ବିକାଶ ନୁହେଁ, ଉଗ୍ର ପ୍ରଚାର

ଡ. ସନ୍ତୋଷ କୁମାର ମହାପାତ୍ର

ଆମ ରାଜ୍ୟରେ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନ ଫଳାଫଳ ପ୍ରକାଶ ହେବା ପରେ ୫ ରାଜ୍ୟ ଯଥା ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର, ଗୋଆର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଆମ ରାଜ୍ୟର ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନରେ ବିଜେଡି ବିପୁଳ ଏପରିକି ଆଶାଠାରୁ ଅଧିକ ମାତ୍ରାରେ ବିଜୟୀ ହୋଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆରେ ଭାଜପା ସଂଖ୍ୟାଗରିଷ୍ଠତା ପାଇଥିବାବେଳେ ପଞ୍ଜାବରେ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ବିଜୟୀ ହୋଇଛି। ଆପ୍‌ର ବିଜୟ ନୂତନ ଆଶା ସଞ୍ଚାର କରିଛି। ବିନା ଅର୍ଥ ଓ ବାହୁବଳରେ ନିର୍ବାଚନ ଜିତିବାର ସମ୍ଭାବନା ରହିଛି ବୋଲି ମତ ପ୍ରକାଶ ପାଇଛି। କିନ୍ତୁ ଏହା ସର୍ବଦା, ସବୁ କ୍ଷେତ୍ରରେ ସମ୍ଭବ ନୁହେଁ । ସତ୍ୟ ହେଉଛି ଭୋଟରମାନଙ୍କୁ ବିଭିନ୍ନ ଦଳ ତରଫରୁ ନିଜ ଦଳୀୟ ପ୍ରାର୍ଥୀ ପାଇଁ ଭୋଟ ଦେବାକୁ ଅର୍ଥ ଦିଆଯାଉଛି।
ଯାହାର ଯେତେ ଅଧିକ କଳାଟଙ୍କା ରହିଛି, ସେ ସେତେ ବ୍ୟୟ କରୁଛି । କିନ୍ତୁ କିଛି ଦଳର ବା ବ୍ୟକ୍ତିଙ୍କର ଅର୍ଥ ନ ଥିବାରୁ ସେମାନେ ବ୍ୟୟ କରିପାରୁନାହାନ୍ତି।
ଏହି ପ୍ରକ୍ରିୟାରେ ବିରୋଧୀ ଦଳ ଦୁର୍ବଳ ହେଉଛି। ବିରୋଧୀ ଦଳ ଦୁର୍ବଳ ହେବାରୁ ଗଣତନ୍ତ୍ର ଦୁର୍ବଳ ହେଉଛି ।
ଗରିବ ଓ ଅବହେଳିତଙ୍କ ସ୍ବର କ୍ଷୀଣ ହୋଇଯାଉଛି।
ଉତ୍ତରପ୍ରଦେଶରେ ଭାଜପାର ବିଜୟକୁ ରାଜ୍ୟ ସରକାରଙ୍କ ବିକାଶ ଓ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ପ୍ରତିଫଳନ ବୋଲି ପ୍ରଚାର କରାଯାଉଛି।
କିନ୍ତୁ ପରିସଂଖ୍ୟାନ ଏହାର ବିପରୀତ କଥା କହୁଛି।
ବିକାଶ ନୁହେଁ ଉଗ୍ର ପ୍ରଚାର ଯୋଗୁ ଭାଜପାର ବିଜୟ ହୋଇଛି। ଯଦି ବିଜୟ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଜନତାଙ୍କ ଆସ୍ଥାର ପ୍ରତିଫଳନ, ତେବେ ପଞ୍ଜାବରେ ଏହା କିପରି ମାତ୍ର ୨ଟି ସ୍ଥାନରେ ବିଜୟ ହୋଇଛି।
୨୦୧୭ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଉତ୍ତରପ୍ରଦେଶର ଆର୍ଥିକ ଅଭିବୃଦ୍ଧି ହାର ହ୍ରାସ ପାଇଛି। ଅଖିଳେଶ ଯାଦବଙ୍କ ୫ବର୍ଷ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟର ଅଭିବୃଦ୍ଧି ହାର ୬.୯ ପ୍ରତିଶତ ଥିଲା, କିନ୍ତୁ ଯୋଗୀଙ୍କ ସମୟରେ ୨୦୧୭-୨୦ ମଧ୍ୟରେ (ମହାମାରୀ ପୂର୍ବରୁ) ୪.୯ ପ୍ରତିଶତ ହୋଇଛି। ଯୋଗୀଙ୍କ ଅଧୀନରେ ମୁଣ୍ଡପିଛା ଆୟ ୩.୩ ପ୍ରତିଶତ ବୃଦ୍ଧି ପାଇଛି। ଅଖିଳେଶଙ୍କ କାର୍ଯ୍ୟକାଳ ମଧ୍ୟରେ ୫.୩ ପ୍ରତିଶତ ବୃଦ୍ଧି ପାଇଥିଲା।
ରାଜ୍ୟ ଘରୋଇ ଉତ୍ପାଦ ଦୃଷ୍ଟିରୁ ଉତ୍ତରପ୍ରଦେଶ ୩୨ ସ୍ଥାନରେ ରହିଛି, ଅର୍ଥାତ୍‌ ୩୩ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ ଦ୍ୱିତୀୟ ଖରାପ। ମାନୁଫାକ୍‌ଚରିଂ କ୍ଷେତ୍ରରେ ଅଭିବୃଦ୍ଧି ଅଖିଳେଶଙ୍କ ସମୟରେ ୧୪.୬ ପ୍ରତିଶତ ବୃଦ୍ଧି ପାଇଥିଲାବେଳେ, ଯୋଗୀଙ୍କ ସମୟରେ ବିଯୁକ୍ତାତ୍ମକ ୩.୩ ପ୍ରତିଶତ ହୋଇଛି।
ନଭେମ୍ବର ୨୦୨୧ରେ ବେଙ୍ଗାଲୁରୁର ଥିଙ୍କ୍‌ ଟ୍ୟାଙ୍କ୍‌ ‘ପବ୍ଲିକ୍‌ ଆଫେୟାର୍ସ ସେଣ୍ଟର’ ଦ୍ୱାରା ପ୍ରକାଶିତ ଜନସମ୍ପର୍କ ସୂଚକାଙ୍କ ଅନୁଯାୟୀ ବଡ଼ ରାଜ୍ୟ ମଧ୍ୟରେ ଶାସନ ଦୃଷ୍ଟିରୁ ଉତ୍ତରପ୍ରଦେଶ ସର୍ବନିମ୍ନରେ ସ୍ଥାନିତ ହୋଇଛି। ସେହିପରି, ୨୦୧୯-୨୦ ପାଇଁ ପ୍ରକାଶିତ ନୀତି ଆୟୋଗଙ୍କ ସ୍ବାସ୍ଥ୍ୟ ସୂଚକାଙ୍କ ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶ ସବୁଠାରୁ ଖରାପ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ସ୍ଥାନିତ ହୋଇଛି। ଇଣ୍ଡିଆ ଜଷ୍ଟିସ ରିପୋର୍ଟ (IJR) ୨୦୨୦ ଅନୁଯାୟୀ, ୨୪ଟି ବଡ଼, ମଧ୍ୟମ ଆକାରର ଏବଂ ଛୋଟ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ମେଘାଳୟ ପରେ ସର୍ବାଧିକ ଦ୍ୱିତୀୟ ଖରାପ ରାଜ୍ୟ। ୨୦୧୯ର ମାନବ ବିକାଶ ସୂଚକାଙ୍କ (HDI)ରେ ଉତ୍ତରପ୍ରଦେଶ, ବିହାର ପରେ ୩୫ଟି ରାଜ୍ୟ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ଖରାପ ସ୍ଥାନରେ ରହିଛି। ଜାତୀୟ ନମୁନା ସର୍ବେକ୍ଷଣର ଘରୋଇ ସାମାଜିକ ବ୍ୟବହାର ୭୫ ତମ ସର୍ବେକ୍ଷଣ (ଜୁଲାଇ ୨୦୧୭ରୁ ଜୁନ୍‌ ୨୦୧୮ ପର୍ଯ୍ୟନ୍ତ) ଅନୁଯାୟୀ ଉତ୍ତରପ୍ରଦେଶ ୭୩ ପ୍ରତିଶତ ସାକ୍ଷରତା ହାର ସହିତ ୧୮ତମ ସ୍ଥାନରେ ରହିଛି। ଅର୍ଥାତ୍‌ ୧୭ଟି ରାଜ୍ୟ ତଳେ। ୨୦୨୧ ଜୁନ୍‌ ୩ରେ ପ୍ରକାଶିତ ନୀତି ଆୟୋଗର ନିରନ୍ତର ଲକ୍ଷ୍ୟ ସୂଚକାଙ୍କ ୨୦୨୦-୨୧ ଅନୁଯାୟୀ, ୨୮ ରାଜ୍ୟ ମଧ୍ୟରୁ ନିମ୍ନ ପାଞ୍ଚଟି ରାଜ୍ୟ ମଧ୍ୟରେ ବା ୨୫ ତମ ସ୍ଥାନରେ ଉତ୍ତରପ୍ରଦେଶ ରହିଛି। ଏହି ସୂଚକାଙ୍କ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସ୍ବସ୍ଥ୍ୟ, ଶିକ୍ଷା, ଲିଙ୍ଗ, ଆର୍ଥିକ ଅଭିବୃଦ୍ଧି, ଅନୁଷ୍ଠାନ, ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଆଦି ବିଭିନ୍ନ ପାରାମିଟରରେ ଅଗ୍ରଗତିର ମୂଲ୍ୟାଙ୍କନ କରିଥାଏ। ଲୋକାଲ ସର୍କଲ ଏବଂ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଦ୍ୱାରା ପରିଚାଳିତ ଇଣ୍ଡିଆ ଦୁର୍ନୀତି ସର୍ଭେ (୨୦୧୯) ଅନୁଯାୟୀ ଉତ୍ତରପ୍ରଦେଶ ତୃତୀୟ-ଦୁର୍ନୀତିଗ୍ରସ୍ତ ରାଜ୍ୟ ଭାବରେ ସ୍ଥାନ ପାଇଛି। ତେନ୍ଦୁଲକର କମିଟି ରିପୋର୍ଟକୁ ଭିତ୍ତିକରି ନୀତି ଆୟୋଗଙ୍କ ପ୍ରଥମ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ ସର୍ବାଧିକ ଦାରିଦ୍ର୍ୟ ହାର (୩୭.୭୯ ପ୍ରତିଶତ) ଉତ୍ତରପ୍ରଦେଶରେ ରହିଛି। ଯୋଗୀଙ୍କ ସମୟରେ ବେକାରି ବୃଦ୍ଧି ପାଇଛି।
ପୁନଶ୍ଚ ଉତ୍ତରପ୍ରଦେଶରେ ଭାଜପା ୨୦୦ ଭୋଟ ବ୍ୟବଧାନରେ ୭ଟି ସିଟ୍‌, ୫୦୦ ଭୋଟ ବ୍ୟବଧାନରେ ୨୩ଟି ସିଟ୍‌, ୧୦୦୦ ଭୋଟ ବ୍ୟବଧାନରେ ୪୯ଟି ସିଟ୍‌, ୨୦୦୦ ଭୋଟ ବ୍ୟବଧାନରେ ୮୬ଟି ସିଟ୍‌ ଜିତିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ବାସ୍ତବରେ ଭାଜପାର ବିଜୟ ହୋଇନି ବରଂ କଂଗ୍ରେସ ଦୁର୍ବଳ ଓ ହିତାଧିକାରୀ ସୁବିଧା ପାଇବାରୁ ବଞ୍ଚିତ ହେବାରୁ ଭାଜପା ତାହାର ଫାଇଦା ନେଉଛି।
କଂଗ୍ରେସ ଦୁର୍ବଳ ହେବାର ଏକ କାରଣ ହେଲା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଲୋକଙ୍କ ଆସ୍ଥା ନାହିଁ। ସବୁଠାରୁ ବଡ଼ କାରଣ ହେଲା ଗଣମାଧ୍ୟମର ନକାରାତ୍ମକ କାର୍ଯ୍ୟ। ସେମାନେ କ୍ଷମତାରେ ଥିବା ଭାଜପାକୁ ଟାର୍ଗେଟ୍‌ ନ କରି କଂଗ୍ରେସକୁ ଟାର୍ଗେଟ୍‌ କଲେ। ପୁନଶ୍ଚ ମହାମାରୀ ସମୟରେ ଯେତେବେଳେ ଲକ୍ଷ ଲକ୍ଷ ଲୋକ ଜୀବନ ଓ କୋଟି କୋଟି ଲୋକ ଜୀବିକା ହରାଇଛନ୍ତି, ୪.୬ କୋଟି ଚରମ ଦାରିଦ୍ର୍ୟକୁ ଠେଲି ହୋଇଯାଇଛନ୍ତି, ୮୪ ପ୍ରତିଶତ ପରିବାରଙ୍କ ଆୟ ହ୍ରାସ ପାଇଛି, ସେତେବେଳେ ପ୍ରଧାନମନ୍ତ୍ରୀ ଉଗ୍ର ପ୍ରଚାରରେ ବ୍ୟସ୍ତ ରହିଲେ। ନେହେରୁ, ଇନ୍ଦିରା ଗାନ୍ଧୀଙ୍କ ପରି ନେତାଙ୍କ ଚରିତ୍ର ସଂହାର କରାଗଲା ଏବଂ ଲୋକଙ୍କ ହିତ ପାଇଁ ସରକାରଙ୍କ ତ୍ରୁଟି ଦେଖାଉଥିବା ସମାଲୋଚକଙ୍କ ବିରୋଧରେ ନିନ୍ଦା, ଘୃଣା ସୃଷ୍ଟି କରାଗଲା। ବେକାରି, କ୍ଷୁଧା, ଦାରିଦ୍ର୍ୟ, ବୈଷମ୍ୟ, ଦୁର୍ନୀତି ହ୍ରାସ ଆଦି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରସଙ୍ଗକୁ ଗୁରୁତ୍ୱ ନ ଦେଇ ଉଗ୍ର ଜାତୀୟତାବାଦ, ମୂର୍ତ୍ତି ରାଜନୀତି, ହିନ୍ଦୁଙ୍କ ଧାର୍ମିକ ଦୁର୍ବଳତାକୁ ପାଥେୟ କରି ଭାଜପା ତରଫରୁ ନିର୍ବାଚନ ପ୍ରଚାର କରାଗଲା।
ପ୍ରଶ୍ନ ହେଉଛି ଏହି ନିର୍ବାଚନ ପ୍ରକ୍ରିୟାରେ ଆମ ଗଣତନ୍ତ୍ର ଶକ୍ତିଶାଳୀ ହେଉଛି ନା ଦୁର୍ବଳ ହେଉଛି?
ନିର୍ବାଚନ ପ୍ରକ୍ରିୟାରେ ସାମାଜିକ ସ୍ଥିତିରେ ଉନ୍ନତି ଆସୁଛି ନା ଅବନତି ଆସୁଛି? ଆମ ରାଜ୍ୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ବିପୁଳ ଟଙ୍କା ଖର୍ଚ୍ଚ କରିଛନ୍ତି।
ଏଠାରେ ପ୍ରଶ୍ନ ଉଠେ ଜଣେ କାହିଁକି ଏତେ ଟଙ୍କା କ’ଣ ପାଇଁ ଖର୍ଚ୍ଚ କରୁଛି ? ଯଦି ନିର୍ବାଚିତ ହେଲା ପରେ ତା’ଠାରୁ ଅଧିକ ଟଙ୍କା ନିଜ ପକେଟ୍‌କୁ ନ ଆଣିବ ତେବେ ଏତେ କାହିଁକି ଖର୍ଚ୍ଚ କରିବ? ଏହାର ଅର୍ଥ ପ୍ରତ୍ୟକ୍ଷ ରାଜନୀତିକୁ ଦେଶସେବା ଭାବେ ଗ୍ରହଣ ନ କରି ଏହାକୁ ଏକ ନିବେଶ ଭାବେ ଭାବୁଛନ୍ତି।
ଯଦି ଏହା ମୂଳ ଉଦ୍ଦେଶ୍ୟ ହୁଏ, ତେବେ ଲୋକଙ୍କ ବିକାଶ ଓ ପଞ୍ଚାୟତର ଉନ୍ନତି ପାଇଁ ଧାର୍ଯ୍ୟ ବ୍ୟୟବରାଦର କେତେ ପ୍ରତିଶତ ଖର୍ଚ୍ଚ ହେବ? ତାହା ନିହାତି ବିଚାର୍ଯ୍ୟ।
ମୋ:୯୪୩୭୨୦୮୭୬୨
E-mail: skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?