ବାବୁ-ବିଧାୟକ କଳ

ସହଦେବ ସାହୁ

 

ଆମେ ଯୁକ୍ତରାଷ୍ଟ୍ର ଆମେରିକାରେ ରାଜନୈତିକ ଘଟଣାବଳୀ ବିଷୟରେ ପଢ଼ିଲା ବେଳେ ଭାବୁ ସେଠାରେ ଯେମିତି ଗୋଟିଏମାତ୍ର ବିଧାନସଭା ଅଛି। ଆମ ଦେଶରେ ଯେପରି ପ୍ରତି ପ୍ରଦେଶ ଓ କେନ୍ଦ୍ରାଞ୍ଚଳରେ ବିଧାନସଭା ଅଛି, ଯୁକ୍ତରାଷ୍ଟ୍ର ଆମେରିକାରେ ବି ରାଜ୍ୟଗୁଡ଼ିକରେ ବିଧାନସଭା ଅଛି। ବାରମ୍ବାର ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ଼ରେ ଛାତ୍ରୀଛାତ୍ର ଓ ଶିକ୍ଷକ ମୃତ୍ୟୁ ସମ୍ପର୍କରେ ଆଲୋଚନା ହେଲେ ସେଠାକାର ସଂସଦ (ଇଂଲିଶରେ କଂଗ୍ରେସ)ର ଦୁଇ ଗୃହ (ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ଏବଂ ସିନେଟ୍‌)ର କୌଣସି ସଦସ୍ୟ ସଂସଦ ବାହାରେ ପୋଲିସ ଅଧିକାରୀ ସହ ଝଗଡ଼ା କରନ୍ତି ନାହିଁ, ବରଂ ପୋଲିସ ବିଭାଗର ଭାର ସମ୍ଭାଳିଥିବା ମନ୍ତ୍ରୀ (ଯାହାକୁ ସେଠାରେ ସେକ୍ରେଟାରି ଅଫ୍‌ ଷ୍ଟେଟ୍‌ କହନ୍ତି)ଙ୍କୁ ଦାୟୀ କରି ସେ ବିଭାଗର ବଜେଟ କାଟଛାଣ୍ଟ କରିବାର ପ୍ରସ୍ତାବ ଆଣନ୍ତି। ତେଣୁ ଆମେରିକାରେ ଲେଜିସ୍‌ଲେଚର ଓ ବ୍ୟୁରୋକ୍ରାଟ୍‌ ଭିତରେ କିଏ ବଡ଼ ତା’ ଉପରେ ଆଲୋଚନା ହୁଏ ନାହିଁ। ବିଲାତରେ ସାମ୍ବିଧାନିକ ରାଜତନ୍ତ୍ର (କନ୍‌ଷ୍ଟିଚ୍ୟୁଶନାଲ୍‌ ମୋନାର୍କି) ଭିତରେ ସଂସଦୀୟ ଗଣତନ୍ତ୍ର ଅଛି, ଯାହାକୁ ଆମେ ଅନୁକରଣ କରି ସମ୍ବିଧାନ ତିଆରି କରିଛୁ, ସେଠାରେ ବି ସାଂସଦମାନେ ବ୍ୟୁରୋକ୍ରାଟ୍‌ମାନଙ୍କୁ ଆଇନ ଲାଗୁ କରୁଥିବା ଅଧିକାରୀ (ଇଂଲିଶରେ ରେଗୁଲେଟର) ଭାବେ ଗ୍ରହଣ କରନ୍ତି। ସାଂସଦମାନେ ସିନା ଆଇନ ତିଆରି କରନ୍ତି, ସେ ଆଇନଗୁଡ଼ିକୁ ଲାଗୁ କରିବାରେ ଓ ଆଇନଭଙ୍ଗକାରୀଙ୍କୁ କୋର୍ଟ କଚେରିକୁ ଟାଣିନେବାରେ ତଥା ସାଂସଦମାନେ ତିଆରି କରିଥିବା ଆଇନ ଅନୁଯାୟୀ ସରକାରୀ କାମ କରିବାରେ ବ୍ୟୁରୋକ୍ରାଟ୍‌ମାନେ ହିଁ କାମ କରନ୍ତି, ତହିଁରେ ସାଂସଦମାନେ ହସ୍ତକ୍ଷେପ କରନ୍ତି ନାହିଁ କି ସେମାନଙ୍କ ବିରୋଧରେ ପଦକ୍ଷେପ ନିଅନ୍ତି ନାହିଁ। ଗତ ୮ ମାସ ଭିତରେ ଦୁଇ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ବିଲାତର ପୋଲିସ ଜରିମାନା କରିଛି: ଗୋଟିଏ ହେଲା ବୋରିସ୍‌ ଜନ୍‌ସନ୍‌ କୋଭିଡ୍‌ କଟକଣା ନ ମାନି ତାଙ୍କ ସରକାରୀ ବାସଭବନରେ ୮୩ ଜଣଙ୍କୁ ଭୋଜନ ଓ ମଦ୍ୟପାନରେ ଆପ୍ୟାୟିତ କରିଥିବାର ଏକ ଇନ୍‌କ୍ୱାରି ରିପୋର୍ଟ ସୁଏ ଗ୍ରେ ନାମକ ଜଣେ ବ୍ୟୁରୋକ୍ରାଟ୍‌ ଦେଇଥିଲେ, ଯାହାକୁ ଭିିତ୍ତିକରି ବିଲାତର ପୋଲିସ ବୋରିସ୍‌ ଜନ୍‌ସନ୍‌ଙ୍କ ଉପରେ ଗୋଟିଏ ଓ ତାଙ୍କ ସାଙ୍ଗରେ ଥିବା ମନ୍ତ୍ରୀ ଏବଂ ଭିଆଇପିମାନଙ୍କ ଉପରେ ୧୨୫ଟି ଜରିମାନା କଲେ। ଦେଶରେ ମାସ ମାସ ଧରି ସାମାଜିକ ମିଳନ ବନ୍ଦ ରହିଥିଲା ବେଳେ ପ୍ରଧାନମନ୍ତ୍ରୀ ନିୟମ ଭାଙ୍ଗି ଦଣ୍ଡ ଦେଲେ। ସେ ତ ପୋଲିସ ବା ଗ୍ରେ’ଙ୍କ ଉପରେ ପ୍ରତିଶୋଧ ନେଲେ ନାହିଁ, ବଦଳି ବି କଲେ ନାହିଁ। ପରେ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ପଦରୁ ତାଙ୍କ ଦଳ ଦ୍ୱାରା ବିତାଡ଼ିତ ହୋଇଛନ୍ତି। ତାଙ୍କ କଞ୍ଜରଭେଟିଭ୍‌ ଦଳରେ ଗଣତନ୍ତ୍ର ଅଛି, ମେମ୍ବରମାନଙ୍କ ଭୋଟରେ ଦଳର ନେତା ନିର୍ବାଚିତ ହୁଅନ୍ତି। ଆମ ଦେଶର ନେତାଙ୍କ ଭଳି ଦଳର କେହି ମେମ୍ବର ନେତାଙ୍କୁ ନ ମାନିଲେ ଦଳରୁ ତଡ଼ାଖାଏ ନାହିଁ। ଜନ୍‌ସନ୍‌ ଆମ ଦେଶର ରାଜନୈତିକ ଦଳମାନଙ୍କର ମୁଖିଆ ଭଳି ଆଚରଣ ଦେଖାଇଥିଲେ ୨୦୨୫ଯାଏ ପ୍ରଧାନମନ୍ତ୍ରୀ ରହିପାରି ଥାଆନ୍ତେ, କାରଣ ଆମ ଦେଶର ନେତାଏ ବିରୋଧ କରୁଥିବା ମେମ୍ବରଙ୍କୁ ଦଳରୁ ତଡ଼ିଦେଇଥା’ନ୍ତେ ଓ ସେ ନିଷ୍ପତ୍ତିକୁ ଦଳର ଅନ୍ୟ ସଦସ୍ୟମାନେ ଶତମୁଖରେ ସମର୍ଥନ କରିବା ସଙ୍ଗେ ସଙ୍ଗେ ବିଦ୍ରୋହୀକୁ ଜଣେ ରାକ୍ଷସ ଭଳି ଲୋକ ଏବଂ ଜଣେ ଦେବତୁଲ୍ୟ ଲୋକ ବୋଲି ବହୁତ ଯୁକ୍ତି ବାଢ଼ିଥାନ୍ତେ। କେବଳ ଜନ୍‌ସନ୍‌ ବାବୁଙ୍କ ଦ୍ୱାରା ବେଆଇନ କାମ କରିଥିବାର ପ୍ରମାଣିତ ହେଲେ ନାହିଁ, ତାଙ୍କ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ଲଙ୍କାସାୟର ଗସ୍ତବେଳେ କାର୍‌ର ପଛସିଟ୍‌ରେ ବସି ସିଟ୍‌ବେଲ୍ଟ ବାନ୍ଧି ନ ଥିଲେ ବୋଲି ଏକ ଭିଡିଓ ଭାଇରାଲ୍‌ ହୋଇଥିବା ଦେଖି ସେଠାକାର ପୋଲିସ ତାଙ୍କ ଉପରେ ଜରିମାନା ଭିଡ଼ିଦେଲେ ଏବଂ ସୁନକ ନିଜର ଭୁଲ ମାନି ଜରିମାନା ଦେଲେ। କାହିଁ ସେ ତ ପୋଲିସ ବିରୋଧରେ ଆକ୍ସନ ନେଲେ ନାହିଁ?
ବିଲାତୀୟ ଗଣତନ୍ତ୍ରକୁ ଅନୁକରଣ କରିଥିବା ଆମେ ଦେଖୁଛୁ ନିତିଦିନ ସାଂସଦ ଏବଂ ବିଧାୟକମାନେ ପୋଲିସ ଓ ରାଜସ୍ବ ବିଭାଗର ଅଧିକାରୀମାନଙ୍କୁ ମୁହଁାମୁହିଁ ଭର୍ତ୍ସନା କରୁଛନ୍ତି, ବେଳେବେଳେ ତାଙ୍କ ସମର୍ଥକମାନଙ୍କୁ ଲଗାଇ ତାଙ୍କୁ ଆକ୍ରମଣ କରୁଛନ୍ତି। ଆମ ଦେଶରେ ରାଜନୈତିକ ନେତାମାନେ ନିଜେ ତିଆରି କରିଥିବା ଆଇନର ଊଦ୍ଧର୍‌ବରେ ବୋଲି ମନେକରନ୍ତି, ସେମାନଙ୍କ ନେତାମାନେ ମନ୍ତ୍ରୀ ଅର୍ଥାତ୍‌ ଏକ୍‌ଜିକ୍ୟୁଟିଭ୍‌ ହେଡ୍‌ ଭାବରେ ବୁକ୍‌ ସର୍କୁଲାର ବା ଗାଇଡ୍‌ଲାଇନ୍‌ ତିଆରି କରନ୍ତି ଯେ, ବାବୁମାନେ ଦଳ ପ୍ରତିନିଧିମାନଙ୍କ ପାଖରେ ମୁଣ୍ଡ ନୁଅଁାଇ ଚଳାଚଳ କରିବେ। ଇଂରେଜ ଶାସନ ସମୟରେ କିରାଣିମାନଙ୍କୁ ବାବୁ ସମ୍ବୋଧନ କରାଯାଉଥିଲା; ସ୍ବାଧୀନତା ପରର ଆମ ନିଜ ସରକାରୀ ନେତାମାନେ ଔପନିବେଶିକ ମନୋଭାବ ଭୁଲିନାହାନ୍ତି, ପ୍ରଶାସନିକ କର୍ମଚାରୀମାନଙ୍କୁ ତାଚ୍ଛଲ୍ୟସୂଚକ ବାବୁ ସମ୍ବୋଧନ କରୁଛନ୍ତି ଏବଂ ସମ୍ବାଦବାହିକାମାନେ ପୁନରାବୃତ୍ତି କରନ୍ତି। ୨୦୦୩ର ସମ୍ବିଧାନ ସଂଶୋଧନ ପରଠାରୁ ଆଉ ‘ଲୋକ’ ପ୍ରତିନିଧି ନାହାନ୍ତି, ବିଧାୟକ/ସାଂସଦମାନେ ‘ଦଳ’ ପ୍ରତିନିଧି ହୋଇଗଲେଣି, କାରଣ ଲୋକେ ନୁହେଁ, ଦଳ ଯାହାର ନାମ ନିର୍ବାଚନ ଅଧିକାରୀଙ୍କୁ ସୁପାରିସ କରିବ ସେ ହିଁ ପ୍ରାର୍ଥୀ ହୋଇପାରିବ, ଲୋକଙ୍କ ଭୋଟ ଏକ ରବର ଷ୍ଟାମ୍ପ। ସ୍ବାଧୀନ ପ୍ରାର୍ଥୀ ହୋଇ କେହି ଜିତିବା ଅସମ୍ଭବ। ଦଳର ସମର୍ଥନ ହିଁ ମୁଦି, ମୁଦି ଅଛି ଗୋଡ଼ କଚାଡ଼ି ପାରୁଛନ୍ତି! ଗଣତନ୍ତ୍ରରେ ସରକାରର ୩ଟି ଶାଖା- ଲେଜିସ୍‌ଲେଚର, ଏକ୍‌ଜିକ୍ୟୁଟିଭ୍‌ ଓ ଜୁଡିସିଆରି – ନିଜ ନିଜ ସୀମା ଭିତରେ କାମ କରିବେ, ଅଥଚ ପରସ୍ପର ଯେପରି ସୀମା ନ ଲଙ୍ଘନ୍ତି ତାହା ଦେଖିବେ। ବିଧାୟକ ଓ ସାଂସଦମାନେ ଆଇନ ତିଆରି କରିବେ ଓ ଆଇନ ଅନୁଯାୟୀ ଦେଶ ଚାଲୁଛି କି ନାହିଁ ନିିଜ ସଭାଗୃହର ଅଧିବେଶନରେ ଏକ୍‌ଜିକ୍ୟୁଟିଭ୍‌ ମୁଖ୍ୟ, ମନ୍ତ୍ରୀମାନଙ୍କ କୈଫିୟତ୍‌ ହାସଲ କରିବେ, ଯାହାର ଚରମ ଅସ୍ତ୍ର ହେଉଛି ଅନାସ୍ଥା ପ୍ରସ୍ତାବ ଆଣିବା; ଅନାସ୍ଥା ପ୍ରସ୍ତାବ ପାରିତ ହୋଇଗଲେ ମନ୍ତ୍ରିମଣ୍ଡଳ (ଦଳର ଶାସନ)ର ଅନ୍ତ ଘଟିବ, ନୂଆ ନିର୍ବାଚନ ହୋଇ ନୂଆ ସରକାର ଗଢ଼ିବ। କିନ୍ତୁ ଦଳ-ପ୍ରତିନିଧି ହୋଇଥିବା ଲୋକେ କେବେ ମନ୍ତ୍ରିମଣ୍ଡଳର ମୁଖ୍ୟ ବିରୋଧରେ ଯାଉନାହାନ୍ତି, କାରଣ ଭବିଷ୍ୟତ ନିର୍ବାଚନରେ ଟିକେଟ ପାଇବେ ନାହିଁ। ଦଳପତି ବି ମେମ୍ବରଙ୍କ ପାଟି ବନ୍ଦ କରିବା ପାଇଁ ଯାବତୀୟ ଏକ୍‌ଜିକ୍ୟୁଟିଭ୍‌ ସୁବିଧା (ଇଂଲିଶରେ ପ୍ରିଭିଲେଜ୍‌) ଯୋଗାଉଛନ୍ତି। ମୁଖ୍ୟଙ୍କ ଅଧୀନରେ ସରକାରୀ କାମ ଭଲ ହେଉନାହିଁ କହିବାର ସାହସ ହରାଇଥିବାରୁ ମାର ମାର ମାଧିଆକୁ ମାର ନ୍ୟାୟରେ ବାବୁମାନଙ୍କ ଉପରେ ତୋଡ଼ ଦେଖାଉଛନ୍ତି। ଲେଜିସ୍‌ଲେଚର କରିଥିବା ଆଇନ ଅନୁଯାୟୀ କାର୍ଯ୍ୟ ସମ୍ପାଦନ (ଏକ୍‌ଜିକ୍ୟୁଶନ) କରିବା, ଆଇନ ଅନୁଯାୟୀ ସବୁ କାମ ହେଉ ବୋଲି ଦେଖିବା ଏକ୍‌ଜିକ୍ୟୁଟିଭ୍‌ର କାମ, ଲେଜିସ୍‌ଲେଚରର ନୁହେଁ, ତାହା ବୁଝିବାକୁ ଆମ ବିଧାୟକମାନେ ଚାହାନ୍ତି ନାହିଁ। ବାବୁ-ବିଧାୟକ କଳି ଘଟିବାର ବଡ଼ କାରଣ ଏକ୍‌ଜିକ୍ୟୁଟିଭ୍‌କୁ ନିୟନ୍ତ୍ରଣ କରିବାର ଯେଉଁସବୁ ଅନୁଷ୍ଠାନ ଅଛି, ସେଗୁଡ଼ିକର ମାଲିକ ତ ସେମାନଙ୍କ ଭିତରୁ ବଛା ହୋଇଥିବା ମନ୍ତ୍ରୀ ବା ଅଧ୍ୟକ୍ଷ! ତେଣୁ ସେମାନେ (୧) ଗୃହରେ ଆଲୋଚନାରେ ଏବଂ ଗୃହ ବସି ନ ଥିଲା ବେଳେ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଜ କାମ କରାଇ ପାରୁନାହାନ୍ତି, (୨) ମନ୍ତ୍ରୀ ନ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଅଭିଯୋଗ ଉଠାଇବାର ସାହସ ନାହିଁ ଏବଂ (୩) ବିଧାୟକ ହେବାର ବୃତ୍ତିଗତ ଯୋଗ୍ୟତା ହାସଲ ନ କରି ଦଳର ମୁଖ୍ୟଙ୍କୁ ଖୁସି କରିବା ଉପରେ ବେଶି ଜୋର୍‌ ଦେଉଛନ୍ତି। ଇଂରେଜ ଶାସନକାଳରେ ଆଇନ ଅମାନ୍ୟ ଆନ୍ଦୋଳନ ସମ୍ଭବତଃ ଆମ ନେତାମାନଙ୍କ ରକ୍ତରେ ରହିଗଲା, ଆଇନକୁ ବେଖାତିର କରିବା ଏକ ପ୍ରିଭିଲେଜ୍‌ (ସ୍ବାଧିକାର) ଭାବେ ଗଣାଯାଉଛି। ସେମାନେ ଭୁଲି ଯାଉଛନ୍ତି ଯେ, ଇଂରେଜମାନେ ପ୍ରଣୟନ କରିଥିବା ଭାରତୀୟ ପିଙ୍ଗଳ ସଂହିତାରେ ଧାରା ୩୫୩ ଏବେ ବି ଅଛି: ସରକାରୀ ଅଧିକାରୀଙ୍କୁ ତାଙ୍କ କାମରେ ଧମକ ବା ବାଧାଦେବା ଏକ ଦଣ୍ଡନୀୟ ଅପରାଧ। ବିଲାତରେ ପୋଲିସ ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ ଫାଇନ୍‌ କରିପାରୁଥିବା ବେଳେ ଭାରତରେ ପୋଲିସ ଜଣେ ଏମ୍‌ଏଲ୍‌ଏଙ୍କ ଗାଡ଼ିକୁ ବି ଯାଞ୍ଚ କରିବା ପାଇଁ ଅଟକାଇପାରିବ ନାହିଁ। ଆମ ଏମ୍‌ଏଲ୍‌ଏଙ୍କ ଇଙ୍ଗିତରେ ତ ଅଫିସରଟିଏ ବଦଳି ହୋଇପାରେ। ଏହି ଡର ସରକାରୀ ଅଧିକାରୀଙ୍କୁ ବିଧାୟକ/ସାଂସଦଙ୍କ ଅଧସ୍ତନ କରିଦେଇଛି। ବିଲାତି ରାଜନେତାଙ୍କ ଗଣତାନ୍ତ୍ରିକ ଦାୟିତ୍ୱବୋଧରୁ କାଣିଚାଏ ବି ଆମ ବିଧାୟକ/ସାଂସଦମାନେ ଶିଖନ୍ତୁ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?