କରୋନାଠୁ କମ୍‌ ନୁହେଁ

ବିପ୍ଳବ

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଟିକାକରଣରେ ଜାତୀୟ ହାରଠୁ ଓଡ଼ିଶା ଆଗରେ ରହିଛି। ପରିସଂଖ୍ୟାନ ଦୃଷ୍ଟିରୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ହାର ବେଶ୍‌ କମ୍‌।
ଏ ସବୁର ଶ୍ରେୟ ସରକାରଙ୍କୁ ଦିଆଯାଉଛି। ମାତ୍ର କରୋନାଠୁ ଆଉ ଗୋଟିଏ ବ୍ୟାଧି ଓଡ଼ିଶାକୁ କବଳିତ କରିଚାଲିଛି। ତାହା ହେଉଛି ନିଶା। ଯାହା କରୋନାଠୁ ଆହୁରି ଭୟଙ୍କର ହୋଇଥିଲେ ମଧ୍ୟ ତାହାର କ୍ଷତିକୁ ସରକାର ଅଣଦେଖା କରିଚାଲିଛନ୍ତି।
ମଦ ଶରୀର ପାଇଁ ଏକ ଅନୁଚିତ ପାନୀୟ। ବୈଜ୍ଞାନିକମାନେ କହିଛନ୍ତି, ମଦ୍ୟପାନ ଏକ ପ୍ରକାର ରୋଗ। ତାକୁ ଅଭ୍ୟାସ କରିବା ଯେତିକି ସହଜ ଛାଡ଼ିବା ଆହୁରି କଷ୍ଟକର। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତଥ୍ୟରୁ ଜଣାଯାଏ, ଭାରତରେ ପ୍ରତିବର୍ଷ ୨.୬ଲକ୍ଷ ଲୋକଙ୍କର ମଦଜନିତ ମୃତ୍ୟୁ ଘଟିଥାଏ। ପ୍ରାୟ ଲକ୍ଷେ ଲୋକ ରାସ୍ତା ଦୁର୍ଘଟଣାରେ, ୩୦ହଜାର ପାଖାପାଖି ମଦ୍ୟପାନଜନିତ କ୍ୟାନ୍‌ସରରେ, ଆଉ ୧.୪ଲକ୍ଷ ଲୋକ ଲିଭର ସମସ୍ୟା ଯୋଗୁ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ମଦ୍ୟପ ଗାଡ଼ି ଚାଳକ ନିଜେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁମୁଖରେ ପଡ଼ିବା ସହିତ ବେଳେ ବେଳେ ନିରୀହ ଲୋକର ଜୀବନ ନେଇଥାଏ। ଏହି ଦୁର୍ଘଟଣା ପାଇଁ କୋର୍ଟ କଚେରିରେ ଦୀର୍ଘଦିନ ଧରି ମକଦ୍ଦମା ଚାଲେ। ବୀମା କମ୍ପାନୀ କ୍ଷତି ପୂରଣ ଦିଏ ଅଥବା ସରକାର ମୃତବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ବାଧ୍ୟ ହୋଇଥାନ୍ତି। ଏହା ରାଜକୋଷରୁ ବ୍ୟୟ ହୋଇଥାଏ। ତଥାପି ସରକାର ମଦରୁ ଯଥେଷ୍ଟ ରାଜସ୍ବ ପାଉଛନ୍ତି ବୋଲି ଯୁକ୍ତି ଦର୍ଶାନ୍ତି।
ପରିସଂଖ୍ୟାନରୁ ଜଣାଯାଏ, ୨୦୨୦-୨୧ଆର୍ଥିକ ବର୍ଷରେ ସରକାର କମ୍‌ ଅବକାରୀ ରାଜସ୍ବ ପାଇଥିଲେ। କାରଣ ମହାମାରୀ କରୋନା ପାଇଁ ମଦଦୋକାନ ଖୋଲିବା ଲାଗି ଅନୁମତି ମିଳି ନ ଥିଲା। ହେଲେ କରୋନାରେ ସାମାନ୍ୟ ସୁଧାର ଆସୁ ଆସୁ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଦେଲେ। ମଦ୍ୟପାନଜନିତ ପାରିବାରିକ ଓ ସାମାଜିକ ସମସ୍ୟା କଥା ସମ୍ପୂର୍ଣ୍ଣ ଭୁଲିଗଲେ। ଓଡ଼ିଶାରେ ମଦ୍ୟପାନଜନିତ ରାସ୍ତା ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ପରିସଂଖ୍ୟାନରୁ ଜଣାଯାଏ, ଏହା ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥଳେ ସରକାର ମଦ ବିକ୍ରି ପାଇଁ ଉତ୍ସାହିତ କରିବା ଓ ପୁରସ୍କାର ବ୍ୟବସ୍ଥା କରିବା ଦୁଃଖଦାୟକ। ଚଳିତବର୍ଷ ଜୁଲାଇର ସରକାରୀ ହିସାବରୁ ଜଣାଯାଏ, ଓଡ଼ିଶାର ମାସିକ ମଦବିକ୍ରି ପ୍ରାୟ ୫୬ଲକ୍ଷ ୧୬ହଜାର ଲିଟର ଅର୍ଥାତ୍‌ ଦୈନିକ ୧ଲକ୍ଷ ୮୭ହଜାର ଲିଟର ମଦ ପିଆଯାଉଛି। ଏପରି କ୍ଷେତ୍ରରେ ମଦ୍ୟପାନ ଜନିତ ଲାଭରୁ ରାଜ୍ୟ ଚଳେଇବାକୁ ଯୁକ୍ତି କରାଯାଉଛି। ଓଡ଼ିଶାରେ ମଦ ସମ୍ପୂର୍ଣ୍ଣ ନିଷେଧ ପାଇଁ ୨୦୧୩ରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିତ୍ଲା। ଏଥିରେ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଓଡ଼ିଶା ପ୍ରୋହିବିଶନ୍‌ ଆକ୍ଟ୍‌ ୧୯୫୬ ଅନୁଯାୟୀ ସାରା ରାଜ୍ୟରେ ମଦ ସମ୍ପୂର୍ଣ୍ଣ ନିଷେଧ କରାଯିବା କଥା। ମାତ୍ର ସରକାର ତା’ର ବିପରୀତ କାର୍ଯ୍ୟ କରିଚାଲିଛନ୍ତି। ଏ ସମ୍ପର୍କିତ ମାମଲା ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଅଜବ ଯୁକ୍ତି ଦର୍ଶାଯାଇଛି। ମଦ ବନ୍ଦ ହେଲେ ଅର୍ଥନୀତି ସହିତ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବ। ବିଷାକ୍ତ ମଦ ଓ ନିଷିଦ୍ଧ ଡ୍ରଗ୍ସ କାରବାର ବଢ଼ିବ। ଏପରି କି ଗୁଜରାଟ ସରକାର ୧୯୫୧ରୁ ଓ ବିହାର ସରକାର ୨୦୧୬ରୁ ମଦ ନିଷିଦ୍ଧ କରି ବିଫଳ ହୋଇଛନ୍ତି ବୋଲି ଯୁକ୍ତି ଦର୍ଶାଇଛନ୍ତି। ଏ ଯୁକ୍ତି ବଡ଼ ଅଜବ। ମଦ ବିକ୍ରି ନ ହେଲେ ସେଇ ସୂତ୍ରରୁ ମିଳୁଥିତ୍ବା ରାଜସ୍ବ ମିଳିବନି ଆଉ ଅର୍ଥନୀତି ପ୍ରଭାବିତ ହୋଇପାରେ ଯଦି ଅନ୍ୟସୂତ୍ରରୁ ରାଜସ୍ବ ବୃଦ୍ଧି ନ ହୁଏ। ମାତ୍ର ପର୍ଯ୍ୟଟନ ଶିଳ୍ପ କିପରି ପ୍ରଭାବିତ ହେବ? ନିଷିଦ୍ଧ ଡ୍ରଗ୍ସ ଆଉ ଚୋରାମଦ କାରବାର ବନ୍ଦ କରିବା ଅବକାରୀ ବା ପୋଲିସ୍‌ ବିଭାଗର କାର୍ଯ୍ୟ। ତାକୁ ନ ରୋକି ସରକାର ନିଜେ ମଦ ବିକ୍ରି ସପକ୍ଷରେ ଯୁକ୍ତି କରିବା କେତେଦୂର ଗ୍ରହଣୀୟ?
ସତରେ କ’ଣ ସରକାରଙ୍କ ଅବକାରୀ ରାଜସ୍ବ ହ୍ରାସପାଇଲେ ରାଜ୍ୟ ଦରିଦ୍ର ହୋଇଯିବ, ସରକାରୀ କର୍ମଚାରୀମାନେ ଦରମା ଠିକ୍‌ ସମୟରେ ପାଇବେ ନାହିଁ, ସରକାର ବିଭିନ୍ନ ଯୋଜନାରେ ବାଣ୍ଟୁଥିବା ମାଗଣା ସୁବିଧା ହିତାଧିକାରୀମାନଙ୍କୁ ମିଳିବ ନାହିଁ? ଏମିତି ପ୍ରଶ୍ନ ମନରେ ଉଠେ। ଉଠିବା ବି ସ୍ବାଭାବିକ। ଧରାଯାଉ ଗୋଟିଏ ଲୋକ ମାସକୁ ୨ହଜାର ଟଙ୍କାର ମଦ ପିଏ। ଯଦି ସରକାରଙ୍କ ତରଫରୁ ରାଜ୍ୟରେ ମଦ ନିଷିଦ୍ଧ ହୋଇଯିବ ତେବେ ସେଇ ଲୋକ ୨ହଜାର ଟଙ୍କା କ’ଣ କରିବ? ତାକୁ ଫୋପାଡ଼ି ଦେବ କି ଅନ୍ୟକାମରେ ଲଗାଇବ? ଫୋପାଡ଼ିବ ନାହିଁ ନିଶ୍ଚୟ। ତାକୁ ବ୍ୟାଙ୍କରେ ଥୋଇବ ନ ହେଲେ ଘର ପାଇଁ କିଛି ଜିନିଷ କ୍ରୟ କରିବ ବା ଅନ୍ୟାନ୍ୟ ଖର୍ଚ୍ଚ କରିବ। ସେ ଯେଉଁ ଜିନିଷ କ୍ରୟ କରିବ ତା’ ଉପରେ ଟ୍ୟାକ୍ସ ଦେବ। କାରଣ ପ୍ରତ୍ୟେକ ଜିନିଷର ସର୍ବାଧିକ ଖୁଚୁରା ମୂଲ୍ୟରେ ସରକାରୀ ଟ୍ୟାକ୍ସ ମିଶିକରି ଥାଏ। ତେଣୁ ସରକାର କ୍ଷତି ସହିବାର ପ୍ରଶ୍ନ ଉଠୁ ନାହିଁ । ଯେମିତି ହେଲେ ସରକାରଙ୍କ ପାଖକୁ ରାଜସ୍ବ ଯିବ। ବରଂ ତା’ଅପେକ୍ଷା ମଦ୍ୟପାନ ଜନିତ ସଂଗଠିତ ଅପରାଧ, ଦୁର୍ଘଟଣା, କ୍ଷୟକ୍ଷତିରେ ସରକାରୀ ଅନୁଦାନ, କୋର୍ଟ କଚେରି ଥାନା ଖର୍ଚ୍ଚ, ଅବକାରୀ ଖର୍ଚ୍ଚ ଓ ଆମ୍ବୁଲାନ୍ସ ଖର୍ଚ୍ଚରୁ ସରକାରଙ୍କୁ ମୁକ୍ତି ମିଳିବ। କିଛି ଲୋକଙ୍କର ପରିବାର ସୁଧୁରି ଯିବ। ଯଦି ମହାମାରୀ କରୋନା ମୃତ୍ୟୁ ସହିତ ଆମ ମଦମୃତ୍ୟୁର ତୁଳନା କରାଯାଏ ତେବେ ତାହା ଖୁବ୍‌ ନଗଣ୍ୟ। କରୋନାରେ ଓଡ଼ିଶାରୁ ଦେଢ଼ ବର୍ଷ ଭିତରେ ଚଳିତ ବର୍ଷ ନଭେମ୍ବର ୧୨ ସୁଦ୍ଧା ୮୩୮୯ଜଣଙ୍କର ମୃତ୍ୟୁ ଘଟିଛି। ମାତ୍ର ମଦଜନିତ ମୃତ୍ୟୁସଂଖ୍ୟା ତାହା ତୁଳନାରେ ଢେର ଗୁଣରେ ଅଧିକ।
ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ବଳରେ କରୋନାକୁ ରୋକି ହେବ। ଏଥିପାଇଁ ଲକ୍‌ଡାଉନ୍‌, ଶଟ୍‌ ଡାଉନ୍‌ କରାଯାଉଛି। ବାଣିଜ୍ୟ, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ସରକାର ଜୀବନକୁ ପ୍ରାଥମିକତା ଦେଉଛନ୍ତି। ଆମକୁ ଘରେ ମାସ ମାସ ଧରି ବନ୍ଦ କରି ରଖିଛନ୍ତି। ତେବେ ତାହାଠୁ ଭୟଙ୍କର ମଦ ପାଇଁ କ’ଣ କରିଛନ୍ତି? ସାଧାରଣ ଲୋକଟି ଚାହିଁଲେ କରୋନା କବଳରୁ ବର୍ତ୍ତିପାରିବ, ମାତ୍ର ମଦ କବଳରୁ ବର୍ତ୍ତିବା ସହଜ ନୁହେଁ। ମଦର ପ୍ରସାରକୁ ରୋକିବା ପାଇଁ ମହିଳା ସଂଗଠନ ବା ମଦବିରୋଧୀ ସାମାଜିକ ଅନୁଷ୍ଠାନ ସାମୟିକ ଭାବରେ ଭଙ୍ଗାରୁଜା ବା ଆନ୍ଦୋଳନ କରିପାରିବେ। ତାହାଠାରୁ ଅଧିକ ଆଉ କିଛି କରିପାରିବେ ନାହିଁ। ସ୍ଥାନୀୟ ପୋଲିସ ଓ ପ୍ରଶାସନର କ୍ଷମତା ନାହିଁ କାୈଣସି ସ୍ବୀକୃତିପ୍ରାପ୍ତ ମଦଦୋକାନକୁ ବନ୍ଦ କରିପାରିବ। କେବଳ ସରକାର ଚାହିଁଲେ ଗୋଟିଏ ଆଇନ୍‌ ବଳରେ ପଦେକଥାରେ ବା ଦୁଇ ଚାରୋଟି ଦସ୍ତଖତ ବଦଳରେ ରାଜ୍ୟର ଭାଗ୍ୟ ବଦଳେଇପାରିବେ। ଏଥିପାଇଁ ସରକାର ନିଜର ମାନସିକତା ବଦଳେଇବା ଦରକାର। ଏକ ବିରାଟ ସଫଳତା ପଛରେ କିଛି ତ ବିଫଳତା ଆଉ ଅନ୍ତରାୟ ଆସିବ। ମାତ୍ର ଅବକାରୀ ରାଜସ୍ବରେ ସରକାର ତିଷ୍ଠିଛି ଏହା ଏକ ଅବାନ୍ତର ଯୁକ୍ତି।
ମକୁନ୍ଦପୁର,ବାଙ୍କୀ
ମୋ-୯୪୩୭୪୬୮୦୧୬


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri