିବୀରେ ଚିହ୍ନଟ ହୋଇଛନ୍ତି ପ୍ରାୟ ୩,୯୦,୦୦୦ରୁ ୪,୦୦,୦୦୦ ପ୍ରଜାତିର ଉଦ୍ଭିଦ। ସମ୍ଭବତଃ ଆଉ ସେତିକି ଚିହ୍ନଟ ହୋଇପାରି ନ ଥିବାର ବୈଜ୍ଞାନିକମାନେ ମନେକରନ୍ତି। ବିଶ୍ୱ ଖାଦ୍ୟ ଓ କୃଷି ସଂସ୍ଥାର ଆକଳନ ମୁତାବକ ଉଦ୍ଭିଦମାନେ ହିଁ ଆମର ୮୦ ଶତାଂଶ ଖାଦ୍ୟ ଏବଂ ୯୦ ଶତାଂଶ କ୍ୟାଲୋରି(ଶକ୍ତି) ଆବଶ୍ୟକତା ପୂରଣ କରନ୍ତି। ଏହା ବ୍ୟତୀତ ଆଲୋକ ସଂଶ୍ଲେଷଣ ଦ୍ୱାରା ସବୁଜଗୃହ ବାଷ୍ପ ଅଙ୍ଗାରକାମ୍ଳ ଶୋଷଣ ସହିତ ଆମେ ଶ୍ୱାସକ୍ରିୟାରେ ବ୍ୟବହାର କରୁଥିବା ଅମ୍ଳଜାନର ୯୮ ଶତାଂଶ ଏହିମାନେ ଉତ୍ପନ୍ନ କରନ୍ତି। ପୁନଶ୍ଚ ପ୍ରାୟ ୮୦,୦୦୦ ପ୍ରଜାତିର ଉଦ୍ଭିିଦ ଔଷଧୀୟ ଗୁଣସମ୍ପନ୍ନ ହେଲା ବେଳେ ଏହା ଆମକୁ ବାସ (ଘର), ବସ୍ତ୍ର ଓ ଜୈବ ଇନ୍ଧନ ଯୋଗାଣ ଏବଂ ଉସ୍ବେଦନ (ଟ୍ରାନ୍ସପିରେଶନ) ମାଧ୍ୟମରେ ବାୟୁମଣ୍ଡଳର ଶୀତଳୀକରଣ ତଥା ବୃଷ୍ଟିପାତକୁ ଆବାହନ କରିବାଠାରୁ ମୃତ୍ତିକାର ମାନ ବୃଦ୍ଧି ପର୍ଯ୍ୟନ୍ତ ଅନେକ ସେବା ଯୋଗାଇଥାନ୍ତି। ଗୋଟିଏ ୫୦ରୁ ୧୦୦ ବର୍ଷ ବଞ୍ଚୁଥିବା ଗଛ ଆମକୁ ୫୦ରୁ ୭୫ ଲକ୍ଷ ଟଙ୍କାର ଏ ପ୍ରକାର ସେବା ଯୋଗାଏ ବୋଲି କୁହାଯାଏ।
ଏକ ଆକଳନ ଅନୁସାରେ ଜଣେ ବ୍ୟକ୍ତିର ଧରାପୃଷ୍ଠରେ ସୁସ୍ଥ ଜୀବନ ଧାରଣ କରିବାକୁ ହେଲେ ଲୋଡ଼ା ଅତି କମ୍‌ରେ ୧୫ରୁ ୧୭ଟି ବଡ଼ ବଡ଼ ଗଛ। ଅନ୍ୟପକ୍ଷରେ ପରିବେଶୀୟ ସନ୍ତୁଳନ ରକ୍ଷା ଲାଗି ଏହାର ଏକ ତୃତୀୟାଂଶ ଅରଣ୍ୟ ଆଚ୍ଛାଦିତ ରହିବା କଥା। ତେବେ ଜାଗତିକ ଉଷ୍ମତା ବୃଦ୍ଧିଠାରୁ ଆରମ୍ଭ କରି ବିବିଧ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଏ ଅନୁପାତ ବଦଳିବାରେ ଲାଗିଛି। ସେଥିପାଇଁ ଏବେ ସମଗ୍ର ବିଶ୍ୱରେ ବନ ବିଧ୍ୱଂସ ନିବାରଣ, ବାଡ଼ିବାଗ୍ନିରୁ ସୁରକ୍ଷା ପ୍ରଦାନ ସଙ୍ଗେ ସଙ୍ଗେ ବନୀକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି। ତେବେ ତାହା ସଫଳ ହୋଇପାରୁନାହିଁ। କାରଣ ପ୍ରଥମତଃ ନୂତନ ଭାବେ ରୋପିତ ବୃକ୍ଷଗୁଡ଼ିକ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାର ଅଭାବ ଏବଂ ଦ୍ୱିତୀୟତଃ ଏଗୁଡ଼ିକ ବଢ଼ି ସମ୍ପୂର୍ଣ୍ଣ ସେବା ଯୋଗାଇବାକ୍ଷମ ହେବା ଲାଗି ୨୫/୩୦ ବର୍ଷ ଆବଶ୍ୟକ। ଏହାବ୍ୟତୀତ ବନୀକରଣ ନାମରେ ସୃଷ୍ଟି କରାଯାଉଥିବା ଅରଣ୍ୟଗୁଡ଼ିକ ଯଥେଷ୍ଟ ଘଞ୍ଚ ନୁହନ୍ତି। ତେଣୁ ପରିବେଶ ଓ ପରିସଂସ୍ଥାକୁ ସନ୍ତୁଳିତ ରଖିବା ଲାଗି ଏଗୁଡ଼ିକ ପ୍ରାକୃତିକ ଅରଣ୍ୟର ବିକଳ୍ପ ହୋଇପାରୁନାହିଁ।
ଏପରି ସ୍ଥଳେ ଅନେକଙ୍କ ବିଚାରରେ ଏ ସମସ୍ୟାର ସମାଧାନ କରିପାରିବ ମିୟାଓ୍ବାକୀ ପଦ୍ଧତି ବନୀକରଣ। ୧୯୭୦ ଦଶକରେ ଏ ପଦ୍ଧତିର ବିକାଶ ଘଟାଇଥିଲେ ଜାପାନର ଉଦ୍ଭିଦ ବିଜ୍ଞାନୀ ଡ. ଅକିରା ମିୟାଓ୍ବାକୀ। ଏଥିରେ ସ୍ଥାନୀୟ ଉଦ୍ଭିଦ ପ୍ରଜାତିର ଚାରାଗୁଡ଼ିକୁ ଖୁନ୍ଦାଖୁନ୍ଦି କରି ରୋପଣ କରାଯାଏ। ଫଳରେ ସେଗୁଡ଼ିକ ସୂର୍ଯ୍ୟକିରଣ ଲାଗି ପ୍ରତିଯୋଗିତା କରିବା ଅବସରରେ ଶୀଘ୍ର ଶୀଘ୍ର ବଢ଼ନ୍ତି। ଅରଣ୍ୟଟି ପ୍ରାୟ ୩୦ଗୁଣ ଅଧିକ ଘଞ୍ଚ ଏବଂ ୧୦ ଗୁଣ ଅଧିକ ବେଗରେ ବଢ଼େ। ମିୟାଓ୍ବାକୀ ଜାପାନ, ବ୍ରାଜିଲ, ଭାରତ ଓ ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଏ ପ୍ରକାର ୧୫୦୦ ପର୍ଯ୍ୟନ୍ତ ସାନ ସାନ ଅରଣ୍ୟ ସୃଷ୍ଟି କରାଇପାରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଜର୍ମାନୀର ‘ବନ୍‌ ଚ୍ୟାଲେଞ୍ଜ’ ନାମକ ସ୍ବେଚ୍ଛାସେବୀ ସଂସ୍ଥା ଏହି ପଦ୍ଧତିରେ ୨୦୩୦ ସୁଦ୍ଧା ୩୫୦ ନିୟୁତ ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି ଲାଗି ୨୦୧୧ରୁ ଯୋଜନା ଆରମ୍ଭ କରିଛି। ସେହିପରି ‘ଦ ଓ୍ବାଲର୍‌ଡ ଇକୋନୋମିକ ଫୋରମ’ ପୃଥିବୀରେ ଏହାର ପ୍ରସାର ଲାଗି ଆରମ୍ଭ କରିଛି ‘ଓ୍ବାନ୍‌ ଟ୍ରିଲିଅନ ଟ୍ରି ଇନିସିଏଟିଭ’।
ଏହି ପଦ୍ଧତିରେ ସୃଷ୍ଟ ଅରଣ୍ୟଗୁଡ଼ିକ ଆକାରରେ ଖୁବ୍‌ ସାନ ସାନ ଏବଂ ମୁଖ୍ୟତଃ ତାହା ପ୍ରତିଷ୍ଠା କରାଯାଉଛି ସହର ଓ ଜନବସତି ନିକଟରେ। ଉଦାହରଣ ସ୍ବରୂପ ଆମ ଦେଶର ଥିରୁଭାନନ୍ତପୁରମ୍‌, ନୂଆଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ତ୍ରିଚି, ରୋହତକ ଆଦି ସ୍ଥାନରେ ଏହା ଶହଶହ ସଂଖ୍ୟାରେ ପ୍ରତିଷ୍ଠିତ। ତନ୍ମଧ୍ୟରୁ ସର୍ବବୃହତ୍ତମଟି ରହିଛି ହାଇଦ୍ରାବାଦରେ- ଏହାର ଆୟତନ ପ୍ରାୟ ୧୦ ଏକର। ଅନ୍ୟପକ୍ଷରେ ଚେନ୍ନାଇ ନିକଟରେ ଏଥିରୁ ୧୦୦୦ଟି ପ୍ରତିଷ୍ଠା କରିବା ଲାଗି ସେଠାର ସରକାର ନିଷ୍ପତ୍ତି ନେଇଛନ୍ତି। ଏସବୁ ସ୍ଥାନୀୟ ପରିବେଶକୁ ଶୀତଳ ଓ ସମୁନ୍ନତ କରିବ ବୋଲି ଆଶା କରାଯାଏ।
ଓ୍ବାଗେନିଂଗ୍‌ଜେନ୍‌ ବିଶ୍ୱବିଦ୍ୟାଳୟ (ନେଦରଲ୍ୟାଣ୍ଡସ)ର ଉଦ୍ଭିଦ ବିଜ୍ଞାନୀଙ୍କ ମତରେ ଏ ଅରଣ୍ୟ ସାଧାରଣ ଅରଣ୍ୟ ତୁଳନାରେ ୩୦ ଗୁଣ ଅଧିକ ଅଙ୍ଗାରକାମ୍ଳ ଶୋଷଣ କରିପାରେ। ଏ ପ୍ରକାର ବନୀକରଣ ମଧ୍ୟ ବେଶ୍‌ ବ୍ୟୟ ବହୁଳ। ଏସବୁ ଦୃଷ୍ଟିରୁ ବିଚାରକଲେ ଏ ଅରଣ୍ୟ ପ୍ରାକୃତିକ ଅରଣ୍ୟର ବିକଳ୍ପ ନୁହେଁ। ତେବେ, କମ୍‌ ସମୟ ମଧ୍ୟରେ ସବୁଜ ବଳୟଟିଏ ଯୋଗାଇବା, ଅମ୍ଳଜାନ ଉପତ୍ନ୍ନ କରିବା, ପାରିପାର୍ଶ୍ୱିକ ତାପମାତ୍ରା ହ୍ରାସ କରିବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଏଣୁ ସହରାଞ୍ଚଳ ବା ଜନବସତି ନିକଟରେ ଏହା ସ୍ଥାପନ କରିବା ସଙ୍ଗେ ସଙ୍ଗେ ପ୍ରାକୃତିକ ଅରଣ୍ୟର ପୁନରୁଦ୍ଧାର ପରିବେଶ ଓ ପରିସଂସ୍ଥା ପାଇଁ ଏକାନ୍ତ ଆବଶ୍ୟକ।
ଏଠାରେ ଉଲ୍ଲେଖଯୋଗ୍ୟ, ଆମ ଦେଶରେ ଅରଣ୍ୟ କ୍ଷୟ ଏବଂ ତା’ର ଭୟାବହ ପରିଣାମ ସମ୍ପର୍କରେ ପୂର୍ବାନୁମାନ କରିପାରିଥିଲେ ଆମ ଦେଶର ତକତ୍ାଳୀନ କୃଷିମନ୍ତ୍ରୀ କେ.ଏମ୍‌.ମୁନ୍‌ସୀ। ତେଣୁ ବର୍ଷାଋତୁର ଆରମ୍ଭରେ ବୃକ୍ଷରୋପଣ କରିବା ଉଦ୍ଦେଶ୍ୟରେ ଜୁଲାଇ ମାସ ପ୍ରଥମ ସପ୍ତାହକୁ ‘ବନ ମହୋତ୍ସବ ସପ୍ତାହ’ ରୂପେ ପାଳନ କରିଥିଲେ। ଏହା ଏବେ ମଧ୍ୟ ପାଳିତ ହେଉଛି ,ତେବେ ଆନ୍ତରିକତା ଶୂନ୍ୟ ଭାବେ। ଫଳରେ ଏଠାରେ କାଗଜକଲମରେ ଅରଣ୍ୟ ବଢ଼ି ଚାଲିଲେ ବି ଘଞ୍ଚ ଜଙ୍ଗଲ ହ୍ରାସ ପାଇ ଚାଲିଛି। ବନ୍ୟ ଜୀବଜନ୍ତୁଙ୍କ ବଂଶହାନି ଘଟିଚାଲିଛି। ଏପରି ସ୍ଥଳେ ଆମେ ମିୟାଓ୍ବାକୀ ଅରଣ୍ୟକୁ ଏକ ସାମୟିକ ତଥା ସୀମିତ ବିକଳ୍ପ ରୂପେ ଗ୍ରହଣ କରିବା ଏବଂ ତତ୍‌ ସଙ୍ଗେ ସଙ୍ଗେ ବୃହତ୍‌ ପ୍ରାକୃତିକ ଜଙ୍ଗଲଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
ଉଷା ନିବାସ, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri