ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍ଦର୍ଶକ। ତଥାପି, ଆଧୁନିକ ଯୁଗରେ ଏହି ସତ୍ୟର ଗୁରୁତ୍ୱକୁ ଅବହେଳା କରାଯାଉଛି। ଗୋଟିଏ ପଟେ ମାନବଜାତି ଅନ୍ତରିକ୍ଷର ଅସୀମ ଶୂନ୍ୟତାରେ ଜୀବନ ଖୋଜିବା ପାଇଁ ଅର୍ଥ ବ୍ୟୟ କରୁଛି, ଅନ୍ୟ ପଟେ ନିଜ ପୃଥିବୀକୁ ଯୁଦ୍ଧ, ହିଂସା, ପରିବେଶ ଅବକ୍ଷୟ ଆଦି ଦ୍ୱାରା ଧ୍ୱଂସକରି ସାମାଜିକ ଅସମାନତାରେ ଅସୁରକ୍ଷିତ କରିଦେଉଛି। ଏହି ବିରୋଧାଭାସ କେବଳ ଗୋଟିଏ ନୀତିଗତ ତ୍ରୁଟି ନୁହେଁ; ଏହା ମାନବତାର ଅବକ୍ଷୟର ଏକ ସଙ୍କେତ। ଯେଉଁ ସଭ୍ୟତା ନିଜ ଘରକୁ ରକ୍ଷା କରିବାକୁ ଅକ୍ଷମ, ସେ ଅନ୍ୟ ଗ୍ରହରେ ଜୀବନ ଖୋଜି ସଫଳ ହେବା ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟିକରିଛି।
ବିଜ୍ଞାନ ଓ ପ୍ରଗତି ମାନବଜାତିକୁ ଅନ୍ତରିକ୍ଷ ପର୍ଯ୍ୟନ୍ତ ନେଇଯାଇଛି। ଚନ୍ଦ୍ର ଅଭିଯାନ, ମଙ୍ଗଳ ମିଶନ, ବାହ୍ୟଗ୍ରହରେ ବାୟୁମଣ୍ଡଳୀୟ ଅଧ୍ୟୟନ,ସବୁଗୁଡ଼ିକ ମାନବର ଅସୀମ ଜିଜ୍ଞାସାର ପ୍ରତୀକ। ଏହି ମିଶନ ପାଇଁ ନାସା, ୟୁରୋପୀୟ ମହାକାଶ ଏଜେନ୍ସି, ଇସ୍ରୋ ଓ ଚାଇନା ମହାକାଶ ସଂସ୍ଥାମାନେ ପ୍ରତିବର୍ଷ ଅନେକ ବିଲିୟନ ଡଲାର ଖର୍ଚ୍ଚ କରୁଛନ୍ତି। ଏହା ନିଶ୍ଚିତ ଭାବରେ ମାନବ ସଭ୍ୟତାର ଜ୍ଞାନବୃଦ୍ଧିକୁ ସୂଚିତ କରୁଛି,ଯାହାଫଳରେ ଆମେ ବିଶ୍ୱର ଗଠନ, ଗ୍ରହମାନଙ୍କର ଗତି, ଜୀବନର ଉତ୍ସ ଇତ୍ୟାଦି ବିଷୟରେ ଅଧିକ ଜାଣୁଛୁ। କିନ୍ତୁ ପ୍ରଶ୍ନ ଉଠୁଛି,ଯେତେବେଳେ ପୃଥିବୀରେ ଲକ୍ଷ ଲକ୍ଷ ଲୋକ ବେକାରି, ଦାରିଦ୍ର୍ୟ, ଖାଦ୍ୟ ସଙ୍କଟ, ରୋଗ ଓ ଯୁଦ୍ଧରେ ପୀଡ଼ିତ, ସେତେବେଳେ ଅନ୍ତରିକ୍ଷ ଅଭିଯାନରେ ନୂଆ ଜୀବ ଜଗତର ଅନ୍ବେଷଣ ଗୋଟିଏ ହାସ୍ୟାସ୍ପଦ ପଦକ୍ଷେପ ଭାବରେ ଦେଖାଯାଇପାରେ। ଯଦି ମାନବଜାତି ସ୍ବୟଂ ବାସକରିଥିବା ପୃଥିବୀର ସମସ୍ୟା ସମାଧାନରେ ବିଫଳ, ତେବେ ଅନ୍ୟ ଗ୍ରହରେ ଜୀବନ ଖୋଜିବା କେବଳ ଗୋଟିଏ ଆଡମ୍ବର ପୂର୍ଣ୍ଣ ଯାତ୍ରା ହୋଇପରେ।
ମାନବ ଇତିହାସର ଗୋଟିଏ ଦୁଃଖଦ ସତ୍ୟ ହେଉଛି, ସେ ବିକାଶଠାରୁ ବିନାଶକୁ ଅଧିକ ପ୍ରାଥମିକତା ଦେଇଆସିଛି। ୧୯୪୫ରେ ଜାପାନର ହିରୋସୀମା ଓ ନାଗାସାକିରେ ଆମେରିକା ଦ୍ୱାରା ପରମାଣୁ ବୋମା ବିସ୍ଫୋରଣ ଏକ ମାନବୀୟ ବିପର୍ଯ୍ୟୟ ଥିଲା। ଏହା କେବଳ ଲକ୍ଷେ ଲୋକଙ୍କୁ ହତ୍ୟା କରି ନ ଥିଲା, ବରଂ ପିଢ଼ି ପରେ ପିଢ଼ିର ରୋଗଗ୍ରସ୍ତ ଓ ପରିବେଶ ପ୍ରଦୂଷଣର ମୂଳକାରଣ ହୋଇଥିଲା। ୧୯୪୫ରୁ ୨୦୨୬ ପର୍ଯ୍ୟନ୍ତ କୋରିଆ, ଇଣ୍ଡୋନେସିଆ, କ୍ୟୁବା,ବ୍ରାଜିଲ, ସିରିୟା, ଇରାକ, ଲିବିଆ, ସୋମାଲିଆ, ଆଫଗାନିସ୍ତାନ, ଭେନେଜୁଏଲା, ଇରାନ ସହିତ ଯୁଦ୍ଧ ସହିତ ଆହୁରି ଅନେକ ଯୁଦ୍ଧରେ ଆମେରିକା ସମ୍ପୃକ୍ତ। ଇତିହାସ ସାକ୍ଷୀ, ଆମେରିକାର ୨୪୫ ବର୍ଷର ଜନ୍ମ ମଧ୍ୟରେ ୨୨୮ ବର୍ଷ ଅନ୍ୟ ସହିତ କେବଳ ଯୁଦ୍ଧରେ ବିତିଛି। ଏହା ବିଶ୍ୱର ସବୁଠାରୁ ସଭ୍ୟରାଷ୍ଟ୍ର ଦାବି କରୁଥିବା ଆମେରିକାର ଅସଭ୍ୟ ଆଚରଣକୁ ସୁଚାଇଛି। ଜାପାନରେ ପରମାଣୁ ବୋମା, ଭିଏଟ୍ନାମରେ ନାପାଲମ ବୋମା ଓ ଏଜେଣ୍ଟ ଅରେଞ୍ଜ ଭଳି ବିଷାକ୍ତ ରସାୟନ ବ୍ୟବହାର କରି ଜଙ୍ଗଲ, କୃଷି ଭୂମି ଓ ଜଳଜୀବନକୁ ନଷ୍ଟ କରିଥିଲା। ଏହା ପରିବେଶକୁ ଏତେ ଦୂଷିତ କରିଥିଲା ଯେ ଏହାର ପ୍ରଭାବ ଆଜି ମଧ୍ୟ ପରିଲକ୍ଷିତ। ସେହିପରି ରୁଷଆ-ୟୁକ୍ରେନ ଯୁଦ୍ଧ ଗୋଟିଏ ଦୀର୍ଘକାଳୀନ ସଂଘର୍ଷ ଭାବେ ଉଦ୍ଭବ ହୋଇଛି, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ। ଏହା କେବଳ ମଣିଷ ମୃତ୍ୟୁରେ ସୀମିତ ନାହିଁ ବରଂ ବାୟୁ, ଜଳ ଓ ମୃତ୍ତିକା ଦୂଷିତ ହୋଇ ପରିବେଶକୁ କ୍ଷତି ପହଞ୍ଚାଇଛି। ୟୁକ୍ରେନରେ ଲ୍ୟାଣ୍ଡମାଇନ ଓ ବିସ୍ଫୋରଣ ହୋଇ ନ ଥିବା ଅସ୍ତ୍ରଗୁଡ଼ିକ ପରିବେଶକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିପଦରେ ରଖିଛି। ତେଲ ରିଫାଇନେରି, ଶିଳ୍ପ ଓ ଅନେକ ଭିତ୍ତିଭୂମି ଉପରେ ଆକ୍ରମଣ ହେଉଥିବାରୁ କାର୍ବନ ନିର୍ଗମନ ବୃଦ୍ଧି ପାଉଛି, ଯାହା ଜଳବାୟୁ ପରିବର୍ତ୍ତନକୁ ତୀବ୍ର କରୁଛି। ଭିତ୍ତିଭୂମିଗୁଡ଼ିକର ଧ୍ୱଂସାବଶେଷ ଓ ସେଗୁଡ଼ିକୁ ପୁନଃ ନିର୍ମାଣ ପରିବେଶକୁ ଅଧିକ ଦୂଷିତ କରିବ।
ଇତିହାସର ପୁନରାବୃତ୍ତି ଘଟିଛି ଦୀର୍ଘ ୮୧ବର୍ଷ ପରେ, ପାରସ୍ୟ ଉପସାଗର ଅଧିବାସୀଙ୍କ ଜୀବନଠାରୁ ଆମେରିକୀୟଙ୍କର ଜୀବନ ପୁଣିଥରେ ମୂଲ୍ୟବାନ ହୋଇପଡିଛି,ସମାନ ଭାବରେ ଯାହା ଘଟିଥିଲା ଜାପାନର ଏସୀୟ ନାଗରିକଙ୍କ ସହିତ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଟ୍ରୁମ୍ୟାନଙ୍କ ଦ୍ୱାରା ୧୯୪୫ ମସିହାରେ। ବର୍ତ୍ତମାନ ପାରସ୍ୟ ଉପସାଗରୀୟ ଅଞ୍ଚଳରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବରେ ଇରାନ ଉପରେ କରୁଥିବା ଆକ୍ରମଣ ଏବଂ ପ୍ରତି-ଆକ୍ରମଣ ଶକ୍ତି ଓ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଉଛି। ତୈଳ ରିଫାଇନେରି ଉପରେ ବୋମା ମାଡ଼ ଯୋଗୁ ସୃଷ୍ଟି ହୋଇଥିବା ଅଗ୍ନିକାଣ୍ଡ ବାୟୁ, ସ୍ଥଳ ଏବଂ ଜଳକୁ ଦୂଷିତ କରୁଛି। ଆନ୍ତର୍ଜାତିକ ପରମାଣୁ ସଂସ୍ଥା ନିଶ୍ଚିତ କରିଛି ଯେ ଇସ୍ରାଏଲ-ଆମେରିକା ମିଳିତ ଆକ୍ରମଣ ଇରାନର କିଛି ପରମାଣୁ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଛି, ଯାହା ବ୍ୟାପକ ଅଞ୍ଚଳରେ ବିକିରଣ ବିପଦର ଆଶଙ୍କା ସୃଷ୍ଟି କରିଛି। ଯୁଦ୍ଧ ପୂର୍ବରୁ ଇରାନ ଏବଂ ଲେବାନନରେ ରହିଥିବା ଅନେକ ଐତିହ୍ୟସ୍ଥଳ ଉପରେ ଆମେରିକା ଓ ଇସ୍ରାଏଲ ବୋମାମାଡ କରି ନଷ୍ଟ କରିଛନ୍ତି। ଏଥିରେ ତେହେରାନର ୪୦୦ବର୍ଷ ପୁରୁଣା କାଜାର-ଯୁଗ ଗୋଲସ୍ତାନ ପ୍ରାସାଦ, ୧୭ ଶତାବ୍ଦୀର ଚେହେଲ ସୋଟୌନ ପ୍ରାସାଦ ଏବଂ ଇସଫାହାନରେ ଜାମା ମସଜିଦ ଅନ୍ତର୍ଭୁକ୍ତ। ପ୍ରାଗୈତିହାସିକ ଗୁମ୍ଫା ଏବଂ ପଥର ଆଶ୍ରୟସ୍ଥଳ ପାଇଁ ପ୍ରସିଦ୍ଧ ଖୋରାମାବାଦ ଉପତ୍ୟକା ନିକଟରେ ଥିବା କୋଠାଗୁଡ଼ିକ ସହିତ ଅନେକ ସେତୁ ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। କୋଠାବାଡି ଧ୍ୱଂସ ସହିତ ଆମେରିକା ଇରାନ ଯୁଦ୍ଧରେ ପାଖାପାଖି ୧୫ ମିଲିୟନ ଟନର ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହୋଇଥିବାର ଅନୁମାନ , ଯାହା ପାଖାପାଖି ୩ ବିଲିଅନ ଡଲାରର ପରିବେଶଗତ କ୍ଷତି କରିଛି। ମହାତ୍ମା ଗାନ୍ଧୀଙ୍କ ଭାଷାରେ ‘ଯେତେବେଳେ ଜଙ୍ଗଲର ଆଇନ ରାଜ କରେ, ସେତେବେଳେ ସଭ୍ୟତା ନଷ୍ଟ ହୁଏ’ ଆଜି ଅତ୍ୟନ୍ତ ପ୍ରାସଙ୍ଗିକ ମନେହୁଏ।
ଏହା ସତ୍ୟ ଯେ ଅନ୍ତରୀକ୍ଷରେ ଆମେ ନୂତନ ଗ୍ରହ ଖୋଜୁଛୁ, କିନ୍ତୁ ପୃଥିବୀ ଭଳି ଜୀବନ ଯୋଗ୍ୟ ଗ୍ରହ ଆମେ ଏପର୍ଯ୍ୟନ୍ତ ପାଇନାହୁଁ। ତେଣୁ ଯେଉଁ ପୃଥିବୀ ଆମସହିତ ଆମ ପାଖରେ ରହିଛି ତା’ର ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ। ଆଜିର ବିଶ୍ୱରେ ଶକ୍ତି, ଲୋଭ ଓ ସ୍ବାର୍ଥ ଆଦି ନଷ୍ଟକାରୀ ତତ୍ତ୍ୱ ମାନବୀୟ ମୂଲ୍ୟବୋଧକୁ ପଛକୁ ଠେଲିଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ଦୃଢ଼ ପଦକ୍ଷେପ ଆବଶ୍ୟକ। ଯୁଦ୍ଧକୁ ରୋକି ଆନ୍ତର୍ଜାତିକ ସହଯୋଗ ଓ କୂଟନୀତିକୁ ସୁଦୃଢ଼ କରିବା। ଯୁଦ୍ଧ ଓ ଅସ୍ତ୍ର ଉପରେ ଖର୍ଚ୍ଚ ହେଉଥିବା ରାଶିକୁ ସୀମିତ ରଖି ବଳକା ରାଶିକୁ ଶିକ୍ଷା, ସ୍ବାସ୍ଥ୍ୟ ଓ ପରିବେଶ ସୁରକ୍ଷାରେ ବ୍ୟୟ କରିବା। ଜଙ୍ଗଲ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଓ ପୁନର୍ନବୀକରଣ ଶକ୍ତିର ପ୍ରଚାର ଓ ପ୍ରସାର କରି ବିଶ୍ୱକୁ ସମୃଦ୍ଧ କରିବା। ଅନ୍ତରୀକ୍ଷ ଗବେଷଣା ଚାଲିଥାଉ, କିନ୍ତୁ ପୃଥିବୀର ସମସ୍ୟା ସମାଧାନ ସହିତ ସନ୍ତୁଳନ ରଖିବା ଜରୁରୀ। ପୃଥିବୀକୁ ଧ୍ୱଂସ କରି ଆମେ ଅନ୍ୟ କୌଣସି ଗ୍ରହରେ ସୁଖୀ ହୋଇପାରିବୁ ନାହିଁ। ଅନ୍ତରିକ୍ଷ ଅନୁସନ୍ଧାନ ଆମର ଜିଜ୍ଞାସାର ପ୍ରତୀକ, କିନ୍ତୁ ପୃଥିବୀକୁ ସୁରକ୍ଷିତ କରିବା ଆମର ଦାୟିତ୍ୱ।
ଡ.ବିମଳ ଷଡଙ୍ଗୀ
ମୋ: ୯୪୩୭୧୨୩୮୯୨
Dharitri – Odisha’s No.1 Odia Daily

