ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ (ଅନୁସୂଚିତ ଅଞ୍ଚଳରେ ପଞ୍ଚାୟତ ଆଇନର ସମ୍ପ୍ରସାରଣ) ଅନ୍ୟତମ। ୧୯୯୬ରେ କେନ୍ଦ୍ର ସରକାର ଏହି ଆଇନ ଲଗୁ କରିିଥିଲେ। ଆଦିବାସୀମାନଙ୍କୁ କ୍ଷମତା ପ୍ରଦାନ କରିବାରେ ଜଙ୍ଗଲ ଅଧିକାର ଆଇନ ପରି ପେସା ଆଇନ ଏକ ଯୁଗାନ୍ତକାରୀ ଆଇନ। ଏହି ଆଇନ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତକୁ କେତେଗୁଡ଼ିଏ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରେ, ଯାହା ବାସ୍ତବ ଅର୍ଥରେ ଆଦିବାସୀଙ୍କୁ ସଶକ୍ତୀକରଣ କରିବାରେ ସାହାଯ୍ୟ କରିବ।
ପେସା ଆଇନ ଅନୁସାରେ ଆଦିବାସୀ ଅଧ୍ୟୁଷିତ ଗ୍ରାମପଞ୍ଚାୟତର ଜଳ, ଜମି, ଜଙ୍ଗଲ ଓ ଗୋଷ୍ଠୀ ସମ୍ପଦର ସୁରକ୍ଷାର ସମ୍ପୂର୍ଣ୍ଣ ଅଧିକାର ଗ୍ରାମସଭାକୁ ଦିଆଯିବ। ଲଘୁ ବନଜାତ ଦ୍ରବ୍ୟର ମାଲିକାନା ସ୍ବତ୍ୱ ଗ୍ରାମସଭା ପାଖରେ ରହିବ। ଅର୍ଥାତ ଲଘୁ ବନଜାତ ଦ୍ରବ୍ୟର ବିକ୍ରି, ରପ୍ତାନି ଅଧିକାର ଆଦି ପାଇଁ ଆଦିବାସୀଙ୍କୁ ବନ ବିଭାଗ ପାଖରୁ ଅନୁମତି ନେବାକୁ ପଡ଼ିବ ନାହିଁ। ସେମାନେ ନିଜ ଗ୍ରାମସଭା ମାଧ୍ୟମରେ ଏହା କରିପାରିବେ। ପେସା ଆଇନ କହୁଛି, ଏହି ଆଇନ ଲାଗୁ ହୋଇଥିବା ଅନୁସୂଚିତ ଅଞ୍ଚଳରେ କୌଣସି ବି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମସଭାର ଅନୁମତି ନିହାତି ଆବଶ୍ୟକ। ଅର୍ଥାତ ପେସା ଆଇନ ଅଞ୍ଚଳରେ ଗ୍ରାମସଭା ନ ଚାହିଁଲେ କମ୍ପାନୀ କାରଖାନା ସ୍ଥାପନ କରିପାରିବ ନାହିଁ। ଗ୍ରାମରେ ମଦ ବିକ୍ରୟ, ମଦ୍ୟପାନର ନିୟନ୍ତ୍ରଣ ଆଦି ବିଷୟରେ ବି ପଞ୍ଚାୟତ ନିଷ୍ପତ୍ତି ନେଇପାରିବ। ଗ୍ରାମର ବିକାଶ ପାଇଁ ହେଉଥିବା ଯୋଜନାର ହିତାଧିକାରୀ ଚୟନ ଗ୍ରାମସଭା ଦ୍ୱାରା କରାଯିବ। ଆଜିକାଲି ଯେପରି ବିଧାୟକ ଓ ଅନ୍ୟାନ୍ୟ ଶାସକ ଦଳର ନେତାମାନେ ଅନ୍ୟାୟପୂର୍ଣ୍ଣ ଭାବେ ନିଜର ପାଖ ଲୋକଙ୍କୁ ବିଭିନ୍ନ ଯୋଜନାର ହିତାଧିକାରୀ କରିଦେଉଛନ୍ତି ବା ଅଫିସରମାନେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଯୋଜନାର ଲାଭ ଦେଉଛନ୍ତି, ପେସା ଆଇନ ଲାଗୁହେଲେ ଏବଂ ଗ୍ରାମସଭା ପାଖରେ ହିତାଧିକାରୀ ଚୟନ କରିବାର କ୍ଷମତା ରହିଲେ, ସେମାନେ ଆଉ ଏପରି କରିବାକୁ ସୁଯୋଗ ପାଇବେ ନାହିଁ। ପେସା ଆଇନର ମୂଳ ଉଦ୍ଦେଶ୍ୟ ହେଉଛି, ଆଦିବାସୀ ଗାଁରେ ଆଦିବାସୀଙ୍କ ଶାସନ। ପେସା ଆଇନ ସେମାନଙ୍କୁ ନିଜର ପରମ୍ପରା, ସଂସ୍କୃତି ଓ ସମ୍ବଳକୁ ରକ୍ଷା କରିବା ପାଇଁ ସର୍ବୋଚ୍ଚ କ୍ଷମତା ପ୍ରଦାନ କରିଥାଏ। ଏହି ଆଇନକୁ ଅନୁଧ୍ୟାନ କଲେ, ଯେ କେହି ବି ବୁଝିପାରିବେ, ଆଦିବାସୀଙ୍କ ପାଇଁ ଏହା କେତେ ଜରୁରୀ!
କିନ୍ତୁ ଆମ ସମସ୍ତଙ୍କୁ ଏହି ଖବର ନିଶ୍ଚୟ ଚମକେଇ ଦେବ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆଇନ ପ୍ରଣୟନ ହେବାର ଦୀର୍ଘ ତିରିଶ ବର୍ଷ ପରେ ମଧ୍ୟ ଆମ ରାଜ୍ୟରେ ଏହି ଆଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। କିନ୍ତୁ କାହିଁକି? ଏହି ପଥରେ ଅନ୍ତରାୟ କିଏ ଏବଂ କାହଁକି? ପ୍ରତ୍ୟେକ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଏକ ନିୟମାବଳୀ ହୋଇଥାଏ। ଓଡ଼ିଶାରେ ପେସାର କାର୍ଯ୍ୟକାରିତା ପାଇଁ ଚୁଡ଼ାନ୍ତ ନିୟମାବଳୀ ଏପର୍ଯ୍ୟନ୍ତ ତିଆରି ହୋଇନାହିଁ। ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ତେଲଙ୍ଗାନା, ହିମାଚଳ ପ୍ରଦେଶ, ରାଜସ୍ଥାନ ଆଦି ନଅଟି ରାଜ୍ୟରେ ପେସା ଆଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଛି। ଏହିସବୁ ରାଜ୍ୟ ନିଜ ନିଜ ପାଇଁ ପେସା ଆଇନକୁ ଲାଗୁ କରିବା ସକାଶେ ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ଓଡ଼ିଶା ଏକ ଆଦିବାସୀ ବହୁଳ ଓ ଖଣିଜସମ୍ପଦ ପରିପୂର୍ଣ୍ଣ ରାଜ୍ୟ। ଯଦି ସେହିସବୁ ରାଜ୍ୟ ପେସା ଆଇନକୁ କାର୍ଯ୍ୟକାରୀ କରିପାରୁଛନ୍ତି, ତାହେଲେ ଓଡ଼ିଶା ପଛରେ ରହିଛି କାହିଁକି?
ଓଡ଼ିଶାର ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ସମ୍ପୂର୍ଣ୍ଣ ଭାବେ ପେସା ଆଇନ କାର୍ଯ୍ୟକାରୀ ହେବାର ସୁଯୋଗ ରହିଛି। ସେହିପରି କେଉଁଝର, କନ୍ଧମାଳ, ଗଜପତି, ଗଞ୍ଜାମ, କଳାହାଣ୍ଡି, ସମ୍ବଲପୁର ଓ ବାଲେଶ୍ୱର ଜିଲାରେ ଆଂଶିକ ଭାବେ ଏହି ଆଇନ କାର୍ଯ୍ୟକାରୀ ହୋଇପାରିବ। ଆମ ରାଜ୍ୟର ପ୍ରାୟ ୨୦୬୮ଟି ପଞ୍ଚାୟତରେ ପେସା ଆଇନ କାର୍ଯ୍ୟକାରୀ ହେବା ପାଇଁ ସୁଯୋଗ ରହିଛି। କିନ୍ତୁ ବାସ୍ତବତା ହେଉଛି, ଆଇନକୁ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ନ କରିବା ସରକାରଙ୍କର ଆଦିବାସୀ ବିରୋଧୀ ମନୋଭାବକୁ ସ୍ପଷ୍ଟ ଭାବେ ଉଜାଗର କରୁଛି। ଆମ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ ନ ହେବାର ଏକ ମୁଖ୍ୟ କାରଣ ହେଉଛି ଶାସକ ଗୋଷ୍ଠୀର ସାମନ୍ତବାଦୀ ମନୋଭାବ। ଆଦିବାସୀମାନେ ନିଜେ ନିଜର ନିଷ୍ପତ୍ତି ପଞ୍ଚାୟତ ସ୍ତରରେ ନେବେ, ଏହା ବୋଧହୁଏ ଶାସକ ବର୍ଗକୁ ହଜମ ହେଉନାହିଁ। ଆମ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତଗୁଡ଼ିକରେ ଏହି ଆଇନ ଲାଗୁହେଲେ, ସେହି ପଞ୍ଚାୟତରେ ସମସ୍ତ ବିକାଶମୂଳକ ପ୍ରକଳ୍ପର ନିଷ୍ପତ୍ତି ଗ୍ରାମସଭା ନେବ। ଅର୍ଥାତ ସେଠାରେ ଖଣି ଖୋଳା ହେବ କି ନାହିଁ, ପାହାଡ଼, ଜଙ୍ଗଲ ଓ ଝରଣାକୁ ବିକାଶ ନାଁରେ ବିଦେଶୀଙ୍କ ହାତକୁ ଟେକି ଦିଆଯିବ କି ନାହିଁ, ତାହାର ନିଷ୍ପତ୍ତି ରାଜ୍ୟ ସରକାର ନ ନେଇ ଉକ୍ତ ପଞ୍ଚାୟତ ବା ଗ୍ରାମସଭା ନେବ। ତେଣୁ ସରକାର ସମ୍ପ୍ରତି ଯେପରି ଭାବେ ଗୋଟିଏ କାଗଜରେ ସନ୍ତକ କରି ଆଦିବାସୀଙ୍କ ପାହାଡ଼, ଝରଣା, ଜଙ୍ଗଲ ଆଦିକୁ ବିଦେଶୀ କମ୍ପାନୀଙ୍କ ହାତକୁ ଟେକି ଦେଉଛନ୍ତି, ତାହା ଆଉ ସମ୍ଭବ ହୋଇପାରିବ ନାହିଁ। ଏପରି ହୋଇ ନ ପାରିଲେ ନେତା ଓ ଅଫିସରଙ୍କ ପକେଟକୁ କମ୍ପାନୀର କୋଟି କୋଟି ଟଙ୍କା ଚାନ୍ଦା ପଶିପାରିବ ନାହିଁ। ତେଣୁ ସମସ୍ତେ ମିଶି ଜାଣି ଜାଣି ପେସା ଆଇନ ଲାଗୁ କରିବାରେ ବିଳମ୍ବ କରି ଚାଲୁଛନ୍ତି। ପେସା ଆଇନ ଲାଗୁ ହୋଇଗଲେ ଉପରୋକ୍ତ ପଞ୍ଚାୟତରେ ଲଘୁ ବନଜାତ ଦ୍ରବ୍ୟ, କ୍ଷୁଦ୍ର ଜଳସେଚନ, ଶିକ୍ଷାନୁଷ୍ଠାନର ପରିଚାଳନା, ଅଙ୍ଗନଓ୍ବାଡ଼ି ବିଭିନ୍ନ ଯୋଜନାରେ ନିଷ୍ପତ୍ତି ନେବା ପାଇଁ ଗ୍ରାମସଭା କ୍ଷମତା ପାଇବ। ସ୍ଥାନୀୟ ପ୍ରଶାସନର କ୍ଷମତା ସଙ୍କୁଚିତ ହୋଇ ତାହା ଲୋକଙ୍କୁ କ୍ଷମତାପନ୍ନ କରିବ। ତେଣୁ କିଏ ବା କାହିଁକି ନିଜ କ୍ଷମତାକୁ ଛାଡ଼ି ଆଦିବାସୀଙ୍କୁ କ୍ଷମତା ଦେବାକୁ ଯିବ! ପେସା ଆଇନକୁ ପୂର୍ଣ୍ଣପ୍ରାଣରେ କାର୍ଯ୍ୟକାରୀ ନ କରିବାର ଏହା ବି ଅନ୍ୟ ଏକ କାରଣ।
ଆଦିବାସୀ ବସବାସ କରୁଥିବା ଅଞ୍ଚଳରେ ଜଙ୍ଗଲ ଅଛି, ଝରଣା ପାଣି ଅଛି, ମାଟି ତଳେ ଖଣିଜ ସମ୍ବଳ ଅଛି, ଯାହାକୁ ହାତେଇବା ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀ ଶାଗୁଣା ପରି ଚାହିଁ ରହିଛନ୍ତି। ସେମାନଙ୍କର ଏହି ହାତେଇବା ରାସ୍ତାରେ ସେମାନେ ନେତା, ଅଫିସର ଓ ରାଜନୈତିକ ଦଳ ସମସ୍ତଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଓ ଚାନ୍ଦା ଦେଉଛନ୍ତି। ଥରେ ପେସା ଆଇନ ଲାଗୁ ହୋଇଗଲେ, କମ୍ପାନୀଗୁଡ଼ିକ ହୁଏତ ଏହିସବୁ ସମ୍ବଳକୁ ହାତେଇ ପାରିବେ ନାହିଁ ଓ ତାଙ୍କ ହାତବାରିଶି ସାଜିଥିବା ନେତା ଅଫିସର ଟଙ୍କା ରୋଜଗାର କରିବାକୁ ସୁଯୋଗ ପାଇବେ ନାହିଁ। ତେଣୁ ସମସ୍ତେ ମିଶି ସରକାରକୁ ହାତକରି କଳେବଳେ କୌଶଳେ ପେସା ଆଇନକୁ ପଛକୁ ଠେଲିବାକୁ ପ୍ରୟାସ କରୁଛନ୍ତି। ଆଦିବାସୀଙ୍କ ଅଧିକାରକୁ ଲୁଣ୍ଠନ କରିବା ପାଇଁ ଓ ପ୍ରାକୃତିକ ସମ୍ବଳକୁ ବିଦେଶୀଙ୍କ ହାତକୁ ଟେକି ଦେବା ପାଇଁ ପେସା ଆଇନକୁ ପ୍ରଶାସନର ନାଲିଫିତା ତଳେ ପେଷି ଦିଆଯାଉଛି।

ବିଚିତ୍ର ବିଶ୍ୱାଳ
– ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?