ଶର୍ମାଙ୍କୁ ମାନିନିଅ

କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଭିଡାଓଟରା ଚାଲିଛି। ଚାଷୀମାନେ ବିବାଦୀୟ ଆଇନ ପ୍ରତ୍ୟାହାର ଲାଗି ଅଡ଼ି ବସିଥିବା ବେଳେ ସରକାର ଜିଦ୍‌ରେ ଅଟଳ ଅଛନ୍ତି। ସରକାର କହୁଛନ୍ତି, ଚାଷୀଙ୍କ ଲାଭ ପାଇଁ ଏହି ଆଇନ ଅଣାଯାଇଛି। ଅପରପକ୍ଷରେ ଏହି ମାସ ୬ ତାରିଖରେ ହୋଇଥିବା ୩ ଘଣ୍ଟିଆ ‘ଚକାଜାମ୍‌’ ଆନ୍ଦୋଳନର ଦେଶବ୍ୟାପୀ ପ୍ରଭାବ ପ୍ରତିବାଦ କରୁଥିବା ଚାଷୀଙ୍କୁ ଉତ୍ସାହିତ କରୁଥିବା ଭଳି ମନେହେଉଛି। କେବଳ ପଞ୍ଜାବ, ହରିୟାଣା କିମ୍ବା ପଶ୍ଚିମ ଉତ୍ତରପ୍ରଦେଶରେ ସୀମିତ ନୁହେଁ, ଏହି ୩ ଘଣ୍ଟିଆ ପ୍ରତିବାଦର ସ୍ବର ଭାରତର ଦକ୍ଷିଣ, ପଶ୍ଚିମ ଓ ପୂର୍ବ ରାଜ୍ୟଗୁଡ଼ିକରେ ଶୁଣିବାକୁ ମିଳିଲା। ଏଥିରୁ ପ୍ରମାଣିତ ହେଲା ଯେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବାର୍ତ୍ତା ସତ୍ୟ ନୁହେଁ। ସରକାର କହିଆସୁଛନ୍ତି ଯେ ଏହି ପ୍ରତିବାଦ କେବଳ ମୁଷ୍ଟିମେୟ କୃଷକ ନେତା ଓ ଦଲାଲଙ୍କ ଦ୍ୱାରା ରଚାଯାଇଛି, ଯେଉଁମାନେ ବାସ୍ତବ କୃଷକ ନୁହନ୍ତି। ଅପରପକ୍ଷେ କୃଷକମାନେ ଉକ୍ତ ଆଇନ ଦ୍ୱାରା କ୍ଷତିଗ୍ରସ୍ତ ହେବେ ବୋଲି ଦର୍ଶାଉଛନ୍ତି।
ଏଭଳି ସ୍ଥଳେ ଭାରତୀୟ ଜନତା ପାର୍ଟି (ଭାଜପା)ର ମାର୍ଗଦର୍ଶନ କରୁଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ବରିଷ୍ଠ ନେତା ତଥା ରାଜ୍ୟ ସଭାର ପୂର୍ବତନ ସଦସ୍ୟ ରଘୁନନ୍ଦନ ଶର୍ମା ଫେସ୍‌ବୁକ୍‌ରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଉପଲକ୍ଷ୍ୟ କରି ଦେଇଥିବା ଟିପ୍ପଣୀ ଆଲୋଚନାର ବିଷୟ ପାଲଟିଛି। ସେ କହିଛନ୍ତି ଯେ, କୃଷି ଆଇନକୁ କୃଷକମାନେ ବିରୋଧ କରୁଥିବା ବେଳେ ତାହାକୁ ତୋମାର ଠିକ୍‌ ଭାବେ ବୁଝୁନାହାନ୍ତି। କ୍ଷମତାର ଗର୍ବ ତାଙ୍କ ମୁଣ୍ଡକୁ ଚଢ଼ିଯାଇଛି। ଦୁଇ ଦିନ ତଳେ କରାଯାଇଥିବା ଏହି ପୋଷ୍ଟ୍‌ରେ ଶର୍ମା ଆହୁରି ଲେଖିଛନ୍ତି, ତୋମାର ହେଉଛନ୍ତି ସରକାରଙ୍କ ଏକ ଅଂଶ। କୃଷକଙ୍କ ମଙ୍ଗଳ ତାଙ୍କ ଉଦ୍ଦେଶ୍ୟ ହୋଇଥାଇପାରେ। କିନ୍ତୁ ଯଦି କିଛି ଲୋକ ସେହି ସାହାଯ୍ୟ ନେବାକୁ ଚାହୁଁ ନାହାନ୍ତି, ତାହା ହେଲେ ସେମାନଙ୍କ କଲ୍ୟାଣ କଥା ଭାବିବା ଠିକ୍‌ ନୁହେଁ। ଜଣେ ଉଲଗ୍ନ ହେବାକୁ ଚାହୁଁଥିବା ବେଳେ ତାଙ୍କୁ ଜୋର ଜବରଦସ୍ତ ଲୁଗା ପିନ୍ଧାଇବାର କ’ଣ ଆବଶ୍ୟକତା ରହିଛି ବୋଲି ଶର୍ମା କହିଛନ୍ତି। ଫେସ୍‌ବୁକ୍‌ର ଏହି ପୋଷ୍ଟ୍‌ରୁ ବୁଝିବାକୁ ହେବ ଯେ, ଆର୍‌ଏସ୍‌ଏସ୍‌ର ନେତାମାନେ ହୁଏତ ହୃଦୟଙ୍ଗମ କଲେଣି ଯେ, ସରକାରଙ୍କ ନିଷ୍ପତ୍ତି ଅଡ଼ୁଆ ସ୍ଥିତି ସୃଷ୍ଟି କଲାଣି। ଏଠାରେ ଶର୍ମା ଉଦ୍ଦେଶ୍ୟ ରଖି ଯେଭଳି ଶବ୍ଦ ବ୍ୟବହାର କରିଛନ୍ତି, ସେଥିରୁ ବୁଝାପଡ଼ୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ନ କହି ସେ ପରୋକ୍ଷରେ କୃଷିମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ବିଶେଷକରି ତୋମାର କେତେ ପାଣିରେ ଅଛନ୍ତି, ତାହା ଆମେ ଭଲ ଭାବେ ଜାଣୁ। ସରକାରରେ କୌଣସି ଶୀର୍ଷ ନେତା ନ ଚାହିଁଲେ ତାଙ୍କ ଅଧୀନରେ ଥିବା ମନ୍ତ୍ରୀମାନେ କଦାପି ବହକି କହିପାରିବେ ନାହିଁ। ଭାରତରେ କେନ୍ଦ୍ରଠାରୁ ଆରମ୍ଭ କରି ସବୁ ରାଜ୍ୟ ଶାସନକୁ ଅନିଷା କଲେ ସମାନ ଉଦାହରଣ ଦେଖିବାକୁ ମିଳିବ। ଓଡ଼ିଶା କଥା ଦେଖିଲେ ୨୦୨୦ ଡିସେମ୍ବରରେ ସ୍କୁଲ ଖୋଲିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମତ ରଖିଥିଲେ। ସେ କହିଥିଲେ ଖୁବ୍‌ଶୀଘ୍ର ବିଦ୍ୟାଳୟଗୁଡ଼ିକ ଖୋଲିବା ନେଇ ଚିନ୍ତା କରାଯାଉଛି। ତା’ ପରେ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସଙ୍କେତ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ତାଗିଦ୍‌ କରିଥିଲେ। ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ହୋଇ ନ ଥିବା ବେଳେ ବିଭାଗଗୁଡ଼ିକ ପକ୍ଷରୁ ଦିଆଯାଉଥିବା ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଥିଲେ। ପରବର୍ତ୍ତୀ ସମୟରେ ମନ୍ତ୍ରୀ ଓ ସଚିବଙ୍କ କଥା କାଟ ଖାଇଥିଲା।
କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ବିନା ଅନୁମତିରେ ଦୂବଟିଏ କଅଁଳେ ନାହିଁ ବୋଲି ସାଧାରଣ ନାଗରିକ ମଧ୍ୟ ଜାଣିଲେଣିି। ଏଭଳିସ୍ଥଳେ ତୋମାର ନିଜେ ଚାହିଁଲେ କଦାପି କୃଷି ଆଇନ ଉପରେ କିଛି ବି କରିପାରିବେ ନାହିଁ। ଆର୍‌ଏସ୍‌ଏସ୍‌ ନେତା ଶର୍ମା ଯେଉଁଆଡ଼େ ବାଡ଼ି ବୁଲାଇ କହିଥାଆନ୍ତୁ ନା କାହିଁକି ଲକ୍ଷ୍ୟ ଗୋଟିଏ ଜାଗାରେ ବାଜୁଛି ବୋଲି ବୁଝିବାକୁ ହେବ। ସାଧାରଣରେ ଏହା ଜଣାଶୁଣା ଯେ, ଭାଜପାକୁ ଆର୍‌ଏସ୍‌ଏସ୍‌ ନିୟନ୍ତ୍ରଣ କରୁଛି। କିଏ କେଉଁ ପଦବୀରେ ଆସୀନ ହେବେ ତାହା ସେହି ସଙ୍ଗଠନ ସ୍ଥିର କରିଥାଏ। ଯଦି କେତେବେଳେ କିଛି ବିଚ୍ୟୁତି ଘଟେ ସେଠାରୁ ଛାଟ ବାଜେ। ସେହି ଦୃଷ୍ଟିରୁ ଦେଖିଲେ ଆର୍‌ଏସ୍‌ଏସ୍‌ ବୁଝିଗଲାଣି ଯେ, ଶାସନ ଠିକ୍‌ ଭାବେ ଚାଲି ନାହିଁ। ଲୋକେ ଯାହା ଚାହୁଁଛନ୍ତି, ତାହା ହୋଇପାରୁ ନ ଥିବାରୁ କେନ୍ଦ୍ରରେ ୭ ବର୍ଷ ଶାସନ ସତ୍ତ୍ୱେ ନେତୃତ୍ୱ ବିରୋଧରେ ଏକ ମନୋଭାବ ବୃଦ୍ଧି ପାଇଲାଣି; ଯାହା ଭବିଷ୍ୟତ ପାଇଁ ଅଶୁଭ ସଙ୍କେତ ଦେଲାଣି। ଏହା ମଧ୍ୟ ମନେରଖିବାକୁ ହେବ ଯେ, ଆଜିର କ୍ଷମତାସୀନ ବ୍ୟକ୍ତିମାନଙ୍କ ଜନ୍ମର ବହୁ ପୂର୍ବରୁ ଆର୍‌ଏସ୍‌ଏସ୍‌ ଚିନ୍ତାଧାରା ଜନ୍ମ ନେଇଛି। ଏହି ସରକାର ବିଦାୟ ନେବା ପରେ ମଧ୍ୟ ଆର୍‌ଏସ୍‌ଏସ୍‌ ବଞ୍ଚି ରହିବ। ଏହି ଦୀର୍ଘମିଆଦୀ ଦୃଷ୍ଟିକୋଣ ରଖି ଶର୍ମା ତାଙ୍କ ମନ୍ତବ୍ୟ ଦେଇଥାଇପାରନ୍ତି। ଏଠାରେ ଶର୍ମାଙ୍କ କଥାରେ ଅନେକେ ଏକମତ ହେବେ। ଯଦି ସରକାର କୃଷକଙ୍କ ମଙ୍ଗଳ ପାଇଁ ଏହି ୩ଟି ଆଇନ ଆଣିଛନ୍ତି ବୋଲି କହୁଛନ୍ତି, ଏବେ ଯେତେବେଳେ ତାହାକୁ ସେମାନେ ଗ୍ରହଣ କରୁନାହାନ୍ତି; ତେଣୁ ସେଗୁଡ଼ିକୁ ପ୍ରତ୍ୟାହାର କରାଯିବା ଉଚିତ। ଅର୍ଥାତ୍‌ ଯେଉଁମାନଙ୍କ ମଙ୍ଗଳ ପାଇଁ ଚିନ୍ତା କରାଯାଇଥିଲା, ତାହାର ସୁଫଳ ସେମାନେ ନ ନେଲେ ନ ନିଅନ୍ତୁ। ଶର୍ମାଙ୍କ ଏହି ମଞ୍ଜ କଥାକୁ ସରକାର ସକାରାତ୍ମକ ଦୃଷ୍ଟିକୋଣରୁ ଦେଖି ପଦକ୍ଷେପ ନେଲେ ହୁଏତ ସମାଧାନ ମିଳିପାରନ୍ତା।
ଏହାସହିତ ମନେରଖିବାକୁ ହେବ ଯେ, ଅନ୍ତର୍ଜାତୀୟ ସ୍ତରରେ ଭାରତ ସରକାର ବିରୋଧୀ ମତ ଦାନା ବାନ୍ଧିଲାଣି। କେବଳ ଗାୟିକା ରିହାନା, ଜଳବାୟୁ ଯୋଦ୍ଧା ଗ୍ରେଟା ଥନ୍‌ବର୍ଗ କିମ୍ବା ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ସମ୍ପର୍କୀୟା ମୀନା ହାରିସ୍‌ଙ୍କ ଟୁଇଟର ମାଧ୍ୟମରେ ବିରୋଧ ସୀମିତ ରହିନାହିଁ। ହଲିଉଡ୍‌ ତାରକା ସୁଜାନ୍‌ ସାରଣ୍ଡନ୍‌ଙ୍କ ସମେତ ଜାତିସଂଘର ମାନବ ଅଧିକାର କମିଶନ ମଧ୍ୟ ଭାରତୀୟ ଚାଷୀଙ୍କ ଆନ୍ଦୋଳନ ସମ୍ପର୍କରେ ଉଦ୍‌ବେଗ ପ୍ରକାଶ କଲେଣି। ଏହା ପଛରେ ନିଶ୍ଚିତ ଭାବେ ଅନ୍ତର୍ଜାତୀୟ ରାଜନୈତିକ ଉଦ୍ଦେଶ୍ୟ ରହିଛି। ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୨୦୨୦ରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋଲାଣ୍ଡ ଟ୍ରମ୍ପ୍‌ଙ୍କ ପରାଜୟ ଏବଂ ଜୋ ବାଇଡେନ୍‌ଙ୍କ ବିଜୟ ଐତିହାସିକ ସ୍ଥିତି ସୃଷ୍ଟି କରିଛି। ସେହି ନିର୍ବାଚନ କେବଳ ରାଜନୀତିରେ ସୀମିତ ନ ଥିଲା। ତାହା ଆମେରିକାର ସାମାଜିକ ସ୍ଥିତିରେ ଅନେକ ପ୍ରଭାବ ପକାଇଛି। ଟ୍ରମ୍ପ୍‌ଙ୍କ ଦକ୍ଷିଣପନ୍ଥୀ ଏବଂ ବର୍ଣ୍ଣବୈଷମ୍ୟ ଚିନ୍ତାଧାରା ଯୋଗୁ ଆମେରିକା ବିଭାଜିତ ହେବା ସହିତ ପୃଥିବୀବ୍ୟାପୀ ଏକ ଦୁର୍ବଳ ଦେଶ ଭାବେ ପରିଲକ୍ଷିତ ହେବାକୁ ଆରମ୍ଭ କଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ଯାଇ ଟ୍ରମ୍ପ୍‌ଙ୍କ ପକ୍ଷରେ ନିର୍ବାଚନୀ ପ୍ରଚାର କରିବା ସହିତ ସେଠାକାର ଭାରତୀୟମାନଙ୍କୁ ‘ଅଗଲି ବାର୍‌, ଟ୍ରମ୍ପ୍‌ ସରକାର’ ଧ୍ୱନିରେ ଟ୍ରମ୍ପ୍‌ଙ୍କୁ ସମର୍ଥନ କରିବାକୁ ଖୋଲାଖୋଲି ଆହ୍ବାନ ଦେଇଥିଲେ। ଆମେରିକାର ଆଭ୍ୟନ୍ତରୀଣ ରାଜନୀତିରେ ମୋଦିଙ୍କ ପ୍ରବେଶକୁ ଡେମୋକ୍ରାଟିକ୍‌ ଦଳରେ ବିରୋଧ ହେବା ସ୍ବାଭାବିକ। ଆଜି ଭାରତରେ ହେଉଥିବା ଚାଷୀ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସମର୍ଥନ ମିଳିବା ପଛରେ ଆମେରିକା ସରକାରର ହାତ ଥିବା ସ୍ପଷ୍ଟ ବୁଝି ହେଉଛି। ଭାରତର ତ୍ରୁଟିପୂର୍ଣ୍ଣ ବହିର୍ବ୍ୟାପାର ନୀତି ଯୋଗୁ କେବଳ ଆମେରିକା ଦୂରେଇ ଯାଇ ନାହିଁ, ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା ମଧ୍ୟ ଭାରତର ସାହାଯ୍ୟକୁ ଉପେକ୍ଷା କରିବା ସହିତ ଚାଇନାର ସହଯୋଗ ଲୋଡ଼ୁଛି। ଏଭଳି ଜଟିଳ ସ୍ଥିତିରେ ଭାରତର ଟୁଇଟର ମାଧ୍ୟମରେ ବିରୋଧ ଯଥେଷ୍ଟ ହେବ ନାହିଁ। ସେଥିପାଇଁ ଅଡ଼ି ବସିବା ପରିବେର୍ତ୍ତ ରଘୁନନ୍ଦନ ଶର୍ମାଙ୍କ ମତକୁ ସମ୍ମାନ ଜଣାଇ ଚାଷୀଙ୍କ ଦାବିକୁ ସରକାର ମାନିନେବା କେନ୍ଦ୍ର ସରକାରଙ୍କ ପାଇଁ ବୁଦ୍ଧିମାନର କାମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?