ଭୁବନେଶ୍ୱର, ୧୯।୧୧: ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖାଯାଇ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଚାଲିଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ସୂଚନା ଦେଇଛନ୍ତି। ବିଶେଷ କରି ତଳିଆ ଅଞ୍ଚଳ ଏବଂ ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳଗୁଡ଼ିକ ଉପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଫୋକସ୍ କରାଯାଉଛି।
ଏସ୍ଆର୍ସିଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟର ୨,୬୨୩ଟି ସ୍ଥାନରୁ ମୋଟ ୨ ଲକ୍ଷ ୯୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୧ ଲକ୍ଷ ୩୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଜପତି ଜିଲାରୁ ୨୨ ହଜାର ଏବଂ କନ୍ଧମାଳ ଜିଲ୍ଲାରୁ ୧୩ ହଜାର ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ନିଆଯାଇଛି।
ସେହିପରି ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ରାଜ୍ୟର ବିଭିନ୍ନ ପ୍ରଭାବିତ ଅଞ୍ଚଳରୁ ୪,୨୦୦ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ନିରାପଦ ସ୍ଥାନ ତଥା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ଏବଂ ଜରୁରୀକାଳୀନ ସହାୟତା ଯୋଗାଇ ଦେବା ପାଇଁ ୨୪ ଘଣ୍ଟିଆ (24×7) କଣ୍ଟ୍ରୋଲ ରୁମ୍ ଖୋଲା ରଖାଯାଇ ପ୍ରସ୍ତୁତି ଜାରି ରହିଥିବା ଏସ୍ଆର୍ସି ସ୍ପଷ୍ଟ କରିଛନ୍ତି।

