Posted inଫୁରସତ

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ ବର୍ଣ୍ଣିତ ନୁହେଁ, କିନ୍ତୁ ଇତିହାସକୁ ପର୍ଯ୍ୟାଲୋଚନା କଲେ ଏଭଳି ଏକ ପ୍ରାଚୀନ ପରମ୍ପରା ନିମାପଡ଼ା ଅଞ୍ଚଳରେ ପ୍ରଚଳିତ ହୋଇଆସୁଛି। ଯାହା ‘ମାଇପିମେଳା’ଭାବେ ବିଖ୍ୟାତ। ନିମାପଡ଼ା ବ୍ଲକ ଅଧୀନ କାନପୁର ଏବଂ ନୀଳଗିରି ସାହି ମଧ୍ୟବର୍ତ୍ତି ସ୍ଥଳରେ ଥିବା ଗହୀର ମଧ୍ୟରେ ଅନୁଷ୍ଠିତ ହୋଇଥାଏ ଶ୍ରୀ ବଟଗୋସାଇଁ ‘ମାଇପିମେଳା’ । ଚୈତ୍ର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହି ମେଳାର ଆୟୋଜନ ହୋଇଥାଏ । ଗହୀର ମଧ୍ୟବର୍ତ୍ତି ସ୍ଥଳରେ ଥିବା ବଟବୃକ୍ଷ ମୂଳେ ଥିବା କେତେକ ବୃକ୍ଷକୁ ଏଠାରେ ପୂଜା କରାଯାଉଥିବାରୁ ଏହାକୁ ‘ବଟ ଗୋସାଇଁ ମାଇପି ମେଳା’ କୁହାଯାଏ। ଏଠାରେ ମାନସିକ ରଖି ଗୁହାରିଆ ପଡିଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଚୈତ୍ର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ସୂର୍ଯ୍ୟ ଉଦୟ ପୂର୍ବରୁ ମହିଳା ଏବଂ ପୁରୁଷ ଶୁଦ୍ଧପୁତ ଭାବେ ନୂତନ ବସ୍ତ୍ର ପରିଧାନ ପୂର୍ବକ ନିିର୍ଜଳ କାଷ୍ଠାରେ ମାନସିକ ରଖି ଗୁହାରିଆ ପଡିଥାନ୍ତି । ଏହି ଗୁହାରିଆଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ଥାଏ। ମଧ୍ୟାହ୍ନରେ ପୂଜକ ପାଦୁକ ଏବଂ ପଣା ଦେଇ ମାନସିକଧାରୀଙ୍କ ବ୍ରତ ଭଙ୍ଗ କରିଥାନ୍ତି। ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଏଠାରେ ପିଲାମାନଙ୍କର ମୁଣ୍ଡନ ମଧ୍ୟ କରାଯାଇଥାଏ । ଏହି ମେଳାରେ ପାଖାପାଖି ଅଞ୍ଚଳରୁ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି l ମେଳା ୨ ଦିନ ଧରି ଚାଲେ । ଶ୍ରଦ୍ଧାଳୁମାନଙ୍କ ଦାନ ଦକ୍ଷିଣାରେ ମେଳା ଅନୁଷ୍ଠିତ ହୋଇଥାଏ ବୋଲି ବଟ ଗୋସେଇଁ ମାଇପିମେଳା ଟ୍ରଷ୍ଟ ସୂଚନା ଦେଇଛନ୍ତି। ମାଇପିମେଳାର ମାହାତ୍ମ୍ୟ ବହୁପ୍ରାଚୀନ । ପୂର୍ବରୁ ଏଠାକୁ ରାସ୍ତା ଘାଟ ନ ଥିଲା l ବହୁ କଷ୍ଟ ସ୍ବୀକାର କରି ମାନସିକ ଧାରୀମାନେ ଏଠାକୁ ଆସୁଥିଲେ । ଏବେ ପରିସ୍ଥିତି ବଦଳି ଯାଇଛି । ମେଳା ସ୍ଥଳୀକୁ ରାସ୍ତା ନିର୍ମାଣ ହୋଇଛି । ଫଳରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି ଟ୍ରଷ୍ଟର ସଦସ୍ୟ ସୁଧୀର ମହାନ୍ତି । ଟ୍ରଷ୍ଟ ଗଠନ ହେବା ପରେ ମେଳା ପୀଠର ଉନ୍ନତୀକରଣ ସମ୍ଭବ ହୋଇପାରିଛି । ମାନସିକ ପୂରଣ ହେଉଥିବାରୁ ଏଠାରେ ପ୍ରତି ବର୍ଷ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି । ଗୁହାରିଆ ପଡିବା ସହିତ ଖଇ, ଚୁଡାଘଷା ଭୋଗ ସଙ୍ଗରେ ପୀଠରେ ବାନା ବାନ୍ଧିଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହନ୍ତି ଅଞ୍ଚଳ ବାସିନ୍ଦା ନିରଦ ବରଣ ଖୁଣ୍ଟିଆ । ତେବେ ଏହି ମାଇପିମେଳାରେ ଅଧିକ ସଂଖ୍ୟକ ମହିଳାମାନଙ୍କର ସମାଗମ ହେବା ସହ ସେମାନେ ତାଙ୍କ ଘରକରଣା ଓ ମନୋହରୀ ଜିନିଷ ଏହି ମେଳାରୁ କିଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri