ଭୁବନେଶ୍ୱର,୯।୯(ବ୍ୟୁରୋ)-ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁମୁଖୀ ପ୍ରତିଭା ତଥା ଅଲ୍ରାଉଣ୍ଡର ଭାବେ ପରିଚିତ ସାରଦା ପ୍ରସନ୍ନ ନାୟକଙ୍କ ବୁଧବାର ସନ୍ଧ୍ୟାର ପରଲୋକ ଘଟିଛି। ତାଙ୍କୁ ୯୩ ବର୍ଷ ହୋଇଥିଲା। ସୋମବାର ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଏକାଧାରରେ ଜଣେ ସଫଳ ନାଟ୍ୟ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ, ଗୀତିକାର, ସଂଳାପକାର, ଲେଖକ, ଅଭିନେତା, ପ୍ରଯୋଜକ, ନାଟ୍ୟକାର ଭାବେ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗରେ ଆଜି ଏକ ଯୁଗର ଅବସାନ ଘଟିଥିବା ବରିଷ୍ଠ କଳାକାର ଓ ସିନେ ବ୍ୟକ୍ତିତ୍ୱମାନେ କହିଛନ୍ତି।