ସେବା ନା କ୍ଷମତା ଲୋଭ

ଡ. ସନ୍ତୋଷ କୁମାର ମହାପାତ୍ର

ଗତ ନଭେମ୍ବର ୨୮ରେ ୮୩ତମ ‘ମନ୍‌ କି ବାତ୍‌’ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ସେ କ୍ଷମତା ଚାହାନ୍ତି ନାହିଁ ବରଂ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି। ଅନ୍ୟ ଅର୍ଥରେ ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ କ୍ଷମତା ପ୍ରତି ତାଙ୍କର ଜମା ଆସକ୍ତି ନାହିଁ। ସେବା ହିଁ ପରମ ବ୍ରତ। ପୂର୍ବରୁ ସେ ନିଜକୁ ପ୍ରଧାନସେବକ ବୋଲି ସର୍ବଦା କହିଥା’ନ୍ତି। କିନ୍ତୁ ବାସ୍ତବରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ କେବଳ ଗୋଟିଏ କାର୍ଯ୍ୟ କରିଛନ୍ତି। ତାହାହେଲା କ୍ଷମତାକୁ ନିରଙ୍କୁଶ କରି ସବୁଦିନ ବଜାୟ ରଖିବା। ସେ ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ସର୍ବାଧିକ ରେକର୍ଡ ସମୟର ମୁଖ୍ୟମନ୍ତ୍ରୀ ଥିଲେ। ଏବେ ଭାରତର ସର୍ବାଧିକ ରେକର୍ଡ ସମୟର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ସେଥିପାଇଁ ଅହରହ ପ୍ରଚାରରେ ଲିପ୍ତ ରହୁଛନ୍ତି। ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ନୂଆ ସ୍ଲୋଗାନ ଦେଉଛନ୍ତି।
ଲୋକଙ୍କ ସେବା କରିବାକୁ ଚାହୁଁଥିବା ବ୍ୟକ୍ତି କେବେ ବି ପ୍ରଚାରରେ ଲିପ୍ତ ହୁଅନ୍ତି ନାହିଁ। ଟିକସଦାତାଙ୍କ ଅର୍ଥରୁ ଟଙ୍କାଟିଏ ବ୍ୟୟ କଲେ ବା ରାଜ୍ୟକୁ ଦେଲେ ତାହା କେନ୍ଦ୍ର ଦେଉଛି ବୋଲି ପ୍ରଚାର କରାଯାଉଛି। ବିଜ୍ଞାପନରେ ମୋଦି ସରକାର କେତେ ଖର୍ଚ୍ଚ କରୁଛନ୍ତି ଏବଂ ତାଙ୍କ ଦଳର ଆଇଟି ସେଲ୍‌/ମିଡିଆ ସେଲ୍‌ରେ କେତେ ଖର୍ଚ୍ଚ ହେଉଛି, ବେକାର ଯୁବତୀ ଯୁବକମାନଙ୍କୁ କିପରି ମିଥ୍ୟା, ଅର୍ଦ୍ଧସତ୍ୟ ପ୍ରସାର ପାଇଁ ଏବଂ ସମାଲୋଚକଙ୍କ ବିରୋଧରେ ଘୃଣା ସୃଷ୍ଟି କରିବାରେ ନିୟୋଜିତ କରାଯାଉଛି ସେ କଥା ପ୍ରଧାନମନ୍ତ୍ରୀ କ’ଣ ଅବଗତ ନୁହନ୍ତି। ଅଗଷ୍ଟ ୨୦୧୪ରୁ ଅଗଷ୍ଟ ୨୦୧୮ ମଧ୍ୟରେ ବା ୪ ବର୍ଷରେ, ମୋଦି ସରକାର ବିଜ୍ଞାପନ/ପ୍ରଚାର ପାଇଁ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ୧୦ ବର୍ଷରେ ଉପା ସରକାର କରିଥିବା ବ୍ୟୟର ଦୁଇଗୁଣ । ୨୦୦୪ରୁ ୨୦୧୪ ମଧ୍ୟରେ ମନମୋହନ ସିଂଙ୍କ ନେତୃତ୍ୱରେ ଉପା ସରକାର ବିଜ୍ଞାପନ ତଥା ପ୍ରଚାର ପାଇଁ ପ୍ରାୟ ୨୬୫୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ମୋଦି ସରକାର ପ୍ରାୟ ୨୨୦୮ କୋଟି ଟଙ୍କା ଇଲେକ୍ଟ୍ରୋନିକ୍‌ ମିଡିଆରେ, ୨୧୩୬ କୋଟି ଟଙ୍କା ପ୍ରିଣ୍ଟ ମିଡିଆରେ ଏବଂ ୬୪୭ କୋଟି ଟଙ୍କା ବିଭିନ୍ନ ପ୍ରମୋସନାଲ କାର୍ଯ୍ୟକ୍ରମରେ ବ୍ୟୟ କରିଛନ୍ତି। ମିଡିଆ ବା ଗଣମାଧ୍ୟମ ଆଜି କେବଳ ସ୍ବାଧୀନତା ହରାଇନି, ଗରିବ ଓ ସାଧାରଣ ଜନତାଙ୍କର ସ୍ବର ନ ହୋଇ ସରକାରଙ୍କ ପ୍ରଚାରର ଏକ ମୁଖ୍ୟ ଅଂଶ ହୋଇଯାଇଛି। ଲୋକ ଠିକ୍‌ ତଥ୍ୟ ପାଉନାହାନ୍ତି। ସରକାରଙ୍କ ବିଫଳତା ଘୋଡ଼ାଯାଉଛି। ଆଜି ପର୍ଯ୍ୟନ୍ତ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ ପ୍ରଧାନମନ୍ତ୍ରୀ ଡାକିନାହାନ୍ତି। ଦଳୀୟ ଚିନ୍ତାଧାରାକୁ ଭିତ୍ତିକରି ସମାଜକୁ ଦୁଇଭାଗ କରି ଦିଆଯାଇଛି, ବୁଦ୍ଧିଜୀବୀଙ୍କୁ ପରସ୍ପର ମଧ୍ୟରେ ଲଢ଼େଇ କରିବାକୁ ଠେଲି ଦିଆଯାଉଛି।
ଦେଶସେବା କରିବାକୁ ଚାହୁଁଥିବା କୌଣସି ପ୍ରଧାନମନ୍ତ୍ରୀ ଟିକସଦାତାଙ୍କ ଅର୍ଥରେ ଆବଶ୍ୟକଠାରୁ ଅଧିକ ବିଦେଶ ଯିବେ ନାହିଁ। କିନ୍ତୁ ନଭେମ୍ବର ୨୦୨୧ ସୁଦ୍ଧା ଅର୍ଥାତ୍‌ ୭ ବର୍ଷ ୬ ମାସରେ ମୋଦି ୧୧୩ଟି ବିଦେଶ ଯାତ୍ରା କରିଛନ୍ତି। ମନମୋହନ ସିଂ ୧୦ ବର୍ଷରେ ମାତ୍ର ୭୩ଟି ବିଦେଶ ଯାତ୍ରା କରିଥିଲେ। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ଯେଉଁ ଆମେରିକା ମୋଦିଙ୍କୁ ଭିଜା ଦେଇ ନ ଥିଲା, ପ୍ରଧାନମନ୍ତ୍ରୀ ହେଲା ପରେ ସେହି ଦେଶକୁ ସେ ୭ଥର ଯାଇଛନ୍ତି।
ଶାସନର ଦ୍ୱିତୀୟ ପାଳି ବା ୫ ବର୍ଷରେ ମନମୋହନ ସିଂଙ୍କ ମୋଟ ବିଦେଶ ଯାତ୍ରା ଖର୍ଚ୍ଚ ପ୍ରାୟ ୧୩୫୦ କୋଟି ଥିଲାବେଳେ ମୋଦିଙ୍କ କ୍ଷେତ୍ରରେ ଏହା ଫେବୃୟାରୀ ୨୦୧୯ ସୁଦ୍ଧା (୫ ବର୍ଷରୁ କମ୍‌) ପ୍ରାୟ ୨୦୦୦ କୋଟି ଟଙ୍କା ଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୁରକ୍ଷା ଦେଉଥିବା ଏଲିଟ୍‌ ଫୋର୍ସ ପାଇଁ ବା ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍‌ (ଏସ୍‌ପିଜି) ପାଇଁ, ଦିନକୁ ୧.୬୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ହେଉଛି। ୨୦୨୦ ବଜେଟରେ ଏଥିପାଇଁ ୫୯୨.୫ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନିଜ ପୋଷାକ, ପରିଚ୍ଛଦ ପାଇଁ ବହୁତ ବ୍ୟୟ କରନ୍ତି ବୋଲି ଅଭିଯୋଗ ଉଠୁଛି। ୨୦୧୫ରେ ମୋଦିଙ୍କ ଏକ କଷ୍ଟୋମାଇଜ୍‌ ସୁଟ୍‌ର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଥିଲା, ଯାହାକୁ ନେଇ ସେ ସମାଲୋଚନାର ଶରବ୍ୟ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ କିଛି ଦେଶରେ ମନ୍ତ୍ରୀ, ନେତା ସାଧାରଣ ଜନତାଙ୍କ ପରି ଜୀବନ ବିତାଇଥା’ନ୍ତି। ନିକଟରେ ନ୍ୟୁଜିଲାଣ୍ଡ୍‌ର ଜଣେ ମହିଳା ସାଂସଦ ପିଲା ଜନ୍ମ ପାଇଁ ସାଇକେଲ ଚଳାଇ ହସ୍ପିଟାଲକୁ ଯାଇଥିଲେ। ଆମ ଦେଶରେ ମନ୍ତ୍ରୀ, ନେତାଙ୍କ ପାଇଁ ଯେଉଁ ଅତ୍ୟଧିକ ସୁବିଧା ସୁଯୋଗ ଦିଆଯାଉଛି, ତାହାକୁ କାହିଁକି ଉଠାଇ ଦିଆଯାଉ ନାହିଁି।
ମାଦିଙ୍କ ୭ ବର୍ଷରୁ ଊର୍ଦ୍ଧ୍ୱ ଶାସନରେ ଯେଉଁ ସବୁ ଘଟଣା ଘଟିଛି, ତାହା ଦର୍ଶାଉଛି ଯେ ସେ କ୍ଷମତାକୁ ଧରି ରଖିବା ପାଇଁ ବେଶି ଚେଷ୍ଟା କରିଛନ୍ତି। ନିଜକୁ ଦୁର୍ନୀତି ଓ କଳାଟଙ୍କା ବିରୋଧୀ ଭାବେ ଅଭିହିତ କରି ବିମୁଦ୍ରୀକରଣ ପଦକ୍ଷେପ ନେଇଥିଲେ। ସଂସଦରେ ବିରୋଧୀ ଦଳକୁ ବିଶ୍ବାସକୁ ନ ନେଇ ଯେପରି ଏକତରଫା ଭାବେ କୃଷି ବିଲ୍‌ ଗୃହୀତ କରାଯାଇଥିଲା ଏବଂ ଜନପ୍ରିୟତା, କ୍ଷମତା ହରାଇବା ଭୟରେ ସେପରି ବିନା ଆଲୋଚନାରେ ଏକତରଫା ଭାବେ କୃଷି ଆଇନ ପ୍ରତ୍ୟାହାର କରିଛନ୍ତି। ସେହିପରି ମହାମାରୀର ଦ୍ୱିତୀୟ ଲହର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଯେପରି ବିଭିନ୍ନ ରାଜ୍ୟର ନିର୍ବାଚନ ପ୍ରଚାରରେ ଲିପ୍ତ ରହିଲେ, ତାହା କ’ଣ ଦେଶସେବାର ପ୍ରତୀକ ଥିଲା?
ପ୍ରଧାନମନ୍ତ୍ରୀ ସବୁ ରାଜ୍ୟବାସୀଙ୍କର । କିନ୍ତୁ ଯଦି ସେ ଅଣଭାଜପା ଶାସିତ ରାଜ୍ୟକୁ ସହାନୁଭୂତି ନ ଜଣାଇ କଟୁ ମନ୍ତବ୍ୟ ଦେବେ ତାହାକୁ କ’ଣ ସେବାର ପ୍ରତୀକ କହିବା? ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କ ଯଥା ଦାରିଦ୍ର୍ୟ ଦୂରୀକରଣ, ସାକ୍ଷରତା, ମାନବ ଉନ୍ନୟନ କ୍ଷେତ୍ରରେ ଭାଜପା ଆଦୌ ଶାସନ କରି ନ ଥିବା ରାଜ୍ୟ କେରଳ ଦେଶରେ ସର୍ବାଗ୍ରେ ରହିଲେ ମଧ୍ୟ ପ୍ରଧାନମନ୍ତ୍ରୀ କେବେ ବି ଏହାକୁ ପ୍ରଶଂସା କରିନାହାନ୍ତି, ବରଂ ନିନ୍ଦା କରିଛନ୍ତି। କିନ୍ତୁ ଅପରପକ୍ଷରେ ଉତ୍ତରପ୍ରଦେଶରେ ଦାରିଦ୍ର୍ୟ, ଅପରାଧ, ନାରୀ ନିର୍ଯାତନା ସର୍ବାଧିକ ରହିବା, ମାନବ ଉନ୍ନୟନ କ୍ଷେତ୍ରରେ ପଛୁଆ ହେବା ସତ୍ତ୍ୱେ ସେଠାର ଭାଜପା ସରକାରଙ୍କୁ ପ୍ରଶଂସା କରାଯାଉଛି। ବିରୋଧୀ ଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ମଜଭୁତ ହୁଏ। କିନ୍ତୁ ବିରୋଧୀ ଧ୍ୱଂସ କରି ନିରଙ୍କୁଶ କ୍ଷମତା ପାଇଁ ଯାହା ଆବଶ୍ୟକ ତାହା ଏବେ କରାଯାଉଛିି। ସର୍ବଦା ଡବଲ ଇଞ୍ଜିନ ସ୍ଲୋଗାନ ଦିଆଯାଉଛିି। ସାଢ଼େ ସାତ ବର୍ଷ ଶାସନ କରିବା ସତ୍ତ୍ୱେ ନିଜ ବିଫଳତା ଘୋଡ଼ାଇବା ପାଇଁ ସର୍ବଦା ପୂର୍ବ କଂଗ୍ରେସ ସରକାରଙ୍କ ଉପରେ ଦୋଷ ଲଦି ଦିଆଯାଉଛି। ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଦଳର ନେତାମାନେ ନିଜ ବିଫଳତା ଘୋଡ଼ାଇବା ପାଇଁ ନେହେରୁ, ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଯେଉଁ କୁତ୍ସା ରଟନା କରୁଛନ୍ତି, ତାହା ତାଙ୍କର କ୍ଷମତା ପ୍ରତି ଥିବା ଆସକ୍ତିକୁ ପ୍ରତିଫଳନ କରୁଛି।
ବାସ୍ତବରେ ନେତାମାନେ ଯଦି ଦେଶ ସେବା ପାଇଁ ରାଜନୀତି କରୁଥାନ୍ତେ, ତେବେ ଅପରାଧରେ ସମ୍ପୃକ୍ତ ଲୋକ ବା ଧନଶାଳୀ ବେଶି ନିର୍ବାଚିତ ହୁଅନ୍ତେ ନାହିଁ। ଲୋକ ସଭାର ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକଙ୍କ ବିରୋଧରେ ଆପରାଧିକ ମାମଲା ରହିଛି, ଯାହା ୨୦୧୪ ତୁଳନାରେ ୨୬% ଅଧିକ। ଆସୋସିଏଶନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆରଏସ୍‌) ଅନୁଯାୟୀ, ୫୩୯ ବିଜେତା ପ୍ରାର୍ଥୀଙ୍କ ମଧ୍ୟରୁ ୨୩୩ ସାଂସଦ କିମ୍ବା ୪୩% ପ୍ରତିଶତଙ୍କ ବିରୋଧରେ ଆପରାଧିକ ଅଭିଯୋଗ ଅଛି। ସେହିଭଳି ୨୩୩ଟି ରାଜ୍ୟ ସଭା ଆସନ ମଧ୍ୟରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିତ୍ୱ କରୁଥିବା ୨୨୯ ମଧ୍ୟରୁ ୫୪ ସାଂସଦ କିମ୍ବା ୨୪%ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସଂସଦରେ କୋଟିପତିଙ୍କ ପ୍ରାଧାନ୍ୟ ମଧ୍ୟ ବୃଦ୍ଧି ପାଉଛି। ନୂତନ ଲୋକ ସଭାର ମୋଟ ୪୭୫ ସଦସ୍ୟ ହେଉଛନ୍ତି ‘କୋଟିପତି’। ୨୫ ମାର୍ଚ୍ଚ ୨୦୧୮ ସୁଦ୍ଧା ଲୋକ ସଭା ନିର୍ବାଚନରେ ବିଜେତାଙ୍କ ହାରାହାରି ସମ୍ପତ୍ତି ହେଉଛି ୨୦.୯୩ କୋଟି ଟଙ୍କା। ନୂତନ ଲୋକ ସଭାରେ ୨୬୬ ଜଣ ସଦସ୍ୟ ଅଛନ୍ତି, ଯାହାଙ୍କର ସମ୍ପତ୍ତି ୫ କୋଟି ଟଙ୍କା ବା ତା’ଠାରୁ ଅଧିକ। ୨୨୯ଟି ରାଜ୍ୟ ସଭା ସାଂସଦଙ୍କ ମଧ୍ୟରୁ ୮୮% ବା ୨୦୧ ଜଣ ସାଂସଦ କୋଟିପତି ଏବଂ ରାଜ୍ୟ ସଭା ସାଂସଦଙ୍କ ସମ୍ପତ୍ତିର ହାରାହାରି ୫୫.୬୨ କୋଟି ଟଙ୍କା। ଜୁନ୍‌ ୧୯ରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ୬୨ ନୂତନ ସଦସ୍ୟଙ୍କ ମଧ୍ୟରୁ ୫୨ ସାଂସଦ (୮୪%) କୋଟିପତି ଏବଂ ସେମାନଙ୍କର ହାରାହାରି ସମ୍ପତ୍ତି ମୂଲ୍ୟ ୭୪.୦୪ କୋଟି ଟଙ୍କା।
ପୁନଶ୍ଚ ଦେଶସେବା ପାଇଁ ରାଜନୀତି କ’ଣ ଏକମାତ୍ର ବିକଳ୍ପ? ବର୍ତ୍ତମାନ ରାଜନୀତି କରିବା ଏକ ସେବା ନୁହେଁ, ବରଂ ରୋଜଗାର କରିବା, କ୍ଷମତା ଜାହିର କରିବାର ଏକ ବୃତ୍ତି ପାଲଟିଯାଇଛି। ରାଜନୀତିରେ କିଛି ନୀତି ଆଦର୍ଶ ନାହିଁ। କେବଳ ବାମ ଦଳକୁ ଛାଡ଼ିଦେଲେ ଜଣେ ଏକ ରାଜନୈତିକ ଦଳରେ ଯୋଗ ଦେଲାବେଳେ ଆଦର୍ଶ, ନୀତି, ଚିନ୍ତାଧାରାକୁ ଭିତ୍ତି କରି ନୁହେଁ, ବରଂ କେଉଁ ଦଳରେ ଯୋଗ ଦେଲେ ବ୍ୟକ୍ତିଗତ ଲାଭ ହେବ, ସେହି ଦଳରେ ଯୋଗ ଦେଉଛନ୍ତି। ଏହାର ଅର୍ଥ ନୁହେଁ ସବୁ ରାଜନେତା ଖରାପ, କିନ୍ତୁ ଅଧିକାଂଶ ନିଜ ସ୍ବାର୍ଥସାଧନ ପାଇଁ ବ୍ୟସ୍ତ।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନୁହେଁ, ଜାତି

ବାସ୍ତବରେ ଭାରତ ପାଇଁ ଜାତି ଗୁରୁତ୍ୱ ରଖିଥାଏ। ଆଜି ମଧ୍ୟ ଉଚ୍ଚଜାତିର ମାତାପିତା କେବେହେଲେ ଚାହିଁବେ ନାହିଁ ସେମାନଙ୍କ ସନ୍ତାନ ନୀଚଜାତିରେ ବିବାହ କରୁ। ସେଥିପାଇଁ...

ଏଇ ଭାରତରେ

ଆମ ଦେଶରେ ଆଇନକାନୁନ ଯେମିତି ଉଦାର, ନ୍ୟାୟ ପ୍ରଦାନ ପ୍ରକ୍ରିୟା ମଧ୍ୟ ସେପରି ବିଳମ୍ବ ହୋଇଥାଏ। ଏଥିପାଇଁ ଜଣେ ଅଭିଯୁକ୍ତ ନିଜ ଜୀବଦ୍ଦଶାରେ ମଧ୍ୟ ନ୍ୟାୟ...

ଆଣ୍ଟିଅକ୍ସିଡାଣ୍ଟର ଭୂମିକା

ମାନେକା ଗାନ୍ଧୀ ଅକ୍ସିଡେଶନ (ଜାରଣ) ଏକ ରାସାୟନିକ କ୍ରିୟା। କୌଣସି ଏକ ପଦାର୍ଥ ଅକ୍ସିଜେନ ବା ଅମ୍ଳଜାନ ସଂସ୍ପର୍ଶରେ ଆସିଲେ ଏହା ସଂଗଠିତ ହୋଇଥାଏ। ଯଥା-ଆପଲ...

ପ୍ରାଣୀ ଓ ମନୁଷ୍ୟ ମଧ୍ୟରେ ସମାନତା

ମାନେକା ଗାନ୍ଧୀ ପାଶ୍ଚାତ୍ୟ ଦର୍ଶନ କେବଳ ମଣିଷ ଓ ପ୍ରାଣୀ (ମୁଖ୍ୟତଃ ମଣିଷ ଓ ପଶୁ)ଙ୍କ ମଧ୍ୟରେ ଏକ ବିଭାଜନ ରେଖା ଟାଣିଦେଇଛି। ପୃଥିବୀରେ ସ୍ବାଭାବିକ...

ଭଲ ମଣିଷ ପାଗଳ

ସରକାରୀ ବ୍ୟବସ୍ଥା ଭିତରେ ରହି ବ୍ୟବସ୍ଥାକୁ ବିରୋଧ କରି ଦାଣ୍ଠ୍‌ରେ ରହିବା ବହୁ କଷ୍ଟକର। କାରଣ ଆଜିର ସମୟରେ ବଡ଼ବଡ଼ିଆଙ୍କ ବିରୋଧରେ ମୁହଁ ଖୋଲିଲେ ପରିଣତି...

ଏଇ ଭାରତରେ

ଗୋଟିଏ ପଟେ ଦାୟିତ୍ୱ ଅନ୍ୟ ପଟେ କୋଚିଂ କ୍ଲାସ,ଚିକିତ୍ସା ଓ ଜୈବିକ କୃଷି ପ୍ରଶିକ୍ଷଣ ବ୍ୟବସ୍ଥା କରୁଛନ୍ତି ୨୦୧୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡ. ପ୍ରୀତିପଲ୍‌...

ଲୋକ ସଭାର ଅଧିଷ୍ଠାତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଲୋକ ସଭାର ମୁଖ୍ୟ ହେଉଛନ୍ତି ବାଚସ୍ପତି। ସେ ଗୃହ ସଦସ୍ୟଙ୍କ କ୍ଷମତା ଓ ସ୍ବାଧିକାର ରକ୍ଷକ ଭାବେ ଜଣାଶୁଣା। ସଂସଦୀୟ...

ଏଇ ଭାରତରେ

କ୍ୟାନ୍‌ସରରେ ନିଜ ଝିଅର ମୃତ୍ୟୁ ଘଟିବା ପରେ ତା’ ସ୍ବପ୍ନ ପୂରଣ କରିବା ଲାଗି କ୍ୟାନ୍‌ସର ରୋଗୀମାନଙ୍କୁ ସାହାଯ୍ୟ କରୁଛନ୍ତି ମୀନାକ୍ଷୀ ଧିଙ୍ଗ୍ରା। ମୀନାକ୍ଷୀଙ୍କ ଝିଅ...

Advertisement
Archives

Model This Week