Posted inଫୁରସତ

ଖ୍ରୀଷ୍ଟମାସ ଛୁଟିରେ ବୁଲି ଯାଆନ୍ତୁ ଏସବୁ ସ୍ଥାନ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶର ଅଧିକାଂଶ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଆଗମନକୁ ନେଇ କିଛିଟା କଟକଣା ଜାରି କରାଯାଇଥିଲା। ହେଲେ ଏବେ ପରିସ୍ଥିତିରେ କିଛିଟା ସୁଧାର ଆସିଥିବାରୁ ପର୍ଯ୍ୟଟକ ବିଭିନ୍ନ ସ୍ଥାନକୁ ବୁଲିଗଲେଣି। ଏପରି କି ଆସନ୍ତା ଖ୍ରୀଷ୍ଟମାସ ଛୁଟିକୁ ଟିକେ ଆନନ୍ଦ ଉଲ୍ଲାସରେ କଟାଇବା ପାଇଁ ପର୍ଯ୍ୟଟକଙ୍କ ଭିତରେ ବେଶ୍‌ ଉତ୍ସାହ ଥିବା ଦେଖିବାକୁ ମିଳୁଛି। ଆଉ ଏହି ଉତ୍ସାହକୁ ଦ୍ବିଗୁଣିତ କରିବା ପାଇଁ ଦେଶର କିଛି ପ୍ରମୁଖ ସ୍ଥାନରେ ଖ୍ରୀଷ୍ଟମାସ ପର୍ବକୁ ଟିକେ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯୋଜନା କରାଯାଇଛି। ପର୍ଯ୍ୟଟକ ଚାହିଁଲେ ଏହି ସବୁ ସ୍ଥାନକୁ ବୁଲି ଯାଇ ନିଆରା ଅନୁଭୂତି ସାଉଁଟିବାର ସୁଯୋଗ ପାଇପାରିବେ।

ଗୋଆ: ଖ୍ରୀଷ୍ଟମାସ ପର୍ବକୁ ବେଶ୍‌ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ପସନ୍ଦ କରିଥାନ୍ତି ଗୋଆବାସୀ। ଏହି ସମୟରେ ଗୋଆର ଚାରିଆଡକୁ ରଙ୍ଗବେରଙ୍ଗର ଫୁଲ ତଥା ଲାଇଟ୍ସରେ ସଜାଯାଇଥାଏ, ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ତା’ଛଡ଼ା ସ୍ଥାନୀୟ ଚର୍ଚ୍ଚଗୁଡ଼ିକୁ ବି ବେଶ୍‌ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥାଏ। ତେବେ ବର୍ତ୍ତମାନର ଏହି କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏଠାରେ ଆନନ୍ଦଉଲ୍ଲାସରେ ଖ୍ରୀଷ୍ଟମାସ ପର୍ବକୁ ପାଳନ କରିବାକୁ ଯୋଜନା ରହିଥିଲେ ହେଁ କିଛିଟା ଜରୁରୀ ନିୟମ ଯେମିତି କି ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କର ବ୍ୟବହାର କରିବା, ହାତକୁ ସାନିଟାଇଜ୍‌ କରିବା ଆଦି କାର୍ଯ୍ୟକୁ ସମସ୍ତେ ମାନିବାକୁ ଏଠି ବାଧ୍ୟତାମୂଳକ ରହିଛି।

ପଣ୍ଡିଚେରୀ: ପଣ୍ଡିଚେରୀ ବା ପୁଡୁଚେରୀରେ ବି ବେଶ୍‌ ଧୁମ୍‌ଧାମ୍‌ରେ ଖ୍ରୀଷ୍ଟମାସ ପର୍ବକୁ ପାଳନ କରାଯାଇଥାଏ। ଖାସ୍‌ ସେଥିପାଇଁ ଏହି ଅବସରରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲି ଆସିଥାନ୍ତି। ଏହି ସମୟରେ ସ୍ଥାନୀୟ ଚର୍ଚ୍ଚ ସମେତ ରାସ୍ତାଘାଟଗୁଡ଼ିକୁ ଖୁବ୍‌ ସୁନ୍ଦର ଭାବେ ସଜାଯାଇଥାଏ। ତା’ଛଡ଼ା ଲୋକମାନଙ୍କ ମନୋରଞ୍ଜନ ପାଇଁ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ବି ଏଠାରେ ହୋଇଥାଏ। ବର୍ତ୍ତମାନ କରୋନା ପରିସ୍ଥିତି ଏଠାରେ ନିୟନ୍ତ୍ରଣରେ ରହିଥିବାରୁ ପର୍ଯ୍ୟଟକ ଚାହିଁଲେ ଏଠାକୁ ବୁଲିଯାଇ ଖ୍ରୀଷ୍ଟମାସ ପର୍ବକୁ ମନଭରି ଉପଭୋଗ କରିପାରିବେ।

ମନାଲି: ଯେଉଁମାନେ ତୁଷାରପାତର ଶୀତଳ ପରଶରେ ଖ୍ରୀଷ୍ଟମାସ ପର୍ବକୁ ଆନନ୍ଦଉଲ୍ଲାସରେ ମନାଇବାକୁ ଇଚ୍ଛା ରଖିଛନ୍ତି, ସେମାନଙ୍କ ପାଇଁ ହିମାଚଳପ୍ରଦେଶସ୍ଥିତ ମନାଲି ସବୁଠାରୁ ଭଲ ସ୍ଥାନ। ଖ୍ରୀଷ୍ଟମାସ ସମୟରେ ଏଠାରେ ତୁଷାରପାତ ହେବା ଆରମ୍ଭ ହୋଇଯାଇଥାଏ, ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ତେଣୁ ଏହି ସମୟରେ ଏଠାକୁ ଗଲେ ପର୍ଯ୍ୟଟକ ସ୍କିଂ କ୍ରୀଡ଼ାର ମଜା ନେବା ସହ ସ୍ନୋମ୍ୟାନ୍‌ ତଥା ବରଫରେ ଖେଳିବାର ଭରପୂର ଆନନ୍ଦ ନେଇପାରିବେ। ହିମାଚଳପ୍ରଦେଶରେ ବି କରୋନା ପରିସ୍ଥିତି ପ୍ରାୟତଃ ନିୟନ୍ତ୍ରଣରେ ରହିଛି, ତଥାପି କରୋନା ସମ୍ପର୍କିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମାବଳୀ ମାନି ଏଠାରେ ବୁଲିଲେ ସଂକ୍ରମଣର ଆଦୌ ଭୟ ରହିବ ନାହିଁ।

ଔଲି: ଉତ୍ତରାଖଣ୍ଡର ଔଲିରେ ବି ପ୍ରତିବର୍ଷ ଖ୍ରୀଷ୍ଟମାସ ପର୍ବକୁ ବେଶ୍‌ ଉତ୍ସାହ ସହକାରେ ପାଳନ କରାଯାଇଥାଏ। ଏହି ସମୟରେ ଏଠାରେ ମଧ୍ୟ ତୁଷାରପାତ ହେବା ଆରମ୍ଭ ହୋଇଯାଏ। ତା’ସାଙ୍ଗକୁ ବିଭିନ୍ନ ରଙ୍ଗବେରଙ୍ଗ ଲାଇଟ୍ସର ସାଜସଜ୍ଜା ଏଠାକାର ପରିବେଶକୁ ବେଶ୍‌ ରଙ୍ଗିନ କରି ଦେଇଥାଏ। ଏଥିସହିତ ଏଠାରେ ପର୍ଯ୍ୟଟକ ଚାହିଁଲେ ସ୍କିଂ କ୍ରୀଡ଼ାର ମଜା ବି ନେଇପାରିବେ। ତେବେ ବର୍ତ୍ତମାନର କରୋନା ମହାମାରୀର ପରିସ୍ଥିତିକୁ ଧ୍ୟାନରେ ରଖି ଯଦି ସଚେତନତାର ସହ ଏଠାରେ ବୁଲାବୁଲି କରିବେ, ତା’ହେଲେ ଭ୍ରମଣର ଭରପୂର ମଜା ଉଠାଇପାରିବେ।

ଏସବୁ ସ୍ଥାନ ବ୍ୟତୀତ କେରଳ, ମୁମ୍ବାଇ, କଲିକତା ତଥା ଦେଶର ଅନ୍ୟାନ୍ୟ କେତେକ ସ୍ଥାନରେ ବି ପ୍ରତିବର୍ଷ ଖ୍ରୀଷ୍ଟମାସ ପର୍ବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ପର୍ଯ୍ୟଟକ ଚାହିଁଲେ ନିଜ ସଚେତନତାରେ ଏହିସବୁ ସ୍ଥାନକୁ ଯାଇ ବୁଲିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri